ଆଗାମୀ ୩ ଦିନ ପର୍ଯ୍ୟନ୍ତ ବଢିବ ଶୀତ, କଲବଲ କରିବ କୁହୁଡି । 

କନକ ବ୍ୟୁରୋ : ଆଭ୍ୟନ୍ତରୀଣ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ସ୍ଥଳଭାଗରେ ସମୁଦ୍ର ପତନ ଠାରୁ ୦.୯ କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍‌ ପ୍ରବାହ ଏବେ ଦୁର୍ବଳ ହୋଇ ପଡ଼ିଛି। ଫଳରେ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ପାରଦ ଖସିବା ସହ ରାତିରେ ଶୀତ ବଢ଼ିବ ଓ ଭୋର ସମୟରେ ଘନରୁ ହାଲୁକା କୁହୁଡ଼ି ପଡ଼ିବ।

ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ବୁଲେଟିନରେ କୁହାଯାଇଛି ଯେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ, ଏହି ସମୟ ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଏବଂ ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, ପୁରୀ, ଢ଼େଙ୍ଗାନାଳ ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ଅଧିକ ରହିଛି।

ଏହାକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

from Kanak News
via <a href="https://ifttt.com/?

ଦିନ ଦ୍ୱିପହରରେ ଡକାୟତି । ମକା ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ଚକଲପଦର ଜଙ୍ଗଲରେ ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ଲୁଟିଲେ ୪ ଲକ୍ଷ ଟଙ୍କା । 

କନକ ବ୍ୟୁରୋ : ମକା ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ଝରିଗାଁରେ ଏହି ଘଟଣା ଘଟିଛି । ମକା ବ୍ୟବସାୟୀ ରାଜେନ୍ଦ୍ର ସିଂ ଯାଦବଙ୍କୁ ଆକ୍ରମଣ କରି ଲୁଟିନେଇଛନ୍ତି ଦୁର୍ବୃତ୍ତ । ଚଚାରୁ କଂଗ୍ରା ହାଟକୁ ଯିବା ବାଟରେ ଚକଲପଦର ଜଙ୍ଗଲରେ ୩ଜଣ ଦୁର୍ବୃତ୍ତଙ୍କ ଦ୍ୱାରା ଲୁଟର ଶିକାର ହୋଇଛନ୍ତି ରାଜେନ୍ଦ୍ର ।

ଚଚା ଗ୍ରାମର ରାଜେନ୍ଦ୍ର ସିଂ ଯାଦବ ଏବଂ ମନ ମାଝୀ ଦୁହେଁ ମିଶି ଏକ ବାଇକ ଯୋଗେ କଂଗ୍ରା ଗ୍ରାମର ସାପ୍ତାହିକ ହାଟକୁ ଯାଉଥିଲେ। ହାଟରେ ବ୍ୟବସାୟ ପାଇଁ ରାଜେନ୍ଦ୍ର ଗୋଟିଏ ବ୍ୟାଗରେ ୪ ଲକ୍ଷ ଟଙ୍କା ସାଙ୍ଗରେ ନେଉଥିଲେ। ତେବେ ଚକଲପଦର ଘାଟି ପାଖରେ କିଛି ଦୁର୍ବୃତ୍ତ ପଲସର ଗାଡ଼ିରେ ଆସି ବ୍ୟବସାୟୀଙ୍କୁ ଆକ୍ରମଣ କରି ଵ୍ୟାଗରେ ଥିବା ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ରାଜେନ୍ଦ୍ରଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା।

ରାଜେନ୍ଦ୍ରଙ୍କୁ ପ୍ରଥମେ ନବରଙ୍ଗପୁର ଡାକ୍ତରଖାନା ଏବଂ ପରେ ବିଶାଖାପାଟଣାକୁ ନେଇଥିବା ସୂଚନା ମିଳିଛି । ଏଣେ ଖବର ପାଇ ଝରିଗାଁ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

from Kanak News
via <a href="https://ifttt.com/?

ଭାରତର ଶେଷ ରାସ୍ତା ଧନୁଷକୋଡି । ଲୋକଙ୍କ ବିଶ୍ୱାସ ଅନୁସାରେ ଏଇଠି ରହିଛି ରାମସେତୁ । ଜାଣନ୍ତୁ, ଏହାର ଇତିହାସ

କନକ ବ୍ୟୁରୋ : ଆମ ଦେଶରେ ଏଭଳି କିଛି ଜାଗା ରହିଛି ଯାହା ବିଷୟରେ ଖୁବ କମ ଲୋକ ଜାଣିଥିବେ । ଏମିତି ଏକ ସ୍ଥାନ ହେଉଛି ଧନୁଷକୋଡି । ତାମିଲନାଡୁର ସମୁଦ୍ରକୂଳରେ ଏହି ସ୍ଥାନ ଅବସ୍ଥିତ । ଏଠାରେ ଏକ ରାସ୍ତା ରହିଛି ଯାହାକୁ ଦେଶର ଶେଷ ରାସ୍ତା ବୋଲି କୁହାଯାଏ । ଏହି ସ୍ଥାନରୁ ଶ୍ରୀଲଙ୍କା ମଧ୍ୟ ଦେଖାଯାଇଥାଏ । କାରଣ ଧୋନୁଷକୋଡିରୁ ଶ୍ରୀଲଙ୍କାର ଦୂରତା ମାତ୍ର ୨୪ କିଲୋମିଟର ।

ତାମିଲନାଡୁର ରାମେଶ୍ୱରମଠାରୁ ୧୮ କିଲୋମିଟର ଆଗକୁ ଯିବା ପରେ ସମୁଦ୍ର ମଝିରେ ଏକ ପତଳା ରାସ୍ତା ଯାଇଛି । ଯାହାକୁ ଧନୁଷକୋଡି ବୋଲି କୁହାଯାଉଛି । ଏହାସହ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଭଗବାନ ଶ୍ରୀରାମ ଏଠାରେ ରାମସେତୁ ନିର୍ମାଣ କରିଥିଲେ । ଯାହାର ପ୍ରମାଣ ସାଟେଲାଇଟ ଚିତ୍ରରୁ ସାମ୍ନାକୁ ଆସିଛି । ଏ ତ ଥିଲା ହଜାର ବର୍ଷ ପୁରୁଣା ଧନୁଷକୋଡିର ଇତିହାସ । ହେଲେ ଏହି ଧନୁଷକୋଡିର ଆଉ ଏକ ଇତିହାସ ମଧ୍ୟ ରହିଛି ଯାହା ମାତ୍ର ୫୬ ବର୍ଷ ପୁରୁଣା । ଆସନ୍ତୁ ଜାଣିବା ଏ ବିଷୟରେ ।

ଦିନ ଥିଲା ଧନୁଷକୋଡି ଏକ ଗାଁ ଥିଲା, ଯେଉଁଠି ଦୋକାନ ବଜାର ସହ ଷ୍ଟେସନ, ହୋଟେଲ ଓ ପୋଷ୍ଟ ଅଫିସ ମଧ୍ୟ ରହିଥିଲା । ୧୯୧୪ ମସିହାରେ ଏହି ସ୍ଥାନକୁ ଇଂରେଜମାନେ ବନ୍ଦର ଭାବେ ବିକଶିତ କରିଥିଲେ । ପରେ ଏହା ପର୍ଯ୍ୟଟକଙ୍କ ପାଇଁ ଜନଗହଳିପୂର୍ଣ୍ଣ ସହର ପାଲଟି ଯାଇଥିଲା । ହେଲେ ୧୯୬୪ ମସିହାରେ ଆସିଥିବା ବାତ୍ୟା ଏହି ସ୍ଥାନକୁ ଧ୍ୱଂସ କରି ରଖି ଦେଇଥିଲା । ଏହି ବାତ୍ୟାରେ ଧନୁଷକୋଡିରେ ୧୮ ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହାସହ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇକି ଯାଉଥିବା ଏକ ଟ୍ରେନ ମଧ୍ୟ ସମୁଦ୍ରରେ ବୁଡି ଯାଇଥିଲା । ସେବେଠାରୁ ହିଁ ଏହି ସ୍ଥାନ ଶୂନଶାନ ହୋଇ ଯାଇଥିଲା । ବର୍ତ୍ତମାନ ଏହି ସ୍ଥାନକୁ ଭୂତ କୋଠି ବୋଲି କୁହାଯାଉଛି । ରାତି ହେଲେ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରାଯାଇଛି ।

ଏହି ସ୍ଥାନରେ ଏବେ ବି ୪୦୦ ମତ୍ସ୍ୟଜୀବୀ ରହିଛନ୍ତି । ଯେଉଁମାନଙ୍କ ପାଖରେ ଏବେ ଯାଏଁ ବି ଶୌଚାଳୟ, ବିଜୁଳି ଓ ପିଇବା ପାଣି ପହଞ୍ଚି ପାରିନାହିଁ । ଏହି ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ଅନେକ ମନ୍ଦିର ମଧ୍ୟ ରହିଛି । କୁହାଯାଏ ଯେ ପ୍ରଭୁ ରାମ ଏଠାରେ ନିଜ ଧନୁରେ ସେତୁ ଭାଙ୍ଗିଥିବାରୁ ଏହି ସ୍ଥାନର ନାଁ ଧନୁଷକୋଡି ରଖାଯାଇଛି ।

ବର୍ତ୍ତମାନ ଏହି ରାମସେତୁର ରହସ୍ୟ ଖୋଜିବାକୁ ଆଗକୁ ଆସିଛନ୍ତି ସରକାର । କେବେ ଓ କିଏ ରାମସେତୁ ତିଆରି କରିଥିଲେ ତାର ଅନୁସନ୍ଧାନ କରିବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ଏହି ସେତୁର ଉଭୟ ବୈଜ୍ଞାନିକ ଓ ଧାର୍ମିକ ମହତ୍ୱ ଥିବାରୁ ଏହାର ରହସ୍ୟ ଖୋଜିବା ଭାରତୀୟ ବୈଜ୍ଞାନିକଙ୍କ ପାଇଁ ଏକ ବଡ ଉପଲବ୍ଧି ହେବ ।

from Kanak News
via <a href="https://ifttt.com/?

ବୁଢୀମାଉସୀ ଦୋକାନରେ ପହଞ୍ଚି ପ୍ରତିଶ୍ରୁତି ଦେଲେ ବିଧାୟକ ସ୍ୱରୂପ ଦାସ । କହିଲେ, ମାଉସୀ ବ୍ୟସ୍ତ ହଅନା… ସବୁ ସମସ୍ୟା ମୁଁ ସମାଧାନ କରିଦେବି…

କନକ ବ୍ୟୁରୋ: ବୁଢୀମାଉସୀ ପାଖରେ ପହଞ୍ଚିଲେ ବିଧାୟକ । ଜୀବନ ଯୁଦ୍ଧରେ ଏକାଏକା ଲଢୁଥିବା ବୁଢୀ ମାଉସୀର ସଙ୍ଘର୍ଷର କାହାଣୀ ଦେଖି ପାଖକୁ ଧାଇଁଗଲେ ସଦର ବିଧାୟକ ସ୍ୱରୁପ ଦାଶ । ୯୨ ବର୍ଷରେ କେମିତି ଜଣେ ବୃଦ୍ଧା ପାନ ଭାଙ୍ଗି ପରିବାର ଚଳାଉଛି, ବୟସର ପଶ୍ଚିମ ତୀରରେ ନଇଁ ପଡିଥିବା ଅଣ୍ଟାକୁ ସିଧା କରି ଘରର ବୋଝ ବୋହୁଛି । ଆଉ ତା ଚମ ଧୁଡୁଧୁଡୁ ଶକ୍ତିହୀନ ହାତରେ କେମିତି ଆତ୍ମବିଶ୍ୱାସର ଅଗ୍ନି ଜାଳି ଜୀବନ ଜିଉଁଛି । ଏ କଥା କନକ ନ୍ୟୁଜରୁ ଦେଖିବା ପରେ ବ୍ୟଥିତ ହୋଇଥିଲେ ବିଧାୟକ । ଆଉ ସଙ୍ଗେ ସଙ୍ଗେ ମାଉସୀଙ୍କ ପାଖକୁ ଯାଇ ତାଙ୍କୁ ଭେଟିଥିଲେ । କହିଥିଲେ, ମାଉସୀ ବ୍ୟସ୍ତ ହଅନା… ତୋର ସବୁ ସମସ୍ୟା ମୁଁ ସମାଧାନ କରିଦେବି । ବାସ୍ ବିଧାୟକଙ୍କ ଏଇ ପଦିଏ କଥା ପରେ ହର ମାଉସୀ ମୁହଁରେ ହଟ ଫୁଟିଛି । ତା ପାନଖିଆ ପାଟିର ଖିଲି ଖିଲି ନାଲି ହସ ପାଙ୍ଗୁଳା ପାଟି ଦେଇ ବାହାରି ଆସିଛି । ଆଉ ଦୀର୍ଘ ଦିନ ପରେ ମାଉସୀ ମାରିଛି ଏକ ଦୀର୍ଘ ନିଶ୍ୱାସ ।

ବାଲେଶ୍ୱର ମାଣିଖମ୍ବ ଅଞ୍ଚଳରୁ ଚାଲି ଚାଲି ଆସି ଟାଉନ ହଲ ଛକରେ ପାନ ଦୋକାନ କରି ପରିବାର ପୋଷୁଥିବା ୯୨ ବର୍ଷର ବୁଢି ମାଉସୀ ହରପ୍ରିୟା ଦେଙ୍କ କଷ୍ଟର କାହାଣୀ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ମାତ୍ର ୯ ବର୍ଷରୁ ବିବାହ କରି ୨୦ ବର୍ଷରେ ସ୍ୱାମୀ ହରାଇଥିବା ହରମାଉସୀ ଏକାଏକା ଆଜି ଯାଏଁ ଅନେକ କଷ୍ଟ ସହିଛନ୍ତି କିନ୍ତୁ କେବେ କାହା ପାଖେ ହାତ ପାତି ନାହାନ୍ତି କି ହାରି ନାହାନ୍ତି । ମାଉସୀଙ୍କ ଏଇ ସ୍ୱାଭିମାନ ମନବୃତି ପାଇଁ ବିଧାୟକ ସ୍ୱରୁପ ଦାଶ ସରକାରୀ ଯୋଜନାରେ ତାଙ୍କୁ ଗୋଟେ ଘର କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ବିଧାୟକଙ୍କୁ ଦେଖି କାନ୍ଦି ପକାଇଥିଲେ ହରମାଉସୀ । ଏତେ ଦିନ ହେବ କେହି ତାଙ୍କ କଥା ଶୁଣୁ ନଥିବା ବେଳେ ସେ ତାଙ୍କ ଦୁଃଖ ଶୁଣିଛନ୍ତି । ଦୀର୍ଘ ଦିନ ହେବ ଅଣଦଖା ପରେ ତାଙ୍କ ଉପରେ କାହାର ନଜର ପଡିଛି । ଏଇ କଥା ଭାବି ଆଖି ଛଳ ଛଳ କରିବା ସହ ପୁଅ ଭଳି ବିଧାୟକଙ୍କ ମୁଣ୍ଡରେ ତାଙ୍କ ଆଶିର୍ବାଦର ହାତ ବୁଲାଇ ଆଣିଛନ୍ତି ।
ହରମାଉସୀର ଏ ଶକ୍ତିହୀନ ହାତକୁ ଧରି ବିଧାୟକ ସ୍ୱରୁପ ଶକ୍ତ ପ୍ରତିଶ୍ରୁତି ଦେବାପରେ ଶ୍ରଦ୍ଧାରେ ମାଉସୀ ନିଜ ଦୋକାନରୁ ସମସ୍ତଙ୍କୁ ସ୍ନେହର ଚକୋଲେଟ ବାଣ୍ଟିଛନ୍ତି । କୁହାଯାଏ ଜୀବନରେ ଯେତେ କଷ୍ଟ ଥାଉ, ଯେତେ ଦୁଃଖ ଥାଉ ଯଦି ହୃଦୟରୁ ଗୋଟେ ଖୋଲା ହସ ହସି ମଣିଷ ବଞ୍ଚୁଛି ତେବେ ସେ ମଲାଯାଏଁ ସମସ୍ତଙ୍କ ମନକିଣୁଥିବ । ଏଇ ଯେମିତି ହରମାଉସୀ, ହଜାରେ ହଇରାଣ ଭିତରେ ବି ତା ପାନୁଆ ପାଟିରେ ହସଟେ ହସିବାକୁ ଭୁଲେନି…

from Kanak News
via <a href="https://ifttt.com/?

ଉଷୁନା ଚାଉଳକୁ ନେଇ ରାଜନୀତି । ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । କହିଲା, ଖରିଫ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ ପାଇଁ କେନ୍ଦ୍ର ଲେଖିଛି ଚିଠି । 

କନକ ବ୍ୟୁରୋ : ଉଷୁନା ଚାଉଳ ସଂଗ୍ରହକୁ ନେଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଦଳ କହିଛି, କେନ୍ଦ୍ର ଚିଠି ଲେଖିଛି କେବଳ ଖରିଫ ସିଜିନରେ ୫୦ ପ୍ରତିଶତ ଚାଉଳ ସଂଗ୍ରହ କରିବେ ।  ରବି ସିଜନ ପାଇଁ କିଛି କରିବେ ନାହିଁ । ଓଡିଶା ପାଇଁ ଏହା ଏକ ଚଡକ ।  ୨୦୧୯-୨୦୨୦ରେ ଖରିଫରେ  ୫୩ ଓ ରବିରେ  ୭୦ ଲକ୍ଷ ଟନ ଉତ୍ପାଦନ ହୋଇଥିଲା ।

ବର୍ତମାନ ୪୮ ମେଟ୍ରିକ ଟନ୍ ପାର୍ ବଏଲଡ ରାଇସ ରହିଛି ।  ୨୦୨୦-୨୧ ୩୫ ଲକ୍ଷ ଟନର ଧାନ ସଂଗ୍ରହ ହୋଇସାରିଲାଣି । ମୋଟ ୮୨ ଲକ୍ଷ ମେଟ୍ରିକ ଟନ ଟାର୍ଗେଟ ରହିଛି ।  ସେପ୍ଟେମ୍ବର ୨୦୨୦ ସୁଦ୍ଧା  ୨୮ ଶହ ୫୦କୋଟି  ମିଳିବା କଥା । କିନ୍ତୁ ଏ ଯାଏଁ ଦେଇନି କେନ୍ଦ୍ର ।  ମୋଟ ବକେୟା ୬ ହଜାର ୫ଶହ ୫୦ କୋଟି ରହିଛି । ବିଜେପି ଲୋକଙ୍କୁ ଭୁଆଁ ବୁଲାଉଛି । ଚାଷୀଙ୍କ ପାଇଁ କିଛି କରିବାର ଅଛି ତେବେ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ ହେଉ ବୋଲି ଦାବି କରିଛି ବିଜେଡି ।

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ଦିବ୍ୟାଙ୍ଗ ଲ୍ୟାବ ଟେକନିସିଆନ ସୁନିଲ ପ୍ରଜାପତି : ରାଞ୍ଚୋ ଷ୍ଟାଇଲରେ ଗର୍ଭବତୀଙ୍କୁ ଟ୍ରେନରେ କରାଇଲେ ଡ଼େଲିଭରୀ

କନକ ବ୍ୟୁରୋ : ଆପଣମାନେ ବଲିଉଡ଼ର ‘ଥ୍ରୀ-ଇଡିୟଟ୍ସ’ ଫିଲ୍ମ ଦେଖିଥିବେ । ସେଥିରେ ‘ରାଞ୍ଚୋ’ ଭୂମିକାରେ ଅଭିନୟ କରିଥିବା ଆମିର ଖାନଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିଲା । ସେହିଭଳି ଏକ ବାସ୍ତବ ଜୀବନର ‘ରାଞ୍ଚୋ’ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛନ୍ତି । ‘ରାଞ୍ଚୋ’ ଷ୍ଟାଇଲରେ ଗର୍ଭବତୀଙ୍କୁ ଟ୍ରେନରେ ଡ଼େଲିଭରୀ କରାଇଛନ୍ତି ଜଣେ ଦିବ୍ୟାଙ୍ଗ ଲ୍ୟାବ୍ ଟେକ୍ନିସିଆନ୍ । ଫିଲ୍ମ ‘ଥ୍ରୀ-ଇଡିୟଟ୍ସ’ ରେ ଆମିର ଖାନ୍ ଯେଉଁଭଳି ଭାବେ ଜଣେ ଗର୍ଭବତୀଙ୍କ ଡ଼େଲିଭରୀ କରାଇଥିଲେ ସେହିଭଳି ଜଣେ ରାଞ୍ଚୋ ହେଉଛନ୍ତି ସୁନିଲ ପ୍ରଜାପତି ।

ସୁଚନା ଅନୁସାରେ, ଚଳନ୍ତା ଟ୍ରେନରେ ଯାତ୍ରା କଲାବେଳେ ମହିଳା ଜଣଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା ।  ଠିକ୍ ଏହି ସମୟରେ ସୁନିଲ ପ୍ରଜାପତି ବ୍ୟବହାର ପାଇଁ ଥିବା ସାଲର ଗୋଟିଏ ସୁତା, ସେଭିଙ୍ଗ କିଟରେ ଥିବା ଏକ ବ୍ଲେଡ଼ ଓ ଭିଡ଼ିଓ କଲ ଜରିଆରେ ଜଣେ ଚକ୍ଷୁ ବିଶେଷଜ୍ଞଙ୍କ ଠାରୁ ସହାୟତା ନେଇ ମହିଳାଙ୍କ ପ୍ରସବ କରାଇଥିଲେ । ପୂର୍ବରୁ ସମ୍ପୃକ୍ତ ମହିଳା ୩ଥର ଗର୍ଭପାତର ଶିକାର ହୋଇଥିଲେ । କିନ୍ତୁ ସୁନିଲ ପ୍ରଜାପତି ତାଙ୍କର ଏହି ଡ଼େଲିଭରୀ ସଫଳ ଭାବେ କରାଇଥିବାରୁ ଖୁବ୍ ଚର୍ଚ୍ଚା ସୃଷ୍ଟି ହୋଇଛି । ଶନିବାର ରାତିରେ ଜବଲପୁର ଅଭିମୁଖେ ଯାଉଥିବା ମଧ୍ୟପ୍ରଦେଶ ସମ୍ପର୍କକାନ୍ତି କୋଭିଡ଼-୧୯ ସ୍ୱତନ୍ତ୍ର ଏକ୍ସପ୍ରେସରେ ଏଭଳି ଡ଼େଲିଭରୀ ହୋଇଛି । ଡ଼େଲିଭରୀ ପରେ ମା’ ଓ ଶିଶୁକୁ ରେଳବାଇ ପକ୍ଷରୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ମା’ ଓ ଛୁଆଙ୍କୁ ମଥୁରା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କୁ ଚିକିତ୍ସା କରାଯାଇଛି ।

from Kanak News
via <a href="https://ifttt.com/?

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୯୪ରେ ଅଲଆଉଟ । ଭାରତ ଆଗରେ ୩୨୮ ରନର ଟାର୍ଗେଟ

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଚତୁର୍ଥ ଟେଷ୍ଟ । ଏହି ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୯୪ରେ ଅଲଆଉଟ ହୋଇଛି । ଏହାସହ ଭାରତ ଆଗରେ ୩୨୮ ରନର ବିଜୟ ଲକ୍ଷ୍ୟ ରହିଛି । ସେହିପରି ଭାରତ ମଧ୍ୟ ତାର ଦ୍ୱିତୀୟ ଇଂନିସ ଆରମ୍ଭ କରିଛି । ଦ୍ୱିତୀୟ ଇଂନିସରେ ଭାରତ ୪ ରନ କରିଛି ।

ଏହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଥିଲା । ଦଳ ପକ୍ଷରୁ ମାର୍ନସ ଲାବୁସେନ ୧୦୮, ଟିମ ପାଇନ ୫୦, ୱାଡେ ୪୫, କ୍ୟାମେରନ ଗ୍ରୀନ ୪୭ ରନ କରିଥିଲେ । ଫଳରେ ଦଳ ୩୬୯ ରନ କରିବାରେ ସକ୍ଷମ ହୋଇଥିଲା ।

ସେହିପରି ଭାରତ ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ଭାରତ ମଧ୍ୟ ଭଲ ଆରମ୍ଭ କରିଥିଲା । ଦଳ ପକ୍ଷରୁ ସାର୍ଦ୍ଦୁଲ ଠାକୁର ୬୭, ୱାସିଂଟନ ସୁନ୍ଦର ୬୨ ଓ ରୋହିତ ଶର୍ମା ୪୪ ରନ କରିଥିଲେ । ଫଳରେ ଦଳ ୩୩୬ କରିଥିଲା ।

ପରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ମହମ୍ମଦ ସିରାଜ ଓ ସାର୍ଦ୍ଦୁଲ ଠାକୁର ଯଥାକ୍ରମେ ୫ ଓ ୪ ୱିକେଟ ନେଇଥିଲେ । ତେଣୁ ଅଷ୍ଟ୍ରେଲିଆ ଏହି ମ୍ୟାଚରେ ୨୯୪ ରନ କରିଥିଲା । ଏହାସହ ଭାରତ ତାର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି । ଭାରତ ଚତୁର୍ଥ ଦିନ ସୁଦ୍ଧା ୪ ରନ କରିଛି ।ଏହାସହ ଏବେ ଭାରତ ଆଗରେ ୩୨୪ ରନର ଟାର୍ଗେଟ ରହିଛି ।

from Kanak News
via <a href="https://ifttt.com/?

କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି : ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ଟୁଇଟ କରି ଅଭିଯୋଗ କଲେ ନିରଂଜନ

କନକ ବ୍ୟୁରୋ : କେନ୍ଦୁଝର ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ନିରଂଜନ ଅଭିଯୋଗ କରିଛନ୍ତି । ଏନେଇ ନିରଂଜନ ଟୁଇଟ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଆକ୍ରମଣ କରାଯାଇଛି ।

ବିଜେପିର ଭୁଲ ନୀତି ବିରୋଧରେ କଂଗ୍ରେସ ସ୍ୱର ଉତ୍ତୋଳନ କରିବାରୁ ଏଭଳି ଆକ୍ରମଣ କରାଯାଇଥିବା ନିରଂଜନ କହିଛନ୍ତି । ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କୁ ପ୍ରଶ୍ନ କରିଛନ୍ତି ନିରଂଜନ । ତାଙ୍କ ଦଳ ଏଭଳି କାହିଁକି ଭୀରୁ ଭଳି ବ୍ୟବହାର କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ କଂଗ୍ରେସ ଆପଣଙ୍କ ଦଳ ପାଇଁ କିଭଳି ଭୟର କାରଣ ସାଜିଛି ତାହା ବୁଝିପାରୁଥିବା କହିଛନ୍ତି ନିରଂଜନ ।

ସେପଟେ, ଆକ୍ରମଣ ଘଟଣାରେ ଜଣକୁ ଅଟକ ରଖାଯାଇଛି । ଅଭିଯୁକ୍ତ ସଂଜୟ ମହାନ୍ତିକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଟାଉନ ଥାନା ପୁଲିସ ତନାଘନା ଚଳାଇଛି । କେନ୍ଦୁଝର ଟାଉନ ଥାନା ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତକାଲି କାଶୀପୁର ନିକଟରେ ପିିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା ।ଏନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା ।

from Kanak News
via <a href="https://ifttt.com/?

ମଣ୍ଡିରେ ପଡିଛି ଲକ୍ଷାଧିକ ଟଙ୍କାର ଧାନ : ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ; ଧାନ ବସ୍ତା ରଖି ରାସ୍ତା ଅବରୋଧ

କନକ ବ୍ୟୁରୋ : ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାରେ ଚାଷୀ । ରାସ୍ତାରେ ଧାନ ବସ୍ତା ଓ ହାତରେ ବିଷ ବୋତଲ ଧରି ପ୍ରତିବାଦ କରୁଛନ୍ତି ପଦ୍ମପୁର ଚାଷୀ । ପଦ୍ମପୁର ଉପଖଣ୍ଡରେ ୭୦ଗୋଟି ମଣ୍ଡିରେ ପ୍ରାୟ ୭ଲକ୍ଷ ଧାନ ପଡ଼ି ରହିଛି । ଚାଷୀ ଧାନ ବିକିବା ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇପାରୁ ନାହିଁ । ଏହାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଟ୍ୟାଗ ନଥିବା କାରଣରୁ ଶହ ଶହ ଧାନବସ୍ତା ବିକ୍ରି ହୋଇପାରୁନଥିବା କହିଛି ପ୍ରଶାସନ । ମଣ୍ଡିରେ ଏହି ଅବ୍ୟବସ୍ଥା କାରଣରୁ ଚାଷୀ ପଦ୍ମପୁର ବରଗଡ଼ ରାଜରାସ୍ତାର ପଦ୍ମପୁର ଆମ୍ବେଦକର ଛକ ଠାରେ ଧାନ ବସ୍ତା ପକାଇ ଅବରୋଧ କରିଛନ୍ତି । ଯାତାୟାତ ବାଧାପ୍ରାପ୍ତ ହୋଇଛି ।

from Kanak News
via <a href="https://ifttt.com/?

କ୍ୟାପିଟାଲ ହସ୍ପିଟାଲରେ ଆଜି ପ୍ରଥମେ ଟିକା ନେଲେ ଗୁରୁପ୍ରସାଦ ଶତପଥୀ: ହସ୍ପିଟାଲ ଆଇସିୟୁରେ ଡ଼୍ରେସର ଭାବେ କରନ୍ତି କାମ

କନକ ବ୍ୟୁରୋ: ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ ଚାଲିଛି । ଟକାଦାନର ଦ୍ୱିତୀୟ ଦିନରେ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ବ୍ୟକ୍ତି ଗୁରୁପ୍ରସାଦ ଶତପଥୀ ଆଜି ଟିକା ନେଇଛନ୍ତି । ତେବେ କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁ ଡ୍ରେସର ଭାବେ କାମ କରନ୍ତି ଗୁରୁପ୍ରସାଦ । ଆଜି କ୍ୟାପିଟାଲ ହସ୍ପିଟାଲରେ  ୨୦୦ରୁ ୩୦୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଟିକାକରଣର ପ୍ରଥମ ଦିନରେ ୧୫୬ ଜଣ ଟିକା ନେଇଥିଲେ । ସେମାନଙ୍କ ପାଖରେ କିଛି ପାଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ । କ୍ୟାପିଟାଲ ହସ୍ପିଟାଲକୁ କୋଭାକ୍ସିନର ୧୦ ହଜାର ଡୋଜ୍ ଆସିଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।

ସେପଟେ ରାଜ୍ୟରେ ଦ୍ୱିତୀୟ ଦିନରେ ୩୮୦ ସେସନ ମାଧ୍ୟମରେ ୩୧ ହଜାର ୯୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ୧୬ଶହ ୯୮ଟି ସେସନରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବ । ପୂର୍ବରୁ ୧୩ହଜାର ୮୯୦ ଲୋକଙ୍କୁ ଟିକାକରଣ କରାଯାଇଥିଲା । ତେବେ କେଉଁ ଦିନ କେତେ ସେସନରେ ଟିକାକରଣ ହେବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇସାରିଛି । ୧୯ ତାରିଖରେ ୧୯୨ଟି ସେସନରେ ହେବ ଟିକାକରଣ ।

୨୦ ତାରିଖରେ ୯୨ଟି ସେସନରେ ହେବ ଟିକାକରଣ । ୨୧ ତାରିଖରେ ୪୩୬ଟି ସେସନରେ ହେବ ଟିକାକରଣ । ୨୨ ତାରିଖରେ ୧୪୧ଟି ସେସନରେ ହେବ ଟିକାକରଣ । ୨୩ ତାରିଖରେ ୧୭୮ଟି ସେସନରେ ହେବ ଟିକାକରଣ । ୨୫ ତାରିଖରେ ୨୭୯ଟି ସେସନରେ ହେବ ଟିକାକରଣ । ଯେଉଁମାନେ ଯେଉଁଦିନ ଟିକା ନେଇଥିବେ ତାର ୨୮ ଦିନ ପରେ ସେକେଣ୍ଡ ଡ଼ୋଜ ନେବେ ।  ସେଥିପାଇଁ ପର୍ଯ୍ୟାପ୍ତ ଟିକା ରହିଛି । ସେହି ସମୟର ଦୁଇଦିନ ପୂର୍ବରୁ ଏସଏମଏସ ଦ୍ୱାରା ଅବଗତ କରାଯିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started