ପଚା ଆମ୍ବ ଓ ପୋକରେ ସାଲୁବାଲୁ ଆଚାର । ଭୁବନେଶ୍ୱର ଉପକଣ୍ଠ ପାହାଳରେ ଅପମିଶ୍ରିତ ଆଚାର ଓ ସସ୍ କାରଖାନା ଉପରେ ଚଢାଉ କଲା ପୁଲିସ ।

କନକ ବ୍ୟୁରୋ : ଆଚାର ତିଆରି ହେବା ପାଇଁ ଥିବା ସାମଗ୍ରୀରେ ପୋକ ସାଲୁବାଲୁ ହେଉଛନ୍ତି । ଆଉ ଜାଣିଲେ ତାଜୁବ ହେବେ, ଏହି ସାମଗ୍ରୀରୁ ଆଚାର ପ୍ରସ୍ତୁତ ହୋଇ ଦୋକାନରେ ବିକ୍ରି ହୁଏ ଏବଂ ଲୋକମାନେ ଏହାକୁ କିଣି ଖାଇଥାନ୍ତି ।

ଭୁବନେଶ୍ୱର ପାହାଳ ଅଞ୍ଚଳରେ ଥିବା ଏକ ଆଚାର ଓ ଶସ କାରଖାନା ଉପରେ ଆଜି ଅଚାନକ ଚଢାଉ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ ଓ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ । ।ସାଙ୍ଗରେ ଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀ । ଯାଞ୍ଚ ବେଳେ ଏହି କାରଖାନାରେ ଅପମିଶ୍ରିତ ଓ ନିମ୍ନମାନର ଆଚାର ଏବଂ ସସ ପ୍ରସ୍ତୁତ ହେଉଥିବା ଜଣାପଡିଥିଲା । ନା ଥିଲା ଆଇଏସଓ ସାର୍ଟିଫିକେଟ ନା ଥିଲା କୌଣସି ଆଇନଗତ କାଗଜପତ୍ର । ବେଧଡକ ଚାଲିଥିଲା ନିମ୍ନମାନର ଓ ନକଲି ଆଚାର ଓ ସସ ପ୍ରସ୍ତୁତି ।

ଦୀର୍ଘଦିନ ଧରି ଏହିଭଳି ନିମ୍ନମାନର ଆଚାର ଓ ସସ ପ୍ରସ୍ତୁତ କରି ବିକ୍ରି କରୁଥିଲା ଏହି କମ୍ପାନି । ସସ ନିର୍ମାଣ ପାଇଁ କନଫ୍ଲୋର, ଷ୍ଟାର୍ଚ, ରେଡ ପାପ୍ରିକା କଲର ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା । ଆଚାର ତିଆରି ପାଇଁ ୬ରୁ ୮ମାସ ପୁରୁଣା ଲଙ୍କା, ଆମ୍ବ ଓ ଲେମ୍ବୁର ବ୍ୟବହାର କରାଯାଉଥିଲା । ଯେଉଁଥିରେ କି ପୋକ ଲାଗିଥିବାର ଦେଖିବାକୁ ମିଳିଥିଲା ।

ଏହି କାରଖାନାରୁ ଆଚାର, ସସର ସାମ୍ପୁଲ ଜବତ କରାଯାଇ ଷ୍ଟଟ ଫୁଡ ଟେଷ୍ଟିଂ ଲାବ୍ରୋଟରୀକୁ ପଠାଇଦିଆଯିବା ସହିତ ପୋକ ଲାଗିଥିବା ଜିନିଷକୁ ନଷ୍ଟ କରିବା ପାଇଁ ଉଦ୍ୟମ କରାଯାଇଛି । ଏହି କମ୍ପାନିର ମାଲିକଙ୍କୁ ନୋଟିସ କରାଯିବା ସହିତ ତାଙ୍କ ପକ୍ଷ ରଖିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହାରିସ: ଓକିଲାତିରୁ ଆରମ୍ଭ କରିଥିଲେ କ୍ୟାରିୟର, ଆଜି ଉପ ରାଷ୍ଟ୍ରପତି

କନକ ବ୍ୟୁରୋ: ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ୫୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ କମଳା ହାରିସ। ଯାହା ଆମେରିକା ସହିତ ପ୍ରତିଟି ଭାରତୀୟମାନଙ୍କ ପାଇଁ ଏକ ଗର୍ବର ବିଷୟ ହୋଇପାରିଛି। ତେବେ କମଳା ହାରିସ ନିଜର ପ୍ରାରମ୍ଭିକ ଜୀବନରେ ଓକିଲାତି କରୁଥିଲେ ବୋଲି ଆଜି ବି ଅନେକ ଲୋକ ଜାଣିନଥିବେ । ଓକିଲାତିରୁ କ୍ୟାରିୟର ଆରମ୍ଭ କରିଥିବା ଏହି ମହିଳା ଜଣକ ଆଜି ଆମେରିକା ଭଳି ରାଷ୍ଟ୍ରର ଉପ ରାଷ୍ଟ୍ରପତି ଆସନରେ ବସିଛନ୍ତି।

୧୯୬୪ ମସିହା ଅକ୍ଟୋବର ୨୦ ତାରିଖରେ କାଲିଫର୍ଣ୍ଣିଆର ଅକଲାଣ୍ଡରେ ଜନ୍ମ ନେଇଥିଲେ କମଳା ହାରିସ। ତାଙ୍କ ବାପା ଡୋନାଲ୍ଡ ଜେ ହ୍ୟାରିସ ଜାମାଇକାର ବାସିନ୍ଧା ହୋଇଥିବାବେଳେ ମା’ ଥିଲେ ଭାରତୀୟ। ତାଙ୍କର ନାଁ ଥିଲା ଶ୍ୟାମା ଗୋପାଳନ । ସେ ତାମିଲନାଡୁର ମୂଳ ବାସିନ୍ଧା ହୋଇଥିବାବେଳେ ଦୀର୍ଘ ବର୍ଷ ଧରି ଆମେରିକାରେ ରହିଆସୁଥିଲେ। କମଳାଙ୍କ ଜନ୍ମ ମଧ୍ୟ ସେହି ଆମେରିକାରେ ହୋଇଥିଲା ଏବଂ ସେ ସେଠାରେ ହିଁ ପାଠ ପଢ଼ିଥିଲେ।

କମଳା ହାରିସ୍ ଅକଲାଣ୍ଡରେ ପାଠ ପଢ଼ିବା ପରେ ଉଚ୍ଚଶିକ୍ଷା ପାଇଁ ହାୱାର୍ଡ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ। ସେଠାରୁ ଡିଗ୍ରୀ ହାସଲ କରିବା ପରେ ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଆଇନ୍ ପାଠ ପଢ଼ିଥିଲେ । ଆଇନ୍ ପାଠ ପଢ଼ି ସାରିବା ପରେ କମଳା ହାରିସ୍ ୧୯୯୮ ମସିହାରୁ ନିଜର ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ। ସାନ ଫ୍ରାନ୍ସିସ୍କୋରୁ ପ୍ରଥମେ ଡିସ୍ଟ୍ରିକ୍ଟ ଆଟର୍ଣ୍ଣିଂ ଅଫିସରେ ଭାବେ କାମ ଆରମ୍ଭ କରିଥିଲେ କମଳା ହାରିସ୍। ଯେଉଁଠି ତାଙ୍କୁ କ୍ୟାରିୟର କ୍ରିମିନାଲ ୟୁନିଟର ଇନଚାର୍ଜ ରଖାଯାଇଥିଲା । ୨୦୦୩ ମସିହାରେ କମଳା ହାରିସଙ୍କୁ ସାନ ଫ୍ରାନ୍ସିସ୍କୋ କାଉଣ୍ଟିଂର ଡିସ୍ଟ୍ରିକ୍ଟ ଆର୍ଟର୍ଣ୍ଣିଂ ରୂପେ ଚୟନ କରାଯାଇଥିଲା। ଏହାପରେ ସେ କାଲିଫର୍ଣ୍ଣିଆର ଆଟର୍ଣ୍ଣିଂ ଜେନେରାଲ ହୋଇ ଇତିହାସ ରଚିଥିଲେ।

୨୦୧୬ରେ କମଲା ହାରିସ୍ କାର୍ଲିଫର୍ଣ୍ଣଆରୁ ଡେମୋକ୍ରାଟିକ ଦଳର ପ୍ରତିନିଧି ଭାବେ ଆମେରିକା ସିନେଟକୁ ନିର୍ବାଚିତ ହୋଇଥିଲେ। ସେ ପ୍ରଥମ ଦକ୍ଷିଣ ଏସୀୟ ଆମେରିକୀୟ ଓ ଦ୍ୱିତୀୟ ମହିଳା ଆଫ୍ରିକୀୟ ଆମେରିକୀୟ ଭାବେ ଆମେରିକା ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ। ପ୍ରଥମ ପାଳିରେ ସେ ସଫଳତାର ସହ ନିଜର ଦାୟିତ୍ୱ ନିର୍ବାହ କରିଥିଲେ। ୨୦୨୦ ଆମେରିକା ନିର୍ବାଚନରେ କମଳା ହାରିସଙ୍କୁ ଡେମୋକ୍ରାଟିକ ଦଳ ଉପ-ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା। ଜୋ ବାଇଡେନଙ୍କ ସହ ମିଶି ସେ ମଧ୍ୟ ଚତ୍ମକାର ବିଜୟ ହାସଲ କରିଥିଲେ। ଆଜି ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବା ସହିତ ଆମେରିକାର ଉପ-ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

from Kanak News
via <a href="https://ifttt.com/?

ଦିନେ ପାଠ ପଢିବା ପାଇଁ କରୁଥିଲେ ସ୍କୁଲ ଘର ସଫେଇ । ଆଜି ହେଲେ ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି । ଜାଣନ୍ତୁ, ଜୋ ବାଇଡେନଙ୍କ ସଂଘର୍ଷମୟ ଜୀବନ ବିଷୟରେ 

କନକ ବ୍ୟୁରୋ : କୁହାଯାଏ ସଂଘର୍ଷମୟ ଜୀବନ ଭିତରୁ ହିଁ ଜଣେ ସଫଳ ମଣିଷର ସୃଷ୍ଟି । ଜୀବନର କଠିନ ପରିସ୍ଥିତିରେ ଯେଉଁ ଲୋକ ସ୍ଥିର ହୋଇ ରୁହେ ସେହିଁ ଜୀବନରେ ଆଗକୁ ବଢେ । ଆଜି ଆମେ ସେମିତି ଜଣେ ମଣିଷର କଥା କହିବୁ ଯେ ସଂଘର୍ଷମୟ ଜୀବନକୁ ସଫଳତାର ସହ ପାର୍ କରି ଆଜି ଆମେରିକାର ରାଷ୍ଟ୍ରପତି ପଦରେ ବସିଛନ୍ତି ।

ଜୋ ବାଇଡେନ୍ । ଆମେରିକା ରାଜନୈତିକ ଇତିହାସରେ ବୋଧହୁଏ ଏହି ନାଁ କେହି ଭୁଲିପାରିବେନି । କାହିଁକି ନା ବର୍ତ୍ତମାନ ସେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାକୁୁ ଯାଉଛନ୍ତି । ହେଲେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ଯେ ତାଙ୍କୁ ଅନେକ ସଂଘର୍ଷମୟ ରାସ୍ତା ପାର୍ ହେବାକୁ ପଡିଥିଲା ତାହା ଆଜିବି ଅନେକଙ୍କୁ ଅଜଣା ।

ବାଇଡେନଙ୍କ ଜନ୍ମ ୧୯୪୨ ମସିହା ନଭେମ୍ବର ୨୦ ତାରିଖରେ ଆମେରିକାର ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା । କୁହାଯାଏ ପିଲାଦିିନେ ସେ ପାଠ ପଢିବା ପାଇଁ ସ୍କୁଲ୍ ଘରର ସଫେଇ କାମ କରୁଥିଲେ । ଏହାରି ଭିତରେ ବିଭିନ୍ନ ସମସ୍ୟା ଭିତରେ ବାଇଡେନ୍ ଆଇନ୍ ପାଠ ପଢିଥିଲେ । ହେଲେ ଆଇନ୍ ପାଠ ପଢିବା ଭିତରେ ସେ ରାଜନୀତି ଆଡକୁ ଢଳି ଯାଇଥିଲେ ।

୧୯୭୨ ମସିହାରେ ପ୍ରଥମ କରି ବାଇଡେନ୍ ଆମେରିକା ସଂସଦର ଉଚ୍ଚ ସଦନ ନିର୍ବାଚିତ ହୋଇଥିଲେ । ଆମେରିକାର ଡେଲାବେୟରରୁ ଇଲେକ୍ସନ ଲଢି ସେ ପ୍ରଥମ କରି ସିନେଟକୁ ଆସିଥିଲେ । ହେଲେ ଏହି ସମୟରେ ଏକ ସଡକ ଦୁର୍ଘଟଣାରେ ତାଙ୍କ ପତ୍ନୀ ଓ ଦେଢ ବର୍ଷର ଝିଅ ପ୍ରାଣ ହରାଇଥିଲେ । ସ୍ତ୍ରୀ ଆଉ ଝିଅର ଏପରି ମୃତ୍ୟୁ ପରେ ବାଇଡେନ୍ ସେତେବେଳେ ଡିପ୍ରେସନକୁ ଚାଲିଯାଇଥିଲେ । ସେ ଆତ୍ମହତ୍ୟା କରିବାକୁ ମଧ୍ୟ ବହୁବାର ଚେଷ୍ଟା କରିିଥିଲେ । ହେଲେ ଏହାରି ଭିତରେ ସେ ଜିଲ୍ ଜ୍୍ୟାକ୍ସଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ବାସ୍ ସେବେଠାରୁ ସେ କେବେ ବି ପଛକୁ ଚାହିଁ ଦେଖିନାହାନ୍ତି । ରାଜନୈତିକ କ୍ୟାରିୟରରେ ଉପରକୁ ଉଠିବା ସହିତ ଦୁଇ ଦୁଇ ଥର ଉପ-ରାଷ୍ଟ୍ରପତି ଆଉ ଆଜି ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଛନ୍ତି ।

୧୯୭୨ ମସିହାରୁ ୨୦୦୯ ପର୍ଯ୍ୟନ୍ତ ବାଇଡେନ୍ ଆମେରିକା ସିନେଟର ସଦସ୍ୟ ରହିଥିଲେ । ୨୦୦୯ ମସିହାରେ ଉପରାଷ୍ଟ୍ରପତି ପଦରେ ଲଢିବା ପାଇଁ ଜୋ ବାଇଡେନ୍ ଆମେରିକା ସିନେଟରୁ ଇସ୍ତଫା ଦେଇଥିଲେ । ସେହିବର୍ଷ ଓବାମାଙ୍କ ନେତୃତ୍ୱରେ ଡେମୋକ୍ରାଟିକ୍ ଦଳ କ୍ଷମତାକୁ ଫେରିବା ସହିତ ବାରାକ୍ ଓବାମା ଆମେରିକାର ନୂଆ ରାଷ୍ଟ୍ରପତି ହୋଇଥିଲେ । ଆଉ ସେତେବେଳେ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ଜୋ ବାଇଡେନ୍ । ଓବାମାଙ୍କ ସହ ମିଶି ବାଇଡେନ୍ ୨୦୧୭ ମସିହା ପର୍ଯ୍ୟନ୍ତ ଆମେରିକାର ଉପରାଷ୍ଟ୍ରପତି ରହିଥିଲେ । ଦୁହିଁଙ୍କ ଭିତରେ ଏମିତି ତାଳମେଳ ଥିଲା ଯେ ଓବାମା, ଜୋ ବାଇଡେନଙ୍କୁ ବ୍ରଦର ଭାଇସ୍ ପ୍ରେସିଡେଣ୍ଟ ବୋଲି କହିଥିଲେ । ଏହି ସମୟ ଭିତରେ ବାଇଡେନ୍ ପାଖାପାଖି ୫୦ଟି ଦେଶ ଗସ୍ତ କରିଥିଲେ । ଯେଉଁ କାରଣରୁ ଆମରିକାର ସମ୍ପର୍କ ଅନ୍ୟ ଦେଶମାନଙ୍କ ସହ ସୁଦୃଢ ହୋଇଥିଲା ବୋଲି କୁହାଯାଏ ।

ଓବାମାଙ୍କ ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ହୋଇଥିଲେ । ଆଉ ଏହି ସମୟରେ ଉପ -ରାଷ୍ଟ୍ରପତି ହୋଇଥିଲେ ମାଇକ୍ ପେନ୍ସ ।

 ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କିନ୍ତୁ ଜୋ ବାଇଡେନ୍ ହୋଇଥିଲେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ । ଆଉ ତାଙ୍କ ସାମ୍ନାରେ ଥିଲେ ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ । ଏହି ନିର୍ବାଚନରେ ବାଇଡେନ୍, ଟ୍ରମ୍ପଙ୍କୁ ମାତ୍ ଦେବା ସହ ବିଜୟୀ ହୋଇଥିଲେ । ଆଉ ଆଜି ସେ ଆମେରିକା ସଂସଦରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

from Kanak News
via <a href="https://ifttt.com/?

ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ । ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ ।

କନକ ବ୍ୟୁରୋ: ଆଜିଠୁ ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ । ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ବାଇଡେନ । ବାଇଡେନକୁ ଶପଥ କରାଇଲେ ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ସେହିପରି ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । କମଲା ହାରିସ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ।

ଶପଥ ପାଠ ଉତ୍ସବରେ ଆମେରିକା ବାସୀଙ୍କୁ ସମ୍ବୋଧନ କରିଛନ୍ତି ଜୋ ବାଇଡେନ । ଏନେଇ ବାଇଡେନ କହିଛନ୍ତି, ଆମେରିକା ଇତିହାସରେ ନୂଆ ଦିନ ଆରମ୍ଭ ହୋଇଛି । ଏହା ଲୋକତନ୍ତ୍ରର ବିଜୟ । ଦେଶ ସଙ୍କଟ ସମୟ ଦେଇ ଗତି କରୁଛି । ଏହି ସମୟରେ ସମସ୍ତଙ୍କୁ ନେଇ ମୁଁ ଆଗକୁ ଯିବି । ଦେଶର ଅର୍ଥନୀତିକୁ ସୁଧାରିବାକୁ କାମ କରିବି । ଦେଶର ସେନା ଶସକ୍ତ । ସବୁ ସମୟରେ ଆମେ ପ୍ରସ୍ତୁତ ରହିବୁ ।

ଏହି ସମାରୋହରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇ ଥିଲା । ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଇଡେନ ଏବଂ କମଳା ହାରିସ୍ ଶପଥ ଗ୍ରହଣ କରିଛନ୍ତି । ଏହି ସମୟରେ ଆମେରିକାର ଉଦଘାଟନୀ ପରମ୍ପରାକୁ ସମ୍ମାନ ଦେବା ସହ ଲୋକମାନଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ଅଫିସ୍ ୱେବସାଇଟ୍ ବାଇଡେନଇନଆଗୁରାଲ ଡଟ୍ କମରେ କୁହାଯାଇଥିଲା ।

from Kanak News
via <a href="https://ifttt.com/?

ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । ୪୯ତମ ଉପରାଷ୍ଟ୍ରପତି ଭାବେ ନେଲେ ଶପଥ ।

କନକ ବ୍ୟୁରୋ : ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ । ୪୯ତମ ଉପରାଷ୍ଟ୍ରପତି ଭାବେ ନେଲେ ଶପଥ । ଭାରତୀୟ ବଂଶୋଦ୍ଭବ ହେଉଛନ୍ତି କମଲା ହାରିସ । କମଲା ହାରିସ ହେଲେ ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ ।

ଏନେଇ ସଜେଇ ହୋଇଛି କ୍ୟାପିଟାଲ । ଏହାସହ ୱାସିଂଟନ ଡିସିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଇଡେନ ଏବଂ କମଳା ହାରିସ୍ ଶପଥ ଗ୍ରହଣ କରୁଛନ୍ତି । ଏହି ସମୟରେ ଆମେରିକାର ଉଦଘାଟନୀ ପରମ୍ପରାକୁ ସମ୍ମାନ ଦେବା ସହ ଲୋକମାନଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ।

from Kanak News
via <a href="https://ifttt.com/?

ସ୍କୁଲ ଫି’ କମାଇବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି । ବାର୍ଷିକ ୬ ହଜାରରୁ ୧ ଲକ୍ଷ ଯାଏଁ ଭିନ୍ନ ଭିନ୍ନ ଅନୁପାତରେ କମିବ ଫି’ । ଚଳିତ ବର୍ଷ ବଢ଼ିବନି କୌଣସି ଦେୟ ।

କନକ ବ୍ୟୁରୋ : କୋହଳ ହେବ ସ୍କୁଲ ଫି । ସମସ୍ତ ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ପିଲାଙ୍କ ଫି’ କମାଇବାର ବାଟ ବାହାର କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବରେ ସ୍କୁଲ ଫି କୋହଳ ହେବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ଏହି ସ୍କୁଲ ଗୁଡ଼ିକୁ ଅନୁରୋଧ କରିଛନ୍ତି ।

ସ୍କୁଲ ଫି’ କମାଇବାର ନିଷ୍ପତ୍ତି ଆସିବା ପରେ ସମସ୍ତଙ୍କ ଅଭିଭାବକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି- କେତେ କମିବ ସ୍କୁଲ ଫି’? ହାଇକୋର୍ଟଙ୍କ ରାୟ ପରେ ଯେଉଁ ପ୍ରସ୍ତାବଟି ଆସିଥିଲା ଏବଂ ଯାହା ଲାଗୁ ହେବାକୁ ଯାଉଛି ସେହି ତାଲିକା ଉପରେ ନଜର ପକାନ୍ତୁ ।
ଏମିତି ହେବ ସ୍କୁଲ ଫି’ ଛାଡ଼!
– ବାର୍ଷିକ ୬ହଜାରରୁ ୧୨ ହଜାର ୭.୫%
– ୧୨ ହଜାରରୁ ୨୪ ହଜାର ୧୨%
– ୨୪ ହଜାରରୁ ୪୮ ହଜାର ୧୫%
– ୪୮ ହଜାରରୁ ୭୨ ହଜାର ୨୦%
– ୭୨ ହଜାରରୁ ୧ଲକ୍ଷ ୨୫%
– ବାର୍ଷିକ ୧ଲକ୍ଷରୁ ଅଧିକ ଥିଲେ ୨୬%

ଏହି କ୍ରମରେ ସ୍କୁଲ ଫି’ ଛାଡ଼ କରିବା ପାଇଁ ସବୁ ପକ୍ଷ ସହ ଆଲୋଚନା ପରେ ହାଇକୋର୍ଟରେ ପ୍ରସ୍ତାବ ରଖିଥିଲେ ରାଜ୍ୟ ସରକାର । ଆଉ ଏହି ଆଧାରରେ ସ୍କୁଲ ଫି’ କମାଇବା ପାଇଁ ସ୍କୁଲ ଗୁଡ଼ିକକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

ବାର୍ଷିକ ଟ୍ୟୁସନ୍ ବାହାରେ ଚଳିତ ଶିକ୍ଷାବର୍ଷରେ କୌଣସି ସ୍କୁଲ ଫି’ ବୃଦ୍ଧି କରିପାରିବେ ନାହିଁ । ହଷ୍ଟେଲ ଫି’ ୩୦% ଛାଡ଼ ହେବ । ସ୍କୁଲ ନ ଖୋଲିବା ଯାଏଁ, ଆକ୍ଟିଭିଟି ଫି’, ଲଣ୍ଡ୍ରି ଫି’, ରିଆଡ୍ମିସନ୍ ଫି’, ଡେଭଲପମେଂଟ ଫି’ ଏବଂ ଆନୁଆଲ ଫି’ ଆଦି ଆଦାୟ ନକରିବା ପାଇଁ କୁହାଯାଇଛି ।

ମହାମାରୀ ମାଡ଼ରେ ଯେତେବେଳେ ରୋଜଗାର ପ୍ରଭାବିତ ହୋଇଥିଲା, ସ୍କୁଲ ଫି’ ଛାଡ଼ କରିବା ପାଇଁ ଅଭିଭାବକ ସଂଘ ପକ୍ଷରୁ ଦାବି କରାଯାଇଥିଲା । ମାମଲା ହାଇକୋର୍ଟରେ ପହଂଚିଥିଲା । ଆଉ ଶେଷରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅଭିଭାବକ ସଂଘ, ଘରୋଇ ସ୍କୁଲ ସଂଘ ଭଳି ସମସ୍ତ ପକ୍ଷରୁଙ୍କୁ ନେଇ ହାଇକୋର୍ଟରେ ଏକ ପ୍ରସ୍ତାବ ରଖାଯାଇଥିଲା ।

ହାଇକୋର୍ଟଙ୍କ ରାୟ ଆସିବା ପରେ ଆଲୋଚନା ପର୍ଯ୍ୟାଲୋଚନା ଓ ଆଡଭୋକେଟ ଜେନେରାଲଙ୍କ ପରାମର୍ଶକ୍ରମେ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି- ଘରୋଇ ସ୍କୁଲ କର୍ତ୍ତୃପକ୍ଷ, ରାଜ୍ୟ ସରକାର, ଓଡିଶା ଅଭିଭାବକ ମହାସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରାଯିବ । ଆଉ ଏହାରି ଭିତରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।

from Kanak News
via <a href="https://ifttt.com/?

ଆମେରିକା ଦେଖିବ ନୂଆ ଦିନ । ୱାଶିଂଟନ ଡିସିରେ ବାଇଡେନ । ୪୬ତମ ରାଷ୍ଟ୍ରପତି ଭାବେ ନେବେ ଶପଥ

କନକ ବ୍ୟୁରୋ : ୱାଶିଂଟନ ଡିସିରେ ଜୋ ବାଇଡେନ । ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ । ୪୬ତମ ରାଷ୍ଟ୍ରପତି ଭାବେ ନେବେ ଶପଥ । ସେହିପରି କମଲା ହାରିସ୍ ୪୯ତମ ଉପ ରାଷ୍ଟ୍ରପତି ଭାବେ ନେବେ ଶପଥ । ଏନେଇ ସଜେଇ ହୋଇଛି କ୍ୟାପିଟାଲ ହିଲ୍ । ଏହାସହ ୱାଶିଂଟନ ଡିସିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏହି ସମାରୋହରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଇଡେନ ଏବଂ କମଳା ହାରିସ୍ ଶପଥ ଗ୍ରହଣ କରିବେ। ଏହି ସମୟରେ ଆମେରିକାର ଉଦଘାଟନୀ ପରମ୍ପରାକୁ ସମ୍ମାନ ଦେବା ସହ ଲୋକମାନଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ଅଫିସ୍ ୱେବସାଇଟ୍ ବାଇଡେନଇନଆଗୁରାଲ ଡଟ୍ କମରେ କୁହାଯାଇଛି।

ଶପଥ ଗ୍ରହଣ ସମାରୋହ ପାଇଁ ୱାଶିଂଟନ୍ ଯାତ୍ରା ନକରିବାକୁ ଅଧିକାରୀମାନେ ଆମେରିକୀୟମାନଙ୍କୁ ଅନୁରୋଧ କରିଛନ୍ତି । ଏହି ସମାରୋହ ଆମେରିକାର ସମସ୍ତ ପ୍ରମୁଖ ନ୍ୟୁଜ୍ ନେଟୱାର୍କରେ ଏବଂ ବାଇଡେନଇନଆଗୁରାଲ ଡଟ୍ କମରେ ପ୍ରସାରିତ ହେବ। ଏହି ସମାରୋହକୁ ୟୁଟ୍ୟୁବ୍, ଫେସବୁକ୍, ଟ୍ୱିଟର ଏବଂ ଟ୍ୱିଚ୍ ସହିତ ଆମାଜନ ପ୍ରାଇମ ଭିଡିଓ, ମାଇକ୍ରୋସଫ୍ଟ ବିଙ୍ଗ, ଫକ୍ସର ନ୍ୟୁଜ୍ ନାଓରେ ମଧ୍ୟ ଦେଖିହେବ।

from Kanak News
via <a href="https://ifttt.com/?

ରାଜ୍ୟରେ ତୈଳ ଦର ବୃଦ୍ଧି ସହ ବଢିଲା ବସ୍ ଭଡା । ଜାଣନ୍ତୁ, କେଉଁ ବସର ହେଲା କେତେ ଟଙ୍କା ଭଡା ?

କନକ ବ୍ୟୁରୋ : ବସ ଯାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟରେ ତୈଳ ଦର ବୃଦ୍ଧି ସହ ବଢିଲା ବସ୍ ଭଡା । ଅର୍ଡିନାରୀ ବସ ଭଡା କିଲୋମିଟର ପିଛା ୭୩ ପଇସାରୁ ବଢି ୭୪ ପଇସା ହୋଇଛି । ଏକ୍ସପ୍ରେସ ବସ ଭଡା ୭୬ ପଇସା ହୋଇଛି । ସେହିପରି ଡିଲକ୍ସ ବସ ଭଡା କିଲୋମିଟର ପିଛା ବଢି ୧୦୭ରୁ ୧୦୯ ପଇସା ହୋଇଛି ।

ତେବେ ଦିନକୁ ଦିନ ତୈଳ ଦର ବୃଦ୍ଧି ଯୋଗୁଁ ବସ ଭଡା ଉପରେ ଏହାର ପ୍ରଭାବ ପଡୁଛି । ବସ ଭଡା ବଢିବା ଯୋଗୁଁ ଏହା ଯାତ୍ରୀମାନଙ୍କ ଉପରେ ପ୍ରଭାବ ପକାଇପାରେ । ସେପଟେ କରୋନା ଯୋଗୁଁ ବସରେ ଯାତାୟାତ କମ ହୋଇଯାଇଛି ।

from Kanak News
via <a href="https://ifttt.com/?

କାମାକ୍ଷାନଗର କଲେଜରେ କେଳେଙ୍କାରୀ । ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ୨ ବର୍ଷ ଛୁଟିରେ ଥିବା ବୋହୂଙ୍କୁ ଦିଆଯାଇଛି ଦରମା । ସେପଟେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ।

କନକ ବ୍ୟୁରୋ : କାମାକ୍ଷାନଗର କଲେଜରେ କେଳେଙ୍କାରୀ ଘଟଣାରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । କହିଲେ ବୋହୂକୁ ନେଇ ଆସିଥିବା ଅଭିଯୋଗ ଭିତ୍ତିହୀନ । ମୋ ବୋହୂ ପିଏଚଡିରେ ଆଡମିଶନ ନେଇଥିଲେ । ପୁଅ ଦେହ ଖରାପ ଯୋଗୁଁ କ୍ଲାସ କରିନଥିଲେ । ଲୋକପାଳଙ୍କ ନିକଟରେ ମାମଲା ଚାଲିଛି । ଆମେ ସବୁ କଥା ଲୋକପାଳଙ୍କୁ ଜଣାଇଛୁ ।

ସୂଚନା ଅଧିକାର ଆଇନ ବଳରେ କାମାକ୍ଷନଗର କଲେଜର ଏକ ଏମିତି ଖବର ସାମନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୁ ଲିପ୍ସା ପ୍ରଧାନଙ୍କ ନାଁରେ ଆସିଛି ଏହି ଅଭିଯୋଗ । ସୂଚନାଅଧିକାର କର୍ମୀଙ୍କ ଅଭିଯୋଗ ଅନୁସାରେ ମନ୍ତ୍ରୀଙ୍କ ବୋହୂ ଲିପ୍ସା ପ୍ରଧାନ କାମାକ୍ଷାନଗର କଲେଜରେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଅଛନ୍ତି ।

୨୦୧୬-୧୮ ଶିକ୍ଷା ବର୍ଷରେ ଲିପ୍ସାଙ୍କ ଉପସ୍ଥାନ ରେକର୍ଡ କଲେଜରେ ନାହିଁ, ହେଲେ ମାସକୁ ମାସ ଦରମା ଦିଆଯାଉଛି । କଲେଜ କର୍ତ୍ତୃପକ୍ଷ କହୁଛନ୍ତି ସେହି ସମୟରେ ଲିପ୍ସା ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିଲେ । ଏପଟେ ବାଣୀବିହାରରେ ୨୦୧୬-୧୮ ଶିକ୍ଷା ବର୍ଷରେ ଲିପ୍ସା ପ୍ରଧାନ ନାଁ ରେ କେହି ପିଏଚଡି କରିନଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି ।

ଅଭିଯୋଗ ପାଇବା ପରେ ଲୋକାୟୁକ୍ତ, ମନ୍ତ୍ରୀଙ୍କ ବୋହୂ ଲିପ୍ସା ପ୍ରଧାନ ଓ ପ୍ରାକ୍ତନ କଲେଜ ଅଧ୍ୟକ୍ଷଙ୍କୁ ଜବାବ ତଲବ କରିଥିଲେ । ସମସ୍ତଙ୍କ ପକ୍ଷ ଶୁଣିବା ପରେ ପୂରା ଘଟଣାର ଯାଞ୍ଚ କରିବା ସହ ଦୁଇ ମାସ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ବିଜେପି ଏହି ଘଟଣାରୁ ନିନ୍ଦା କରିବା ସହିତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।

from Kanak News
via <a href="https://ifttt.com/?

ହ୍ୱାଇଟ ହାଉସ ଛାଡିଲେ ଟ୍ରମ୍ପ । ଆମେରିକା ଦେଖିବ ନୂଆ ରାଷ୍ଟ୍ରପତି । ଆଉ କିଛି ସମୟ ପରେ ଶପଥ ନେବେ ବାଇଡେନ ।

କନକ ବ୍ୟୁରୋ : ଆଜି ନିଜର ନୂଆ ରାଷ୍ଟ୍ରପତି ପାଇବ ଆମେରିକା। ନିର୍ବାଚନ ଜିତିବା ପରେ ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ। ଏ ନେଇ ସମସ୍ତଙ୍କ ପ୍ରସ୍ତୁତି ଶେଷ ହୋଇଛି। ଆଜି ଭାରତ ସମୟ ସନ୍ଧ୍ୟା ୮ଟା ୩୦ରେ ଜୋ ବାଇଡେନ ୪୬ତମ ରାଷ୍ଟ୍ରପତି ଭାବେ ଏବଂ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ୪୯ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ତେବେ ଶପଥ ଗ୍ରହଣର କିଛି ସମୟ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସ ଛାଡ଼ିଛନ୍ତି। ଟ୍ରମ୍ପ ହ୍ବାଇଟ ହାଉସ ଛାଡ଼ିବା ସହ ପତ୍ନୀ ମେଲାନିଆଙ୍କ ସହ ଫ୍ଲୋରିଡା ଯାତ୍ରା କରିବେ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଆଜି ସନ୍ଧ୍ୟା ୮ଟା ୩୦ରେ ଏକ ସ୍ବାଗତ ଭାଷଣ ଏବଂ ଜାତୀୟ ସଙ୍ଗୀତ ଗାନ ସହିତ ଉଦଘାଟନୀ ସମାରୋହ ଆରମ୍ଭ ହେବ। ଏହି ସମାରୋହରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଇଡେନ ଏବଂ କମଳା ହାରିସ୍ ଶପଥ ଗ୍ରହଣ କରିବେ। ଏହି ସମୟରେ ଆମେରିକାର ଉଦଘାଟନୀ ପରମ୍ପରାକୁ ସମ୍ମାନ ଦେବା ସହ ଲୋକମାନଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ଅଫିସ୍ ୱେବସାଇଟ୍ ବାଇଡେନଇନଆଗୁରାଲ ଡଟ୍ କମରେ କୁହାଯାଇଛି।

ଶପଥ ଗ୍ରହଣ ସମାରୋହ ପାଇଁ ୱାଶିଂଟନ୍ ଯାତ୍ରା ନକରିବାକୁ ଅଧିକାରୀମାନେ ଆମେରିକୀୟମାନଙ୍କୁ ଅନୁରୋଧ କରିଛନ୍ତି । ଏହି ସମାରୋହ ଆମେରିକାର ସମସ୍ତ ପ୍ରମୁଖ ନ୍ୟୁଜ୍ ନେଟୱାର୍କରେ ଏବଂ ବାଇଡେନଇନଆଗୁରାଲ ଡଟ୍ କମରେ ପ୍ରସାରିତ ହେବ। ଏହି ସମାରୋହକୁ ୟୁଟ୍ୟୁବ୍, ଫେସବୁକ୍, ଟ୍ୱିଟର ଏବଂ ଟ୍ୱିଚ୍ ସହିତ ଆମାଜନ ପ୍ରାଇମ ଭିଡିଓ, ମାଇକ୍ରୋସଫ୍ଟ ବିଙ୍ଗ, ଫକ୍ସର ନ୍ୟୁଜ୍ ନାଓରେ ମଧ୍ୟ ଦେଖିହେବ।

from Kanak News
via <a href="https://ifttt.com/?

Design a site like this with WordPress.com
Get started