ରାଜ୍ୟରେ ଟିକାକରଣକୁ ନେଇ ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାପାଳ, ମହାନଗର ନିଗମଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି ।

କନକ ବ୍ୟୁରୋ : ଓଡ଼ିଶାରେ ଆସନ୍ତା ୧୬ ତାରିଖରୁ କରୋନା ଟିକାଦାନ କାର୍ୟ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ରାଜ୍ୟକୁ ପ୍ରାୟ ୪ ଲକ୍ଷ ୮ ହଜାର ଡୋଜ୍ କୋଭିସିଲଡ ଟିକା ଓ ପ୍ରାୟ ୨୦ ହଜାର ଡୋଜ୍ କୋଭାକ୍ସିନ ଟିକା ଆସିପହଞ୍ଚିଛି । ୧୬ ତାରିଖରେ ରାଜ୍ୟର ୧୬୦ଟି ଟିକାଦାନ କେନ୍ଦ୍ରରେ ଏହି ଟିକାଦାନ ଅନୁଷ୍ଠିତ ହେବ । ଏହି ଟୀକାଦାନ କାର୍ୟ୍ୟକ୍ରମ ଲାଗି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି ।

ପ୍ରତି କୋଭିସିଲଡ ଭାୟାଲ(ସିସି) ରେ ୧୦ଟି ଡୋଜ ଓ ପ୍ରତି କୋଭାକ୍ସିନ ଭାୟାଲରେ ୨୦ଟି ଡୋଜ୍ ରହିଛି । ଗୋଟିଏ ଭାୟାଲ ଖୋଲିବା  ପରେ ସେଥିରେ ଥିବା ସବୁ ଡୋଜର ଉପଯୋଗ କରିବାକୁ ହେବ । ଭାୟାଲ ବା ସିସି ଖୋଲିବାର ୪ ଘଣ୍ଟା ମଧ୍ୟରେ ତାହାକୁ ବ୍ୟବହାର କରିବାକୁ ହେବ । ରାଜ୍ୟକୁ ସୀମିତ ସଂଖ୍ୟକ ଟିକା ଆସିଥିବାରୁ ଟିକା ଯେପରି ନଷ୍ଟ ନହୁଏ ସେ ପ୍ରତି ଯତ୍ନବାନ ହେବାକୁ ପଡ଼ିବ । ଟିକା ବଣ୍ଟନ ବେଳେ, ଜିଲ୍ଲା ଟିକା ଭଣ୍ଡାର ଓ କୋଲଡ ଚେନ ପଏଣ୍ଟରେ ଫାଷ୍ଟ ଏକ୍ସପାରୀ ଓ ଫାଷ୍ଟ ୟୁଜ୍ ନୀତି ଅବଲମ୍ବନ କରିବାକୁ ହେବ ।

ରାଜ୍ୟକୁ ଆସିଥିବା ଟିକାର ଅର୍ଦ୍ଧେକ ପ୍ରଥମ ପର୍ୟ୍ୟାୟ ଟିକାଦାନ ବେଳେ ଜିଲ୍ଲାଗୁଡ଼ିକୁ ଯୋଗାଇ ଦିଆଯିବ । ଅବଶିଷ୍ଟ ଅର୍ଦ୍ଧେକ ଟିକା ୨୮ ଦିନ ପରେ ହେବାକୁ ଥିବା ୨ୟ ପର୍ୟ୍ୟାୟ ଟିକାଦାନ ବେଳେ ଯୋଗାଇଦିଆଯିବ । କୋଭାକ୍ସିନ ଟିକାକୁ ୩୦ଟି ଯାକ ଜିଲ୍ଲାକୁ ଯୋଗାଇ ଦିଆଯାଇଥିବା ବେଳେ କୋଭାକ୍ସିନ ଟିକା କେବଳ ବିଏମସି କୁ ପ୍ରଦାନ କରାଯିବ ।

ଟିକା ଦିଆଯିବାକୁ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ଉପଲବ୍ଧତା ଅନୁସାରେ ସେସନ ପ୍ଲାନିଂ କରାଯିବ । ଟିକା ନେବାକୁ ଥିବା ବ୍ୟକ୍ତିମାନଙ୍କୁ ଅଲଗା ଅଲଗା ସମୟରେ ଟିକା ଦିଆଯିବ ଯେପରିକି ଟିକାଦାନ କେନ୍ଦ୍ରରେ ଭୀଡ଼ ଜମିବ ନାହିଁ । ଟିକା ଦିଆଯାଉଥିବା ସ୍ବାସ୍ଥ୍ୟକେନ୍ଦ୍ରର ସବୁ କର୍ମଚାରୀଙ୍କ ପାଇଁ ଅର୍ଥାତ ସଫାଇ କର୍ମଚାରୀଙ୍କଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ୟ୍ୟନ୍ତ ଟିକା ଯୋଗାଇ ଦିଆଯିବ । ଯଦି ଗୋଟିଏ ସ୍ବାସ୍ଥ୍ୟକେନ୍ଦ୍ରକୁ ଦିଆଯାଇଥିବା ଟିକା ସଂଖ୍ୟା କର୍ମଚାରୀ ସଂଖ୍ୟାଠାରୁ କମ ରହେ, ତେବେ ବୟସ୍କ କର୍ମଚାରୀଙ୍କୁ ଅଗ୍ରାଧିକାର ଦିଆଯିବ ।

from Kanak News
via <a href="https://ifttt.com/?

ବଢିବ ବାୟୁସେନାର ଶକ୍ତି । ୪୮ହଜାର କୋଟି ଟଙ୍କାରେ ୮୩ଟି ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଲା ନିରାପତା ସମ୍ପର୍କିତ କ୍ୟାବିନେଟ କମିଟି ।

କନକ ବ୍ୟୁରୋ : ବଢିବ ବାୟୁସେନାର ଶକ୍ତି । ନିରାପତା ସମ୍ପର୍କିତ କ୍ୟାବିନେଟ କମିଟି ଆଜି ୪୮ହଜାର କୋଟି ଟଙ୍କାର ତେଜସ ବିମାନ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାକୁ ସବୁଜ ସଙ୍କେତ ମିଳିଛି । ଏହାଦ୍ୱାରା ହାଲ ଠାରୁ ୭୩ଟି ଲଢୁଆ ତେଜସ ବିମାନ ଓ ୧୦ଟି ତେଜସ ଅଭ୍ୟାସ ବିମାନ କ୍ରୟ କରାଯିବ ।

ଘରୋଇ ବଜାରରୁ ଏହା ସବୁଠାରୁ ବଡ ଡିଲ ବୋଲି କୁହାଯାଉଛି । ଆସନ୍ତା ଫେବ୍ରୁୟାରୀରେ ଏନେଇ ଚୁକ୍ତି ହେବ । ଏବଂ ଏହାର ତିନି ବର୍ଷ ପରେ ଏହାର ବାୟୁସେନାକୁ ଯୋଗଇବା ଆରମ୍ଭ ହେବ । ଏହାଦ୍ୱାରା ଭାରତୀୟ ବାୟୁସେନାର ଲଢୁଆ ବିମାନ ଅଭାବ ଦୂର ହେବା ସହ ସରକାରଙ୍କ ମେକ ଇନ ଇଣ୍ଡିଆ ଓ ଆତ୍ମ ନିର୍ଭର ଭାରତ ଯୋଜନାକୁ ପ୍ରୋତ୍ସାହନ ମିଳିବ । ଏହି ପ୍ରସ୍ତାବକୁ ମଂଜୁର ମିଳିବା ପରେ ଏନେଇ ଟ୍ୱିଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ନିରାପତା ସମ୍ପର୍କିତ କ୍ୟାବିନେଟ କମିଟି ଆଜି ୪୮ହଜାର କୋଟି ମୂଲ୍ୟର ବୃହତମ ସ୍ୱଦେଶୀ ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ମଂଜୁରୀ ମିଳିଛି । ଭାରତୀୟ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପକୁ ଆତ୍ମନିର୍ଭର କରିବାରେ ଏହି ଡିଲ ବେଶ ସହାୟକ ହେବ ।

ରାଷ୍ଟ୍ରାୟତ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ହାଲ୍ ପକ୍ଷରୁ ନିର୍ମାଣ କରାଯାଉଥିବା ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ବା ତେଜସ ଚତୁର୍ଥ ପିଢିର ଲଢୁଆ ବିମାନ । ଏହା ଏକ ସିଙ୍ଗଲ ଇଂଜିନ ମଲଟି ରୋଲ ଲଢୁଆ ବିମାନ । ବିଶ୍ୱର ଅନ୍ୟ ଲଢୁଆ ବିମାନ ସହ ଏହା ସମକକ୍ଷ ବୋଲି ଦାବି କରୁଛି ହାଲ ।

from Kanak News
via <a href="https://ifttt.com/?

ମାମଲା ଯେତିକି, ପ୍ରେମିକା ସେତିକି । ନୟାପଲ୍ଲୀ ବୃଦ୍ଧା ହତ୍ୟା ଓ ଲୁଟ ମାମଲାରେ ଅଭିଯୁକ୍ତ ନାରାୟଣକୁ ନେଇ ଆସିଲା ସାଂଘାତିକ ତଥ୍ୟ 

କନକ ବ୍ୟୁରୋ : ଏବେ ନଜର ପକାଇବା ଜଣେ ଅଭିଯୁକ୍ତର କଳା କାରନାମା ଉପରେ । ଲୁଟ କରିବା ପାଇଁ ହତ୍ୟା କରୁଥିବା ଏହି ଅଭିଯୁକ୍ତଙ୍କ ନାଁରେ ଥାନାରେ ମାମଲା ଯେତିକି ତାର ପ୍ରେମିକା ସଂଖ୍ୟା ସେତିକି । ଲୁଟ କରିବା ପଛର କାରଣ ଥିଲା, ଲୁଟ ଅଳଙ୍କାରକୁ ସେ ତା ପ୍ରେମିକାକୁ ଦେଉଥିଲା ।

ସିଧା ସିଧା କହିବାକୁ ଗଲେ ନାରାୟଣ ନାଁରେ ମାମଲା ଯେତିକି ପ୍ରେମିକା ସେତିକି । ନାରାୟଣ ଯିଏ ନୟାପଲ୍ଲୀରେ ବୃଦ୍ଧାକୁ ହତ୍ୟା କରି ଲୁଟ କରିଥିଲା । ତାର ରିମାଣ୍ଡ ଅବଧି ସରିଛି । ରିମାଣ୍ଡ ବେଳେ ପୋଲିସ ଆଗରେ ସତ ଓଗାଳିଛି ନାରାୟଣ । କହିଛି କାହା କାହା ସହିତ ଥିଲା ପ୍ରେମ ସମ୍ପର୍କ । କେମିତି କରୁଥିଲା ଲୁଟ । ଲୁଟ ଅଳଙ୍କାର କାହାକୁ କାହାକୁ ଦେଉଥିଲା । ଏହି ତଥ୍ୟ ଯେତିକି ରୋଚକ ସେତିକି ସଂଘାତିକ । କାରଣ ପ୍ରେମିକାକୁ ଖୁସି କରିବା ପାଇଁ ଏଭଳି ଲୁଟପାଟ କରୁଥିଲା ନାରାୟଣ ।

ଏକ ହକରରୁ କାମ ଆରମ୍ଭ କରିଥିବା ନାରାୟଣ ଦେହ ବେପାରରେ ମଧ୍ୟ ସମ୍ପୃକ୍ତ ଥିଲା । ତାଲାବନ୍ଦ ସମୟରେ ଦେହ ବେପାର କାରବାର ବନ୍ଦ ହେବା ପରେ ଲୁଟ ପାଟ ଆରମ୍ଭ କରିଥିଲା ଅଭିଯୁକ୍ତ । ଡ୍ରଗ୍ସ, ଲୁଟରେ ସାମିଲ ଥିଲା ନାରାୟଣ । ଅଭିଯୁକ୍ତ ଠାରୁ ପୋଲିସ ସୁନା ଚେନ, ଆକ୍ରମଣ କରିଥିବା କଟୁରୀ ଜବତ କରିଛି ।

from Kanak News
via <a href="https://ifttt.com/?

ଖୋଲୁଛି ସ୍କୁଲ, ବଢୁଛି ପଜିଟିଭ । ଝାରସୁଗୁଡାର ୩ଟି ସ୍କୁଲରେ ୧୯ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ।

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଲଇକେରା ବ୍ଲକରେ ସରକାରୀ ଓ ବେସରକାରୀ ଭାବରେ ୧୩ଟି ହାଇସ୍କୁଲ ରହିଛି । ଯେଉଁଥିରେ ମୋଟ ୭୭୫ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ଆଠ ତାରିଖ ପ୍ରଥମ ଦିନ ୩୩୫ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଥିଲା । ଯାହାକି ୪୩.୨୨% ଅଟେ । ଧୀରେଧୀରେ ବିଦ୍ୟାଳୟରେ ଉପସ୍ଥାନ ବି ବଢ଼ିବାରେ ଲାଗିଛି । ଛାତ୍ରଛାତ୍ରୀମାନଙ୍କର କରୋନା ପରୀକ୍ଷା ହେବାରୁ ଜେଓ ସରକାରୀ ହାଇସ୍କୁଲ ସାହାସପୁରର ୯ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେଜିପି ସରକାରୀ ହାଇସ୍କୁଲ ସାଲେଟିକିରାରେ ୨ ଜଣ , ହେମସାଗର ହାଇସ୍କୁଲ ପାକେଲଖୋଲରେ ୮ ଜଣ ଛାତ୍ରଛାତ୍ରୀଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି ।
ଏହାକୁ ନେଇ ବର୍ତ୍ତମାନ ଅଭିଭାବକମାନଙ୍କ ସହିତ ଶିକ୍ଷାବିଭାଗ ଚିନ୍ତାରେ ପଡିଯାଇଛି । ଏବିଇଓଙ୍କୁ ପଚାରିବାରୁ ସେ କହିଛନ୍ତି ଯେଉଁ ବିଦ୍ୟାଳୟଗୁଡିକରେ କରୋନା ଚିହ୍ନଟ ଛାତ୍ରଛାତ୍ରୀମାନେ ବାହାରୁଛନ୍ତି ଆମେ ସେମାନଙ୍କର ପ୍ରଧାନଶିକ୍ଷକମାନଙ୍କୁ କହି ଦେଇଛୁ ସେମାନେ ସ୍ୱାସ୍ଥ୍ୟବିଭାଗର ମେଡିକାଲ ଅଫିସରଙ୍କ ସହିତ ଯୋଗାଯୋଗ କରିବା ସହିତ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ହୋମଆଇସୋଲେସନରେ ରହିବାକୁ ପରାର୍ମଶ ଦେବେ।

କରୋନା ମହାମାରୀ ପାଇଁ ଦୀର୍ଘ ୮ ମାସ ଧରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କିଛିଦିନ ତଳେ ସ୍କୁଲରେ ଦଶମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ କୋଭିଡ ଗାଇଡ଼ଲାଇନର ନିୟମକୁ ପାଳନ କରାଯାଉଛି। ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ତଥା କର୍ମଚାରୀଙ୍କ ପାଇଁ ସାନିଟାଇଜେସନ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯାଉଥିବାର ବ୍ୟବସ୍ଥା କରାଯାଇଛି ।

ସମସ୍ତଙ୍କୁ ମାକ୍ସ ପରିଧାନ ବାଧ୍ୟତାମୂଳକ କରିବା ସହିତ ସାମାଜିକ ଦୂରତ୍ୱ ରଖିବାକୁ କଡା ନିର୍ଦେଶ ଦିଆଯାଇଛି । ଏହାର ତଦାରଖ ପାଇଁ ଅନେକ ଅଧିକାରୀଙ୍କୁ ନିୟୋଜିତ ମଧ୍ୟ କରାଯାଇଛି । ହେଲେ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲା ଭଳି ବିଦ୍ୟାଳୟ ଖୋଲିଲା ବେଳକୁ ଧୀରେ ଧୀରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂପ୍ରତି ୩ଟି ସ୍କୁଲରେ ୧୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

from Kanak News
via <a href="https://ifttt.com/?

କିଡନୀ ଯୋଗାଇ ଦେବେ କହି ହସପିଟାଲରେ ବୁଲୁଛନ୍ତି ଠକ । କିଡ଼ନୀ ପ୍ରତିରୋପଣର ନକଲି କାଗଜ ଦେଖାଇ ଜିତନ୍ତି ଅସହାୟ ଲୋକଙ୍କ ବିଶ୍ୱାସ । ଠକି ନିଅନ୍ତି ଲକ୍ଷ ଲକ୍ଷ ଟଙ୍କା ।

କନକ ବ୍ୟୁରୋ : ଲୋକଙ୍କୁ ଜାଲ କାଗଜପତ୍ର ଦେଇ କିଡନୀ ପ୍ରତିରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିନେଇଥିବା ଜଣେ ଠକକୁ ଗିରଫ କରିଛି ପୋଲିସ । ୨ଜଣ ବ୍ୟକ୍ତିଙ୍କୁ କଥାରେ ଫୁଶୁଲାଇ ୯ଲକ୍ଷ ଟଙ୍କା ହଡପ କରିଛି । ବଡ ବଡ ହସ୍ପିଟାଲ ଏବଂ ବଡ ବଡ ଡାକ୍ତରଙ୍କ ନକଲି କାଗଡପତ୍ର ଦେଖାଇ ବିଶ୍ୱାସ ଜନ୍ମାଇବା ପରେ କିଡନି ପ୍ରତିରୋପଣର ମିଥ୍ୟା ଆଶ୍ୱାସନା ଦେଉଥିଲା ଠକ । ତେବେ କାଗଜପତ୍ର ଯାଂଚ କରୁ କରୁ ପଦାକୁ ଆସିଥିଲା ଏହି ଠକେଇ ପଛର ରହସ୍ୟ ।

ରୋଗୀଙ୍କୁ ଜାଲରେ ଫସାଇବାର ଭିନ୍ନ ତରିକା ଆପଣେଇଥିଲା ହିମାଂଶୁ । କିଡନୀ ଦରକାର କରୁଥିବା ରୋଗୀଙ୍କୁ ସହଜରେ, ସୁଲଭ ଦରରେ କିଡନି ପ୍ରତିରୋପଣ କରାଇବା ପାଇଁ କହିଥାଏ । ଥରେ ରାଜି ହୋଇଗଲେ ରାଜ୍ୟ ବାହାରେ ନେଇ ପରୀକ୍ଷା ନିରିକ୍ଷା କରାଏ । ଆଉ ବାରମ୍ବାର ଟଙ୍କା ନେଇଥାଏ । କେବେ ହେବ ଅପରେସନ, କେଉଁଠି ହେବ ଅପରେସନ ସେନେଇ ବଡ ବଡ ହସ୍ପିଟାଲର ଜାଲ କାଗଜପତ୍ର ଦେବା ସହିତ ବଡ ବଡ ଡାକ୍ତରଙ୍କ ରିପୋର୍ଟ ମଧ୍ୟ ଦେଇଥାଏ ହିମାଂଶୁ । ଏଥିସହ କିଡନି ପ୍ରତିରୋପଣ ନେଇ ନ କଲି କୋର୍ଟ ପେପର ମଧ୍ୟ ଦେଇଥାଏ ।

ହିମାଂଶୁଙ୍କ ପ୍ରଥମ ଶିକାର ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଠାରୁ ମଧ୍ୟ କିଡନି ପ୍ରତିରୋପଣ ନାଁରେ ୫ଲକ୍ଷ୫୦ ହଜାର ଟଙ୍କା, ଦ୍ୱିତୀୟ ଶିକାର ଜଣେ ମହିଳାଙ୍କ ଠାରୁ ୩ଲକ୍ଷରୁ ଅଧିକ ଟଙ୍କା ନେଇଯାଇଛି ହିମାଂଶୁ । କାଗଜପତ୍ରର ଖୋଳତାଡ କରୁ କରୁ ଏହି ଠକାମୀର ପର୍ଦ୍ଦାଫାଶ ହୋଇଥିଲା ।

ଠକେଇ ମାମଲା ଥାନାରେ ପହଂଚିବାପରେ କିଡନି ପ୍ରତିରୋପଣ ନାଁରେ ଏହିପରି ଠକେଇ କରୁଥିବା ହିମାଂଶୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଠକେଇର ଶିକାର ହୋଇଥିବା ଏହି ୨ଜଣଙ୍କ ଛଡା ଆଉ କିଏ କିଏ ହିମାଂଶୁଙ୍କ ଠକାମୀର ଶିକାର ହୋଇଛନ୍ତି ସେନେଇ ପୋଲିସ ତନାଘନା ଚଲାଇଛି ।

from Kanak News
via <a href="https://ifttt.com/?

ମାଗଣା ଖାଦ୍ୟ ବଣ୍ଟନକୁ ନେଇ ସାଂସଦ ଓ ବିଏମସି ମଧ୍ୟରେ ଶୀତଳ ଯୁଦ୍ଧ । ରାସ୍ତାକଡ଼ରେ ମାଗଣା ଖାଦ୍ୟ ବଣ୍ଟନ ଉପରେ କଟକଣା ଜାରି କଲା ବିଏମସି ।

କନକ ବ୍ୟୁରୋ : ଗତ ୭ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଲୋକର୍ପଣ ହୋଇଥିଲା । ୫ଟି ଅନୁଷ୍ଠାନର ସହଯୋଗରେ ଗଠିତ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଜରିଆରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟ ବୋଲି କହିଥିଲେ ଅପରାଜିତା । ପ୍ରଥମେ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ।

ଅପରାଜିତାଙ୍କ ଏହି ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ବାଟରେ ଅନ୍ତରାୟ ସୃଷ୍ଟି କରିଛି ବିଏମସିର ନୂଆ ନିୟମ । କମିସନର କହିଛନ୍ତି, ବିଏମ୍ସିର ଅନୁମତି ନନେଇ ରାସ୍ତାକଡ଼ ଭିକ୍ଷାଜୀବୀଙ୍କୁ କେହି ଖାଦ୍ୟ କିମ୍ବା ବସ୍ତ୍ର ବଂଟନ କରିପାରିବେ ନାହିଁ ।

ବିଏମସିର ଯୁକ୍ତି ହେଉଛି, ଖାଦ୍ୟ, ବସ୍ତ୍ରର ବଂଟନ ଯୋଗୁଁ, ଭିକ୍ଷାଜୀବୀମାନେ ରାସ୍ତାକଡ଼ ଛାଡ଼ି, ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳୀରେ ରହିବାକୁ ଆଗ୍ରହ ଦେଖାଉନାହାନ୍ତି । ଯାହା ଭୁବନେଶ୍ୱର ସହରକୁ ଭିକ୍ଷାବୃତି ମୁକ୍ତ କରିବା ଅଭିଯାନରେ ବାଧା ସୃଷ୍ଟି କରୁଛି । ବିଏମସି କହିଛି, ବିନା ଅନୁମତିରେ ଯଦି କେହି ଖାଦ୍ୟ, ବସ୍ତ୍ର ବଂଟନ କରେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ ଅପରାଜିତା କହିଛନ୍ତି, ‘ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ମାଗଣା ନୁହେଁ । ଏଥିପାଇଁ ୧ ଟଙ୍କା ଧାର୍ଯ୍ୟ କରାଯାଉଛି । ତେଣୁ ଏହା ବିଏମ୍ସିର ନୂଆ ନିୟମ ଭିତରକୁ ଆସୁନାହିଁ ।’

ଭୋକିଲାଙ୍କୁ ମାଗଣା ଖାଦ୍ୟ ଯୋଗାଇବାକୁ ନେଇ ରାଜନୀତି ହେବା ବେଣ ପୁରୁଣା । ସରକାରଙ୍କ ଟଙ୍କିକିଆ ଚାଉଳ ଓ ୫ ଟଙ୍କିଆ ଆହାର ଯୋଜନାକୁ ନେଇ ବି ବାଦ ବିବାଦ ହୋଇଛି । ଏବେ ଆରମ୍ଭ ହୋଇଥିବା ଅପରାଜିତାଙ୍କ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ମଧ୍ୟ ରାଜନୀତି ଭିତରକୁ ଠେଲି ହୋଇଯାଇଛି ।

from Kanak News
via <a href="https://ifttt.com/?

ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ନେଇ ଭଦ୍ରକ ତିହିଡ଼ିରେ ତୁମୁଳକାଣ୍ଡ । ପୋଲିସ ଜିପ୍କୁ ଜାଳିଦେଲେ ଉତ୍ୟକ୍ତ ଲୋକ । 

କନକ ବ୍ୟୁରୋ : ପୁଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ କରି ଭଦ୍ରକ ତିହିଡ଼ି ଥାନା ଅନ୍ତର୍ଗତ ଅଲ୍ଲୀନଗର ଛକରେ ଘଟିଛି ଲଙ୍କାକାଣ୍ଡ । ମୃତ ଶରୀରକୁ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିବା ବେଳେ ପୁଲିସ ଜିପ୍କୁ ଦେଖି ତାତି ଉଠିଥିଲେ ଉତ୍ୟକ୍ତ ଲୋକ । ପୁଲିସ ଗାଡ଼ିକୁ ପୋଡି ଦେବା ସହ ଗାଡ଼ିରେ ଥିବା ପୋଲିସକୁ ନିସ୍ତୁକ ପିଟିଛନ୍ତି । କିଛି ସମୟ ଧରି ରଣକ୍ଷେତ୍ରରେ ପରିଣତ ହୋଇଥିଲା ଅଲ୍ଲୀଗନର ଛକ ।

ହୁ ହୁ ହୋଇ ଜଳୁଛି ପୋଲିସ ଜିପ୍ । ପୋଲିସ ବାକୁ ନିସ୍ତୁକ ପିଟିଛନ୍ତି ଉତ୍ୟକ୍ତ ଲୋକ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଲ୍ଲିନଗର ଛକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ପୋଲିସ ଜିପ୍କୁ ଜାଳି ଦେବା ସହ ପୋଲିସକୁ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକ ।

କୋଇଲା ଚୋରି ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିଲା ତିହିଡ଼ି ଥାନା ପୋଲିସ । ପୋଲିସକୁ ଦେଖି ହାତୁଆରି ଗାଁର ବାପି ମହାଳିକ ନାମକ ଜଣେ ଯୁବକ ଦୌଡ଼ିବାରୁ ତାଙ୍କୁ ଗୋଡାଇଥିଲା ପୋଲିସ । ଏକ ପୋଖରିରେ ପଡ଼ି ଯାଇଥିଲେ ବାପି । ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏହାକୁ ନେଇ ଉତ୍ୟକ୍ତ ହୋଇ ପଡିଥିଲେ ସ୍ଥାନୀୟ ବାସିନ୍ଦା । ପୋଲିସ ମାଡ଼ରେ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତ ଶରୀରକୁ ଧରି ଟାୟାର ଜାଳି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରାଯାଇଥିଲା ।

ଏହି ସମୟରେ ଜଣେ ଧର୍ଷଣ ଅଭିଯୁକ୍ତକୁ ନେଇ କୋର୍ଟକୁ ଯାଉଥିଲା ପିରାହାଟ ଥାନା ପୋଲିସ । ପୋଲିସ ଗାଡ଼ିକୁ ଦେଖି ତାତି ଯାଇଥିଲେ ଉତ୍ୟକ୍ତ ଲୋକ । ଆରମ୍ଭ ହୋଇ ଯାଇଥିଲା ଲଙ୍କାକାଣ୍ଡ । ପୋଲିସ ଜିପ୍କୁ ଭାଙ୍ଗିବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ଗାଡ଼ିରେ ଥିବା ପୁଲିସ ବାବୁଙ୍କୁ ହୋଇଥିଲା ନିର୍ଧୁମ ମାଡ଼ ।

ପୁଲିସ ଗାଡ଼ି ପୋଡାଜଳା ଓ ପୁଲିସ ବାବୁଙ୍କୁ ମାଡ଼ ହେବାର ସୁଯୋଗ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ପିରାହାଟ ଥାନା ଗାଡ଼ିରେ ଥିବା ଧର୍ଷଣ ଅଭିଯୁକ୍ତ । ବେଶ କିଛି ସମୟ ଧରି ଅଲ୍ଲୀନଗର ଛକରେ ଉତେଜନା ଜାରି ରହିବା ପରେ ଅତିରିକ୍ତ ଏସପି ଓ ତିହିଡି ତହସିଲଦାର ପହଁଚି ଲୋକଙ୍କୁ ବୁଝାଶୁଝା କରିଥିଲେ । ବାପି ମହାଲିକଙ୍କ ମୃତ୍ୟୁର ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ମଳିବା ପରେ ହଟିଥିଲା ରାସ୍ତାରୋକ ।

from Kanak News
via <a href="https://ifttt.com/?

୧୬ ତାରିଖରୁ ଓଡ଼ିଶାରେ ଦିଆଯିବ ଦୁଇ ପ୍ରକାରର ଟିକା । ଭୁବନେଶ୍ୱରରେ ଦିଆଯିବ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା । ଅନ୍ୟ ସବୁଠି କୋଭିସିଲ୍ଡରେ ହେବ ଟିକାକରଣ

କନକ ବ୍ୟୁରୋ : ଅକ୍ସଫୋର୍ଡର କୋଭିସିଲ୍ଡ ଟିକା ପରେ ଓଡିଶାକୁ ଆସିଛି ସଂପୂର୍ଣ୍ଣ ଦେଶଟିକା କୋଭାକ୍ସିନ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ଭାରତ ବାୟୋଟେକର ଏହି ଟିକା କେବଳ ଭୁବନେଶ୍ୱରରେ ଦିଆଯିବ । ବାକି ଜିଲ୍ଲାଗୁଡିକରେ କୋଭିସିଲ୍ଡ ଟିକା ଦିଆଯିବ । କୋଭାକ୍ସିନର ୨୦ ହଜାର ଡୋଜ ଆସିବା ପରେ ଓଡିଶାରେ ଦୁଇଦିନରେ ଆସି ପଂହଚିଛି ୪ ଲକ୍ଷ ୨୮ ହଜାର ଡୋଜ ଟିକା । ୨୮ ଦିନ ବ୍ୟବଧାନରେ ଦୁଇଟି ପର୍ଯ୍ୟାୟରେ ୨ ଲକ୍ଷ ୧୪ ହଜାର ଲୋକଙ୍କୁ ଟିକା ଦିଆଯାଇପାରିବ ।

ଦୁଇଦିନ ପରେ ଜାନୁଆରୀ ୧୬ ତାରିଖରେ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏପଟେ ଓଡିଶା ମଧ୍ୟ ଟିକାକରଣ ପାଇଁ ପ୍ରସ୍ତୁତ ହୋଇରହିଛି । ରାଜ୍ୟରେ ୩ ଲକ୍ଷ ୩୮ ହଜାର ୭୭୭ ଜଣ ସ୍ୱାସ୍ଥ୍ୟକର୍ମୀ ତାଲିକାଭୁକ୍ତ ହୋଇଛନ୍ତି । ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦେବାକୁ ସ୍ଥିର ହୋଇଛି ।

ପ୍ରଥମ ଡୋଜରେ ୫୦ ପ୍ରତିଶତ ଟିକା ବ୍ୟବହାର କରାଯିବ । ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ । ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଟିକାକରଣ ହେବ । ଗୋଟିଏ ଦିନରେ ସର୍ବାଧିକ ୧୦୦ଜଣ ଗୋଟିଏ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ । ପଞ୍ଜିକରଣ ଦିନ ହିଁ ଟିକା ଦିଆଯିବା ନହେଲେ ପଞ୍ଜିକୃତ ବ୍ୟକ୍ତି ଜିଲ୍ଲା ଅଧିକାରୀଙ୍କୁ ଜଣାଇବେ ।

କୋଭିସଲ୍ଡ ଟିକା ଆସି ପଂହଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି । ରାଜ୍ୟ ଟିକା ଭଣ୍ଡାରରୁ ବିଭିନ୍ନ ଜିଲ୍ଲାକୁ ଟିକା ଦିଆଯାଇଛି । ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟକର୍ମୀ ଟିକାକରଣ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏବେ ଅପେକ୍ଷା ୧୬ ତାରିଖର ସବୁଠାରୁ ବଡ ଟିକାକରଣ ଅଭିଯାନକୁ ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ ପୁଣି ନୂଆ ମୋଡ । ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀର ମାଆ । ଆବେଦନ ପରେ ସିବିଆଇକୁ ନୋଟିସ୍ କଲେ ସର୍ବୋଚ୍ଚ ନ୍ୟାୟାଳୟ 

କନକ ବ୍ୟୁରୋ : ନୟାଗଡ ପରୀ ହତ୍ୟା ମାମଲାରେ ପୁଣି ନୂଆ ମୋଡ । ୫ ବର୍ଷୀୟ ପରୀର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ପରୀର ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ଅଦାଲତରେ ନିବେଦନ କରିଛନ୍ତି ପରୀର ମାଆ ।

ବଡକଥା ହେଉଛି ଏହି ଆବେଦନକୁ ନେଇ ସିବିଆଇକୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ । ଏହି ଘଟଣାରେ ଏସଆଇଟି ତଦନ୍ତ କରୁଥିବା ବେଳେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଘଟଣାକୁ ନେଇ ଓଡିଶାରେ ରାଜନୀତି ମଧ୍ୟ ଜୋର ଧରିଥିବା ବେଳେ ଏବେ ସୁପ୍ରିମକୋର୍ଟ ଏନେଇ ସିବିଆଇକୁ ନୋଟିସ୍ କରିବା, ମାମଲାକୁ ଅଧିକ ଚର୍ଚାକୁ ଆଣିଛି ।

from Kanak News
via <a href="https://ifttt.com/?

କଟକ ନିର୍ମିତ ହେବ ଅତ୍ୟାଧୁନିକ ବସ ଟର୍ମିନାଲ । ଖର୍ଚ୍ଚ ହେବ ୬୫ କୋଟି ଟଙ୍କା, ନେତାଜୀଙ୍କ ନାମରେ ହେବ ନାମିତ । 

କନକ ବ୍ୟୁରୋ : କଟକର ଖାନନଗର ଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୈଠକରେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ୫-ଟି କାର୍ୟ୍ୟକ୍ରମ ଅଧୀନରେ ଏହା କାର୍ୟ୍ୟକାରୀ କରାଯିବ।

ବାଦାମବାଡି ବସଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ଖାନନଗରରେ ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲରେ ନେତାଜୀଙ୍କ ଜୀବନ ଓ ସଂଗ୍ରାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

 ଏହି ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏଥିରେ ଏକ ବୃହତ ଟର୍ମିନାଲ ବିଲଡିଂ, ସାଧାରଣ ଯାତ୍ରୀବାହୀ ବସ୍‌ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ୍‌ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣବ୍ଲକ୍‌, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ।

୧ ଲକ୍ଷ ୧୮ ହଜାର ବର୍ଗ ଫୁଟରେ ଏଥିପାଇଁ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍‌ଡିଂ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ମଧ୍ୟ ରଖାଯିବ। ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍‌ ପାର୍କିଂର ବ୍ୟବସ୍ଥା ରହିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ ।

ଏହି ବୈଠକରେ  ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started