କୋଏଲ ନଦୀରେ ପୁଣି ଅଘଟଣ : ବିଶ୍ରା ଥାନା ତେତରକେଲା ଘାଟରେ ବୁଡି ଜଣେ ମୃତ , ଜଣେ ଗୁରୁତର

କନକ ବ୍ୟୁରୋ : ପୁଣି କୋଏଲ ନଦୀରେ ଅଘଟଣ। ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ କୋଏଲ ନଦୀର ତେତରକେଲା ଘାଟରେ ବୁଡ଼ି ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତେତରକେଲା ଘାଟରେ ପିକନିକ କରିବାକୁ ଯାଇଥିବା ବେଳେ ଏହି ଦୁଇଜଣ ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି।

ରାଉରକେଲା ଟିମ୍ବର କଲୋନୀର ୯ ଜଣ ସାଂଗ ପିକନିକ କରିବାକୁ ଯାଇଥିବା ବେଳେ ରବିବାର ଅପରାହ୍ନ ୨ଟାରେ ଖିଆପିଆ ସାରି ପାଣିରେ ପଶିଥିଲେ । ସେମାନଙ୍କ ମଧ୍ୟରେ ଜଣେ ୧୭ ବର୍ଷର ନାବାଳକ ଓ ଜଣେ ୨୭ ବର୍ଷର ଯୁବକ ନିଖୋଜ ହୋଇଯାଇଥିଲେ । ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନାବାଳକର ମୃତଦେହ ଜବତ କରିଥିବା ବେଳେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୦ରେ କୋଏଲ ନଦୀର ଜାମସେରା ଘାଟରେ ପିକନିକ କରିବାକୁ ଯାଇ ୩ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରକୁ ୩ ହଳ ସୁବର୍ଣ୍ଣ ସୂର୍ଯ୍ୟଚନ୍ଦ୍ର ଦାନ : ପ୍ରାୟ ୩୧୯ ଗ୍ରାମ ସୁନା ଏବଂ ୮୨୨ ଗ୍ରାମ ରୁପା ହୋଇଛି ବ୍ୟବହାର

କନକ ବ୍ୟୁରୋ : କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ଜଗାର ଦୁଆର ଭକ୍ତଙ୍କ ପାଇଁ ଅପହଂଚ ହୋଇପଡ଼ିଥିଲା । ହେଲେ ଏବେ ଜଗାର ଦର୍ଶନ ପାଇଁ ସୁଯୋଗ ପରେ ଭକ୍ତଙ୍କ ମନରେ ଅପୂରବ ଆନନ୍ଦ । ମହାପ୍ରଭୁଙ୍କୁ ଟିକେ ଆଖିପୁରେଇ ଦେଖିବାକୁ କାହିଁ କେତେ ଦୂରରୁ ଭକ୍ତ ଛୁଟିଆସୁଛି ଶ୍ରୀମନ୍ଦିର । ଖାଲି ଏତିକି ନୁହେଁ ମହାପ୍ରଭୁଙ୍କୁ ଭେଟିଦେବାକୁ ଭକ୍ତ କିଏ କେତେ କ’ଣ ଧରି ଆସୁଛି । ରବିବାର ଶ୍ରୀମନ୍ଦିରକୁ ଜଣେ ବ୍ୟକ୍ତି ୩ ସେଟ୍ ସୁବର୍ଣ୍ଣ ସୂର୍ଯ୍ୟଚନ୍ଦ୍ର ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଭୁବନେଶ୍ୱରର ପଦ୍ମଚରଣ ପାତ୍ର ନିଜ ପରିବାର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଦାନ କରିଛନ୍ତି । ୩ ହଳ ସୂର୍ଯ୍ୟ-ଚନ୍ଦ୍ରରେ ପ୍ରାୟ ୩୧୯ ଗ୍ରାମ ସୁନା ଏବଂ ୮୨୨ ଗ୍ରାମ ରୁପା ବ୍ୟବହାର ହୋଇଛି । ପରବର୍ତୀ ସମୟରେ ତିନି ଠାକୁରଙ୍କୁ ଏହି ନୂତନ ସୂର୍ଯ୍ୟ-ଚନ୍ଦ୍ର ଲାଗି ହେବ ।

ପୂର୍ବରୁ ଭୁବନେଶ୍ବରର ଭକ୍ତ ଶିବପ୍ରସାଦ ପଣ୍ଡା ମହାପ୍ରଭୁଙ୍କ ପାଇଁ ୨୧ କେଜି ରୁପା ଦାନ କରି ଚର୍ଚ୍ଚାରେ ରହିଥିଲେ। ଶ୍ରୀ ପଣ୍ଡା ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ଅଧିଷ୍ଠିତ ଭୂଦେବୀ, ଶ୍ରୀଦେବୀ ଏବଂ ଦକ୍ଷିଣି ଘରେ ବିଜେ ମଦନମୋହନଙ୍କ ନୂତନ ପ୍ରଭା ନିର୍ମାଣ ପାଇଁ ଏହି ରୁପା ଦାନ କରିଥିଲେ । ସୂଚନାଯୋଗ୍ୟ, ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବେଳେ ଲାଗି ବେଶରୁ ଚନ୍ଦ୍ର-ସୂର୍ଯ୍ୟ ଚୋରି ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଶ୍ରୀମନ୍ଦିର ପ୍ରଶାସନ ‌ଆଗୋଚରରେ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଏହାକୁ ବେଶରୁ କାଢ଼ି ନେଇଥିଲେ। ଏଥିପାଇଁ ସ୍ବତନ୍ତ୍ର ତଦନ୍ତ ବି ହୋଇଥିଲା। ଭିଡିଓ ରେକର୍ଡିଂ ଜରିଆରେ ବେଶର ଦାତା, ବେଶ କାରିଗରଙ୍କ ସହ ଅନ୍ୟମାନଙ୍କ ବୟାନ ରେକର୍ଡ଼ କରାଯାଇଥିଲା। ପରେ ଏହା ତାଲିକା ବାହାରେ ତିଆରି କରାଯାଇଥିବା ନୀତି ପ୍ରଶାସକ ସ୍ପଷ୍ଟ କରିଥିଲେ।

from Kanak News
via <a href="https://ifttt.com/?

ଭାରତୀୟ ଖେଳାଳିଙ୍କୁ ଦର୍ଶକଙ୍କ ଜାତିଆଣ ଆକ୍ଷେପ ପ୍ରସଙ୍ଗ : କଠୋର ଓ ଜରୁରୀ କାର୍ଯ୍ୟାନୁଷ୍ଠାନ ଦାବି କଲେ କୋହଲି; ସଚିନ କହିଲେ ଖେଳ ଏକାଠି ହେବା ଶିଖାଏ, ବିଭେଦ ନୁହେଁ

କନକ ବ୍ୟୁରୋ : ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଆଣ ଅକ୍ଷେପ ଘଟଣାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରାଟ କୋହଲି । ଜାତିଆଣ ଆକ୍ଷେପକୁ କୌଣସି ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ଏଭଳି ଘଟଣା ପଡ଼ିଆରେ ଦେଖିବା ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜରୁରୀ କାଳୀନ ଭିତିରେ ତଦନ୍ତ ହେବା ଦରକାର । ଏହାସହ ଜାତିଆଣ ଆକ୍ଷେକାରୀଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି କରିଛନ୍ତି କୋହଲି । କୋହଲି ଏବେ ସିଡନୀ ଟେଷ୍ଟରେ ଖେଳୁନାହାନ୍ତି । ତାଙ୍କ ବଦଳରେ ଅଜିଙ୍କ୍ୟ ରାହାଣେ ଅଧିନାୟକ ପଦ ସମ୍ଭାଳୁଛନ୍ତି ।


ସେପଟେ କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର ମଧ୍ୟ ଜାତିଆଣ ଆକ୍ଷେପ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସଚିନ ଲେଖିଛନ୍ତି ଯେ, କ୍ରୀଡ଼ା ଏକାଠି ହେବା ଶିଖାଇଥାଏ, ବିଭେଦ ନୁହେଁ । କ୍ରିକେଟ କେବେ ହେଲେ ବିଭେଦ ସୃଷ୍ଟି କରେ ନାହିଁ । ବଲ୍ ଓ ବ୍ୟାଟ ଏହାକୁ ଧରିଥିବା ଖେଳାଳିଙ୍କ ଜାତି, ବର୍ଣ୍ଣ, ଧର୍ମ କିମ୍ବା ଜାତୀୟତାକୁ ଦେଖେ ନାହିଁ, ବରଂ ସମ୍ପୃକ୍ତ ଖେଳାଳିଙ୍କ ଦକ୍ଷତାକୁ ପରଖିଥାଏ । ଆଉ ଯେଉଁମାନେ ଏହା ବୁଝିବାକୁ ଅସମର୍ଥ ସେମାନଙ୍କ ପାଇଁ ଖେଳପଡ଼ିଆରେ କୌଣସି ସ୍ଥାନ ନାହିଁ ବୋଲି ସଚିନ କହିଛନ୍ତି ।

ଅନ୍ୟପକ୍ଷରେ ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଆଣ ଆକ୍ଷେପ ପ୍ରସଙ୍ଗରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଠାରୁ ରିପୋର୍ଟ ମାଗିଥିଲା ଆଇସିସି । ଏହାକୁ ନେଇ ଅଷ୍ଟ୍ରେଲିଆ ବୋର୍ଡ ତଦନ୍ତ କରୁଛି ଓ ଏହି ରିପୋର୍ଟ ଆଇସିସି ମ୍ୟାଚ୍ ରେଫେରିଙ୍କୁ ଦିଆଯିବ । ତେବେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ଏକ ଆନୁଷ୍ଠାନିକ ବୟାନ ଜାରି କରାଯାଇଛି । ଏଥିରେ ଜାତିଆଣ ଆକ୍ଷେପ ଆଣିଥିବା କିଛି ଦର୍ଶକଙ୍କୁ ପଡ଼ିଆରୁ ବାହାର କରାଯାଇଥିବା କୁହାଯାଇଛି । ଜାତିଆଣ ଆକ୍ଷେପ ପ୍ରସଙ୍ଗ ନେଇ ଭାରତୀୟ ଖେଳାଳିଙ୍କୁ ଭୁଲ ମାଗିଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ।

ଏହାସହ ତୁରନ୍ତ ପ୍ରସଙ୍ଗକୁ ସାମନାକୁ ଆଣିଥିବାରୁ ଭାରତୀୟ ଖେଳାଳିଙ୍କୁ ଧନ୍ୟବାଦ ଦେଇଛି ଅଷ୍ଟ୍ରେଲିଆ ବୋର୍ଡ । ସିଡନୀ ଟେଷ୍ଟର ତୃତୀୟ ଦିନ ଅର୍ଥାତ ଶନିବାର ଖେଳ ସମୟରେ ଭାରତୀୟ ଖେଳାଳିଙ୍କୁ ଷ୍ଟାଡିୟମରେ ଥିବା ଦର୍ଶକ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା । ମହମ୍ମଦ ସିରାଜ ଫିଲ୍ଡିଂ କରୁଥିବା ସମୟରେ ଏହାର ଶିକାର ହୋଇଥିଲେ । ଷ୍ଟାଡିୟମରେ ଥିବା ଅଷ୍ଟ୍ରେଲିଆ ଦର୍ଶକ ତାଙ୍କୁ କଳା ଗଧ ଓ ଭାଲୁ ବୋଲି ଆକ୍ଷେପ କରିଥିଲେ । ଏହି ଘଟଣାକୁ ତୁରନ୍ତ କ୍ୟାପଟେନ୍ ରାହାଣେଙ୍କ ନଜରକୁ ଆଣିଥିଲେ ସିରାଜ । ଏହା ପରେ ପରେ ଫିଲ୍ଡ ଅମ୍ପାୟାରଙ୍କୁ ରାହାଣେ ଏନେଇ ଜଣାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶୃଂଖଳିତ ଦର୍ଶକଙ୍କୁ ସୁରକ୍ଷାକର୍ମୀଙ୍କ ଜରିଆରେ ଗ୍ୟାଲେରୀରୁ ଚିହ୍ନଟ କରି ବାହାର କରି ଦିଆଯାଇଥିଲା । ଏସବୁ ସତ୍ୱେ ଟେଷ୍ଟର ଚତୁର୍ଥ ଦିନ ଅର୍ଥାତ ରବିବାର ମଧ୍ୟ ଭାରତୀୟ ଖେଳାଳିଙ୍କ ପ୍ରତି କିଛି ଅଷ୍ଟ୍ରେଲିଆ ଦର୍ଶକ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି ।

from Kanak News
via <a href="https://ifttt.com/?

ଇଣ୍ଡୋନେସିଆରେ ଦୁର୍ଘଟଣାଗ୍ରସ୍ଥ ବିମାନର ମିଳିଲା ବ୍ଲାକବକ୍ସ : ପୂର୍ବରୁ ଭଗ୍ନାବଶେଷ ସହ ଉଦ୍ଧାର ହୋଇଥିଲା କିଛି ମୃତଦେହ

କନକ ବ୍ୟୁରୋ : ଇଣ୍ଡୋନେସିଆରେ ଦୁର୍ଘଟଣାଗ୍ରସ୍ଥ ହୋଇ ସମୁଦ୍ର ମଧ୍ୟକୁ ଖସିପଡ଼ିଥିବା ବିମାନର ବ୍ଲାକ ବକ୍ସ ମିଳିଛି । ବିମାନର ବ୍ଲାକ ବକ୍ସ ଠାବ କରିଥିବା ଇଣ୍ଡୋନେସିଆ ନୌସେନା କହିଛି । ବ୍ଲାକ ବକ୍ସ ମିଳିବା ଫଳରେ ବିମାନଟି କାହିଁକି ଦୁର୍ଘଟଣଗ୍ରସ୍ତ ହୋଇଥିଲା, ତାର କାରଣ ଜଣାପଡ଼ିବ । ଏହାପୂର୍ବରୁ ସନ୍ଧାନକାରୀ ଦଳ ସମୁଦ୍ର ମଧ୍ୟରୁ ବିମାନର ଭଗ୍ନାବଶେଷ ଉଦ୍ଧାର କରିଥିଲା । ଏହାସହିତ କିଛି ଶବ ମଧ୍ୟ ଉଦ୍ଧାର କରାଯାଇଛି । ବିମାନରେ ଥିବା ସମସ୍ତ ୬୨ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ୧୨ ଜଣ କ୍ରୁ ମେମ୍ୱର ଓ ୫୦ ଜଣ ଯାତ୍ରୀ ଥିଲେ ଏହି ନିଖୋଜ ବିମାନରେ । ଯାତ୍ରୀଙ୍କ ମଧ୍ୟରେ ୭ ଜଣ ଶିଶୁ ମଧ୍ୟ ରହିଥିଲେ । ସମସ୍ତଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ଇଣ୍ଡୋନେସିଆର ଶ୍ରୀବିଜୟା ଏୟାରଲାଇନ୍ସର ବୋଇଂ ୭୩୭ ବିମାନଟି ଶନିବାର ନିଖୋଜ ହୋଇଯାଇଥିଲା । ଜାକର୍ତାରୁ ଉଡାଣ ଭରିବାର ମାତ୍ର ୪ ମିନିଟ ପରେ ଅର୍ଥାତ୍ ବିମାନ ୧୦ହଜାର ଫୁଟ ଉଚ୍ଚତାକୁ ଛୁଇଁବା ପରେ ଏୟାର ଟ୍ରାଫିକ କଂଟ୍ରୋଲ ସହ ଯୋଗାଯୋଗ ଚ୍ଛିନ୍ନ ହୋଇଯାଇଥିଲା । ଏହା ଜାକର୍ତାରୁ ପୋଂଟିୟାନକ ଅଭିମୁଖେ ଯାଉଥିଲା । ନିଖୋଜ ପର ଠାରୁ ନ୍ୟାସନାଲ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସି ଓ ଦ ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି କମିଟି ମିଳିତ ଭାବେ ନିଖୋଜ ବିମାନକୁ ଠାବ କରିବା ପ୍ରୟାସରେ ଲାଗିପଡ଼ିଥିଲା । ବ୍ଲାକ୍ ବକ୍ସ ମିଳିବା ପରେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

ଜଗତସିଂହପୁର ଜିଲ୍ଲାରେ ବାଲି ଘାଟ ଚଢ଼ା ଦରରେ ନିଲାମ ପରେ ବାଲି ଦର ବୃଦ୍ଧି ଆଶଙ୍କା : କିପରି କରିବେ ଘର, ଚିନ୍ତାରେ ସାଧାରଣ ଲୋକ

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ବାଲି ଘାଟ ଚଢ଼ା ଦରରେ ନିଲାମ ହେବା ପରେ ସାଧାରଣ ଲୋକଙ୍କୁ ଏବେ ଘାରିଛି ଦର ବୃଦ୍ଧି ଚିନ୍ତା । ନିଲାମ ମୂଲ୍ୟ ବଢ଼ିବା ଯୋଗୁଁ ଯଦି ବାଲି ଦର ବୃଦ୍ଧି ହୁଏ ତେବେ ସାଧାରଣ ଲୋକମାନେ କେମିତି ଘର କରିବ ତାକୁ ନେଇ ଚିନ୍ତାରେ ପଡିଛନ୍ତି । କଟକରୁ ମଧ୍ୟ ସମାନ ଅଭିଯୋଗ ଆସିିଛି ।

ରାଜ୍ୟ ବାହାରକୁ ବାଲି ଚାଲଣ ପାଇଁ ଅନୂୁମତି ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ ହେବା ପରେ ଚିନ୍ତା ଅଧିକ ବଢ଼ିଯାଇଛି । ଅଭିଯୋଗ ହେଉଛି, ଅଧିକ ଦାମରେ ବାଲିଘାଟ ନିଲାମ, ବାହାରକୁ ବାଲିଚାଲଣ ପାଇଁ ହେଉଥିବା ଷଡଯନ୍ତ୍ରର ଅଂଶବିଶେଷ । ସେପଟେ ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି, ଏ ନେଇ ତହସିଲଦାର ଓ ଅଧିକାରୀଙ୍କ ସହ ସେ ଆଲୋଚନା କରିବେ । ଜିଲ୍ଲାର ବାଲି ଆବଶ୍ୟକତାକୁ ପୂରଣ ପାଇଁ ପ୍ରାଥମିକତା ଦିଆଯିବ ।

ଜଗତସିଂହପୁର ଭଳି ରାଜ୍ୟ ବାହାର କଂପାନୀର ନଜର ପଡ଼ିଛି କଟକ ଜିଲ୍ଲାର ବାଲିଘାଟ ଉପରେ । ବାହାର ରାଜ୍ୟକୁ ବାଲି ଚାଲଣ ପାଇଁ ଏକ କଂପାନୀ ଜିଲ୍ଲା ପ୍ରଶାସନକୁ ଆବେଦନ କରିଥିବା ସୂଚନା ମିଳିଛି । ଯଦି ବାହାର ରାଜ୍ୟ ବାଲି ପଠାଇବାକୁ ଅନୁମତି ମିଳେ, ତେବେ ବାଲି ଦର ଆକାଶଛୁଆଁ ହୋଇଯିବ ।

ଜଗତସିଂହପୁର ଜିଲ୍ଲାର ସବୁଠୁ ବଡ଼ ବାଲିଘାଟ କୁହାଯାଉଥିବା ଆଳିପିଙ୍ଗଳ ବାଲିଘାଟ ନିଲାମ ଅତି ଚଢ଼ା ମୂଲ୍ୟରେ ହୋଇଛି । ପୂର୍ବରୁ ଯେଉଁ ବାଲିଘାଟକୁ ୧୭ ଲକ୍ଷ ଟଙ୍କାରେ ନିଲାମ ହେଉଥିଲା, ଏହା ଏବେ ସାଢ଼େ ୭ କୋଟିରୁ ଅଧିକ ଦାମରେ ନିଲାମ ହୋଇଛି । ଯାହାକୁ ନେଇ ସାଧାରଣରେ ପ୍ରବଳ ସଂଦେହ ସୃଷ୍ଟି ହୋଇଛି । ଏପରିକି ଗୋଟିଏ ହାଇୱା ବା ବଡ଼ ଟ୍ରକ ବାଲିର ଦାମ୍ ୬୦ ହଜାର ଟଙ୍କା ହେବା ବୋଲି ଆଶଙ୍କା ପ୍ରକାଶ ପାଇଛି ।

from Kanak News
via <a href="https://ifttt.com/?

ଆଜି ଖୋଲିବ ଉଚ୍ଚ ଶିକ୍ଷାନୁଷ୍ଠାନ: ବୈଷୟିକ ଶିକ୍ଷାନୁଷ୍ଠାନ, ଓୟୁଏଟି, ସଂସ୍କୃତି ବିଶ୍ବବିଦ୍ୟାଳୟ ଖୋଲିବ; ଖୋଲିଲା ହଷ୍ଟେଲ, ଅନ୍ତେବାସୀଙ୍କ ଉପସ୍ଥାନ କମ୍

କନକ ବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକ ଆଜିଠାରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଅନୁଷ୍ଠିତ ହେବ। ସେମିଷ୍ଟର୍ ପରୀକ୍ଷା ବ୍ୟବସ୍ଥାରେ ୟୁଜିର ୫ମ ଓ ପିଜିର ୩ୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ହୋଇ ମାର୍ଚ୍ଚ ୧୫ ପର୍ୟ୍ୟନ୍ତ ଚାଲିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ ଓ ପ୍ରଫେସନାଲ କଲେଜ, ଡିପ୍ଲୋମା/ପୋଷ୍ଟ ଡିପ୍ଲୋମା ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ। ପିଜି, ୟୁଜି, ଡିପ୍ଲୋମା, ପୋଷ୍ଟ ଡିପ୍ଲୋମା ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବା ନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି ହୋଇଛି। ଓୟୁଏଟି ସମେତ ଏହା ଅଧୀନ ୯ଟି ମହାବିଦ୍ୟାଳୟରେ ମଧ୍ୟ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୟୁଜି ଶେଷବର୍ଷ, ପିଜି ପ୍ରଥମ ଓ ଦ୍ବିତୀୟ ବର୍ଷ, ପିଏଚ୍ଡି ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ସମେତ ଏହା ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍ନାତକ କଲେଜଗୁଡ଼ିକ ଖୋଲିବ। ୟୁଜି ୭ମ ଓ ପିଜି ୩ୟ ସେମିଷ୍ଟର୍ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଜାନୁଆରି ୧୧ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୧୬ରୁ ୩୧ ମଧ୍ୟରେ ପରୀକ୍ଷା ହେବା ସହ ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ୟୁଜି ୮ମ ଓ ପିଜି ୪ର୍ଥ ସେମିଷ୍ଟର୍ ପାଠପଢ଼ା ଏପ୍ରିଲ ୨ରୁ ଆରମ୍ଭ ହୋଇ ଜୁନ୍ ୧୫ ପର୍ୟ୍ୟନ୍ତ ଚାଲିବ। ଜୁନ୍ ୧୬ରୁ ୩୦ ତାରିଖ ମଧ୍ୟରେ ପରୀକ୍ଷା ହେବ ଏବଂ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ।

ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ, ନିୟମିତ ଭାବେ ପାଠପଢ଼ା ଅନୁଷ୍ଠିତ ହେବ। ଯେତେଦୂର ସମ୍ଭବ, କ୍ଲାସରୁମ୍ ପାଠପଢ଼ାର ରେକର୍ଡିଂ କରାଯାଇ ତାହାକୁ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ଶ୍ରେଣୀଗୃହରେ ସାମାଜିକ ଦୂରତା ରକ୍ଷା ସହ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ କ୍ୟାମ୍ପସ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି। କ୍ଲାସରୁମ୍, ଲାଇବ୍ରେରି, ଲାବରୋଟାରି ଆଦି ସ୍ଥାନରେ ୬ ଫୁଟ୍ ସାମାଜିକ ଦୂରତା ରକ୍ଷା, ଯଦି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ରୁହନ୍ତି, ତେବେ ବ୍ୟାଚ୍ ଅନୁଯାୟୀ ବିଭକ୍ତ କରିବାକୁ କୁହାଯାଇଛି। କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି। କାଶ-ଛିଙ୍କ ସମୟରେ ପାଟି ଓ ନାକ ଯେପରି ରୁମାଲ ଦ୍ବାରା ଆବଦ୍ଧ ରୁହେ, ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। ସ୍ବାସ୍ଥ୍ୟ ଖରାପ ଥିଲେ କିମ୍ବା ଅସୁସ୍ଥ ଅନୁଭବ କରୁଥିଲେ, ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଓଡ଼ିଶା ଇତିହାସରେ ପ୍ରଥମଥର ଲାଗି ରବିବାର ଦିନ ବିଧିବଦ୍ଧ ଭାବେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇଛି। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାନୁରୂପ ହୋଇ ନଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପିଲାଙ୍କୁ ପଢ଼ାଇଛନ୍ତି। ପାଠପଢ଼ା ଯାଞ୍ଚ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ଏହା ଅଧୀନ ବିଭିନ୍ନ ନିର୍ଦେଶାଳୟର ୩୦ଜଣ ଅଧିକାରୀ ଦିନତମାମ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ। ଟିଇ ଆଣ୍ଡ ଏସ୍ସିଇଆରଟି ନିର୍ଦ୍ଦେଶକ ଗଙ୍ଗାଧର ସାହୁଙ୍କୁ ଅନୁଗୁଳ ଦାୟିତ୍ବ ଦିଆଯାଇଥିବା ବେଳେ ବିଭାଗର ଯୁଗ୍ମ ସଚିବ ନିବେଦିତା ମିଶ୍ରଙ୍କୁ କଟକ, ଅତିରିକ୍ତ ସଚିବ ରଘୁନାଥ ଆର୍. ଆୟାରଙ୍କୁ ଗଞ୍ଜାମ, ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦଙ୍କୁ ପୁରୀ, ମାଧ୍ୟମିକ ଶିକ୍ଷା ପରିଷଦର ଶ୍ରୀକାନ୍ତ ତରାଇଙ୍କୁ ଯାଜପୁର, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏସ୍ପିଡି ଲିଙ୍ଗରାଜ ପଣ୍ଡାଙ୍କୁ ଜଗତ୍ସିଂହପୁର, ଓସେପା ଏସ୍ପିଡି ଭୂପିନ୍ଦର ସିଂ ପୁନିଆଙ୍କୁ ଖୋର୍ଧା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରାଙ୍କୁ କେନ୍ଦୁଝର ଜିଲ୍ଲା ଦାୟିତ୍ବ ଦିଆଯାଇଥିଲା। ଏମାନେ ଜିଲ୍ଲା ଗସ୍ତ ରକି ସ୍ଥିତି ଅନୁଧ୍ୟାନ କରି ବିଭାଗକୁ ରିପୋର୍ଟ ପ୍ରଦାନ କରିବେ।

from Kanak News
via <a href="https://ifttt.com/?

ପୁଣି କୁହୁଡ଼ି ଚାଦରରେ ଢାଙ୍କି ହେବ ଓଡ଼ିଶା ! ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ: ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟ କୁହୁଡ଼ି ଚାଦରରେ ଢାଙ୍କି ହେବ। ବିଶେଷ କରି ଉପକୂଳ ଓଡ଼ିଶାରେ କୁହୁଡ଼ିର ପ୍ରଭାବ ଅଧିକ ରହିବ। ଏଥିପାଇଁ ଆଜି ପାଇଁ ଘନକୁହୁଡ଼ିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟର ଉପକୂଳ ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହୁଥିବାରୁ ଏହାର ପ୍ରଭାବରେ ଘନ କୁହୁଡ଼ିର ସମ୍ଭାବନା ରହିଛି ବୋଲି କେନ୍ଦ୍ର କହିଛି। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଧା, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳ।

କେନ୍ଦ୍ର କହିଛି, ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିଛି। ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୧.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ଅନୁଗୁଳଠାରେ ୩୪.୧ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ପାରାଦୀପ ଓ ଚାନ୍ଦବାଲିଠାରେ ମଧ୍ୟ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। କଟକ,ପୁରୀ ଓ ମାଲକାନଗିରିଠାରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ବର୍ତ୍ତମାନ ରାତ୍ରିର ସର୍ବନିମ୍ନ ତାପମାତ୍ରା ଓ ସ୍ବାଭାବିକ ତାପମାତ୍ରା ମଧ୍ୟରେ ସର୍ବାଧିକ ବ୍ୟବଧାନ ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ୬.୫ଡିଗ୍ରି ରହିଛି। ଏଥିସହ ଏହି ବ୍ୟବଧାନ ସମ୍ବଲପୁରଠାରେ ୬.୩ ଡିଗ୍ରି ଓ କେନ୍ଦୁଝରଠାରେ ପାଖାପାଖି ୫.୩ ଡିଗ୍ରି ରହିଛି।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ବର୍ତ୍ତମାନ ରାତ୍ରି ତାପମାତ୍ରା ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ପରବର୍ତୀ ୧ରୁ ୨ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଖସିବା ଆରମ୍ଭ କରିବ। ଏପରିକି ପାରଦ ସ୍ତର ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ କମିବ। ଫଳରେ ରାଜ୍ୟରେ ଶୀତ ଅନୁଭୂତ ହେବ। ରାଜଧାନୀରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।

from Kanak News
via <a href="https://ifttt.com/?

ଟିକାକରଣ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ: କରୋନା ସ୍ଥିତି ଓ ଟିକାକରଣ ପ୍ରସଙ୍ଗରେ ହେବ ଆଲୋଚନା

କନକ ବ୍ୟୁରୋ: ଆସନ୍ତା ୧୬ ତାରିଖରୁ ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ  । ଦେଶରେ କରୋନା ମହାମାରୀର ସ୍ଥିତି ଓ ଟିକାକରଣ ପ୍ରସଙ୍ଗରେ ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନେ ଆଲୋଚନା କରିବେ  । ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରହିଛି  । ଏହି ପର୍ଯ୍ୟାୟରେ ପ୍ରାୟ ୩ କୋଟି ଲୋକଙ୍କୁ ଟିକା ଦିଆଯିବ  ।

ଭିଡିଓ କନଫେରେନ୍ସିଂ ଜରିଆରେ  ପ୍ରଧାନମନ୍ତ୍ରୀ ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ  । ସୂଚନାଯୋଗ୍ୟ ଯେ, ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ର ସରକାର ଦୁଇଟି ଟିକା କୋଭାକସିନ୍ ଓ କୋଭିସିଲଡକୁ ଅନୁମତି ଦେଇ ସାରିଛନ୍ତି  । ଏହାସହ ଟିକାକରଣ ପୂର୍ବରୁ ଡ୍ରାଏରନ୍ କରାଯାଇଥିବା ବେଳେ କୋ-ୱିନ୍ ଆପର ବ୍ୟବହାର ସମ୍ପର୍କରେ ଗୁରୁତ୍ୱ ଦିଆଯାଇଛି  । ସେପଟେ ଆଜି କିମ୍ବା କାଲି ଠାରୁ  ସିରମ ଇନଷ୍ଟିଚ୍ୟୁଟର ପୁନେ ଉତ୍ପାଦନ କେନ୍ଦ୍ରରୁ ଦେଶର ବିଭିନ୍ନ ଜାଗାକୁ ଟିକା ପଠାଇବା କାମ ଆରମ୍ଭ ହେବାର ସମ୍ଭାବନା ରହିଛି ।

ଆସନ୍ତା ୧୬ ତାରିଖ ଅର୍ଥାତ୍ ଶନିବାର ଦିନ ସାରା ଦେଶ ସହ ଓଡିଶାରେ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ । ଏକକାଳୀନ ରାଜ୍ୟର ମୋଟ ୧୬୦ ଟି ସେସନ୍ ସାଇଟ୍ ବା ଟିକାକରଣ କେନ୍ଦ୍ରରେ ଦିଆଯିବ କରୋନା ଟିକା । ୩୦ଟି ଜିଲ୍ଲା ଓ ଭୁବନେଶ୍ୱର ସମେତ ୫ଟି ମହାନଗର ନିଗମରେ ଏହି ଟିକାକରଣ ହେବ । ପ୍ରଥମ ପର୍ଯ୍ୟାନ୍ତ ଟିକାକରଣ କେଉଁ ଜିଲ୍ଲାରେ କେତେ କେନ୍ଦ୍ରରେ ଟିକା ଦିଆଯିବ, ଏହାର ପୂରା ତାଲିକା ଦେଇଛନ୍ତି ରାଜ୍ୟ ସରକାର । ମୟୁରଭଂଜରେ ସର୍ବାଧିକ ୧୦ଟି କେନ୍ଦ୍ରରେ ଟିକାକରଣ ହେବ ବୋଲି କୁହାଯାଇଛି । ଗଂଜାମ, କଟକ, ପୁରୀରେ ୮ଟି ଲେଖାଁଏ କେନ୍ଦ୍ର ଓ ରାୟଗଡ଼ା ଓ କଳାହାଣ୍ଡିରେ ୭ଟି ଲେଖାଁଏ କେନ୍ଦ୍ରରେ ହେବ ଟିକାକରଣ । ସୁନ୍ଦରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ାରେ ୬ଟି ଲେଖାଁଏ କେନ୍ଦ୍ରରେ ଟିକାକରଣ କରାଯିବ ।

ସେହିପରି ଭୁବନେଶ୍ୱର ମହାନଗର, ଖୋର୍ଦ୍ଧା, ସମ୍ବଲପୁର, କୋରାପୁଟ, କନ୍ଧମାଳ, ଯାଜପୁର, ବାଲେଶ୍ୱର ଜିଲ୍ଲାର ୫ଟି ଲେଖାଁଏ ସ୍ଥାନରେ କରୋନା ଟିକା ଦିଆଯିବ । ସରକାରୀ ଡାକ୍ତରଖାନା, ସିଏଚସି, ପିଏଚସି ଏବଂ ଘରୋଇ ଡାକ୍ତରଖାନାକୁ ମିଶାଇ ମୋଟ୍ ୧୬୦ଟି ସ୍ଥାନରେ କରାଯିବ ଟିକାକରଣ । ପ୍ରତି ସ୍ଥାନରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ କରୋନା ଟିକା । ଗୋଟିଏ ଦିନରେ ରାଜ୍ୟରେ ୧୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ପାରିବ । ପ୍ରାଥମିକ ପର୍ଯ୍ୟାୟରେ ୩ଲକ୍ଷ ୨୮ହଜାର ୫୦୦ ସ୍ୱାସ୍ଥ୍୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଟିକାକରଣ ଲାଗି ରାଜ୍ୟକୁ ସିରିଂଜ ଓ ଅନ୍ୟ ଉପକରଣ ଆସିସାରିଛି । ଖୁବ ଶୀଘ୍ର ଟିକା ପହଁଚିଯିବ ବୋଲି ଆଶା କରାଯାଉଛି । କମ୍ପାନୀ ପାଖରୁ ସିଧାସଳଖ ଷ୍ଟେଟ୍ ଭ୍ୟାକ୍ସିନ୍ ସେଂଟରକୁ ଟିକା ଆସିବ ।

from Kanak News
via <a href="https://ifttt.com/?

ବାସ୍ ଆଉ କିଛି ଘଣ୍ଟାର ଅପେକ୍ଷା… । ଇତିହାସ ରଚିବେ ଭାରତୀୟ ମହିଳା ପାଇଲଟ, ଜାଣନ୍ତୁ ଏମିତି କଣ କରିଛନ୍ତି ଏମାନେ ଯେଉଁଥିପାଇଁ ପୂରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

କନକ ବ୍ୟୁରୋ : ବାସ୍ ଆଉ କିଛି ଘଣ୍ଟାର ଅପେକ୍ଷା । ନନଷ୍ଟପ ଯାତ୍ରାରେ ବିରାମ ପଡିବ । ଇତିହାସ ରଚିବେ ଭାରତୀୟ ମହିଳା ପାଇଲଟ । ଏୟାର ଇଣ୍ଡିଆର ମହିଳା ପାଇଲଟ ଟିମ୍ ବିଶ୍ୱର ସବୁଠୁ ଲମ୍ବା ଏୟାର ରୁଟରେ ଉଡାଣ ଶେଷ କରିବା ସହ ରଚିବେ ଇତିହାସ । ଆମେରିକାର ସାନଫ୍ରାନସିକୋରୁ ଗତ ୯ ତାରିଖରୁ ଏୟାର ଇଣ୍ଡିଆର ଏଆଇ ୧୭୬ ନମ୍ବର ବିମାନଟି ଉଡାଣ ଭରିଥିବା ବେଳେ ନର୍ଥ ପୋଲ ଉପର ଦେଇ ଆସନ୍ତାକାଲି ଭୋର ସମୟରେ ବାଙ୍ଗାଲୋରରେ ପହଞ୍ଚିବ । ଆଉ ଏହି ସମୟରେ ପ୍ରାୟ ୧୬ ହଜାର କିଲୋମିଟର ଦୂର ଅତିକ୍ରମ କରି ସାରିଥିବ ଏହି ବିମାନ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଉଡାଣ ପାଇଁ ମହିଳା ପାଇଲଟ କ୍ୟାପଟେନ ଜୋୟା ଅଗ୍ରୱାଲଙ୍କ ଗୁରୁଦାୟିତ୍ୱ ଦେଇଛି ଏୟାର ଇଣ୍ଡିଆ । ଆଉ ଜୋୟାଙ୍କ ନେତୃତ୍ୱରେ ବିମାନକୁ ଚଳାଉଥିବା ଟିମରେ ସମସ୍ତ ପାଇଲଟ ମଧ୍ୟ ମହିଳା ରହିଛନ୍ତି । ଆଉ ଭାରତୀୟ ମହିଳା ପାଇଲଟ ଏହି ଇତିହାସ ରଚିବା ପୂର୍ବରୁ ପୂରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ସାନଫ୍ରାନସିକୋରୁ ବାଙ୍ଗାଲୋର । ନନଷ୍ଟପ ଯାତ୍ରା । ଗତ ୯ ତାରିଖ ରାତିରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ୧୧ ତାରିଖ ଭୋର ସମୟରେ ଏହି ଯାତ୍ରା ଶେଷ ହେବ । ତେବେ ଏୟାର ଇଣ୍ଡିଆର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ନର୍ଥ ପୋଲ ଦେଇ ଉଡାଣ ଭରିବା ବେଶ ଆହ୍ୱାନଭରା । ସମସ୍ତ ଏୟାରଲାଇନ୍ସ କମ୍ପାନି ଏହି ରୁଟରେ ଉଡାଣ ପାଇଁ ନିଜର ସବୁଠୁ ଦକ୍ଷ ଓ ଅନୁଭବୀ ପାଇଲଟଙ୍କୁ ଦାୟିତ୍ୱ ଦେଇଥାନ୍ତି । ଆଉ କ୍ୟାପଟେନ ଜୋୟାଙ୍କୁ ଦାୟିତ୍ୱ ଦେଇ ଏୟାର ଇଣ୍ଡିଆ ପୂରା ବିଶ୍ୱକୁ ନୂଆ ବାର୍ତ୍ତା ଦେଇଛି ।

ତେବେ ଏହି ଆହ୍ୱାନଭରା ଯାତ୍ରା ଆରମ୍ଭ ପୂର୍ବରୁ ଜୋୟା କହିଥିଲେ ଯେ, ବିଶ୍ୱର ଅଧିକାଂଶ ଲୋକ ନର୍ଥ ପୋଲ ଦେଖି ନଥିବେ । ଏପରିକି ଏହାର ନକ୍ସା ମଧ୍ୟ ଦେଖିନଥିବେ । କିନ୍ତୁ ବେସାମରିକ  ବିମାନ ଚଳାଚଳ ମନ୍ତ୍ରାଳୟ ଓ ଏୟାର ଇଣ୍ଡିଆ ମୋ ଉପରେ ବିଶ୍ୱାସ କରିଥିବାରୁ ମୁଁ ବହୁତ ଖୁସି । ସାନଫ୍ରାନସିକରୁ ବାଙ୍ଗାଲୋର ବିମାନ ଉଡାଣ କରିବା ଏକ ସ୍ୱର୍ଣ୍ଣିମ ଅବସର । ତା ଛଡା ମୋ ଟିମରେ ୪ ଜଣ ମହିଳା ପାଇଲଟ ରହିଛନ୍ତି । ଏହା ବିଶ୍ୱର ପ୍ରଥମ ଘଟଣା ହେବ ଯେବେ ନର୍ଥ ପୋଲ ଉପରେ ବିମାନ ଉଡାଣ ଭରୁଥିବ  ଓ ଏହାର ସମସ୍ତ ପାଇଲଟ ମହିଳା ଥିବେ । ଏଭଳି ମୁହୂର୍ତ୍ତ ଇତିହାସ ସୃଷ୍ଟି କରିବ । ନର୍ଥ ପୋଲ ଉପର ଦେଇ ଉଡାଣ ଭରିବା ବେଶ ରୋମାଞ୍ଚକର, ଏଠାରେ କମ୍ପାସ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିଥାଏ । ତେଣୁ ବେଶ ସର୍ତକତାର ସହ ଏଠାରେ ଉଡାଣ ଭରିବାକୁ ପଡିବ ବୋଲି କହିଛନ୍ତି ଜୋୟା ।

 ଜୋୟା ଅଗ୍ରୱାଲ ଏହା ପୂର୍ବରୁ ଅନେକ ଉପଲବ୍ଧି ହାସଲ କରିଛନ୍ତି । ସବୁଠୁ କମ ବୟସରେ ଏୟାର ଇଣ୍ଡିଆର ବୋଇଂ -୭୭୭ ବିମାନ ଉଡାଇବାର ରେକର୍ଡ ନିଜ ନାଁରେ କରିଛନ୍ତି ଜୋୟା । ୨୦୧୩ରେ ଏଭଳି ଏକ ରେକର୍ଡ ହାସଲ କରିଥିଲେ ଜୋୟା । ଆଉ ଏବେ ଜୋୟାଙ୍କ ନାଁ ପଛରେ ଆଉ ଏକ ରେକର୍ଡ ଯୋଡି ହେବାକୁ ଯାଉଛି । ନର୍ଥ ପୋଲ ଉପରେ ଉଡାଣ ଭରିବା ସମୟରେ କମାଣ୍ଡ କରିବା ସହ ଏୟାର ଇଣ୍ଡିଆର ପ୍ରଥମ ମହିଳା କମାଣ୍ଡର ହେବାକୁ ଯାଉଛନ୍ତି ଜୋୟା । ଆଉ ଇତିହାସ ରଚିବା ପୂର୍ବରୁ ମହିଳା ପାଇଲଟ ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ।

from Kanak News
via <a href="https://ifttt.com/?

ସ୍କୁଲ ଫି ଛାଡକୁ ନେଇ ହାଇକୋର୍ଟଙ୍କ ବଡ ରାୟ । କହିଲେ ରାଜ୍ୟ ସରକାରଙ୍କ ଅଧିନ ଘରୋଇ ସ୍କୁଲ, କମାଇ ପାରିବେ ଫି ।

କନକ ବ୍ୟୁରୋ: ସ୍କୁଲ ଫି’ ଛାଡକୁ ନେଇ ହାଇକୋର୍ଟଙ୍କ ଚୁଡାନ୍ତ ନିଷ୍ପତି । ହାଇକୋର୍ଟ କହିଛନ୍ତି, ଘରୋଇ ସ୍କୁଲ ଉପରେ ସରକାରଙ୍କ କର୍ତୃତ୍ୱ ରହିଛି । ତେଣୁ ସରକାର ଚାହିଁଲେ ସ୍କୁଲ ଫି’ କମାଇବା ପାଇଁ ନିର୍ଦ୍ଦେଶ ଦେଇପାରିବେ । ଏହାସହ ଘରୋଇ ସ୍କୁଲ ମୁନାଫା ଖୋର ହୋଇ ପାରିବ ନାହିଁ ବୋଲି ରାୟ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।  ଯଦି ସରକାରଙ୍କ ନିର୍ଦ୍ଦେଶକୁ କୌଣସି ଘରୋଇ ସ୍କୁଲ ଅମାନ୍ୟ କରେ, ତେବେ ସରକାର ସେହି ସ୍କୁଲକୁ ଦେଇଥିବା ଏନଓସି ପ୍ରତ୍ୟାହାର କରିପାରିବେ । ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତା ହୋଇଥିବା ପ୍ରସ୍ତାବକୁ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ସ୍କୁଲ ଅଭିଭାବକ ସଂଘ, ଘରୋଇ ସ୍କୁଲ ସଂଘ, ମାମଲାର ଆବେଦନକାରୀ ଏବଂ ଗଣଶିକ୍ଷା ବିଭାଗର ମିଳିତ ବୈଠକରେ ସ୍କୁଲ ଫି’ର କିଛି ଅଂଶ ଛାଡ଼ ନେଇ ସୁପାରିଶ କରାଯାଇଥିଲା ।

ତେବେ ଏହି ସୁପାରିଶ ଅନୁସାରେ- ୬ ହଜା ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି’ ଉପରେ ୭.୫% । ୧୨ ହଜାରରୁ ୨୪ ହଜାର ପର୍ଯନ୍ତ ୧୨ ପ୍ରତିଶତ । ୨୪ ହଜାରରୁ ୪୮ ହାଜର ପର୍ଯ୍ୟନ୍ତ ୧୫%, ୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଏବଂ ୧ ଲକ୍ଷରୁ ଅଧିକ ଫି ହୋଇଥିଲେ ୨୬% ଛାଡ଼ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଏସମ୍ପର୍କୀତ ଏମଓୟୁ ସପକ୍ଷରେ ସରକାର ମତ ରଖିଥିବା ବେଳେ କିଛି ସ୍କୁଲ ସଂଘ ଭିନ୍ନ ମତ ରଖିଥିଲେ ।  ଅଭିଭାବକ ସଂଘ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିବ ବେଳେ କେତେକ ଘରୋଇ ସ୍କୁଲ ସଂଘ ଏହାକୁ ବିରୋଧ କରିଥିଲେ । ତେବେ ସରକାରଙ୍କ କର୍ତୃତ୍ୱରେ ଘରୋଇ ସ୍କୁଲ ଥିବା ହାଇକୋର୍ଟ ସ୍ପଷ୍ଟ କରିବା ପରେ ସ୍କୁଲ ଫି’ ରିହାତି ନେଇ ନିଷ୍ପତି ନେଇପାରିବେ ରାଜ୍ୟ ସରକାର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started