ଦିନେ ଅଟୋ ଚଳାଇ ପରିବାର ପୋଷୁଥିଲେ ବାପା । ଆଜି ନିଜ ଟଙ୍କାରେ ବିଏମଡବ୍ଲ୍ୟୁ କାର୍ କିଣିଲା ପୁଅ । ଟିମ୍ ଇଣ୍ଡିଆର ପେସ୍ ବୋଲର ମହମ୍ମଦ ସିରାଜଙ୍କ ସଂଘର୍ଷ କାହାଣୀ

କନକ ବ୍ୟୁରୋ: ଅଟୋଚାଳକର ପୁଅରୁ ବିଏମଡବ୍ଲ୍ୟୁ କାରର ମାଲିକ । ଆମେ କହୁଛୁ ଭାରତୀୟ ପେସ୍ ବୋଲର ମହମ୍ମଦ ସିରାଜଙ୍କ କଥା । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ଫେରିବା ପରେ ଟିମ୍ ଇଣ୍ଡିଆର ଏହି ଦ୍ରୁତ ବୋଲର ନିଜ ଟଙ୍କାରେ ଏକ ବିଏମ୍ଡବ୍ଲ୍ୟୁ କାର୍ କିଣିଛନ୍ତି । ଏନେଇ ସେ ତାଙ୍କର ସୋସିଆଲ୍ ମିଡିଆ ସାଇଟ୍ ଜରିଆରେ ସୂଚନା ଦେଇଛନ୍ତି ।

ଏଠାରେ ଆମେ କହିରଖୁଛୁ ଯେ, ମହମ୍ମଦ ସିରାଜ ଜଣେ ସାଧାରଣ ପରିବାରରୁ ଆସି ଆଜି ଟିମ୍ ଇଣ୍ଡିଆର ଖେଳାଳି ହୋଇପାରିଛନ୍ତି । ତାଙ୍କ ବାପା ଅଟୋ ଚଳାଇ ତାଙ୍କ ପରିବାର ପୋଷଣ କରୁଥିଲେ । ତାଙ୍କର ସ୍ୱପ୍ନ ଥିଲା ତାଙ୍କ ପୁଅ ଦେଶ ପାଇଁ କ୍ରିକେଟ୍ ଖେଳୁ । ଯାହାକୁ ଆଜି ସତ କରି ଦେଖାଇଛନ୍ତି ମହମ୍ମଦ ସିରାଜ । ହେଲେ ଏହାପୂର୍ବରୁ ହିଁ ସେ ଏବେ ପରଲୋକରେ ।

ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ହିଁ ମହମ୍ମଦ ସିରାଜଙ୍କ ବାପାଙ୍କ ଅକାଳ ବିୟୋଗ ଘଟିଥିଲା । ଏହି ସମୟରେ ସିରାଜ ଅଷ୍ଟ୍ରେଲିଆରେ ଥିଲେ। ହେଲେ ବାପାଙ୍କ ସ୍ୱପ୍ନ ପୂରା କରିବାକୁ ସେ ଭାରତ ନଆସି ଅଷ୍ଟ୍ରେଲିଆରେ ରହିଥିଲେ । ଏହାପରେ ଯାହା ଘଟିଲା ତାହା ସମସ୍ତଙ୍କୁ ଜଣା । ଦମଦାର ପ୍ରଦର୍ଶନ ସହ ଟିମ୍ ଇଣ୍ଡିଆ କଙ୍ଗାରୁ ଦଳକୁ ଘାଇଲା କରିବା ସହିତ ଲଗାତାର ତୃତୀୟ ଥର ପାଇଁ ବର୍ଡର ଗାଭାସ୍କର ଟ୍ରଫି ହାତେଇଥିଲା । ଏହାର ଅଧିକାଂଶ ଶ୍ରେୟ ଯାଇଥିଲା ମହମ୍ମଦ ସିରାଜଙ୍କ ପାଖକୁ । ତାଙ୍କର ଦ୍ରୁତ ବୋଲିଂ ବଳରେ ହିଁ ଦଳ ସିରିଜ୍ କବଜା କରିପାରିଥିଲା ।
ଏହାପରେ ମହମ୍ମଦ ସିରାଜ ଗତ ଗୁରୁବାର ଭାରତ ଫେରିଥିଲେ । ବିମାନ ବନ୍ଦରରୁ ସେ ଘରକୁ ନଆସି ସିଧାସଳଖ ନିଜ ବାପାଙ୍କ କବର ପାଖକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ଚହଳ ପକାଇଥିଲା । ଏବେ ସେହି ଅଟୋଚାଳକର ନିଜ କଷ୍ଟ ଉପାର୍ଜିତ ଧନରେ ଦାମୀ ବିଏମଡବ୍ଲ୍ୟୁ କାରର ମାଲିକ ହୋଇପାରିଛି ।

from Kanak News
via <a href="https://ifttt.com/?

ଜାତୀୟ ରାଜପଥରେ ହାତୀ ଆତଙ୍କ : ହାତୀଙ୍କୁ ରାସ୍ତା ଉପରୁ ବନକର୍ମଚାରୀ ଘଉଡାଇବା ପରେ ଗମନାଗମନ ସ୍ୱାଭାବିକ

କନକ ବ୍ୟୁରୋ : ଖୋର୍ଦ୍ଧା ଦେଇ ଯାଇଥିବା ୧୬ ନଂବର ଜାତୀୟ ରାଜପଥରେ ହାତୀ ଆତଙ୍କ । ସଦର ଥାନା ନିକଟ ଦଳେଇପୁଟ ନିକଟସ୍ଥ ରାଜପଥରେ ଆଜି ସକାଳୁ ଦୁଇଟି ହାତୀ ବୁଲାବୁଲି କରୁଥିଲେ । ସେହିବାଟ ଦେଇ ଯାଉଥିବା ଲୋକ ରାସ୍ତା ଉପରେ ହାତୀକୁ ଦେଖି ଭୟରେ ଏଣେ ତେଣେ ଦୌଡାଦୌଡି କରିଥିଲେ ।

ଫଳରେ ୧୬ ନଂବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ବିନବିଭାଗ କର୍ମଚାରୀ ପହଂଚି, ହାତୀ ଦୁଇଟିକୁ ଘୋଡାଇଥିଲେ । ଦୁଇ ହାତୀକୁ ରାସ୍ତା ଉପରୁ ବନକର୍ମଚାରୀ ଘଉଡାଇବା ପରେ ଗମନାଗମନ ସ୍ୱାଭାବିକ ହୋଇଥିଲା ।

from Kanak News
via <a href="https://ifttt.com/?

ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମୁଖ୍ୟମନ୍ତ୍ରୀ । ନେତାଜୀ ବସ୍ ଟର୍ମିନାଲର କଲେ ଶିଳାନ୍ୟାସ । କହିଲେ, ନେତାଜୀଙ୍କ ଜନ୍ମ ସ୍ଥାନକୁ ଗଲେ ସେ ଭାବୁକ ହୋଇଯାଆନ୍ତି ।

କନକ ବ୍ୟୁରୋ: ଆଜି  ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଦିବସ । ଆଜିଠାରୁ ସାରା ଦେଶରେ ନେତାଜୀଙ୍କର ୧୨୫ତମ ଜନ୍ମ ବାର୍ଷିକୀ ପାଳନ ଆରମ୍ଭ ହୋଇଛି । ଏହି ଅବସରରେ ନେତାଜୀଙ୍କୁ ତାଙ୍କର ଜନ୍ମସ୍ଥାନ କଟକରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କର ଜନ୍ମ ସ୍ଥାନ ଜାନକୀନାଥ ଭବନକୁ ଯାଇ ରାଜ୍ୟବାସୀଙ୍କ ତରଫରୁ ଶ୍ରଦ୍ଧା ସୁମନ ଅର୍ପଣ କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନର ଅଂଶସ୍ୱରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଖାନନଗର ଠାରେ କଟକ ନେତାଜୀ ବସ୍‌ ଟର୍ମିନାଲର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନେତାଜୀ ଏହି କଟକ ମାଟିର ପୁଅ । ଏହି କଟକରେ ଜନ୍ମ ହୋଇଥିଲେ ଓ ବଡ ହୋଇଥିଲେ । ଏହି କଟକ ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା । ତେଣୁ ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବରେ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଯେତେବେଳେ ବି ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇଛନ୍ତି, ସେତେବେଳେ ସେ ଭାବୁକ ହୋଇଯାନ୍ତି ।  ଦେଶ ପାଇଁ ଓ ଜାତି ପାଇଁ ନେତାଜୀଙ୍କ ଅସୀମ ତ୍ୟାଗକୁ କେହି କେବେ ଭୁଲିପାରିବ ନାହିଁ । ଭାରତର ସ୍ୱାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ଅତୁଳନୀୟ ଥିଲା । ନେତାଜୀଙ୍କ ଦେଶଭକ୍ତି ଓ ସାହସ ଭାରତ ଇତିହାସରେ ଏକ ଗୌରବମୟ ଗାଥା ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କଟକ ନେତାଜୀ ବସ୍‌ ଟର୍ମିନାଲକୁ ଦେଶର ଏକ ମଡେଲ ବସ୍‌ ଟର୍ମିନାଲ ଭାବରେ ଗଢାଯିବ । ଏଠାକୁ ଆସୁଥିବା ସମସ୍ତଙ୍କ ମନରେ ନେତାଜୀଙ୍କ ସ୍ମୃତି ଯେପରି ଜାଗ୍ରତ ହୋଇପାରିବ, ସେଥିପାଇଁ ପଦକ୍ଷେପ ନିଆଯିବ। ନେତାଜୀଙ୍କର ଜୀବନୀ ଓ ସଂଗ୍ରାମର ଝଲକ ସବୁଠାରେ ଦେଖିବାକୁ ମିଳିବ ଏବଂ ଏଠାକୁ ଆସୁଥିବା ପ୍ରତିଟି ଲୋକ ନେତାଜୀଙ୍କ ସାହସ ଓ ଦେଶଭକ୍ତିର ବାର୍ତ୍ତା ନେଇ ଫେରିବ । ଏହି ବସ୍‌ ଟର୍ମିନାଲ ହଜାର ବର୍ଷର ସହର କଟକର ଗରିମାକୁ ଆହୁରି ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ହେବାକୁ ଯାଉଥିବା ଏହି ନୂତନ ବସ୍‌ ଟର୍ମିନାଲରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ । ଏଥିରେ ୧୧ ହଜାର ବର୍ଗମିଟର ନିର୍ମିତ ଅଞ୍ଚଳରେ ୧୮୦ଟି ବସ୍‌ ରହିପାରିବ ।

from Kanak News
via <a href="https://ifttt.com/?

ରିମାଣ୍ଡରେ ଗଲା କିଡନୀ କେଳେଙ୍କାରୀର କିଙ୍ଗପିନ୍ ହିଂମାଶୁ ଭୂଷଣ ନନ୍ଦ: ୩ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ଥାନା ପୁଲିସ

କନକ ବ୍ୟୁରୋ: କିଡନୀ କେଳେଙ୍କାରୀର କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ରିମାଣ୍ଡରେ ନେଇଛି ପୁଲିସ  । ଅନ୍ତରାଜ୍ୟ କିଡନୀ ଠକେଇ ରାକେଟରେ କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ପଚରାଉଚରା କରିବା ପାଇଁ ଲକ୍ଷ୍ମୀସାଗର ଥାନା ପୁଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ଲକ୍ଷ୍ମୀସାଗର ଥାନା ପୋଲିସ ଝାରପଡ଼ା ଜେଲରୁ ହିମାଂଶୁକୁ ରିମାଣ୍ଡରେ କିଡନୀ କେଳେଙ୍କାରୀ ନେଇ ପଚରାଉଚରା କରିବ ।

ଲକ୍ଷ୍ମୀସାଗର ଅଂଚଳରେ ରହୁଥିବା ଅନୁଗୁଳର ମିଲି ସାହୁଙ୍କ ଠାରୁ କିଡ଼ନୀ ପାଇଁ ୧ଲକ୍ଷ ୧୩ ହଜାର ଟଙ୍କା ଲୁଟି ନେବା ପରେ ଆଉ ଧରାଛୁଆଁ ଦେଇନଥିଲା ହିମାଂଶୁ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରିଥିଲା । ହିମାଂଶୁ ସହ ଆଉ କିଏ କିଏ ସଂମ୍ପୃକ୍ତ ଏହି ଠକେଇରେ ଆଉ କିଏ ସହଯୋଗ କରୁଥିଲେ ସେନେଇ ଖୋଳତାଡ଼ କରିବ ପୋଲିସ । ପୂର୍ବରୁ ନୟାପଲ୍ଲୀ ଥାନା ପୁଲିସ ମଧ୍ୟ ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ।

from Kanak News
via <a href="https://ifttt.com/?

ଜାନକୀନାଥ ଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ କେନ୍ଦ୍ରମନ୍ତ୍ରୀ : କହିଲେ, ନେତାଜୀଙ୍କ ପରାକ୍ରମ ଯୁବପୀଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ 

  • ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିଦାନର ଗାଥା ଥିଲା ଅତୁଳନୀୟ
  • “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏ ଦୁଇଟି ଶବ୍ଦ ସେ ସମୟରେ ଯୁବକଙ୍କ ମଧ୍ୟରେ
    ନୂଆ ଉନ୍ମାଦନା ସୃଷ୍ଟି କରିଥିଲା

କନକ ବ୍ୟୁରୋ : ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରାକ୍ରମ ତଥା ଦେଶ ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ, ତ୍ୟାଗ, ବଳିଦାନ ଓ ସଂସ୍କାର ଯୁବପୀଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ ବୋଲି ଶନିବାର ନେତାଜୀଙ୍କ ୧୨୫ ତମ ଜୟନ୍ତୀ ତଥା ‘ପରାକ୍ରମ ଦିବସ’ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନ ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

ସେ କହିଛନ୍ତି, ଭାରତବର୍ଷର ଅଦ୍ୱିତୀୟ ଜନଜାୟକ ତଥା ଭାରତର ସ୍ୱତନ୍ତ୍ର ସଂଗ୍ରାମର ଅଗ୍ରଣୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜକୁ ଗୌରବାନ୍ୱିତ ମନେ କରୁଛି । ନେତାଜୀଙ୍କ ସଂଘର୍ଷ, ବଳିଦାନ, ତ୍ୟାଗର ଗାଥାକୁ ଆଗକୁ ନେବା ପାଇଁ ଚଳିତବର୍ଷ ଠାରୁ ନେତାଜୀଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଆଗାମୀ ଶତାବ୍ଦି ଶତାବ୍ଦି ଯାଏ ନେତାଜୀଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଓ ତାଙ୍କ ବିଚାରଧାରାକୁ ଲୋକମାନେ ପଢ଼ିବା ସହ ପ୍ରେରିତ ହେବେ ।

ଦେଶର ସ୍ୱତନ୍ତ୍ରତା ଆଣିବାରେ ନେତାଜୀଙ୍କ ନେତୃତ୍ୱ ପ୍ରମୁଖ ଭୂମିକା ନିର୍ବାହ କରିଥିଲା । “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏ ଦୁଇଟି ଶବ୍ଦ ଭାରତର ସେ ସମୟରେ ଯୁବକଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିଥିଲା । ନେତାଜୀଙ୍କୁ ଏହି ସଂସ୍କାର ଐତିହାସିକ କଟକ ସହରରୁ ମିଳିଥିଲା । ସଶସ୍ତ୍ର ସଂଗ୍ରାମର ମହାନାୟକ ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିଦାନର ଗାଥା ଥିଲା ଅତୁଳନୀୟ । ଦେଶମାତୃକା ପାଇଁ ବଳିଦାନ ଦେବାର ଅନନ୍ୟ ଉଦାହରଣ ସେ ସୃଷ୍ଟି କରିଥିଲେ । ନେତାଜୀଙ୍କ ପରାକ୍ରମ ଓ ଦେଶଭକ୍ତି ଆଜି ମଧ୍ୟ ଆମ ଯୁବପିଢିଙ୍କୁ ପ୍ରେରଣା ଦେଉଛି ।

from Kanak News
via <a href="https://ifttt.com/?

ଦୋକାନର ସଟର ତାଡି ସୁନା ଗହଣା ଲୁଟ୍

କନକ ବ୍ୟୁରୋ: ଦୋକାନର ସଟର ତାଡି ସୁନା ଗହଣା ଲୁଟ୍ । ଗଂଜାମ ଜିଲ୍ଲା ଚିିକିଟି ବ୍ଲକ ନୂଆ ଗାଁ ଥାନା ଅଞ୍ଚଳର ଚିକିଟି ପେଣ୍ଠ ଗାଁରେ ଥିବା ଶିବାଜୀ ଜୁଏଲର୍ସର ଦୋକାନର କବାଟ ତାଡି ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ପାଇବା ପରେ ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ ପୁଲିସ୍ ଜୁଏଲାରୀ ଦୋକାନରେ ଥିବା ସିସିଟିଭିକୁ ଯାଞ୍ଚ କରିବା ସହ ଛାନଭିନ୍ କରୁଥିବା ବେଳେ କେତେ ଭରି ସୁନା ଏବଂ କେଉଁ କେଉଁ ଗହଣା ସବୁ ଚୋରି ହୋଇଛି ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଗହଣା ଦୋକାନରୁ ଲୁଟ ହେବା ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଯାଉଛି । ୧୫ ଦିନ ତଳେ ଧାନଘର ଅଞ୍ଚଳର ଏକ ସୋରୁମରୁ ୨ଲକ୍ଷ ୭୦ ହଜାର ଟଙ୍କା ସଟର ତାଡି ଦୁର୍ବୃତ୍ତ ନେଇଯାଇଛନ୍ତି । ଅଞ୍ଚଳରେ ଲୁଟତରାଜ, ରାହାଜାନୀ ଦିନକୁ ଦିନ ବଢିଚାଲିଥିବାରୁ ଲୋକେ ଅସୁରକ୍ଷିତ ମନେ କରୁଛନ୍ତି ।

 

from Kanak News
via <a href="https://ifttt.com/?

କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଅନ୍ତର୍ଜାତୀୟ ସ୍ତରର ହେବ ଏହି ବସ୍ ଟର୍ମିନାଲ

କନକ ବ୍ୟୁରୋ: କଟକରେ ଶିଳାନ୍ୟାସ ହେଲା ନେତାଜୀ ବସ ଟର୍ମିନାଲ । ଅତ୍ୟାଧୁନିକ ବସ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଅନ୍ତର୍ଜାତୀୟ ସ୍ତରର ହେବ କଟକ ଏହି ବସ୍ ଟର୍ମିନାଲ ।

ଶନିବାର ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ  ଗସ୍ତ କରି ସେଠାରେ ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି । ୧୧ ହଜାର ବର୍ଗ ମିଟରରେ ଏହି ବସ ଟର୍ମିନାଲଟିର ନିର୍ମାଣ ହେବ । ଏଥିରେ ପାଖାପାଖି ୧୮୦ଟି ବସ୍ ଓ ୨୭୫ଟି କାର୍ ରହିପାରିବ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୬୫ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ବସ୍ ଟର୍ମିନାଲଟି ଅନ୍ତର୍ଜାତୀୟ ସ୍ତରର ହେବା ସହିତ ଏଠାରେ ନେତାଜୀଙ୍କ ଜୀବନୀ ଓ ଆଦର୍ଶ ବାବଦରେ ଜଣାଯିବ । ନେତାଜୀଙ୍କ ଆଦର୍ଶର ପ୍ରଚାର ପାଇଁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

from Kanak News
via <a href="https://ifttt.com/?

ସାଲେପୁରରେ ଜମିବାଡି ଗଣ୍ଡଗୋଳକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ ! ବଜାରକୁ ଯାଉଥିବା ବେଳେ ନାବାଳକର ଖଣ୍ଡାଚୋଟରେ ଯୁବକ ମୃତ

କନକ ବ୍ୟୁରୋ: କଟକ ଜିଲ୍ଲା ସାଲେପୁରରେ ଜମିବାଡି ଗଣ୍ଡଗୋଳକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ସାଲେପୁର ମାଛୁଆତି ଗାଁର ସତ୍ୟପ୍ରକାଶ ମଲ୍ଲିକ ଗତକାଲି ରାତିରେ ସାଲେପୁର ବଜାରରୁ ଚାଲି ଚାଲି ଫେରୁଥିବା ସମୟରେ ପୂର୍ବରୁ ମାରଣାସ୍ତ୍ର ଧରି ପ୍ରସ୍ତୁତ ଥିବା ଜଣେ ନାବାଳକ ତାଙ୍କୁ ଆକ୍ରମଣ କରିଥିଲେ । ତେବେ ହଠାତ ଖଣ୍ଡାରେ ପଛପଟୁ ଚୋଟ ପକାଇବା ଫଳରେ ଅପ୍ରସ୍ତୁତ ଥିବା ସତ୍ୟପ୍ରକାଶ ଏହାର ପ୍ରତିବାଦ କରିପାରିନଥିଲେ ।

ଆହତ ସତ୍ୟପ୍ରକାଶଙ୍କୁ ପ୍ରଥମେ ସାଲେପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଅଭିଯୋଗ ଆଧାରରେ ସାଲେପୁର ପୋଲିସ ସଂପୃକ୍ତ ନାବାଳକ ଓ ତାଙ୍କ ମାଆଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

from Kanak News
via <a href="https://ifttt.com/?

ଖେଳରେ ପଶିଲା ବିଜେଡି…! ଯୁବ ଭୋଟରଙ୍କୁ ଆକୃଷ୍ଠ କରିବାକୁ ନୂଆ ରଣନୀତି: ମୟୂରଭଞ୍ଜ ପ୍ରିମିୟମ୍ ଲିଗରୁ ଆରମ୍ଭ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢୁଛି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ଯୁବ, ଛାତ୍ର ବିଜେପି ଆଡକୁ ବେଶି ଢଳୁଥିବା ଲକ୍ଷ୍ୟ କରାଯାଉଛି। ନିକଟରେ କିଛି ସର୍ଭରେ ଏହାର ଆଭାସ ମିଳିବା ପରେ ବିଜେଡି ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଏଭଳି ସ୍ଥିତି ଥିଲା। ହେଲେ ବିଜେଡି ଶେଷ ମୁହୂର୍ତ୍ତରେ ଏହି ଭୋଟ ବ୍ୟାଙ୍କକୁ ବିଭାଜିତ କରିବାରେ ସକ୍ଷମ ହୋଇଥିଲା ଓ ମାତ୍ ଦେଇଥିଲା ମୋଦୀଙ୍କୁ। ଏଥର କିନ୍ତୁ ପୂରା ଯୁବ, ଛାତ୍ର ଭୋଟରଙ୍କୁ ଟାଣିବା ଲାଗି ବିଜେଡି ପକ୍ଷରୁ ଜବରଦସ୍ତ କସରତ ଆରମ୍ଭ ହୋଇଯାଇଛି। ଖେଳ ପ୍ରତି ଯୁବ ଓ ଛାତ୍ରଙ୍କର ସଂପୃକ୍ତି ଅଧିକ ଥିବା କାରଣରୁ ଏବେ ଦଳର ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେଇଛି ଖେଳ ରାଜନୀତିରେ ପଶିବ। ଅର୍ଥାତ୍, ପ୍ରତି ଜିଲ୍ଲାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କରିବ, ଫୁଟବଲ୍‌ ବି। କେବଳ ସେତିକି ନୁହେଁ, ଅନ୍ୟ ଅଞ୍ଚଳମାନଙ୍କରେ ଲୋକପ୍ରିୟ ଖେଳକୁ ନେଇ ସେ ଅଞ୍ଚଳର ଯୁବ ଛାତ୍ରଙ୍କୁ ନିଜ ସହିତ ଯୋଡିବ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜେ ପ୍ରଭାରୀ ଥିବା କାରଣରୁ ମୟୂରଭଞ୍ଜରୁ ପରୀକ୍ଷାମୂଳକ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି। ଏହାର ପ୍ରଭାବକୁ ଦେଖି ପର୍ଯ୍ୟାୟକ୍ରମେ ବିଜେଡିର ଯୁବ ଓ ଛାତ୍ର ସଂଗଠନ ଏବଂ କ୍ରୀଡ଼ା ମନ୍ତ୍ରୀ ଆଗକୁ ସବୁ ଜିଲ୍ଲାରେ ଟୁର୍ଣ୍ଣାମେଣ୍ଟ କରିବେ, ପରେ ଗାଁ ପର୍ଯ୍ୟନ୍ତ ଏହା ଯିବ। ଦ୍ବିତୀୟ ପର୍ଯ୍ୟାୟରେ ମାଲକାନଗିରି ଓ କୋରାପୁଟରେ କରାଯିବାର ଯୋଜନା ରହିଛି। ବିଜେଡିର ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ପ୍ରଥମେ ପଞ୍ଚାୟତ, ପରେ ବ୍ଲକ ଓ ଶେଷରେ ଜିଲ୍ଲାସ୍ତରରେ ଏହି ଖେଳ ହେବ। ଏହାଦ୍ବାରା ପୂରା ଜିଲ୍ଲାର ଯୁବ ଓ ଛାତ୍ରଙ୍କୁ ଏକାଠି କରାଯିବ। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ପାଇଁ ଯୋଜନା ଆପାତତଃ ଚୂଡାନ୍ତ ହୋଇଛି। ଆଜି ଏହାର ରୂପରେଖ ସ୍ପଷ୍ଟ ହେବ ଓ ସନ୍ଧ୍ୟାରେ ଲୋଗୋ ଉନ୍ମୋଚନ ହେବ।

ବିଜେଡି ପକ୍ଷରୁ କୁହାଯାଇଛି, ‘ମୟୂରଭଞ୍ଜ ପ୍ରିମିୟମ୍ ଲିଗ୍’ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆରମ୍ଭ ହେବ। ଜିଲ୍ଲାରେ ୩୨ ଲେଖାଏଁ କ୍ରିକେଟ୍ ଓ ଫୁଟବଲ୍ ଟିମ ଚୟନ କରାଯିବ। ଗାଁ ଓ ପଞ୍ଚାୟତସ୍ତରରୁ ଖେଳାଳି ବଛାଯିବ। ବାରିପଦା ଷ୍ଟାଡିୟମ୍‌ରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରାଯିବାର ନିଷ୍ପତ୍ତି ହୋଇଛି। ରାଇରଙ୍ଗପୁରରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ କରାଯିବ। ବାରିପଦାରେ ଶନିବାର ଏହି ଲିଗ୍‌ ଲୋଗୋ ଉନ୍ମୋଚନ ବେଳଏ ଖୋଦ୍ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହିପାରନ୍ତି। ତାଙ୍କ ବ୍ୟତୀତ ରାଜ୍ୟ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ, ବିଧାୟକ ପ୍ରଣବ ବଳବନ୍ତ ରାୟ ଓ ଛାତ୍ର ଜନତା ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଜିଲ୍ଲାର ପ୍ରତି ବ୍ଲକରୁ ୮ ଲେଖାଏଁ କ୍ରିକେଟ୍ ଓ ଫୁଟବଲ୍ ଟିମ୍ ଚୟନ କରାଯିବ। ବାରିପଦା ଓ ରାଇରଙ୍ଗପୁର ପୌରପରିଷଦରୁ ୧୬ଟି ଲେଖାଏଁ କ୍ରିକେଟ୍ ଓ ଫୁଟବଲ ଟିମ୍ ବଛାଯିବ। ସେହିପରି ଉଦଳା ଓ କରଞ୍ଜିଆ ଏନଏସିରୁ ୮ ଲେଖାଏଁ ଟିମ୍ ଚୟନ କରାଯିବ।

ଚୟନ ପ୍ରକ୍ରିୟା ନିମନ୍ତେ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। କ୍ରୀଡ଼ା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା କ୍ରୀଡ଼ାବିତମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି।

from Kanak News
via <a href="https://ifttt.com/?

ଆଗ୍ରହରେ ଟିକା ନେଉଛି ଓଡିଶା: ୭ଦିନରେ ଟିକା ନେଲେଣି ୧ ଲକ୍ଷ ୨୧ ହଜାର ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧା; ସାରା ଦେଶରେ କରୋନା ଟିକାକରଣରେ ଓଡିଶା ତୃତୀୟ

କନକ ବ୍ୟୁରୋ: କରୋନା ଟିକାକୁ ନେଇ କାଁ ଭାଁ କେତେକ ସ୍ଥାନରେ ଅବିଶ୍ୱାସର ଖବର ଭିତରେ ଓଡିଶାରୁ ଆସିଛି ଉତ୍ସାହଜନକ ଖବର । କରୋନା ଟିକା ନେବାରେ ସାରାଦେଶରେ ତୃତୀୟ ଓଡିଶା । ଗତ ୭ ଦିନରେ ରାଜ୍ୟରେ ଟିକା ନେଲେଣି ୧ ଲକ୍ଷ ୨୧ ହଜାର ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପରେ ତୃତୀୟରେ ରହିଛି ଓଡିଶା । ଗତ ୭ ଦିନ ଭିତରେ କର୍ଣ୍ଣାଟକରେ ସର୍ବାଧିକ ୧  ଲକ୍ଷ ୮୨ ହଜାର ୫୦୩ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ସେହିପରି ଦ୍ୱିତୀୟରେ ରହିଛି ଆନ୍ଧ୍ରପ୍ରଦେଶ । ଏଠାରେ ୧ ଲକ୍ଷ ୨୭ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଟିକା ନେଇସାରିଲେଣି । ସେହିପରି ଓଡିଶା ପଛକୁ ତେଲେଙ୍ଗାନା ରହିଛି । ଏଠାରେ ଗତ ୭ ଦିନରେ ୧ ଲକ୍ଷ ୨ ହଜାର ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି ।

ଅପର ପକ୍ଷରେ, ରାଜ୍ୟରେ ଉପଲବ୍ଧ ହେଉଥିବା ଦୁଇ ପ୍ରକାର ଟିକା ମଧ୍ୟରୁ ଗତକାଲି ୧୫୨୪୭ଜଣଙ୍କୁ ‘କୋଭିସିଲ୍‌ଡ’ ଓ ୧୧୩୭ଜଣଙ୍କୁ ‘କୋଭାକ୍ସିନ୍’ ଟିକା ଦିଆଯାଇଥିଲା । ଏହାସହ ବରଗଡ଼ ଜିଲ୍ଲାରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ(୫୯) ଟିକା ନେଇ ଅସୁସ୍ଥ ହୋଇ ପଡ଼ିଥିଲେ।  ତାଙ୍କୁ ଅବଜରଭେସନ୍‌ରେ ରଖାଯାଇଥିବା ବେଳେ ‌ମହିଳାଜଣକ ଏବେ ସୁସ୍ଥ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୧୬ଜଣଙ୍କ ନିକଟରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ସେପଟେ ଆଜି ୨୨୧ ଅଧିବେଶନରେ ସମୁଦାୟ ୨୦,୩୩୦ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି। ଅପରପକ୍ଷରେ ରାଜ୍ୟରେ ଯେଉଁ ସିଏଚ୍‌ସିଗୁଡ଼ିକରେ ନିୟମିତ ଟିକାଦାନ ହେଉଛି, ସେଠାରେ ସପ୍ତାହକୁ ୩ଦିନ ଟିକାକରଣ କରାଯିବ। ମାତ୍ର ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସପ୍ତାହକୁ ୬ଦିନ ଟିକାଦାନ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୫ ତାରିଖ ସୁଦ୍ଧା ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started