କରୋନା ଟିକା ପାଇଁ ଭାରତକୁ ସହାୟତା ମାଗିଲେ ୧୦ ଟି ଦେଶ । ଭାରତକୁ ପତ୍ର ଲେଖି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଅନୁରୋଧ । ସିରମ ଇନଷ୍ଟିଚ୍ୟୁଟ୍ ସହ ଚୁକ୍ତି କଲା ନେପାଳ, ଭୂଟାନ,ଓ ବାଂଲାଦେଶ

କନକ ବ୍ୟୁରୋ : କରୋନା ଭଳି ମହାମାରୀ ସହିତ ଲଢିବାରେ ଭାରତ ଏବେ ବିଶ୍ୱର ଅଗ୍ରଣୀ ଦେଶ ଭାବେ ପରିଗଣିତ ହୋଇଛି । ଏବେ ଭାରତ ତାର ସ୍ୱଦେଶୀ ଜ୍ଞାନ କୌଶଳରେ ୨ ଟି କରୋନା ଟିକା ପ୍ରସ୍ତୁତ କରି ସାରିଛି । ଏହାସହ ପ୍ରସ୍ତୁତ ହୋଇଥିବା ଟିକାକୁ ବି ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି । ମଞ୍ଜୁରୀ ପାଇଥିବା କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଚଳିତ ମାସ ୧୬ ତାରିଖରୁ ଲୋକମାନଙ୍କୁ ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି । ଏହା ସହ ଟିକାକରଣ ବାବଦରେ ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।
ହେଲେ ଏଭଳି ସ୍ଥଳେ ଭାରତକୁ ୧୦ ଟି ଦେଶ ଟିକା ପାଇଁ ସହାୟତା ମାଗିଛନ୍ତି । ସେମାନଙ୍କ ମଧ୍ୟରେ ବ୍ରାଜିଲ, ମରକ୍ସୋ, ସୌଦି, ମ୍ୟାନମାର, ବାଂଲାଦେଶ, ଭୂଟାନ, ନେପା, ଦକ୍ଷିଣଆଫ୍ରିକା, ଶ୍ରୀଲଙ୍କା ଓ ଆଫଗାନିସ୍ଥାନ ଭଳି ଦେଶ ରହିଛନ୍ତି । ତେବେ ଭାରତ ସରକାର ନେପାଳ, ଭୂଟାନ, ଶ୍ରୀଲଙ୍କା,ଆଫଗାନିସ୍ଥାନ ଓ ବାଂଲାଦେଶକୁ ଗୁରୁତ୍ୱ ଦେଉଥିବା ଜଣାପଡିଛି ।
କରୋନା ମହାମାରୀ ଆରମ୍ଭରୁ ଭାରତ ଯେମିତି ଭାବେ ଲଢେଇ ଜାରି ରଖିଛି ତାହାକୁ ଏବେ ବିଶ୍ୱ ସ୍ତରରୁ ପ୍ରଶଂସା କରାଯାଉଛି । ଏହାସହ ଦେଶୀ ଫାର୍ମରେ ଭାରତ ଯେଭଳି ଭାବେ ୨ ଟି କରୋନା ଟିକା ପ୍ରସ୍ତୁତ କରି ତାହାକୁ ବ୍ୟବହାର ଉପଯୋଗୀ କରାଇପାରିଲା ତାହାକୁ ନେଇ ଏବେ ବିଶ୍ୱ ଚକିତ ହୋଇଛି । କହିରଖୁ କି ମହାମାରୀ ଆରମ୍ଭରେ ଭାରତ ପିପିଇ କିଟ୍, ମାସ୍କ, ଭେଣ୍ଟିଲେଟର ଓ ଟେଷ୍ଟିଂ କିଟ୍ ପାଇଁ ଅନ୍ୟ ଦେଶ ମାନଙ୍କ ଉପରେ ନିର୍ଭର କରୁଥିଲା ।
ଏବେ ୧୦ ଟି ଦେଶ ଟିକା ସହାୟତା ମାଗିବା ନେଇ ଭାରତର ବର୍ହିବ୍ୟାପାର ମନ୍ତଣାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି କି ପୃଥିବୀର ଅନ୍ୟ ଦେଶକୁ ଟିକା ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ରହିଛି । ସୂଚନା ଥାଉକି ନେପାଳ ଭାରତ ଠାରୁ ୨୦ ଲକ୍ଷ ଟିକା ନେବାକୁ ଯୋଜନା କରିଛି । ସେହିପରି ଭୂଟାନ ୧୦ ଓ ବାଂଲାଦେଶ ୩ କୋଟି ଟିକା ନେବାକୁ ସେରମ୍ ଇନଷ୍ଟିଚ୍ୟୁଟ୍ ସହିତ ଚୁକ୍ତି କରିଛି    । ଏହାସହ ମ୍ୟାନମାର ମଧ୍ୟ ସେରମ ଇନଷ୍ଟିଚ୍ୟୁଟ୍ ସହିତ ଚୁକ୍ତି କରିଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ଭାରତୀୟ ସମ୍ବିଧାନର ରୂପରେଖ ବଦଳାଇବାକୁ ଚେଷ୍ଟା କରୁଛନ୍ତି ହିନ୍ଦୁ ସଂଗଠନ । ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେଙ୍କ ନାମରେ ଖୋଲିଲା ଷ୍ଟଡି ସେଣ୍ଟର । ହିନ୍ଦୁ ନେତା କହିଲେ ଏବେ ସାମ୍ନାକୁ ଆସିବ ଗୋଡସେଙ୍କ ଅସଲି ଦେଶପ୍ରେମ

କନକ ବ୍ୟୁରୋ : ଦେଶର ପିତା ତଥା ସ୍ୱାଧୀନତା ସଂଗ୍ରାମର ମୁଖ୍ୟ କର୍ଣ୍ଣଧାର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ନାମରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ମଧ୍ୟପ୍ରଦେଶର ଗ୍ୱାଲିଅର ଠାରେ ବିଶ୍ୱ ହିନ୍ଦି ଦିବସ ଅବସରରେ ଏକ ଷ୍ଟଡି ସେଣ୍ଟର ଖୋଲା ଯାଇଛି । ଏହି ଷ୍ଟଡି ସେଣ୍ଟରେ ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡସେର ଜୀବନ କାହାଣୀ ଓ ବିଚାରଧାରାକୁ ନେଇ ରଚନା କରାଯାଇଥିବା ଅନେକ ପୁସ୍ତକ ସ୍ଥାନ ପାଇଛି । ଏହି ଷ୍ଟଡି ସେଣ୍ଟରର ନାମ ଗୋଡସେ ଜ୍ଞାନଶାଳା ରଖା ଯାଇଛି ।

ଏହାକୁ ନେଇ ହିନ୍ଦୁ ମହାସଭାର ଉପାଧ୍ୟକ୍ଷ ଜୟବୀର ଭରଦ୍ୱାଜ କହିଛନ୍ତି କି ଗୋଡସେ ଜଣେ ଅସଲି ରାଷ୍ଟ୍ରବାଦୀ ବୋଲି ଲୋକମାନଙ୍କୁ ଜଣାଇବାକୁ ଏହି ଜ୍ଞାନ ଶାଳା ଖୋଲା ଯାଇଛି । ଗୋଡସେ ଅବିଭାଜିତ ଭାରତ ପାଇଁ ସଂଗ୍ରାମ କରିଥିଲେ ଯାହା ଫଳରେ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହି ପୁସ୍ତକାଳୟର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ଗୋଡସେ ଜଣେ ସଚ୍ଚା ରାଷ୍ଟ୍ରବାଦୀ ଥିଲେ ଏକଥା ଦେଶର ଲୋକଙ୍କୁ ଜଣାଇବାକୁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି କି ଏହି ଅଧ୍ୟୟନ କେନ୍ଦ୍ରଟି ଦେଶର ଯୁବପୀଢିଙ୍କୁ ଅବିଭାଜିତ ଭାରତର ଇତିହାସ ବାବଦରେ ସୂଚନା ଦେବ । ଏହା ସହ ନାଥୁରାମଙ୍କ ସହ ଜଡିତ ଅନ୍ୟ ରାଷ୍ଟ୍ରବାଦୀ ନେତାଙ୍କ ବାବଦରେ ରଚିତ ବିଭିନ୍ନ ପୁସ୍ତକ ବି ଏଠାରେ ସ୍ଥାନ ପାଇଛି ।

କହିରଖୁ କି ଦେଶ ସ୍ୱାଧୀନତା ପାଇବା ପରେ ମୁସଲିମ୍ ଲିଗର ମୁଖ୍ୟ ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଆଲୋଚନା ହୋଇ ଭାରତ ବିଭାଜିତ ହୋଇଥିଲା । ମୁସିଲିମ ମାନେ ପାକିସ୍ତାନ ନାମରେ ଏକ ଦେଶ ଗଠନ କରି ସେଠାରେ ବସତି ଆରମ୍ଭ କରିଥିବା ବେଳେ ଗାନ୍ଧୀଜୀ ଭାରତକୁ ସାର୍ବଭୌମତ ସର୍ବଧର୍ମ ସମ୍ପଣ୍ଡ ସମାଜବାଦ ରାଷ୍ଟ୍ର ଭାବେ ଘୋଷଣା କରିଥିଲେ । ଏହାକୁ ନେଇ ସେତେବେଳେ ହିନ୍ଦୁ ସଂଗଠନ ନାମରେ ପରିଚିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ନାଥୁରାମ ଗଡସେ ଗୁଳି କରି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ । ଏହା ପରେ ଆଇନ ତାଙ୍କୁ ଫାସି ଦଣ୍ଡରେ ଦଣ୍ଡିତ କରିଥିଲା । ସେବେଠାରୁ ଆଜି ଯାଏ ଦେଶ ନାଥୁରାମ ଗଡସେଙ୍କୁ ଜଣେ ଦେଶଦ୍ରୋହୀ ବୋଲି ବିବେଚନା କରି ଆସୁଛି । ହେଲେ ତଥା କଥିତ କିଛି ହିନ୍ଦୁ ସଂଗଠନ ଆଜି ବି ନାଥୁରାମଙ୍କୁ ଜଣେ ସଚ୍ଚା ଭକ୍ତ ଭାବେ ପରିଗଣିତ କରିବାକୁ ଚେଷ୍ଟା ଚଳାଇଛନ୍ତି ।

from Kanak News
via <a href="https://ifttt.com/?

ବୟସ ଆଠବର୍ଷ, କିନ୍ତୁ ମୁହଁରେ ଅଛି ବିଶ୍ୱର ଭୂଗୋଳ : ଚେନ୍ନାଇରେ ରହୁଥିବା ଭୁବନେଶ୍ୱରର ପ୍ରତ୍ୟୁଷ ମୁହଁରେ ଗାଇଯାଉଛନ୍ତି ଦେଶ, ରାଜଧାନୀ ଓ ମୁଦ୍ରାର ନାଁ

କନକ ବ୍ୟୁରୋ : ବୟସ ଆଠବର୍ଷ, କିନ୍ତୁ ମୁହଁରେ ଅଛି ବିଶ୍ୱର ଭୂଗୋଳ । ଚେନ୍ନାଇରେ ରହୁଥିବା ଭୁବନେଶ୍ୱରର ପ୍ରତ୍ୟୁଷ ରଥଙ୍କ ଗାଇଯାଉଛନ୍ତି ଦେଶ, ରାଜଧାନୀ ଓ ମୁଦ୍ରାର ନାଁ । ପ୍ରତ୍ୟୁଷ ଚେନ୍ନାଇର ଏକ ସିବିଏସଇ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢ଼ନ୍ତି । ଓଡ଼ିଶାରୁ ଆରମ୍ଭ କରି ବିଶ୍ୱର ଏମିତି କୌଣସି ଜାଗା ନାହିଁ ଯେଉଁଟା ସେ ଜାଣି ନାହାନ୍ତି । ଲେଖା ନଥିବା ମ୍ୟାପରେ ଯେ କୌଣସି ସ୍ଥାନକୁ ଦେଖାଇଲେ ବିନା ଦ୍ୱନ୍ଦରେ ସେ ସେହି ଦେଶର ନାଁ କହି ଦେଉଛନ୍ତି ।

ଆଉ ଏସବୁ ସେ ଲକଡ଼ାଉନ ସମୟରେ ଘରେ ରହି ଟିଭି ଦେଖି ଶିଖିଛନ୍ତି । ପ୍ରତ୍ୟୁଷଙ୍କର ଭୁବନେଶ୍ୱର ହୋଇଥିଲେ ମଧ୍ୟ ତାଙ୍କ ବାପା ଚେନ୍ନାଇର ଏକ ସଫ୍ଟୱେୟର କମ୍ପାନୀର ଇଂଜିନିୟର ହୋଇଥିବାରୁ ସପରିବାର ସେଠାରେ ରୁହନ୍ତି । ତାଲା ବନ୍ଦ ପୂର୍ବରୁ ଓଡ଼ିଶା ଆସିଥିଲେ ପ୍ରତ୍ୟୁଷ । ତାଲା ବନ୍ଦ ହୋଇଯିବାରୁ ଚେନ୍ନାଇ ଯାଇ ପାରିନଥିଲେ । ଘରେ ରହି ଟିଭି ଦେଖି ଏସବୁ ଶିଖିଥିବା କହିଛନ୍ତି ପ୍ରତ୍ୟୁଷଙ୍କ ବାପା, ମା । ଏତେ କମ୍ ବୟସରେ ଏତେ ଜ୍ଞାନର ଆହରଣ କରି ପାଲଟିଛନ୍ତି ବିସ୍ମୟ ବାଳକ ।

from Kanak News
via <a href="https://ifttt.com/?

ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ : ପ୍ରଥମ ପର୍ଯ୍ୟାୟରେ ୟୁଜି ଓ ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ

କନକ ବ୍ୟୁରୋ : ଖୋଲିଲା ଉଚ୍ଚ ଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜ । ୯ମାସ ପରେ ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ୟୁଜି ଓ ପିଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଅନୁଷ୍ଠିତ ହେବ । ସେମିଷ୍ଟର୍ ପରୀକ୍ଷା ବ୍ୟବସ୍ଥାରେ ୟୁଜିର ପଂଚମ ଓ ପିଜିର ୩ୟ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ କ୍ଲାସରୁମରେ ପାଠପଢ଼ା ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ ଓ ପ୍ରଫେସନାଲ କଲେଜ, ଡିପ୍ଲୋମା, ପୋଷ୍ଟ ଡ଼ିପ୍ଲୋମା ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିଛି ।

ପିଜି, ୟୁଜି ଡିପ୍ଲୋମା, ପୋଷ୍ଟ ଡିପ୍ଲୋମା ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବା ନେଇ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ଓୟୁଏଯି ସମେତ ଏହା ଅଧୀନ ୯ଟି ମହାବିଦ୍ୟାଳୟରେ ମଧ୍ୟ ଶ୍ରେଣୀଗୃହ ଶିକ୍ଷାଦନ ଆରମ୍ଭ ହେବ । ସେପଟେ କୋଭିଡ଼ କଟକଣାକୁ ମାନି ବାଲେଶ୍ୱର ଫକିର ମୋହନ ବିଶ୍ୱବିଦ୍ୟାଳୟ ଖୋଲିବ । ଛୁଟିଦିନ ମାନଙ୍କରେ ମଧ୍ୟ କଲେଜ ଆସିବେ ଛାତ୍ରଛାତ୍ରୀ । ଅଭିଭାବଙ୍କ ସ୍ୱାକ୍ଷରିତ କନ୍ସେନ ଲେଟର ଜମା କଲେ ଯାଇ ନିଜ ପରିଚୟ ପତ୍ର ଦେଖାଇ ବିଦ୍ୟାର୍ଥୀ କଲେଜ ଭିତରକୁ ପ୍ରବେଶ କରିବାକୁ ଅନୁମତି ପାଇବେ ।

 

from Kanak News
via <a href="https://ifttt.com/?

ଟଳିଗଲା ବଡ ବିପଦ : କନ୍ଧମାଳ ଦାରିଙ୍ଗବାଡିରେ ହୁତୁ ହୁତୁ ହୋଇ ଜଳିଗଲା ବସ; ଅଳ୍ପକେ ବର୍ତିଲେ ଯାତ୍ରୀ

କନକ ବ୍ୟୁରୋ : ବସରେ ଲାଗିଲା ନିଆଁ । ହୁତ୍ ହୁତ୍ ହୋଇ ଜଳିଗଲା ବସ୍ । ବଡ଼ ବିପଦରୁ ଅଳ୍ପକେ ବର୍ତିଗଲେ ଯାତ୍ରୀ । କନ୍ଧମାଳନ ଜିଲ୍ଲା ଦାରିଙ୍ଗବାଡ଼ି ଛକଠାରେ ଥିବା ବସରେ ନିଆଁ ଲାଗି ଯାଇଥିଲା । ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏ ରାମପୁର ଠାରୁ ଭଂଜନଗର ଅଭିମୁଖେ ଯିବା ବେଳେ ହଠାତ ବସରେ ସର୍ଟ ସକ୍ରିଟ ଯୋଗୁଁ ନିଆ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ବସ୍ ଥିବା ଯାତ୍ରୀ ଅଳ୍ପକେ ବଡ଼ ବିପଦରୁ ବତି ଯାଇଥିବା ବେଳେ ସେମାନଙ୍କର କୌଣସି ଅସୁବିଧା ହୋଇନଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ସେୟାର ମାର୍କେଟରେ ନୂଆ ଇତିହାସ : ସେନସେକ୍ସ ପ୍ରଥମ ଥର ପାଇଁ ଅତିକ୍ରମ କଲା ୪୯ ହଜାର ପଂଏଟ

କନକ ବ୍ୟୁରୋ : ସେୟାର ବଜାରରେ ନୂଆ ରେକର୍ଡ । ଆଜି ସପ୍ତାହର କାରବାରର ଆରମ୍ଭରେ ସେନସେକ୍ସ ନୂଆ ରେକର୍ଡ କରିଛି । ପ୍ରଥମଥର ଲାଗି ଏହା ୪୯ ହଜାର ପଂଏଟ ଅତିକ୍ରମ କରିଛି । ଆଜି କାରବାର ଆରମ୍ଭ ହେବା ମାତ୍ରେ ସେନସେକ୍ସ ୨୩୩ ଦଶମିକ ୮୯ ପଂଏଟ ବୃଦ୍ଧି ପାଇ ୪୯ ହଜାର ଅତିକ୍ରମ କରିଥିଲା । ସେହିଭଳି ନିଫଟି ବି ୧୪ ହଜାର ୫ ଶହ ପଂଏଟ ଅତିକ୍ରମ କରିଛି । ଅର୍ଥନୀତିରେ ସୁଧାର ଓ ବିଦେଶୀ ନିବେଶ ଯୋଗୁଁ ସେୟାର ମାର୍କେଟରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ରାଜଧାନୀରେ ଟିକା ନେବେ ୨୪ହଜାର : ଜଣେ ସ୍ବାସ୍ଥ୍ୟକର୍ମୀ ୧୦୦ଜଣଙ୍କୁ ଟିକା ଦେବେ

କନକ ବ୍ୟୁରୋ : ସାରା ଦେଶରେ ଆସନ୍ତା ୧୬ତାରିଖରୁ କୋଭିଡ-୧୯ ଟିକାକରଣ ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌ ଟିକା ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଭୁବନେଶ୍ବରରେ ଯେପରି ଟିକାକରଣ ବ୍ୟବସ୍ଥିତ ଢଙ୍ଗରେ ହେବ ସେଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ୪୩ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୨୪୦୦୦ ହସ୍ପିଟାଲ କର୍ମଚାରୀଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ଏଥିରେ ହସ୍ପିଟାଲର ଡାକ୍ତରଙ୍କଠାରୁ ଆରମ୍ଭ କରି ସୁରକ୍ଷାକର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ୍‌ ହେବେ।

  • ପ୍ରଥମ ପର୍ଯ୍ୟାୟରେ କେବଳ ହସ୍ପିଟାଲ କର୍ମଚାରୀ
  • ଜଣେ ସ୍ବାସ୍ଥ୍ୟକର୍ମୀ ୧୦୦ଜଣଙ୍କୁ ଟିକା ଦେବେ
  • ଦ୍ବିତୀୟ ପର୍ଯ୍ୟାୟରେ ବିଏମ୍‌ସି ଓ ପୁଲିସ କର୍ମଚାରୀ
  • ତୃତୀୟ ପର୍ଯ୍ୟାୟରେ ୬୦ବର୍ଷରୁ ଅଧିକ ସମ୍ବେଦନଶୀଳ ବ୍ୟକ୍ତି

ଭୁବନେଶ୍ବର ଏଡିୟୁ-ପିଏଚ୍‌ଓ ଡାକ୍ତର ସିବିସିଏନ୍ ରାଓଙ୍କ ସୂଚନା ଅନୁଯାୟୀ, ଜାନୁଆରି ୧୬ରେ ସାରା ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଥିବାବେଳେ ଭୁବନେଶ୍ବରରେ ୫ଟି ସ୍ଥାନରେ ଏହାର ଶୁଭାରମ୍ଭ ହେବ। ସେଗୁଡ଼ିକ ହେଲା କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଆଇଏମ୍‌ଏସ୍‌ ଏବଂ ସମ୍‌ ହସ୍ପିଟାଲ, କିମ୍‌ସ ହସ୍ପିଟାଲ ଓ ବିଏମ୍‌ସି ହସ୍ପିଟାଲ ପ୍ରମୁଖ। ଶୁଭାରମ୍ଭ ଦିନ ଏହି ୫ଟି କେନ୍ଦ୍ରରେ ଟିକାକରଣ ହେବ। କେବଳ ହସ୍ପିଟାଲର କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ଏଥିରେ ହସ୍ପିଟାଲର ଡାକ୍ତରଙ୍କଠାରୁ ଆରମ୍ଭ କରି ସିକ୍ୟୁରିଟି ଗାର୍ଡ ପର୍ଯ୍ୟନ୍ତ ସବୁ କର୍ମଚାରୀଙ୍କୁ ଟିକା ଦେବାକୁ ଯୋଜନା କରାଯାଇଛି। ଗୋଟେ ବ୍ୟାଚ୍‌ରେ ୧୦୦ଜଣଙ୍କୁ ଟିକା ଦିଆଯିବ। ଯେଉଁ କର୍ମଚାରୀ ଟିକାଦେବେ ସେ ୧୦୦ ଜଣଙ୍କୁ ଟିକା ଦେବେ ବୋଲି ଏବେ ନିଷ୍ପତ୍ତି ହୋଇଛି।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ତିନିଟି ପ୍ରମୁଖ ମେଡିକାଲ କଲେଜ୍‌, ସବୁ ବଡ଼ ଘରୋଇ ହସ୍ପିଟାଲ, ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଦିକୁ ମିଶାଇ ମୋଟ୍‌ ୪୩ଟି କେନ୍ଦ୍ରରେ ଟିକାକରଣ ହେବ। ଏଥିରେ କ୍ୟାପିଟାଲ ହସ୍ପିଟାଲକୁ ମିଶାଇ ୨୭ଟି ସରକାରୀ ଟିକାକରଣ କେନ୍ଦ୍ର, ୧୬ଟି ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ। ଯେଉଁ ହସ୍ପିଟାଲରେ ୧୦୦ରୁ ଅଧିକ କର୍ମଚାରୀ ଅଛନ୍ତି ସେଠାରେ ଗୋଟିଏ ଟିକାକରଣ କେନ୍ଦ୍ର କରାଯାଇଛି। କେଉଁମାନେ ଟିକା ନେବେ ତାହା କୋୱିନ୍-୧୯ ୱେବସାଇଟ୍‌ରେ ଅପଲୋଡ୍‌ ହୋଇଛି। ଏହି ୱେବସାଇଟ୍‌ରେ କିଏ ଟିକା ନେଇପାରିବେ, କାହାକୁ ଟିକା ଦିଆଗଲା ତା’ର ସବିଶେଷ ତଥ୍ୟ ରହିବ। ଏବେ ସୁଦ୍ଧା ମୋଟ୍‌ ପ୍ରାୟ ୨୪ହଜାର ହସ୍ପିଟାଲ କର୍ମଚାରୀଙ୍କର ତାଲିକା ହୋଇଥିଲେ ହେଁ କାହାକୁ ଟିକା ନେବାକୁ ବାଧ୍ୟ କରାଯିବନି। ଯିଏ ସ୍ବେଚ୍ଛାକୃତ ଭାବେ ଚାହିଁବେ ସେ ଟିକା ନେଇପାରିବେ।

ଡାକ୍ତର ରାଓଙ୍କ କହିବାନୁଯାୟୀ, ବିଏମ୍‌ସି କମିସନରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ହସ୍ପିଟାଲ କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ଦ୍ବିତୀୟ ପର୍ଯ୍ୟାୟରେ ବିଏମ୍‌ସିର କର୍ମଚାରୀ, ସଫେଇ ସଂସ୍ଥାର ପରିମଳ କର୍ମଚାରୀ, ପୁଲିସ କର୍ମଚାରୀଙ୍କୁ ଟିକା ଦିଆଯିବ। ତୃତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ସମ୍ବେଦନଶୀଳ ଲୋକଙ୍କୁ ଟିକା ଦିଆଯିବ। ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ କେତେ ଜଣ ଟିକା ନେବେ ଏବେ ତା’ର ତାଲିକା ପ୍ରସ୍ତୁତ ହେଉଛି। ଖୁବ୍‌ ଶୀଘ୍ର ଏହାକୁ କୋୱିନ୍‌-୧୯ ୱେବସାଇଟ୍‌ରେ ଅପଲୋଡ୍ କରାଯିବ।

ଅପରପକ୍ଷେ କେଉଁ ଟିକା ଦିଆଯିବ ଏବେ ସୁଦ୍ଧା ତାହା ଚୂଡ଼ାନ୍ତ ହୋଇନି। ରାଜ୍ୟ ଟିକାକରଣ ‌େକନ୍ଦ୍ରକୁ ଟିକା ଆସିବା ପରେ ଏହାକୁ ବିଭିନ୍ନ ଜିଲ୍ଲା ଟିକାକରଣ କେନ୍ଦ୍ରକୁ ପଠାଯିବ। ଭୁବନେଶ୍ବରରେ ଏହା କ୍ୟାପିଟାଲ ହସ୍ପିଟାଲକୁ ଆସିବ। ଏଠାରେ ୨ରୁ ୮ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରାରେ ସଂରକ୍ଷିତ ରଖାଯିବ। ଯେପରି ପୋଲିଓ ଓ ଡିପିଟି ଟିକା ରହୁଛି ସେହିପରି କରୋନା ଟିକା ରହିବ। ନୂତନ କିଛି ବ୍ୟବସ୍ଥା ନାହିଁ। କ୍ୟାପିଟାଲ ହସ୍ପିଟାଲରୁ ବାକି ୪୨ଟି ଟିକାକରଣ କେନ୍ଦ୍ରକୁ ଟିକା ପଠାଯିବ।

from Kanak News
via <a href="https://ifttt.com/?

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଜି : ଟ୍ରମ୍ପଙ୍କୁ ‘ଅଯୋଗ୍ୟ’ ଘୋଷଣା କରିପାରନ୍ତି ପେନ୍ସ

କନକ ବ୍ୟୁରୋ : ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଆମେରିକା ସଂସଦ ଭବନରେ ଭିଆଇଥିବା ଦଙ୍ଗା ପରିପ୍ରେକ୍ଷୀରେ ଆଜି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ଡେମୋକ୍ରାଟ୍‌ ଦଳ ପକ୍ଷରୁ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଡେମୋକ୍ରାଟ୍‌ ସାଂସଦ ଟେଡ୍‌ ଲିଉ ଜଣାଇଛନ୍ତି । ସୂଚନାଯୋଗ୍ୟ, ୨୦୧୯ ମସିହାରେ ମଧ୍ୟ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା, ମାତ୍ର ତାହା ଆମେରିକାର ସିନେଟ୍‌ରେ କାଟ ଖାଇଯାଇଥିଲା ।

ତେବେ ଏଥର ଟ୍ରମ୍ପଙ୍କ ବିରୋଧରେ ଏହି ମହାଭିଯୋଗ ପ୍ରସ୍ତାବ ଆଣିବା ଲାଗି ୧୮୦ ଜଣ ସଦସ୍ୟ ପ୍ରସ୍ତୁତ ରହିଥିବା ଲିଉ ଟ୍ବିଟ୍‌ କରି ଜଣାଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍‌ ଯଦି ସେଦିନ ସ୍ବତଃପ୍ରବୃତ୍ତ ଭାବେ ଇସ୍ତଫା ନ ଦିଅନ୍ତି ତେବେ ଏହି ମହାଭିଯୋଗ ପ୍ରସ୍ତାବ ଆସିବ ବୋଲି ଜଣାଯାଇଛି। ବାଚସ୍ପତି ନାନ୍‌ସି ପେଲୋସି ମଧ୍ୟ ଟ୍ରମ୍ପ୍‌ଙ୍କୁ ତତ୍କାଳ ହଟାଇବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଆଗାମୀ ୨୦ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପ୍‌ଙ୍କୁ କ୍ଷମତାରୁ ହଟାଇବା ପାଇଁ ସଂଖ୍ୟାଧିକ ଆମେରିକୀୟ ଚାହୁଥିବାରୁ ଆମେ ସେମାନଙ୍କୁ ସମ୍ମାନ ଦେଇ ପଦକ୍ଷେପ ଗ୍ରହଣ କରିବୁ ବୋଲି ପେଲୋସି କହିଛନ୍ତି।

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆସନ୍ତା ୨୦ ତାରିଖ ଶପଥ ଗ୍ରହଣ ଉତ୍ସବରେ ବର୍ତ୍ତମାନର ଉପରାଷ୍ଟ୍ରପତି ମାଇକ ପେନ୍ସ ଯୋଗଦେବେ ବୋଲି ଏକାଧିକ ରିପୋର୍ଟରୁ ଜଣାଯାଇଛି । ଟ୍ରମ୍ପ ଓ ପେନ୍ସଙ୍କ ମଧ୍ୟରେ ସଂପର୍କ ଗତ ବୁଧବାରର କ୍ୟାପିଟଲ ବିଲଡିଂ ହିଂସା ପରଠାରୁ ଖରାପ ହୋଇଛି । ଗତ ନଭେମ୍ବରରେ ଅନୁଷ୍ଠିତ ନିର୍ବାଚନରେ ବାଇଡେନ୍‌ ବିଜୟୀ ହୋଇଥିବା ବିଷୟ ଗତ ବୁଧବାର ଟ୍ରମ୍ପଙ୍କ ଅତ୍ୟନ୍ତ ଅନୁଗତ ଭାବେ ଜଣାଶୁଣା ପେନ୍ସ ଔପଚାରିକ ଭାବେ ଘୋଷଣା କରିଥିଲେ। ଏହାପରେ ଟ୍ରମ୍ପ ଓ ପେନ୍ସଙ୍କ ସଂପର୍କରେ ଭଟ୍ଟା ଆସିଛି ।

ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି ସତର୍କ କରାଇ ଦେଇଛନ୍ତି ଯେ ଯଦି ଟ୍ରମ୍ପ ଇସ୍ତଫା ନଦିଅନ୍ତି କିମ୍ବା ଉପରାଷ୍ଟ୍ରପତି ମାଇକ ପେନ୍ସ ଆମେରିକା ସମ୍ବିଧାନର ୨୫ତମ ସଂଶୋଧନ କ୍ଷମତାକୁ ଉପଯୋଗ କରି କ୍ୟାବିନେଟ କିମ୍ବା କଂଗ୍ରେସ କମିଟି ଦ୍ବାରା ତାଙ୍କୁ ରାଷ୍ଟ୍ରପତି ପଦରୁ ନ ହଟାନ୍ତି ତା’ହେଲେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବ। ପେନ୍ସ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ତାଙ୍କର ଏହି ସ୍ବତନ୍ତ୍ର କ୍ଷମତା ଉପଯୋଗ କରିବା ବିଷୟକୁ ଏଡ଼ାଇ ଦିଆଯାଇ ନପାରେ। ମାଇକ ପେନ୍ସ ତାଙ୍କର ଏହି କ୍ଷମତା ବଳରେ କ୍ୟାବିନେଟ୍‌ର ସଂଖ୍ୟା ଗରିଷ୍ଠ ମତରେ କିମ୍ବା କଂଗ୍ରେସ ଦ୍ବାରା ଗଠିତ ଏକ କମିଟି ମାଧ୍ୟମରେ ଟ୍ରମ୍ପଙ୍କୁ ଶାସନ କରିବା ପାଇଁ ଅଯୋଗ୍ୟ ଘୋଷଣା କରିପାରନ୍ତି।

from Kanak News
via <a href="https://ifttt.com/?

ବ୍ରଜରାଜନଗରରେ ଅଧରାତିରେ ବଡଧରଣର ଅଗ୍ନିକାଣ୍ଡ : ଶୋଇଥିବାବେଳେ ନିଆଁଲାଗି ଗୋଟିଏ ପରିବାରର ୪ ଗୁରୁତର; କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ । ଶୋଇଥିବା ବେଳେ ହରିଓଁ ବିହାରର ଏକ ଘରେ ନିଆଁଁ ଲାଗିଛି । ଘଟଣାରେ ପରିବାରର ୪ଜଣ ସଦସ୍ୟ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଭର୍ତି କରାଯାଇଛି । କେଉଁ କାରଣରୁ ଘରେ ନିଆଁ ଲାଗି ଥିଲା କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ପରିବାରରେ ଜଣଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା । ଶ୍ରାଦ୍ଧ ସରିବା ପରେ ପରିବାର ସମସ୍ତ ସଦସ୍ୟ ଶୋଇବାକୁ ଯାଇଥିଲେ । ଏହି ସମୟରେ ନିଆଁ ଲାଗି ଯିବାରୁ ଏଥିରେ ମା, ଝିଅ, ପୁଅ ଓ ନାତୁଣୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ଏଥିରେ ଜଣଙ୍କ ଶରୀରରୁ ୪୦ ପ୍ରତିଶତ ପୋଡ଼ି ହୋଇଥିବା ବେଳେ ଅନ୍ୟ ୩ଜଣଙ୍କ ଶରୀର ୨୦ରୁ ୩୦ ପ୍ରତିଶତ ନିଆଁ ଲାଗିଯାଇଥିବା ପୋଲିସ କହିଛି ।

from Kanak News
via <a href="https://ifttt.com/?

ଓଡ଼ିଶା କାର୍‌ ବଜାରକୁ ଆଗକୁ ବଢ଼ାଉଛି ଏସ୍‌ୟୁଭି : ଡକ୍ଟର ଅବିନାଶ ସାମଲଙ୍କ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

କୋଭିଡ୍‌ ମହାମାରୀ ପରବର୍ତୀ ସମୟରେ ରାଜ୍ୟ ଗାଡ଼ି ବଜାରରେ ଦେଖାଦେଇଥିବା ସୁଧାର, ଗ୍ରାହକଙ୍କ ଭାବନା ଓ ପସନ୍ଦ ଆଦି ବିଷୟରେ ଏମ୍ପ୍ରେଓ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ଡକ୍ଟର ଅବିନାଶ ସାମଲ ଯାହା ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି ।

ମହାମାରୀ ପରେ ସୋ’ରୁମ୍‌କୁ ଆସୁଥିବା ଗ୍ରାହକଙ୍କ ମନରେ କ’ଣ ଭାବନା ରହୁଛି?
ଆମେ ଜାଣିଛୁ ‌ଯେ ଗ୍ରାହକମାନେ ସାମାଜିକ ଦୂରତ୍ବକୁ ନେଇ ଚିନ୍ତିତ ରହୁଛନ୍ତି। କରମର୍ଦ୍ଦନ ଅଭିନନ୍ଦନ ଶୈଳୀ ଏବେ ଅଲୋଡ଼ା। ତେବେ ଗ୍ରାହକମାନଙ୍କ ମନରେ ରହୁଥିବା ନକାରାତ୍ମକ ଭାବନା ଅନେକାଂଶରେ ଦୂର ହୋଇଛି। ନିଜ ପସନ୍ଦର ବିଳାସପୂର୍ଣ୍ଣ ଗାଡ଼ି କିଣିବା ଲାଗି ସେମାନେ ସକାରାତ୍ମକ ଭାବନା ନେଇ ଆସୁଛନ୍ତି।

ଉତ୍ସବ ସମୟରେ ବିକ୍ରି କିଭଳି ଥିଲା?
ଗତବର୍ଷ ତୁଳନାରେ ବହୁତ ଭଲ କାରବାର ହୋଇଛି। ଗ୍ରାହକଙ୍କ ବୁକିଙ୍ଗ୍‌ ଓ ଅନୁସନ୍ଧାନ ବିଚାରକୁ ନେଲେ ଏହି ଧାରା ଚତୁର୍ଥ ତ୍ରୟମାସ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଅଛି। ନଭେମ୍ବର-ଜାନୁଆରି ସମୟରେ ବିବାହ ଋତୁ ଏବଂ ସୁଧ ହାର କମ୍ ହେବାର ସମ୍ଭାବନା ଥିବାରୁ କଂପାନିଗୁଡ଼ିକ ପାଇଁ ସ୍ଥିତି ଭଲ ରହିବ।

କାର୍‌ ଦାମ୍‌ରେ ହେଉଥିବା ବୃଦ୍ଧି ଚାହିଦାକୁ ପ୍ରଭାବିକ କରିବ କି?
ପ୍ରତିବର୍ଷ ଜାନୁଆରିରେ ଗାଡ଼ି ଦାମ୍ ବଢ଼ିବା ଏକ ଧାରାରେ ପରିଣତ ହୋଇଗଲାଣି। ଗ୍ରାହକଙ୍କ ଉପରେ ଏହାର ସେଭଳି କିଛି ବଡ଼ ଧରଣର ପ୍ରଭାବ ଆମେ ଦେଖୁନାହୁଁ।

ଓଡ଼ିଶାରେ କେଉଁ ଧରଣର ଗାଡ଼ି ଅଧିକ ଲୋକପ୍ରିୟ?
ଓଡ଼ିଶା ବାସ୍ତବରେ ଏସ୍‌ୟୁଭି ଦ୍ବାରା ଆଗକୁ ବଢ଼ୁଥିବା ଏକ ବଜାର। ନିଜ ଗାଡ଼ିରେ ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବୁଲିବା ଲାଗି ଲୋକମାନେ ଭଲ ପାଉଛନ୍ତି।

ଗ୍ରାହକମାନେ ଏକ ଗାଡ଼ିରେ କ’ଣ ଚାହୁଛନ୍ତି? ଷ୍ଟାଇଲ୍‌, ସୁବିଧା ସ‌ୁଯୋଗ ନା ସୁଲଭ ମୂଲ୍ୟ?
ନୂଆ କାର୍‌ କିଣିବା ବେଳେ ଭାରତୀୟ ଗ୍ରାହକମାନେ ମାଇଲେଜ୍‌କୁ ଅଧିକ ଗୁରୁତ୍ବ ଦିଅନ୍ତି। ଏବେ ଲୋକମାନେ ସୁଲଭ ମୂଲ୍ୟ ସହିତ ସୁବିଧା ସୁଯୋଗ ମଧ୍ୟ ଖୋଜୁଛନ୍ତି, ବିଶେଷ କରି ସେହି ସବୁ ସୁବିଧା ଯାହା ସହ ସ୍ମାର୍ଟଫୋନ୍‌କୁ ଯୋଡ଼ିହେବ।

କେଉଁ ଧରଣର ଇଞ୍ଜିନକୁ ଗ୍ରାହକମାନେ ପସନ୍ଦ କରୁଛନ୍ତି?
ଗ୍ରାହକମାନେ ୨ ଲିଟର ବିଶିଷ୍ଟ ଇଞ୍ଜିନକୁ ଅଧିକ ପସନ୍ଦ କରୁଛନ୍ତି। କାରଣ ଏହା ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ଅଧିକ ଶକ୍ତି ପ୍ରଦାନ କରିଥାଏ।

ଅନ୍ୟ ଗାଡ଼ି ତୁଳନାରେ କାର୍‌ ଓ ଟ୍ରାକ୍ଟର ବିକ୍ରି କାହିଁକି ବଢ଼ୁଛି?
ଲକ୍‌ଡାଉନ୍ ସମୟରେ ଅଟକି ରହିଥିବା ବରାଦଗୁଡ଼ିକୁ ପୁଣି ଥରେ କାର୍ଯ୍ୟକାରୀ କରି ଅନେକ ଶିଳ୍ପସଂସ୍ଥା ଏବଂ କର୍ପୋରେଟ୍ ସେମାନଙ୍କ କ୍ଷତି ଭରଣା କରିପାରିଛନ୍ତି। ସବୁ କ୍ଷେତ୍ରରେ ଦେଖାଦେଇଥିବା ସୁଧାର କାର୍‌ ବିକ୍ରି ବଢ଼ାଇବ‌ାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି।

ସମ୍ବାଦର ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଅଭିନବ ଚିନ୍ତାଧାରା ଏବଂ ସମ୍ପୂର୍ଣ୍ଣ ଅଲଗା ପ୍ରକାରର ଭାବନା ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ପରିଚୟ ଦେଇଥାଏ। ସର୍ବାଧିକ ପ୍ରସାରିତ ଓଡ଼ିଆ‌ ସମ୍ବାଦପତ୍ର ସମ୍ବାଦର ଏହି ଅଭିନବ ଚିନ୍ତାଧାରାରେ ସେହି ଭିନ୍ନତା ଦେଖିବାକୁ ମିଳୁଛି। କୋଭିଡ୍-୧୯ ମହାମାରୀ ସମୟରେ ଏହି ଅଭିଯାନ ସଫଳ ବ୍ୟବସାୟୀଙ୍କୁ ଏକଜୁଟ କରି ଓଡ଼ିଶାକୁ ଦୁନିଆର ଅନ୍ୟ ପ୍ରାନ୍ତ ସହ ଯୋଡ଼ୁଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started