ଆଶ୍ଚର୍ଯ୍ୟ କଲା ନବ ଦାସଙ୍କ ଗାଡି ତାଲିକା । ୨୦୧୮ରୁ ୨୦ ମଧ୍ୟରେ ପରିବାର ସଦସ୍ୟ କିଣିଛନ୍ତି ୮୦ଟି ଗାଡି । ତୁଷାରକାନ୍ତି ବେହେରା ସବୁଠୁ ଗରିବ ମନ୍ତ୍ରୀ ।

କନକ ବ୍ୟୁରୋ: ରାଜ୍ୟର ସବୁଠାରୁ ଧନୀ ମନ୍ତ୍ରୀ କିଏ ? ରାଜ୍ୟ ସରକାରଙ୍କ ୱେବସାଇଟ ଅନୁସାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସ୍ଥାବର, ଅସ୍ଥାବର ସମ୍ପତି କଥା ଛାଡନ୍ତୁ, ନବ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ଗାଡିର ତାଲିକା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ମର୍ସଡିଜ୍ ଏସ-କ୍ଲାସର ମେ-ବ୍ୟାକ୍ ଏସ-୫୬୦ ମଡେଲ । ନବ ଦର୍ଶାଇଛନ୍ତି ଏହି ମଡେଲର ତାଙ୍କ ପାଖରେ ଥିବା କାରର ଦାମ ହେଉଛି ୧ କୋଟି ୯୬ ଲକ୍ଷ ୭୮ ହଜାର ଟଙ୍କା, ଅର୍ଥାତ ପାଖାପାଖି ଦଶ କୋଟି ଟଙ୍କା । ନବଙ୍କ ସମ୍ପତି ତାଲିକାରୁ ଆଉ ଏକ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେବ । ୨୦୧୮, ୧୯, ୨୦ ଏହି ତିନି ବର୍ଷରେ ୮୦ଟି ଟ୍ରକ, ହାଇୱା, ଜେସିବି ପରି ବ୍ୟବସାୟିକ ଗାଡି ସେ କିଣିଥିବା ଦର୍ଶାଇଛନ୍ତି । ଏହି ତିନି ବର୍ଷରେ ସେ ଭାରତ ବେଞ୍ଜର ୩୦ଟି, ଟାଟା ମୋଟର୍ସର ୪୦ଟି ଏବଂ ମହିନ୍ଦ୍ରାର ୫ଟି ଗାଡି କିଣିଛନ୍ତି । ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ଏସବୁ ତାଙ୍କ ପରିବାର ସଦସ୍ୟଙ୍କର ଏବଂ ସେମାନେ ବିଭିନ୍ନ ବ୍ୟବସାୟ କରନ୍ତି । ଆୟକର ମଧ୍ୟ ଠିକ୍ ଭାବରେ ଦାଖଲ କରନ୍ତି ।

ସମ୍ପତି ତାଲିକା ପ୍ରଦାନ କରିଥିବା ୨୦ ଜଣ ମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ କମ ସମ୍ପତିର ମାଲିକ ହେଉଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ ତାଙ୍କ ମୋଟ ସମ୍ପତିର ମୂଲ୍ୟ ମାତ୍ର ୩୩ ଲକ୍ଷ ଟଙ୍କା ବୋଲି ଦର୍ଶାଇଛନ୍ତି । ଏହା ବ୍ୟତୀତ ପଂଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ୧୦ କୋଟି ୩୫ଲକ୍ଷ ଟଙ୍କା, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୪ କୋଟି ୨୪ ଳକ୍ଷ ଟଙ୍କା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ୭ କୋଟି ୩୧ ଲକ୍ଷ ଟଙ୍କାର ମାଲିକ ବୋଲି ଦର୍ଶାଇଛନ୍ତି ।

ଦୁର୍ନୀତି ବିରୋଧରେ ଲଢେଇ ପାଇ,ଁ କିଛି ଦିନ ତଳେ ସମସ୍ତ ଜନ ପ୍ରତିନିଧି ଓ ଅଫିସର ପ୍ରତିବର୍ଷ ସମ୍ପତି ତାଲିକା ଦେବା ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହି ତଥ୍ୟ ସର୍ବସାଧାରଣଙ୍କ ଜାଣିବା ପାଇଁ ପବ୍ଲିକ ଡୋମେନରେ ରଖାଯିବ ବୋଲି ମଧ୍ୟ କହିଛନ୍ତି ନବୀନ ।

from Kanak News
via <a href="https://ifttt.com/?

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ । ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳ ଭାରତ ଠାରୁ ଛଡାଇ ଆଣିବୁ ।

କନକ ବ୍ୟୁରୋ : ଗତ ବର୍ଷ ଭାରତ ଓ ନେପାଳ ମଧ୍ୟରେ ସଂପର୍କ ଖରାପ ହୋଇଯାଇଥିବା ବେଳେ ଉଭୟ ଦେଶର ଉଦ୍ୟମ କ୍ରମେ ସ୍ଥିତିରେ ସୁଧାର ଆସିଥିଲା । କିନ୍ତୁ ସ୍ଥିତିକୁ ପୁଣି ବିଗାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ନେପାଳର ସଂସଦରେ ଓଲି କହିଛନ୍ତି ଯେ ଭାରତଠାରୁ ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳ ଫେରାଇ ନେବାକୁ ସେ ପ୍ରତିଜ୍ଞାବଦ୍ଧ ।  ଭାରତ ସହ କୂଟନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ଏହା କରାଯିବ । ସୁଗୋଲି ଚୁକ୍ତି ଅନୁସାରେ ଏସବୁ  ଅଞ୍ଚଳ ନେପାଳର ବୋଲି ସେ ଦାବି କରିଛନ୍ତି ।

ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳ ଭାରତୀୟ ସୀମା ମଧ୍ୟରେ ଆସୁଥିବାବେଳେ ଗତ ବର୍ଷଠାରୁ ନେପାଳ ଏହାକୁ ନିଜର ବୋଲି କହୁଛି । ନେପାଳକୁ ଉସୁକାଇ ଚୀନ ଭାରତ ସହ ଉତ୍ତେଜନା ସୃଷ୍ଟି କରୁଥିବା ଅନୁମାନ କରାଯାଉଛି ।

ଗତବର୍ଷ ଏପ୍ରିଲ ମାସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲିପୁଲେଖ ପାସ ନିକଟରେ ଏକ ୮୦ କିମି ଲମ୍ବ ରାସ୍ତା ଓ ପୋଲ ଉଦଘାଟନ କରିବାପରେ ନେପାଳ ତାହାକୁ ବିରୋଧ କରିଚାଲିଛି । ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳକୁ ନିଜର ଅଞ୍ଚଳ ଦର୍ଶାଇ ନିଜ ସଂସଦରେ ଏକ ପ୍ରସ୍ତାବ ଗୃହୀତ କରିଛି ।

from Kanak News
via <a href="https://ifttt.com/?

ନବରଙ୍ଗପୁର ପୋଲ ଭୁଶୁଡିବା ଘଟଣା । ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ନବରଙ୍ଗପୁର ପୋଲ ଭୁଶୁଡିବା ଘଟଣା । ଅଘଟଣ ପାଇଁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ । ତୁରନ୍ତ ମାମଲା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଉନ୍ନୟନ କମିଶନର ପିକେ ଜେନାଙ୍କ ନିର୍ଦ୍ଦେଶ ।

ତେବେ ଆଜି ନବରଙ୍ଗପୁର ତାଲାପଦର ନିକଟରେ ଭୁଶୁଡିଥିଲା ପୋଲ । ନିର୍ମାଣଧୀନ ଅବସ୍ଥାରେ ପୋଲ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୬ ଆହତ ଥିବା ବେଳେ ୩ ଜଣ ଗୁରୁତର ଥିଲେ । ସମସ୍ତ ଶ୍ରମିକଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

from Kanak News
via <a href="https://ifttt.com/?

କେନ୍ଦ୍ରାପଡାରେ କାର୍ଯ୍ୟକ୍ରମ, ହେଲେ ଦେଖା ଯାଉନାହାନ୍ତି ସାଂସଦ ଅନୁଭବ ମହାନ୍ତି । ପାରିବାରିକ ବିବାଦ ପାଇଁ କୋଣଠେସା ହେଉଛନ୍ତି କି ଅନୁଭବ ?

କନକ ବ୍ୟୁରୋ : ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବିଗତ କିଛି ଦିନର ଘଟଣାକୁ ଲକ୍ଷ୍ୟ କଲେ ସ୍ପଷ୍ଟ ଜାଣି ହେବ ଦଳୀୟ କାର୍ଯ୍ୟରୁ ଦୂରରେ ରହୁଛନ୍ତି ଅନୁଭବ । ଏପରିକି ବିଜେଡିର କାର୍ଯ୍ୟକାରିଣୀ ଓ ପରିଷଦ ବୈଠକରେ ବି ତାଙ୍କୁ ଦେଖିବାକୁ ମିଳିନଥିଲା । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ବିବାଦ ପରେ ଦଳ ତାଙ୍କୁ କୋଣଠେସା କରିଛି ନା ସେ ବ୍ୟକ୍ତିଗତ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି ତାକୁ ନେଇ ଚର୍ଚ୍ଚା ଚାଲିଛି ।

ଏ ହେଉଛି କେନ୍ଦ୍ରାପଡା ପଟ୍ଟମୁଣ୍ଡାଇ କଷଣଅଂଟାରେ ମିନିଷ୍ଟାଡିୟମ ଶିଳାନ୍ୟାସର ନାମ ଫଳକ । ଜାନୁୟାରୀ ୮ତାରିଖରେ ମିନିଷ୍ଟାଡିୟମର ଶିଳାନ୍ୟାସ କରିଥିଲେ କ୍ରୀଡା ମନ୍ତ୍ରୀ । ଫଳକରେ ରହିଛି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନାମ । ତା ତଳେ ରହିଛି ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ ନାଁ, ଯାଜପୁର କୋରେଇ ବିଧାୟକ ଅଶୋକ ବଳ, ରାଜନଗର ବିଧାୟକ ଧ୍ରୁବ ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନାମ ରହିଛି । ହେଲେ ଫଳକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାମ ନାହିଁ । ପ୍ରଶ୍ନ ଉଠୁଛି ବାହାର ଜିଲ୍ଲାର ବିଧାୟକଙ୍କ ନାଁ ଫଳକରେ ରହୁଥିବା ବେଳେ ସାଂସଦଙ୍କ ନାମ କାହିଁକି ନାହିଁ ।

ପୂର୍ବରୁ ମଧ୍ୟ କେନ୍ଦ୍ରାପଡା ସାଂସଦ ଜିଲ୍ଲାରେ ହେଉଥିବା ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିବା ନଜିର ରହିଛି ।

ଡିସେମ୍ବର ୨୦-ମହାକାଳପଡା ଆଖଡାଶାଳିରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପକୁ ବିଧାୟକ ଅତନୁ ସବ୍ୟସାଚୀ ଓ ଫାଇଭ ଟି ସଚିବ ଅନୁଧ୍ୟାନ ପାଇଁ ଆସିଥିବା ବେଳେ ସାଂସଦ ଅନୁପସ୍ଥିତ ଥିଲେ ।
ଡିସେମ୍ବର ୨୬- ଜିଲ୍ଲାର ବିଜେଡି ପ୍ରତିଷ୍ଠା ଉତ୍ସବରେ ସାଂସଦଙ୍କ ଦେଖା ମିଳିନଥିଲା
ଜାନୁୟାରୀ ୮- ମନ୍ତ୍ରୀ ତୁଷାରକାନ୍ତି ବେହେରା, ବଳଦେବ ଜୀଉ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ସାଂସଦଙ୍କୁ ଦେଖିବାକୁ ମିଳିନଥିଲା

ତେଣୁ ପ୍ରଶ୍ନ ଉଠୁଛି ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା ସାଂସଦ ଦଳରେ କୋଣଠେସାର ଶିକାର ହେଉଛନ୍ତି କି ? ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ମଧ୍ୟରେ ବିବାଦକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଛି । ଏପରିକି ମାମଲା ପୁଲିସ ଓ ମହିଳା କମିସନଙ୍କୁ ମଧ୍ୟ ଯାଇଛି । ବର୍ଷାଙ୍କୁ ସୁରକ୍ଷାକର୍ମୀ ମଧ୍ୟ ଯୋଗାଇ ଦିଆଯାଇଛି ।

from Kanak News
via <a href="https://ifttt.com/?

ନବୀନ ଶୁଝିଲେ ୨୦୧୫ରେ ଆଣିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ୧୫ଲକ୍ଷ ଟଙ୍କାର ଋଣ । ଜାଣନ୍ତୁ ମୁଖ୍ୟମନ୍ତ୍ରୀ ସମ୍ପତ୍ତି ବାବଦରେ ପୂରା ତଥ୍ୟ ।

କନକ ବ୍ୟୁରୋ : ଉଭଣୀ ଗୀତା ମେହଟାଙ୍କ ଋଣ ସୁଝିଲେ ନବୀନ । ୨୦୧୫ରେ ଭଉଣୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଋଣ କରିଥିଲେ ନବୀନ । ତେବେ ଏଥର ମୁଖ୍ୟମନ୍ତ୍ରୀ ତାଙ୍କ ସମ୍ପତି ତାଲିକାରେ ଏହି ଋଣ କଥା ଦର୍ଶାଇ ନାହାନ୍ତି । ନିଜ ସମ୍ପତି ତାଲିକା ସାର୍ବଜନୀନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ମୋଟ୍ ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୬୪ କୋଟି ୯୮ ଲକ୍ଷ ଟଙ୍କା ରହିଛି । ଏହି ତାଲିକାରେ ନବୀନ ତାଙ୍କର ଆମ୍ବାସଡର କାର୍ କଥା ଦର୍ଶାଇଛନ୍ତି । ଯାହାର ଦାମ୍ ୮ ହଜାର ୯ ଶହ ଟଙ୍କା ହବ ବୋଲି କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତି ତାଲିକା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ତାଙ୍କର ସ୍ଥାବର ଅସ୍ଥାବର ସଂପତି କଥା ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ସଂପତି ତାଲିକାରୁ ଅନେକ ରୋଚକ ତଥ୍ୟ ମଧ୍ୟ ସାମନାକୁ ଆସିଛି ।

ବେଶ କିଛି ବର୍ଷ ହେଲା ଭଉଣୀ ଗୀତା ମେହେଟ୍ଟାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଋଣ ନେଇଥିବା ନେଇ ଦର୍ଶାଇ ଆସୁଥିଲେ ନବୀନ । ଏଥର କିନ୍ତୁ ସେ ଋଣ ରାଶି ନବୀନଙ୍କ ସଂପତି ତାଲିକାରେ ନାହିଁ । ଅର୍ଥାତ ଭଉଣୀଙ୍କ ଠାରୁ ଆଣିଥିବା ଋଣ ପରିଶୋଧ କରି ଦେଇଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀଙ୍କ ମୋଟ ସଂପତ୍ତି ୬୪ କୋଟି ୯୮ ଲକ୍ଷ ଟଙ୍କା । ସ୍ଥାବର ସଂପତ୍ତି ୬୩ କୋଟି ୬୪ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂପତ୍ତି ତାଲିକା ଦେଇଛନ୍ତି, ସେଥିରୁ ବଡ଼ ଭାଗ ରହିଛି ଉତ୍ତରାଧିକାର ସୂତ୍ରରେ ପାଇଥିବା ସଂପତ୍ତି । ଅଥାତ୍ ବାପା ବିଜୁ ପଟ୍ଟନାୟକ ଓ ମାଆ ଜ୍ଞାନ ପଟ୍ଟନାୟକଙ୍କ ଠାରୁ ପାଇଥିବା ସଂପତି ।

ନବୀନଙ୍କ ସ୍ଥାବର ସଂପତ୍ତି :
ନବୀନଙ୍କ ନାଁରେ ଫରିଦାବାଦରେ ରହିଛି ୨୨.୭ ଏକର ଚାଷ ଜମି । ଯାହାକୁ ସେ ତାଙ୍କ ମାଆ ଜ୍ଞାନ ପଟ୍ଟନାୟକଙ୍କ ଠାରୁ ପାଇଛନ୍ତି ଉତ୍ତରାଧିକାର ସୂତ୍ରରେ । ଯାହାର ଦାମ ୨୦୧୭ର ଭ୍ୟାଲୁଏସନ୍ ଅନୁସାରେ ୧୦ କୋଟି ୭୫ ଲକ୍ଷ ଟଙ୍କା । ଏହି ଜମିକୁ ବିକିବା ପାଇଁ ଏଗ୍ରିମେଂଟ ହୋଇଛି । ସେଥିପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ମଧ୍ୟ ନେଇଛନ୍ତି ନବୀନ ।
ସେହିପରି ବାପା ବିଜୁ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ନୂଆ-ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଥିବା ସଂପତ୍ତିର ଅଧା ଭାଗ ପାଇଛନ୍ତି ନବୀନ । ୨୦୧୪ ମସିହା ଭ୍ୟାଲୁଏସନ୍ ଅନୁଯାୟୀ ଯାହାର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ଟଙ୍କା ।
ଭୁବନେଶ୍ୱରରେ ଥିବା ନବୀନ ନିବାସର ଦୁଇ-ତୃତୀୟାଂଶ ରହିଛି ମୁଖ୍ୟମନ୍ତ୍ରୀଙ୍କ ନାଁରେ । ୨୦୧୭ ଭ୍ୟାଲୁଏସନ୍ ଅନୁସାରେ ଏହାର ମୂଲ୍ୟ ହେଉଛି ୯ କୋଟି ୫୨ ଲକ୍ଷ ।

ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ସଂପତ୍ତିକୁ ଛାଡ଼ିଦେଲେ ତାଙ୍କ ପାଖରେ ରହିଛି ୧ କୋଟି ୩ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ । ଅନ୍ୟ ସଂଚୟ ଖାତାରେ ଥିବା ଟଙ୍କାକୁ ମିଶାଇଲେ ମୋଟ ବ୍ୟାଙ୍କ ଜମା ରହିଛି, ୧ କୋଟି ୩୧ ଲକ୍ଷ ୬ ହଜାର ଟଙ୍କା । ତେବେ ଆଉ ଏକ ରୋଚକ ତଥ୍ୟ ହେଉଛି ନବୀନଙ୍କ ନାଁରେ ରହିଛି ଏକମାତ୍ର ପୁରୁଣା ଆମ୍ବାସଡର କାର । ୧୯୮୦ ମସିହାର ଏହି ଆମ୍ବାସଡର କାରର ଦାମ ୮ ହଜାର ୯ ଶହ ଟଙ୍କା ଦର୍ଶାଯାଇଛି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଦେଇଥିବା ସଂପତ୍ତି ତାଲିକାରେ ରହିଛି, ୨ ଲକ୍ଷ ୮୯ ହଜାର ଟଙ୍କାର ସୁନା ଗହଣା ।

from Kanak News
via <a href="https://ifttt.com/?

ଶ୍ରୀଜିଉଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର । ମହାପ୍ରଭୁଙ୍କ ପାଇଁ ୩ ହଳ ସୂର୍ଯ୍ୟ-ଚନ୍ଦ୍ର ଦାନ କଲେ ଭୁବନେଶ୍ୱରର ଭକ୍ତ ।

କନକ ବ୍ୟୁରୋ: ଶ୍ରୀଜିଉଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର । ମହାପ୍ରଭୁଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର ଦାନ କଲେ ଭକ୍ତ । ଭୁବନେଶ୍ୱରର ପଦ୍ମ ଚରଣ ପାତ୍ର ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ  ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ଦାନ କରିଛନ୍ତି ପଦ୍ମ ।

ତେବେ ଶ୍ରୀଜିଉଙ୍କ ପାଇଁ ୩ ହଳ ସୂର୍ଯ୍ୟ-ଚନ୍ଦ୍ରରେ ପ୍ରାୟ ୩୧୯ ଗ୍ରାମ ସୁନା ଏବଂ ୮୨୨ ଗ୍ରାମ ରୂପା ବ୍ୟବହାର ହୋଇଛି । ଭାବର ଠାକୁରର ଭାବରେ ପଡି ପଦ୍ମ ଏହି ଭକ୍ତି ଦାନ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ତିନି ଦିଅଙ୍କୁ ଲାଗି କରାହେବ ।

from Kanak News
via <a href="https://ifttt.com/?

କାଳିଆ ଦର୍ଶନ ପାଇଁ ହଟିଲା କଟକଣା । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ୨୧ତାରିଖରୁ ଦରକାର ନାହିଁ କରୋନା ରିପୋର୍ଟ, ସକାଳ ୭ ଟାରୁ ଆରମ୍ଭ ହେବ ସାଧାରଣ ଦର୍ଶନ ।

କନକ ବ୍ୟୁରୋ : ଭକ୍ତ ଓ ଭଗବାନଙ୍କ ଭିତରେ ବାଧକ ହେବନି କୋଭିଡ୍ ରିପୋର୍ଟ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ନଜରରେ ରଖି ଆଜି ବଡ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ୨୧ ତାରିଖରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଆବଶ୍ୟକ ହେବ ନାହିଁ କରୋନା ନେଗେଟିଭ୍ ରିପୋର୍ଟ । ତେବେ ମନ୍ଦିରକୁ ଯିବା ସମୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା କଟକଣା ମାନିବାକୁ ପଡିବ । ଆସନ୍ତା ୨୧ ତାରିଖରୁ ଦୈନିକ ପ୍ରାୟ ୩୦ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି ।

କୋହଳ ହେଲା କାଳିଆ ଦର୍ଶନ କଟକଣା । ୨୧ରୁ ଆବଶ୍ୟକ ହେବନି କୋଭିଡ୍ ରିପୋର୍ଟ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର । ଗୋଟିଏ ସପ୍ତାହର ଅନୁଧ୍ୟାନ ପରେ ଭକ୍ତଙ୍କ ଭାବନାକୁ ନଜରରେ ରଖି କାଳିଆ ଦର୍ଶନ ପାଇଁ ଥିବା କଟକଣାକୁ କୋହଳ କରିଛି ପ୍ରଶାସନ । ଆସନ୍ତା ଜାନୁଆରୀ ୨୧ ତାରିଖରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆବଶ୍ୟକ ହେବନାହିଁ କରୋନା ନେଗେଟିଭ୍ ରିପୋର୍ଟ । ଅର୍ଥାତ ଯେ କୌଣସି ଭକ୍ତ ବିନା ବାଧାରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବ ।

ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଥିବା ଦର୍ଶନ ସମୟରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ନିଷ୍ପତି ନିଆଯାଇଛି । ସାଧାରଣ ଭକ୍ତଙ୍କ ପାଇଁ ସକାଳ ୭ଟାରୁ ଆରମ୍ଭ ହେବ ଦର୍ଶନ । ପୁରୀ ସହରବାସୀ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ । ତାପରେ ଦର୍ଶନ କରିବାକୁ ଆସିଲେ ସାଧାରଣ ଭକ୍ତଙ୍କ ଭଳି ଧାଡିରେ ଯାଇ ଦର୍ଶନ କରିପାରିବେ । ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା ରହିବ । ଏଥିସହ ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଜାନୁଆରୀ ୩ରୁ ସିଂହଦ୍ୱାର ଖୋଲିଥିଲେ ବି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ହୋଇ ଛିଡା ହୋଇଥିଲା କୋଭିଡ୍ ନେଗେଟିଭ୍ ରିପୋର୍ଟ । ଯେଉଁମାନେ କୋଭିଡ୍ ରିପୋର୍ଟ ଦେଖାଇ ପାରୁନଥିଲେ, ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରୁନଥିଲେ । ଫଳରେ ମନ୍ଦିରକୁ ଯେତିକି ଯାଉଥିଲେ ତାଠୁ ଅଧିକ ଭକ୍ତ ବାହାରୁ ପତିତପାବନଙ୍କୁ ଦର୍ଶନ କରି ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଥିଲେ ।

from Kanak News
via <a href="https://ifttt.com/?

ନବରଙ୍ଗପୁରରେ ଭୁଶୁଡିଲା ନିର୍ମାଣଧୀନ ପୋଲ । ଜଣେ ମୃତ, ୩ ଗୁରୁତର । କାମ ସାରି ଫେରିବା ବେଳେ ଅଘଟଣ ।

କନକ ବ୍ୟୁରୋ: ବଡ ଖବର । ନବରଙ୍ଗପୁରରେ ଭୁଶୁଡିଲା ପୋଲ । ନିର୍ମାଣଧୀନ ଅବସ୍ଥାରେ ପୋଲ ଭୁଶୁଡିଲା । ଦୁର୍ଘଟଣାରେ ୧ ମୃତ, ୩ ଗୁରୁତର । ମୃତକଙ୍କ ପରିଚୟ ମିଳିନି । ଶ୍ରମିକମାନେ ପୁରୀ ଅଞ୍ଚଳର ସୂଚନା । ସମସ୍ତେ କାମ ସାରି ଘରକୁ ଫେରୁଥିଲେ ।

ତେବେ ନବରଙ୍ଗପୁରରେ ତାଲାପଦର ନିକଟରେ ନିର୍ମାଣାଧୀନ ପୋଲ ଭୁଶୁଡି ୭ ଶ୍ରମିକ ଆହତ ହୋଇଥିଲେ । ସେଥିରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ସମସ୍ତ ଶ୍ରମିକଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଲାପଦର ନିକଟରେ ଚାଲିଥିଲା ପୋଲ ନିର୍ମାଣ କାମ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିଲା ନିର୍ମାଣ କାମ । ଆଉ ଆଜି ହଠାତ ଅଘଟଣ ଘଟି ଜଣଙ୍କର ଜୀବନ ଯାଇଛି ।

from Kanak News
via <a href="https://ifttt.com/?

କାଳ ହେଲା ବଣଭୋଜି । କୋଏଲ ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୨ ଯୁବକ । ଜଣେ ମୃତ, ଜଣେ ଗୁରୁତର ।

କନକ ବ୍ୟୁରୋ : କାଳ ହେଲା ବଣଭୋଜି । ପିକନିକରେ ଯାଇ ନଈରେ ଗାଧୋଇବା ବେଳେ ପାଣିରେ ବୁଡିଗଲେ ୨ ସାଙ୍ଗ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ କୋଏଲ ନଦୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେଟରକେଲା ଘାଟରେ ପିକ୍‌ନିକ କରୁଥିବା ବେଳେ ୨ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ରାଉରକେଲା ଟିମ୍ବର କଲୋନିରୁ ଆଜି ସକାଳୁ ୯ ଜଣ ସାଙ୍ଗ କୋଏଲ ନଦୀର ‌ତେଟରକେଲା ଘାଟକୁ ପିକନିକ କରିବାକୁ ଯାଇଥିଲେ । ଏମାନେ ସମସ୍ତେ ପିକନିକ ସ୍ଥଳୀକୁ ‌ପହଂଚିବା ପରେ ମଜାମସ୍ତି କରିଥିଲେ । ଅପରାହ୍ନ ସାଢ଼େ ୨ଟାରେ ଭୋଜି ଖାଇଥିଲେ । ଏହା ପରେ ସେମାନେ ସମସ୍ତେ ଗାଧୋଇବାକୁ ପାଣିରେ ପଶିଥିଲେ । ଗାଧୋଇବା ସମୟରେ ୨ ଜଣ ସାଙ୍ଗ ନିଖୋଜ ହୋଇଯାଇଥିଲେ । ବିକି ଶର୍ମା (୧୭) ଓ ଦୀପକ ଖଣ୍ଡୁଆଳ (୨୨) ପାଣିରେ ବୁଡ଼ି ଯାଇଥିଲେ । ୯ ଜଣଙ୍କ ମଧ୍ୟରୁ ଜଣେ ପହଁରି ଜାଣିଥିଲେ । ସେ ଦୀପକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । କିନ୍ତୁ ବିକିଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ଅଧ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଁଚି ବିକିର ମୃତଦେହ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଗତ ଡିସେମ୍ବର ମାସ ୨୦ ତାରିଖରେ ରାଉରକେଲା ସେକ୍ଟର-୫ ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ୧୦ମ ଶ୍ରେଣୀର ୯ ଜଣ ଛାତ୍ର ବଣଭୋଜି କରିବାକୁ କୋଏଲ ନଦୀର ଜାମସେରା ଘାଟକୁ ଯାଇଥିଲେ । ଗାଧୋଉଥିବା ସହ ପ୍ଲାଷ୍ଟିକ୍‌ ‌ବୋତଲ୍‌ ଫିଙ୍ଗାଫିଙ୍ଗି ଖେଳୁଥିବାବେଳେ ଭୁବେଶ ପ୍ରସାଦ, କୌଶିକ, ସୁଜନ ଓ କୌଶିକ ବୁଡି ଯାଇଥିଲେ। ସ୍ଥାନୀୟ କେର୍କେଟା ଗାଁର ସୁରେନ୍ଦ୍ର କଚ୍ଛପ ଜଣେ ଛାତ୍ରଙ୍କୁ ଉଦ୍ଧାର କରିଥିବାବେଳେ ଭୁବେଶ, କୌଶିକ, ସୁଜନ୍‌ ବୁଡି ନିଖୋଜ ହୋଇଯାଇଥିଲେ । ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିବାର ଘଣ୍ଟାକ ପରେ ଭୁବେଶ, ସୁଜନଙ୍କ ଶବ ଉଦ୍ଧାର କରିଥି‌ଲେ । ପରଦିନ କୌଶିକର ଶବ ଉଦ୍ଧାର କରାଯାଇଥିଲା ।

ସେହିପରି ଗତ ନଭେମ୍ବର ମାସରେ ମୋବାଇଲ ମରାମତି କରୁଥିବା ରାଉରକେଲାର ୫ ଜଣ ସାଙ୍ଗ ତେଟରକେଲା ଘାଟକୁ ପିକନିକ କରିବାକୁ ଯାଇଥିଲେ । ସେହିଦିନ ମଧ୍ୟ ଜଣେ ଯୁବକଙ୍କ ପାଣିରେ ବୁଡ଼ିଯିବାରୁ ମୃତ୍ୟୁ ହୋଇଥିଲା ।

from Kanak News
via <a href="https://ifttt.com/?

ହ୍ୱାଟସଆପର ବିକଳ୍ପ ଭାବେ ସାମ୍ନାକୁ ଆସିଲା ସିଗନାଲ ଆପ୍ । ବ୍ୟବହାର କରିବାକୁ ଅପିଲ କଲେ ବିଶ୍ୱର ନମ୍ବର ୱାନ ଧନୀ ।

କନକ ବ୍ୟୁରୋ : ହ୍ୱାଟସଆପ ହାତ ଛାଡିଲେ ୟୁଜର୍ସଙ୍କୁ ସମ୍ଭାଳିବ ସିଗନାଲ । ମେସେଜିଙ୍ଗ ଆପ୍ ହ୍ୱାଟସଆପ ନିଜର ପ୍ରାଇଭେସୀ ଟର୍ମ ଓ ପଲିସି ବଦଳାଇବାକୁ ଯାଉଛି । ଆସନ୍ତାମାସ ୮ ତାରିଖରୁ ଏହି ନୂଆ ପଲିସି ଲାଗୁ କରିବାକୁ ଯାଉଛି ହ୍ୱାଟସଆପ । ଏହାଦ୍ୱାରା ହ୍ୱାଟ୍ସଆପ ନିଜ ୟୁଜର୍ସଙ୍କ ଗୋପନୀୟ ତଥ୍ୟ ଫେସବୁକ ଓ ଫେସବୁକର ଅନ୍ୟ କଂପାନୀ ସହ ତଥ୍ୟ ସେୟାର କରିବ । ଏଥିପାଇଁ ୟୁଜର୍ସଙ୍କ ଅନୁମତି ଲୋଡୁଛି ହ୍ୱାଟସଆପ । ଯଦି ହ୍ୱାଟସଆପର ଏହି ସର୍ତ୍ତରେ ରାଜି ନ ହୁଅନ୍ତି ତେବେ ଆପଣଙ୍କୁ ଆକାଉଣ୍ଟ ଡିଲିଟ୍ କରିବାକୁ ପଡିବ । ଯାହା ଏବେ ୟୁଜର୍ସଙ୍କ ଚିନ୍ତା ବଢାଇଛି । କାରଣ ଅତି ସହଜରେ ଓ ଖୁବ କମ ସମୟ ମଧ୍ୟରେ କୌଣସି ମେସେଜ ପଠାଇବାର ସବୁଠାରୁ ସହଜ ମାଧ୍ୟମ ସାଜିଥିଲା ହ୍ୱାଟସଆପ । କିନ୍ତୁ ପ୍ରାଇଭେସୀ ପଲିସି ବଦଳାଇବା ପରେ ୟୁଜର୍ସ ହ୍ୱାଟସଆପର ବିକଳ୍ପ ଆପ ବାବଦରେ ଚିନ୍ତା କରୁଛନ୍ତି । ଆଉ ଏବେ ହ୍ୱାଟସଆପର ବିକଳ୍ପ ଭାବେ ଉଭା ହୋଇଛି ସିଗନାଲ । ଯେଉଁ ଆପକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

ହ୍ୱାଟସଆପର ନୂଆ ପ୍ରାଇଭେସୀ ପଲିସି ସିଗନାଲ ଆପ୍ ପାଇଁ ବଡ ସୁଯୋଗ ସୃଷ୍ଟି କରିଛି । ୨୦୧୪ରେ ଲଞ୍ଚ ହୋଇଥିବା ସିଗନାଲ ଆପ୍ ରାତାରାତି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି । ହ୍ୱାଟସଆପ ଭଳି ସିଗନାଲ ଆପରେ ମଧ୍ୟ ମେସେଜ ସହ ଭିଡ଼ିଓ କଲିଂ, ଫଟୋ, ଭିଡ଼ିଓ ମଧ୍ୟ ସେୟାର କରିପାରିବେ । ଏହି ଆପରେ ୧୫୦ ଜଣଙ୍କୁ ନେଇ ଗ୍ରୁପ୍ ମଧ୍ୟ ତିଆରି କରାଯାଇପାରିବ । କିନ୍ତୁ ଏହି ଗ୍ରୁପରେ ଆପଣ ସିଧାସଳଖ କାହାକୁ ସାମିଲ କରିପାରିବେ ନାହିଁ । ଉକ୍ତ ୟୁଜର୍ସ ଅନୁମତି ଦେବା ପରେ ଆପଣ ଗ୍ରୁପରେ ତାଙ୍କୁ ସାମିଲ କରିପାରିବେ । ୟୁଜର୍ସଙ୍କ ପ୍ରାଇଭେସିକୁ ଗୁରୁତ୍ୱ ଦେଉଥିବାରୁ ସିଗନାଲ ଆପକୁ ଆପଣାଇଲେଣି ଲୋକେ । ହ୍ୱାଟସଆପ ଅପେକ୍ଷା ସିଗନାଲ ଆପ୍ ଅଧିକ ସୁରକ୍ଷିତ କାରଣ ଏହି ଆପରେ କଲ, ମେସେଜ ସହ ୟୁଜର୍ସଙ୍କ ସମସ୍ତ ଡାଟା ମଧ୍ୟ ଏଣ୍ଡ ଟୁ ଏଣ୍ଡ ଏନକ୍ରିପଟେଡ ରହିଛି । ଯାହାଦ୍ୱାରା ୟୁଜର୍ସଙ୍କ କୌଣସି ଡାଟା କମ୍ପାନି ପକ୍ଷରୁ ଷ୍ଟୋର କରାଯାଇନଥାଏ । ସିଗନାଲ ଆପ୍ କେବଳ ୟୁଜର୍ସଙ୍କ ମୋବାଇଲ ନମ୍ବର ନେଇଥାଏ ଯେଉଁଥିରେ ଆକାଉଣ୍ଟ ଖୋଲାଯାଇଥାଏ ।

ଏହାବାଦ୍ ସିଗନାଲ ଆପର ଲୋକପ୍ରିୟତା ଏଥିପାଇଁ ବଢିଛି କାରଣ, ଏହି ଆପରେ ୟୁଜର୍ସଙ୍କୁ ଡାଟା ଲିଙ୍କଡ୍ ଟୁ ୟୁ ଫିଚର ଦିଆଯାଇଛି । ଏହି ବିକଳ୍ପକୁ ବାଛିବା ସହ କୌଣସି ଚାଟିଂର ସ୍କ୍ରିନସଟ୍ ନିଆଯାଇପାରିବ ନାହିଁ । ତେଣୁ ଦୁଇ ଜଣଙ୍କ ମଧ୍ୟରେ ହେଉଥିବା ବାର୍ତ୍ତାଳାପକୁ ଏହା ଆହୁରି ଅଧିକ ସୁରକ୍ଷତି କରିଥାଏ । ୟୁଜର୍ସ ଏହି ଫିଚରକୁ ଏଥିପାଇଁ ଗୁରୁତ୍ୱ ଦେଉଛନ୍ତି କାରଣ, କିଛି ଦିନ ପୂର୍ବେ ସୁଶାନ୍ତଙ୍କ ମାମଲାରେ ବଲିଉଡର ବଡ ବଡ ଷ୍ଟାରଙ୍କ ହ୍ୱାଟସଆପ ଚାଟ୍ ଭାଇରାଲ ହୋଇଥିଲା । ଯାହାକୁ ନେଇ ହ୍ୱାଟସଆପର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଛିଡା ହୋଇଥିଲା । କାରଣ ହ୍ୱାଟସଆପ ମେସେଜରେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନର ଭରସା ଦେଉଥିବା ବେଳେ ଏହା କିଭଳି ଭାଇରାଲ ହେଲା ।

ସିଗନାଲ ଆପକୁ ପସନ୍ଦ କରିବା ପଛର ଆଉ ଏକ ବଡ କାରଣ ହେଲା, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମେସେଜ ଆପଣାଛାଏଁ କଟିଯିବା । ତେବେ ଏଥିପାଇଁ ୟୁଜର୍ସଙ୍କୁ ୧୦ ସେକେଣ୍ଡରୁ ଆରମ୍ଭ କରି ସପ୍ତାହେ ପର୍ଯ୍ୟନ୍ତ ସମୟସୀମା ସେଟ୍ କରିବାକୁ ପଡିବ । ଏସବୁକୁ ଫିଚର ରହିଥିବାରୁ ସିଗନାଲ ଆପକୁ ଅଧିକ ସୁରକ୍ଷିତ ବୋଲି କୁହାଯାଉଛି । ଏହାଛଡା ବିଶ୍ୱର ବଡ ଧନୀ ଏଲନ ମସ୍କଙ୍କ ଗୋଟିଏ ଟ୍ୱିଟ୍ ସିଗନାଲ ଆପକୁ ଆହୁରି ଲୋକପ୍ରିୟ କରିଛି । ସିଗନାଲ ଆପ ବ୍ୟବହାର କରିବାକୁ ଏଲନ ଟ୍ୱିଟ୍ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ସିଗନାଲ ଆପ୍ କାହିଁକି ହ୍ୱାଟସଆପର ବିକଳ୍ପ ଭାବେ ଟେଲିଗ୍ରାମର ନାଁ ମଧ୍ୟ ସାମ୍ନାକୁ ଆସୁଛି । କିନ୍ତୁ ପ୍ରାଇଭେସି ମାମଲାରେ ସିଗନାଲ ଆପ୍ ସମସ୍ତଙ୍କୁ ପଛରେ ପକାଇ ଏବେ ହ୍ୱାଟସଆପର ବଡ ବିକଳ୍ପ ଭାବେ ଛିଡା ହୋଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started