ହ୍ୱାଟ୍ସଆପର ସୁରକ୍ଷା ନେଇ ଉଠୁଥିବା ପ୍ରଶ୍ନ ଭିତରେ ସ୍ପଷ୍ଟୀକରଣ ଦେଲା କଂପାନୀ । ବ୍ୟକ୍ତିଗତ ବ୍ୟବହାରକାରୀଙ୍କ ଉପରେ ପଡିବନି ପ୍ରଭାବ, ସେମାନଙ୍କ ଡାଟା ରହିବ ସୁରକ୍ଷିତ ।

କନକ ବ୍ୟୁରୋ : ହ୍ୱାଟ୍ସଆପର ନୂଆ ପ୍ରାଇଭେସୀ ପଲିସି ଚର୍ଚ୍ଚାରେ ରହିଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟ୍ସଆପ । ଫେବୃୟାରୀ ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ ଅନୁମତି ନଦେଲେ ଆକାଉଂଟ ଡିଲିଟ ହେବ ବୋଲି କଂପାନୀ ପୂର୍ବରୁ ସ୍ପଷ୍ଟ କରିସାରିଛି । ତଥ୍ୟ ସେୟାର ନେଇ ହ୍ୱାଟସଆପର ବିଶ୍ୱସନୀୟତା ପ୍ରଶ୍ନ ଘୋରକୁ ଆସିଯାଇଛି । ସେପଟେ ବହୁ ଲୋକ ପ୍ରାଇଭେସୀ ଫୋକସଡ ମେସେଜିଂ ଆପ ସିଗ୍ନାଲ ଓ ଟେଲିଗ୍ରାମକୁ ସିଫ୍ଟ ହୋଇଯାଉଛନ୍ତି ।

ହ୍ୱାଟ୍ସଆପର ବିଶ୍ୱସନୀୟତା ଉପରେ ବଡ ପ୍ରଶ୍ନବାଚୀ । ଡାଟା ଲିକ୍ ଚର୍ଚ୍ଚା ପରେ ସ୍ପଷ୍ଟୀକରଣ ଦେଲା କମ୍ପାନୀ । ହ୍ୱାଟ୍ସଆପ, ନୂଆ ପ୍ରାଇଭେସୀ ପଲିସି ଅପଡେଟ କରିବା ପରେ ଚର୍ଚ୍ଚାରେ ରହିଛି । ନୂଆ ପ୍ରାଇଭେସୀ ପଲିସି ଅନୁସାରେ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରିବାକୁ ହ୍ୱାଟ୍ସଆପ ଅନୁମତି ଲୋଡୁଛି । ତେଣୁ ବ୍ୟବହାରକାରୀଙ୍କ ତଥ୍ୟ ଉପରେ କଂପାନୀର ସଂପୂର୍ଣ୍ଣ ନିୟନ୍ତ୍ରଣ ରହିବ ବୋଲି ଚର୍ଚ୍ଚା ଚାଲିଛି । ଏହା ଡାଟା ଲିକ୍ ସନ୍ଦେହ ବଢାଇଥିବା ବେଳେ କଂପାନୀ ବିବାଦ ଘେରକୁ ଚାଲିଆସିଛି । ଏହାରି ଭିତରେ ହ୍ୱାଟ୍ସଆପ୍ ସ୍ପଷ୍ଟୀକରଣ ଦେଇ କହିଛି, ସାଧାରଣ ଆକାଉଂଟ ହୋଲଡରଙ୍କ ବ୍ୟକ୍ତିଗତ ଗୋପନୀୟତା ଉପରେ କୌଣସି ବିପଦ ନାହିଁ । ତେବେ ବିଜନେସ ଆକାଉଂଟ ୟୁଜର୍ସଙ୍କ ଉପରେ ପ୍ରାଇଭେସୀ ପଲିସି ପ୍ରଭାବ ପକାଇବ ।

ନୂଆ ପ୍ରାଇଭେସୀ ପଲିସୀ ଜରିଆରେ ହ୍ୱାଟ୍ସଆପ କଂପାନୀ ଏବେ ସିଧା ବିଜନେସ ଆକାଉଂଟକୁ ଟାର୍ଗେଟ କରୁଛି । ଲୋକଙ୍କ ଚାହିଦାକୁ ଦେଖି ବିଜ୍ଞାପନ ଛାଡି ନିଜ ବ୍ୟବସାୟ କରିବାକୁ ଯାଉଛି ହ୍ୱାଟ୍ସଆପ ।

ହ୍ୱାଟ୍ସଆପର ନୂଆ ପ୍ରାଇଭେସୀ ପଲିସିକୁ ନେଇ ବିବାଦ ତେଜିବା ପରେ କଂପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦେଇ କହିଛି, ବ୍ୟବହାରକାରୀଙ୍କ ତଥ୍ୟ ସଂପୂର୍ଣ୍ଣ ସୁରକ୍ଷିତ ରହିବ । ଆସନ୍ତୁ ଦେଖିବା ସ୍ପଷ୍ଟୀ କରଣରେ କଣ କହିଛି ହ୍ୱାଟ୍ସଆପ କଂପାନୀ ।

୧ -ଆପଣ ନିଜ ସାଙ୍ଗ ସାଥୀ, ପରିବାର ଲୋକଙ୍କ ସହ କରୁଥିବା ଚାଟ୍ ସଂପୂର୍ଣ୍ଣ ଗୋପନୀୟ ରହିବ । ନୂଆ ପ୍ରାଇଭେସୀ ପଲିସି ଏହା ଉପରେ କିଛି ପ୍ରଭାବ ପକାଇବ ନାହିଁ । ତେବେ ବ୍ୟବସାୟିକ ଆକାଉଂଟ ଉପରେ ଏହାର ପ୍ରଭାବ ପଡିବ ।

୨- ଆପଣଙ୍କ କୌଣସି ବ୍ୟକ୍ତିଗତ ମେସେଜ କିମ୍ବା କଲ ଓ ସେୟାର କରିଥିବା ଲୋକେସନ ହ୍ୱାଟସଆପ, ଫେସବୁକ ଶୁଣି ପାରିବେ ନାହିଁ କି ଦେଖି ପାରିବେ ନାହିଁ । କାରଣ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସୁରକ୍ଷାରେ ହ୍ୱାଟ୍ସଆପର ମେସେଜ ରହିଛି ।

୩- ବ୍ୟବହାରକାରୀ ଅନୁମତି ଦେବା ପରେ ଫୋନ ଆଡ୍ରେସ ବୁକ ପାଇବ ହ୍ୱାଟ୍ସଆପ । ତେବେ ବ୍ୟବହାରକାରୀ ନିଶ୍ଚିତ ରୁହନ୍ତୁ, ହ୍ୱାଟ୍ସଆପ କାହାରିକୁ କଂଟାକ୍ଟ ଲିଷ୍ଟ ସେୟାର କରିବ ନାହିଁ ।

୪- ହ୍ୱାଟ୍ସଆପ ସ୍ପଷ୍ଟ କରିଛି ଗ୍ରୁପ ଚାଟର ତଥ୍ୟକୁ ବିଜ୍ଞାପନ ଉଦ୍ଦେଶ୍ୟରେ ଫେସବୁକକୁ ସେୟାର କରିବ ନାହିଁ । ଏହି ପ୍ରାଇଭେଟ ଚାଟ ମଧ୍ୟ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସୁରକ୍ଷାରେ ରହିଛି ।

ଲୋକେ ଅନଲାଇନ୍ ସପିଂ କରିବାକୁ ପସନ୍ଦ କରୁଥିବାରୁ, ହ୍ୱାଟ୍ସଆପ ଜରିଆରେ ଲୋକଙ୍କୁ ପଣ୍ୟ ସାମଗ୍ରୀର ବିଜ୍ଞାପନ ଦେଖାଇବାକୁ ଯୋଜନା କରିଛି କଂପାନୀ । ଆପଣ ବିଜ୍ଞାପନ ଦେଖି ଦୋକାନୀଙ୍କ ସହ କଥା ହେଲେ ନଜର ରଖାଯିବ । ତେବେ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକକୁ ସେୟାର କରାଗଲେ ଜଣାଇ ଦିଆଯିବ ବୋଲି କହିଛି ହ୍ୱାଟ୍ସଆପ ।

from Kanak News
via <a href="https://ifttt.com/?

ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ ପ୍ରସଙ୍ଗ । ଭୁଲ୍ ମାଗିଲେ ଡେଭିଡ ୱାର୍ଣ୍ଣର ଓ ଟିମ୍ ପେନ୍ ।

କନକ ବ୍ୟୁରୋ : ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ଭାରତୀୟ ଖେଳାଳିଙ୍କ ନିକଟରେ ଭୁଲ୍ ମାଗିଛନ୍ତି ଡେଭିଡ ୱାର୍ଣ୍ଣର ଓ ଟିମ୍ ପେନ୍ । ତୃତୀୟ ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ ହୋଇଥିଲା ଜାତିଆଣ ଆକ୍ଷେପ ହୋଇଥିଲା । ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ପରେ ଘଟଣା ଚର୍ଚା ସୃଷ୍ଟି କରଥିଲା ।

ଗୁରୁବାର ଦିନ ଅନ୍ତିମ ସେସନ୍ ଖେଳ ସମୟରେ ଷ୍ଟାଡିୟମରୁ ଅଷ୍ଟ୍ରେଲିଆ ଫ୍ୟାନ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିଲେ । ମହମ୍ମଦ ସିରାଜ ଫିଲ୍ଡିଂ କରୁଥିବା ସମୟରେ ଏହାର ଶିକାର ବନିଥିଲେ । କ୍ୟାପଟେନ୍ ରାହାଣେଙ୍କୁ ଏହା ଜଣାଇବା ପରେ ଫିଲ୍ଡ ଅମ୍ପାୟାରଙ୍କ ନଜରକୁ ଅଣାଯାଇଥିଲା ଘଟଣା । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶୃଂଖଳିତ ଦର୍ଶକଙ୍କୁ ସୁରକ୍ଷାକର୍ମୀଙ୍କ ଜରିଆରେ ଗ୍ୟାଲେରୀରୁ ବାହାର କରିଦିଆଯାଇଥିଲା ।

from Kanak News
via <a href="https://ifttt.com/?

୨୦୦୯ରୁ ୨୦୨୦, ୧୧ ବର୍ଷ ଭିତରେ ୬ରୁ ୮୦ ଯାଏଁ ବଢିଛି ମନ୍ତ୍ରୀ ନବ ଦାସଙ୍କ ଗାଡି ସଂଖ୍ୟା । ନଜର ପକାନ୍ତୁ ୨୦୦୯ରୁୁ ନବଙ୍କ ସମ୍ପତ୍ତି ତାଲିକା ।

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ନେତା ଓ ମନ୍ତ୍ରୀ ହେବା ପରେ ତାଙ୍କର ବ୍ୟବସାୟ ଅଧିକ ବେଗରେ ବଢ଼ିଛି କି ? ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମନ୍ତ୍ରୀ ହେବା ପରେ ତାଙ୍କ ସମ୍ପତି ତାଲିକା ଦେଖିବା ପରେ କିଛି ଏମିତି ପ୍ରଶ୍ନ ଉଠିବା ସ୍ୱାଭାବିକ । ୨୦୦୯ ଓ ୨୦୧୪ ମସିହାରେ ନବ ଦାସଙ୍କର ୫-୬ଟି ସୌଖୀନ ଓ ବ୍ୟବସାୟିକ ଗାଡ଼ି ଥିବା ବେଳେ ୨୦୧୯-୨୦ ବେଳକୁ ଏହା ୮୦ରେ ପହଞ୍ଚିଯାଇଛି । ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

୨୦୦୯ରୁ ୨୦୨୦, ୧୧ବର୍ଷ । ଗାଡି ସଂଖ୍ୟା ୬ରୁ ବଢି ପହଞ୍ଚିଲା ୮୦ରେ । ନଜର ପକାନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ୨୦୦୯ର ସତ୍ୟପାଠ ଉପରେ । ୨୦୦୯ରେ ଝାରସୁଗ୍ୁଡ଼ାରୁ ପ୍ରଥମେ କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ନବ ଦାସ । ସେତେବେଳେ ତାଙ୍କର ସମ୍ପତି ଥିଲା ୫ କୋଟି ୮୨ ଲକ୍ଷ ଟଙ୍କା । ଆଉ ଋଣ ଥିଲା ୧୫ଲକ୍ଷ ୪୦ ହଜାର ଟଙ୍କା । ପାଖରେ ଥିଲା ମୋଟ ୬ଟି ସୌଖୀନ ଓ ବ୍ୟବସାୟିକ ଗାଡ଼ି ।

ନଜର ପକାନ୍ତୁ ନବ ଦାସଙ୍କ ୨୦୧୪ ସତ୍ୟପାଠ ଉପରେ । ଦ୍ୱି୍ତୀୟ ବାର କଂଗ୍ରେସ ଟିକେଟରେ ଜିତିବା ବେଳେ ତାଙ୍କ ସମ୍ପତି ୧୦କୋଟି ୨୧ଲକ୍ଷରେ ପହଁଚିଥିଲା ଓ ଋଣ ପରିମାଣ ଥିଲା ୨କୋଟି ୧୯ଲକ୍ଷ ଟଙ୍କା । ଆଉ ତାଙ୍କ ପାଖରେ ମାତ୍ର ୫ଟି ଗାଡ଼ି ରହିଥିଲା ।

ଏବେ ନଜର ପକାନ୍ତୁ ନବ ଦାସଙ୍କ ୨୦୧୯ର ସତ୍ୟପାଠ ଉପରେ । ଏଥର ସେ ଶାସକ ଦଳ ବିଜେଡିରୁ ଟିକେଟ ପାଇ ଜିତିଲେ । ନବଙ୍କ ପାଖରେ ଗାଡ଼ି ସଂଖ୍ୟା ବଢ଼ି ପହଁଚିଗଲା ୬୦ରେ । ସମ୍ପତି ପରିମାଣ ୩୩ କୋଟି ୪୨ଲକ୍ଷ ଟଙ୍କା ହୋଇଥିବା ବେଳେ ରଣ ପରିମାଣ ୧୮କୋଟି ୪୫ଲକ୍ଷ ଟଙ୍କା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିକଟରେ ମନ୍ତ୍ରୀ ଭାବେ ୨୦୨୦ ଘୋଷଣାପତ୍ରରେ ତାଙ୍କର ସୌଖୀନ ଓ ବ୍ୟବସାୟିକ ଗାଡ଼ି ସଂଖ୍ୟା ୬୦ରୁ ୮୦ରେ ପହଁଚିଯାଇଛି ।

ପ୍ରଶ୍ନ ଉଠୁଛି, ନେତା ଓ ମନ୍ତ୍ରୀ ହେବା ପରେ ନବ ଦାସଙ୍କ ବ୍ୟବସାୟ ଓ କାରବାର ବଢ଼ିଯାଉଛି କି? ମନ୍ତ୍ରୀ ଏବଂ ତାଙ୍କ ପରିବାରର ସମସ୍ତ ବ୍ୟବସାୟିକ କାରବାର ବାବଦରେ ଆୟକର ଦାଖଲ ହୋଇଛି ବୋଲି ମନ୍ତ୍ରୀ କହିଥିଲେ । କିନ୍ତୁ ବ୍ୟବସାୟର କଳେବର ବଢିବା ଓ ରାଜନୀତିରେ ପତିଆରା ବଢିବା ସହ କୌଣସି ସମ୍ପର୍କ ଅଛି କି ନାହିଁ ତାହା ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ଏହା ଭିତରେ ସମ୍ପତିି ବୃଦ୍ଧି ଏବେ ନବ ଦାସଙ୍କୁ ଚର୍ଚ୍ଚାର ଘେରକୁ ଆଣିଛି ।

from Kanak News
via <a href="https://ifttt.com/?

ମାତ୍ର ୨୫୦ ଟଙ୍କାରେ ଲୋକଙ୍କୁ ସ୍ମାର୍ଟ ଫୋନ ଯୋଗାଇ ଦେବାକୁ କହି ଚାଂଚଲ୍ୟ ସୃଷ୍ଟି କରିଥିବା ମୋହିତ ଗୋଏଲ ଗିରଫ । ଏଥର ୨ଶହ କୋଟି ଟଙ୍କାର ଡ୍ରାଏଫ୍ରୁଟ୍ସ ଜାଲିଆତି ମାମଲାରେ ଗିରଫ କଲା ପୋଲିସ

କନକ ବ୍ୟୁରୋ : ମାତ୍ର ୨୫୦ ଟଙ୍କାରେ ଲୋକଙ୍କୁ ସ୍ମାର୍ଟ ଫୋନ ଯୋଗାଇ ଦେବାକୁ କହି ଚାଂଚଲ୍ୟ ସୃଷ୍ଟି କରିଥିବା ମୋହିତ ଗୋଏଲଙ୍କୁ ଗିରଫ କରିଛି ପୋଲିସ । ଏଥର ୨ଶହ କୋଟି ଟଙ୍କାର ଡ୍ରାଏଫ୍ରୁଟ୍ସ ଜାଲିଆତି ମାମଲାରେ ଗିରଫ ହୋଇଛନ୍ତି । ତାଙ୍କ ନାଁରେ ରହିଛି ୪୦ରୁ ଅଧିକ ମାମଲା ରହିଛି । ନୋଏଡାରେ ୩ଲକ୍ଷ ଟଙ୍କାରେ ଏକ ଘର ଭଡା ନେଇ ସେ ଏହି କମ୍ପାନି ଚଳାଉଥିଲେ । ତାଙ୍କ ନାଁରେ ୪୦ରୁ ଅଧିକ ମାମଲା ରହିଥିବା ପୋଲିସ କହିଛି ।

ଏକ ମାମଲାରେ ୨୦୧୭ରେ ଜେଲ ଯାଇଥିଲେ ମୋହିତ । ଏହାପରେ ଜେଲରୁ ବାହାରି ମାଷ୍ଟର ଫ୍ରିଡମ କମ୍ପାନୀ ଆରମ୍ଭ କରିଥିଲେ । ଏହି କମ୍ପାନୀ ତରଫରୁ ଲୋକମାନଙ୍କୁ ୨ ହଜାର ୩୯୯ ଟଙ୍କାରେ ମୋବାଇଲ ଓ ୯ ହଜାର ୯୯୯ ଟଙ୍କାରେ ୩୨ ଇଞ୍ଚର ଏଲଇଡି ଟିଭି ଦେବାକୁ ପ୍ରତିଶୃତି ଦେଇ ଲୋକଙ୍କୁ ଠକିଥିଲେ । ଏହି ମାମଲାରେ ମଧ୍ୟ କୋଟୱାଲି ସେକ୍ଟର ୫୮, ଗାଜିଆବା. ଜଲନ୍ଧର, ଗୋରଖପୁର ଆଦି ଅଞ୍ଚଳରେ ମାମଲା ରହିଛି ।

from Kanak News
via <a href="https://ifttt.com/?

ଓଡିଶାକୁ ମିଳିଲା ଆଉ ଦୁଇଟି ଜାତୀୟ ପୁରସ୍କାର । ଜାଗାମିଶନ ଓ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ପୁରସ୍କୃତ

କନକ ବ୍ୟୁରୋ : ଜାଗାମିଶନ ଓ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓଡିଶା ସରକାର ଦୁଇଟି ଜାତୀୟ ପୁରସ୍କାର ପାଇଛନ୍ତି । ଜନାଗ୍ରହ ସହର ପ୍ରଶାସନର ଦ୍ୱିତୀୟ ସଂସ୍କରଣରେ ଓଡିଶା ସ୍ଥାନ ପାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହ ନିର୍ମାଣ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଓଡିଶାକୁ ପୁରସ୍କୃତ କରିଥିଲେ ।

ରାଜ୍ୟ ପକ୍ଷରୁ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥିଭାଥନନ ଏହି ପୁରସ୍କାର ଦୁଇଟି ଗ୍ରହଣ କରିଥିଲେ । ୧୭ଟି ରାଜ୍ୟରୁ ୫୪ଟି ଆବେଦନକୁ ବିଚାରକୁ ନିଆଯାଇଥିବାବେଳେ ୫ଟି ବର୍ଗ ମଧ୍ୟରୁ ଓଡିଶା ଦୁଇଟିରେ ପ୍ରଥମ ସ୍ଥାନ ହାସଲ କରିଛି । ଜାଗା ମିଶନ କ୍ଷେତ୍ରରେ ଆଇନର ସଫଳ ରୂପାୟନ, ନୀତି ପ୍ରଣୟନ ପାଇଁ ଗ୍ରହଣ କରିଥିବା ଉଲ୍ଲେଖନୀୟ ପଦକ୍ଷେପ ସକାଶେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପାଇଛି ।

ଓଡିଶା କାର୍ଯ୍ୟକାରୀ କରିଥିବା ବସ୍ତି ବାସିନ୍ଦାଙ୍କୁ ଜମିର ସତ୍ୱାଧିକାର ନିୟମ-୨୦୧୭ କାର୍ଯ୍ୟକାରୀ କରାଇବା ଏବଂ ବସ୍ତି ଉନ୍ନୟନ ସଂଘ ମାଧ୍ୟମରେ ବସ୍ତିଗୁଡିକର ବିକାଶ ପାଇଁ ଏହି ପୁରସ୍କାର ମିଳିଛି । ଗୃହ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଗଠନ ସହରାଞ୍ଚଳରେ ପାଇପ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ‘ବେଷ୍ଟ ସିଭିକ ଏଜେନ୍ସି’ ପୁରସ୍କାର ପାଇଛି । ବିକେନ୍ଦ୍ରୀକରଣର ଭି.ରାମଚନ୍ଦ୍ରନଙ୍କ ସ୍ମୃତିରେ ଏହି ପୁରସ୍କାରଗୁଡିକ ପ୍ରଦାନ କରାଯାଇଥାଏ ।

from Kanak News
via <a href="https://ifttt.com/?

ପାସବୁକ୍ ପାଇଁ ୪୫ କିଲୋମିଟର ପଦଯାତ୍ରା । ବ୍ୟାଙ୍କ ଖାତା ଖୋଲି ଭତା ପାଇବା ପାଇଁ ତିନି ଦିନ ଧରି ଜଙ୍ଗଲ ରାସ୍ତାରେ ଚାଲିଲେ ବୟସ୍କ ବ୍ୟକ୍ତି, ଫୋନ ନମ୍ବର ନଥିବାରୁ ଫେରାଇ ଦେଲା ବ୍ୟାଙ୍କ ।

କନକ ବ୍ୟୁରୋ : ବ୍ୟାଙ୍କ ପାସବୁକ୍ ଲାଗି ପାଦରେ ଚାଲି ଚାଲି ସହରକୁ ଆସିଛନ୍ତି ଘାଟି ମଣିଷ । ପେନସନ୍ ପାଇଁ ସରକାର ପାସବୁକ୍ ସଂଯୋଗୀକରଣ ବାଧ୍ୟତାମୂଳକ କରିଥିବାରୁ ଘାଟିର ଆଦିବାସୀ ବୃଦ୍ଧବୃଦ୍ଧାଙ୍କୁ ଭତା ନ ମିଳିବାର ଭୟ ଘାରିଛି । ତେଣୁ ୪୫ କିଲୋମିଟର ରାସ୍ତା ଚାଲିବାକୁ ବାଧ୍ୟ ହୋଇଛନ୍ତି ତୁଳସୀ ଘାଟିର ବୟସ୍କ ବୃଦ୍ଧବୃଦ୍ଧା । ତେବେ ବ୍ୟାଙ୍କ ପାସବୁକ୍ ପାଇଁ ଆଦିବାସୀ ମଣିଷ ସିନା ପାହାଡ-ଜଙ୍ଗଲ ରାସ୍ତା ଚାଲିଲେ, ଜଙ୍ଗଲ ଭିତରେ ରାତି କାଟିଲେ, ହେଲେ ବ୍ୟାଙ୍କରୁ ପାସବୁକ୍ ମିଳିଲା ନାହିଁ । ମୋବାଇଲ ନଥିବା କହି ଆକାଉଂଟ ଖୋଲିଲେ ନାହିଁ ବ୍ୟାଙ୍କ କର୍ତ୍ତୃପକ୍ଷ । ଏଭଳି ସ୍ଥିତିରେ ଘାଟି ମଣିଷର ଯନ୍ତ୍ରଣା ବୁଝିବ କିଏ ।

ଘାଟି ମଣିଷ ପାଇଁ ପେନସନ୍ ଯୋଜନାର କଷ୍ଟ । ଭତା ଟଙ୍କା ପାଇଁ ଅଡୁଆ ବଢାଇଛି ବ୍ୟାଙ୍କ ପାସବୁକ୍ । ବ୍ୟାଙ୍କରେ ପାସବୁକ୍ ନଥିଲେ କାଳେ ପେନସନ୍ ତାଲିକାରୁ ନା କଟିଯିବ, ଆଉ ଟଙ୍କା ମିଳିବନି, ସେଇ ଭୟରେ ଆକାଉଂଟ ଖୋଲିବା ପାଇଁ ଜଙ୍ଗଲ ରାସ୍ତାରେ ଚାଲିଚାଲି ବ୍ଲକ ସଦର ମହୁକମାରେ ପହଞ୍ଚିଛନ୍ତି ମାଲକାନଗିରି ମାଥିଲି ବ୍ଲକ ଦୁର୍ଗମ ତୁଳସୀ ଗାଁର ବୃଦ୍ଧବୃଦ୍ଧା ।

ବ୍ୟାଙ୍କ ପାସବୁକ୍ ପାଇଁ ୪୫ କିଲୋମିଟର ପଦଯାତ୍ରା । ହାଡଭଙ୍ଗା ଶୀତରେ ଜଙ୍ଗଲରେ ବିତିଲା ରାତି । ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ତୁଳସୀ ପାହାଡରୁ ଆରମ୍ଭ ହୋଇଥିଲା ଘାଟି ମଣିଷଙ୍କ ପଦଯାତ୍ରା । ହାତରେ ମାଣ୍ଡିଆ ପେଜ । ଦୁର୍ବଳ ଲାଗିଲେ ଏହି ପେଜ ପିଇ ଆଗକୁ ବଢିବେ । ଜଙ୍ଗଲ ଭିତରେ ରାତି କଟିବା ପରେ ପୁଣି ଆରମ୍ଭ ହୋଇଥିଲା ପଦଯାତ୍ରା । ସବୁ ଯନ୍ତ୍ରଣାକୁ ଭୁଲି ବ୍ୟାଙ୍କରେ ପହଞ୍ଚିଥିଲେ । କିନ୍ତୁ ମୋବାଇଲ ନ ଥିଲେ ବ୍ୟାଙ୍କ ଆକାଉଣ୍ଟ ଖୋଲି ହେବନି କହି ଫେରାଇ ଦେଇଥିଲେ ବ୍ୟାଙ୍କ କର୍ତୃପକ୍ଷ ।

ଏବେ ପ୍ରଶ୍ନ ଉଠୁଛି
ଘାଟି ମଣିଷଙ୍କ ହାତରେ ମୋବାଇଲ ଆସିବ କୁଆଡୁ ?
ଖଟି ଖାଉଥିବା ମଣିଷ ମୋବାଇଲ୍ କିଣିବେ କେମିତି ?
ମୋବାଇଲ ନଥିଲେ କ’ଣ ବ୍ୟାଙ୍କରେ ଆକାଉଂଟ ଖୋଲି ହେବନାହିଁ ?
କ’ଣ ମୋବାଇଲର କୌଣସି ବିକଳ୍ପ ନାହିଁ ?

ବ୍ୟାଙ୍କରେ ପାସବୁକ୍ ଖୋଲିବା ପାଇଁ ମୋବାଇଲ୍ ଜରୁରୀ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହୁଥିବା ବେଳେ ହାତରେ ମୋବାଇଲ ଦେଖିଲେ କଠୋର ହେଉଛନ୍ତି ମାଓବାଦୀ । ଏଭଳି ସ୍ଥିତିରେ ଦୋ-ଛକିରେ ପଡିଛନ୍ତି ଘାଟି ଅଂଚଳର ବାସିନ୍ଦା ।

from Kanak News
via <a href="https://ifttt.com/?

ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇଦେଲେ । ନିଆଁରେ ଜଳି ଯୁବକଙ୍କ ଚାଲିଗଲା ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ । 

କନକ ବ୍ୟୁରୋ : ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ନିଆଁରେ ଜଳି ଚାଲିଗଲା ଯୁବକଙ୍କ ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଅନୁଗୁଳ ଜିଲ୍ଲା କେନ୍ଦୁସାହି ଗାଁରେ ।

ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ରାଜକିଶୋର ପ୍ରଧାନ । ଅନ୍ୟପକ୍ଷରେ ଘଟଣାସ୍ଥଳରେ ହଣ୍ଡପା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ । ୩ ନୂଆ କୃଷି ଆଇନ ଉପରେ ଲଗାଇଲେ ରୋକ୍, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥଗିତ ରହିବ ଆଇନ୍ ।

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଉପରେ ଶୁଣାଣି କରି ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୩ଟି ଯାକ ବିବାଦୀୟ କୃଷି ଆଇନକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ୍ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଆଦେଶ ଯାଏଁ ଏହି ଆଇନ୍ ଲାଗୁ ହୋଇପାରିବ ନାହିଁ । ଏଥିସହ କୋର୍ଟ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି, ଏହି କମିଟି କୃଷି ଆଇନକୁ ତର୍ଜମା କରିବ । ସମସ୍ତେ କମିଟି ଆଗରେ ନିଜର ପକ୍ଷ ରଖିପାରିବେ ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ସେପଟେ କୃଷକ ସଂଗଠନ ଗୁଡିକୁ କିନ୍ତୁ ଏହି ରାୟ ସନ୍ତୁଷ୍ଟ କରିପାରିନାହିଁ । ସେମାନେ କହିଛନ୍ତି, ଆଇନ୍ ରଦ୍ଦ ହେବା ଯାଏଁ ଆନ୍ଦୋଳନ ଚାଲିବ । ଏବଂ କମିଟିରେ ରହିଥିବା ସମସ୍ତ ୪ ଜଣ ବିଶେଷଜ୍ଞ ସରକାରଙ୍କ ସମର୍ଥକ ବୋଲି ଚାଷୀନେତାମାନେ କହିଛନ୍ତି ।

୪୮ ଦିନ ଧରି କୃଷକ ଆନ୍ଦୋଳନ ସାରା ଦେଶକୁ ଦୋହଲାଇଦେଇଛି । ସୁପ୍ରିମକୋର୍ଟ ମଧ୍ୟ ଅନୁଭବ କରିଛନ୍ତି ତୁରନ୍ତ ଏହାର ସମାଧାନ ଲାଗି ବାଟ ବାହାର କରିବାକୁ ପଡିବ । ତେଣୁ ଅନ୍ୟ ବାଟ ନପାଇ ସର୍ବୋଚ୍ଚ ନ୍ୟାୟାଳୟ କୃଷି ଆଇନକୁ ସ୍ଥଗିତ ରଖିଛନ୍ତି । ଏଥିସହ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି । କମିଟିରେ ୪ ଜଣ କୃଷି ବିଶେଷଜ୍ଞ ଆଇନର ତର୍ଜମା କରିବେ । ଏହା ପରେ ଆଇନକୁ ନେଇ ପରବର୍ତୀ ନିଷ୍ପତି ନିଆଯିବ ।

ମଙ୍ଗଳବାର ଶୁଣାଣିବେଳେ କୃଷକଙ୍କ ଓକିଲ କହିଥିଲେ କୃଷକଙ୍କୁ ଡର ଲାଗୁଛି ସେମାନଙ୍କ ଜମି ବିକ୍ରି ହୋଇଯିବ । ତେଣୁ କୃଷକମାନେ ଆଇନକୁ ରଦ୍ଦ କରିବାକୁ ଚାହୁଁଛନ୍ତି ।

ଏହାର ଉତରରେ ପ୍ରଧାନବିଚାରପତି କହିଥିଲେ, କିଏ କହୁଛି ଏ କଥା । କୃଷକଙ୍କ ଜମି କୁଆଡେ ଯିବ ନାହିଁ । ଆମ ଅଧିକାର ଅନୁସାରେ ଆଇନ ସସପେଣ୍ଡ ବି ହୋଇପାରେ ।

ଏହା ପରେ କୃଷକଙ୍କ ଓକିଲ କହିଥିଲେ, ଆନ୍ଦୋଳନସ୍ଥଳକୁ ଆଲୋଚନା ପାଇଁ ମୋଦି ଆସିଲେନି ।

ଏହାର ଉତ୍ତରରେ ଆଟର୍ଣ୍ଣି ଜେନେରାଲ କହିଥିଲେ, କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଚାଷୀଙ୍କ ସହତ ଅଷ୍ଟମ ରାଉଣ୍ଡ ଆଲୋଚନା କରିସାରିଛନ୍ତି ।

ଏହା ପରେ ପ୍ରଧାନ ବିଚାରପତି କହିଥିଲେ, ଚାଷୀ ଓ ସରକାରଙ୍କ ମଧ୍ୟରେ ଚାଲିଥିବା ସମସ୍ୟାର ସମାଧାନ ପାଇଁ କୋର୍ଟ ଏକ କମିଟି ଗଠନ କରିବାକୁ ଚାହୁଁଛନ୍ତି । ବର୍ତମାନ ଲାଗି ଆଇନ ସସପେଣ୍ଡ ହେବ, କିନ୍ତୁ ସର୍ତ୍ତ ସହ ।

ସେପଟେ କୋର୍ଟଙ୍କ ନିର୍ଦ୍ଦେଶରେ ଚାଷୀ ସଙ୍ଗଠନଗୁଡିକ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି କମିଟିର ସମସ୍ତ ସଦସ୍ୟ ସରକାରଙ୍କ ସମର୍ଥକ । ଚାଷୀ ନେତାଙ୍କ କହିବା କଥା ହେଲା, ଆଇନ ରଦ୍ଦ ନ ହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପରୀକ୍ଷା ନିରୀକ୍ଷା ପାଇଁ ବିଭିନ୍ନ ଚାଷୀ ସଙ୍ଗଠନଗୁଡିକର ବୈଠକ ବୁଧବାର ଦିନ ବସୁଛି ।

ଏବେ କୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ସବୁ ପକ୍ଷ ନିଜର ମତ ରଖିବେ । କମିଟି ଯାହା ରିପୋର୍ଟ ଦେବ ତା ଉପରେ ଆଇନର ଭବିଷ୍ୟତ ନିର୍ଭର କରିବ । କମିଟି ଯଦି ସରକାରଙ୍କ ସପକ୍ଷରେ ମତ ଦିଏ ତାହାହେଲେ ସରକାରଙ୍କର ବଡ ବିଜୟ ହେବ । ସେହିଭଳି ବର୍ତମାନ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଯଦି ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହୁଏ ତେବେ ମଧ୍ୟ ସରକାରଙ୍କୁ ବଡ ଆଶ୍ୱସ୍ତି ମିଳିବ ।

from Kanak News
via <a href="https://ifttt.com/?

ଆସିଲା କରୋନା ମହାମାରୀ ପାଇଁ ମହୋଷଧୀ । ଭୁବନେଶ୍ୱରରେ ପହଞ୍ଚିଲା ଭ୍ୟାକ୍ସିନ, ୧୬ ତାରିଖରେ ହେବ ଟିକାକରଣ ।

କନକ ବ୍ୟୁରୋ : ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଆଜି ସାରା ଦେଶକୁ କରୋନା ଟିକା ‘କୋଭିସିଲ୍ଡ’ ବିତରଣ କରାଯାଇଛି । ଟିକସକୁ ଛାଡି ୨୦୦ ଟଙ୍କା ପ୍ରତି ଡୋଜ ଦରରେ ୧ କୋଟି ୧୦ ଲକ୍ଷ ଟିକା କିଣିଛନ୍ତି ଭାରତ ସରକାର । ସିରମ୍ ଇନଷ୍ଟିଚ୍ୟୁଟରୁ ସ୍ୱତନ୍ତ୍ର ଟ୍ରକ ଯୋଗେ ବିମାନ ବନ୍ଦରକୁ ଟିକା ପଠାଯାଇଥିଲା ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ, କୋଲ୍ଡ ଚେନକୁ ମେନଟେନ୍ କରି ବିମାନରେ ଭାରତର ବିଭିନ୍ନ ସହରକୁ ଟିକା ବିତରଣ କରାଯାଇଛି । ଏହି କ୍ରମରେ ଓଡିଶାରେ ମଧ୍ୟ ୪୦ ହଜାର ୮ଶହ ଭାୟାଲ୍ ଟିକା ଅର୍ଥାତ୍ ୪ ଲକ୍ଷ ୮ ହଜାର ଡୋଜ୍ କୋଭିସିଲ୍ଡ ଟିକା ପହଂଚିଛି । ବିମାନ ବନ୍ଦରରୁ ପୂର୍ବ ପ୍ରସ୍ତୁତି ଅନୁସାରେ ତାପମାତ୍ରା ନିୟନ୍ତ୍ରକ ଭ୍ୟାନରେ ରାଜ୍ୟ ଟିକାକରଣ କେନ୍ଦ୍ରକୁ ନିଆଯାଇଛି ।

ପ୍ରାୟ ୧୦ ମାସ ଧରି ପୂରା ଦେଶକୁ ସ୍ଥାଣୁ କରି ଦେଇଥିବା କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ ପହଞ୍ଚିଛି ମହୋଷଧୀ । ଯେଉଁ ମୁହୂର୍ତକୁ ସମସ୍ତଙ୍କର ଅପେକ୍ଷା ରହିଥିଲା, ଶେଷରେ ସେହି ପ୍ରତୀକ୍ଷିତ ମୁହୂର୍ତ ଆସିଯାଇଛି । ପୁନେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟରୁ ଭୁବନେଶ୍ୱରରେ ପହଞ୍ଚିଛି କରୋନା ଟିକା କୋଭିସିଲ୍ଡ । ଟଙ୍କା ଗାଡ଼ି ଭଳି ସଂପୂର୍ଣ୍ଣ ସୁରକ୍ଷା ବଳୟରେ ୩୪ ପ୍ୟାକେଟରେ ଅଣାଯାଇଛି ୪୦ ହଜାର ୮ଶହ ଭାଏଲ୍ ବା ଶିଶି, କରୋନା ଟିକା । ଷ୍ଟେଟ୍ ଭ୍ୟାକସିନ୍ ସେଂଟରରେ ଏହାକୁ ରଖାଯାଇଛି । ଦୁଇ ଦିନ ମଧ୍ୟରେ ସମସ୍ତ ଜିଲ୍ଲାକୁ ଟିକା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

କୋଭିସିଲ୍ଡର ଏହି ଭାଏଲ ବା ଶିଶିରେ ରହିଛି ୧୦ ଡୋଜ୍ ଟିକା । ୨୮ ଦିନ ଅନ୍ତରରେ ଜଣଙ୍କୁ ଦୁଇ ଡୋଜ୍ ଟିକା ଦିଆଯିବ । ଅର୍ଥାତ୍ ଏହି ଛୋଟ ଶିଶିରେ ରହିଛି ୫ ଜଣଙ୍କ ପାଇଁ କରୋନାରୁ ମୁକ୍ତି ପାଇବାର ବାଟ ।

ରାଜ୍ୟରେ କୋଭିଡ୍ ଟିକାକରଣ :
ପ୍ରଥମ ଦଫାରେ ୪୦ ହଜାର ୮ଶହ ଭାଏଲ୍ ଓଡ଼ିଶା ଆସିଛି
ଯେତିକି ଟିକା ଆସିଛି, ସେଥିରେ ଜଣଙ୍କୁ ଦୁଇ ଡୋଜ୍ ହିସାବରେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଟିକାକରଣ କରାଯିବ
ପ୍ରଥମ ପର୍ଯ୍ୟାୟ ଟିକାକରଣ ୧୬ ତାରିଖରେ ଆରମ୍ଭ ହେବ
ରାଜ୍ୟରେ ୧୬୦ ଟିକାକେନ୍ଦ୍ରରେ ହେବ ଟିକାକରଣ
ପ୍ରତି କେନ୍ଦ୍ରରେ ଦିନକୁ ୧୦୦ ଜଣଙ୍କୁ ଟିକା ଦିଆଯିବ
ଅର୍ଥାତ୍ ଦିନକୁ ରାଜ୍ୟରେ ୧୬ ହଜାର ଟିକାକରଣ କରାଯିବ

ଦିଲ୍ଲୀ, କୋଲକାତା, ହ୍ରାଇଦ୍ରାବାଦ, ଭୁବନେଶ୍ୱର ସମତେ ଦେଶର ୧୩ଟି ରାଜ୍ୟର ଷ୍ଟେଟ୍ ଭ୍ୟାକ୍ସିନ୍ ସେଂଟରକୁ ଆଜି କରୋନା ଟିକା ପଠାଇଛି ସିରମ୍ ଇନଷ୍ଟିଚ୍ୟୁଟ । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାକୁ ଭାରତରେ କୋଭିସିଲ୍ଡ ନାଁରେ ତିଆରି କରିଛି ବିଶ୍ୱର ସବୁଠୁ ବଡ଼ ଟିକା ନିର୍ମାତା ସିରମ୍ ଇନଷ୍ଟିଚ୍ୟୁଟ୍ । ଏହି ଟିକା ୭୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ହେବ ବୋଲି ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡିଛି ।

ସିରମ୍ ଇନଷ୍ଟିଚ୍ୟୁଟରୁ ପ୍ରଥମ ପର୍ଯ୍ୟାୟ ଟିକା ବାହାରିବା ପରେ ଟ୍ୱିଟ୍ କରି ଏହାର ମୁଖ୍ୟ ଅଦାର ପୁନାୱାଲା କହିଛନ୍ତି, ଏହା ଏକ ଭାବପ୍ରବଣତାର ସମୟ । ଟିକା ଲୋଡ୍ ହୋଇଥିବା ଟ୍ରକରେ ବସି ଫଟୋ ଉଠାଇବା ସହ ସିରମର ସମସ୍ତ କର୍ମଚାରୀଙ୍କ ଫଟୋ ବି ଟ୍ୱିଟ୍ କରିଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରମ୍ଭ ହେଲା କରୋନା ଟିକା ପ୍ରେରଣ । କଡା ସୁରକ୍ଷା ମଧ୍ୟରେ ବିଭିନ୍ନ ଜିଲ୍ଲାକୁ ପଠାଗଲା ଭ୍ୟାକସିନ୍ ।

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରମ୍ଭ ହେଲା କରୋନା ଟିକା ପ୍ରେରଣ । କଡା ସୁରକ୍ଷା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଗଲା କୋଭିଡ୍ ଭ୍ୟାକସିନ୍ । ଆଜି ପୁରୀ, କଟକ ଓ ନୟାଗଡ ଜିଲ୍ଲାକୁ କରୋନା ଟିକା ପଠାଯାଇଛି । ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାକୁ କରୋନା ଟିକା ପଠାଯିବ । ଏବଂ ୧୬ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବ ଟିକାକରଣ ଅଭିଯାନ ।

ପ୍ରାୟ ୧୦ ମାସ ଧରି ପୂରା ଦେଶକୁ ସ୍ଥାଣୁ କରି ଦେଇଥିବା କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ ଆଜି ଓଡ଼ିଶାରେ ପହଞ୍ଚିଛି ମହୋଷଧୀ । ଯେଉଁ ମୁହୂର୍ତକୁ ସମସ୍ତଙ୍କର ଅପେକ୍ଷା ରହିଥିଲା, ଶେଷରେ ସେହି ପ୍ରତୀକ୍ଷିତ ମୁହୂର୍ତ ଆସିଯାଇଛି । ପୁନେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟରୁ ଭୁବନେଶ୍ୱରରେ ଆଜି ପହଞ୍ଚିଛି କରୋନା ଟିକା କୋଭିସିଲ୍ଡ । ଟଙ୍କା ଗାଡ଼ି ଭଳି ସଂପୂର୍ଣ୍ଣ ସୁରକ୍ଷା ବଳୟରେ ୩୪ ପ୍ୟାକେଟରେ ଅଣାଯାଇଛି ୪୦ ହଜାର ୮ଶହ ଭାଏଲ୍ ବା ଶିଶି, କରୋନା ଟିକା । ଷ୍ଟେଟ୍ ଭ୍ୟାକସିନ୍ ସେଂଟରରେ ଏହାକୁ ରଖାଯାଇଛି । ଦୁଇ ଦିନ ମଧ୍ୟରେ ସମସ୍ତ ଜିଲ୍ଲାକୁ ଟିକା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started