ରାଉରକେଲା ଷ୍ଟିଲ ପ୍ଲାଟ ଗ୍ୟାସ ଲିକ ଘଟଣାରେ କାର୍ଯ୍ୟାନୁଷ୍ଠାନ : ଆଉ ଜଣେ ଅଧିକାରୀ ନିଲମ୍ବିତ

କନକ ବ୍ୟୁରୋ : ରାଉରକେଲା ଷ୍ଟିଲ ପ୍ଲାଟ ଗ୍ୟାସ ଲିକ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଆଉ ଜଣେ ଅଧିକାରୀ ହେଲେ ନିଲମ୍ବିତ । ଗତକାଲି ଇସ୍ପାତ କାରଖାନାରେ ଭୟଙ୍କର ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ପରେ ୨ ଅଧିକାରୀ ହୋଇଥିଲେ ସସପେଣ୍ଡ । ଘଟଣାରେ ମୋଟ ୩ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ପୂର୍ବରୁ କାର୍ଯ୍ୟରେ ଅବହେଳା ପାଇଁ ଶକ୍ତି ପରିଚାଳନା ବିଭାଗ (ଇଏମ୍‌ଡି)ର ଡିଜିଏମ୍‌ ଜି. ବାରିକ୍‌ ଓ କୋଲ୍‌ କେମିକାଲ ବିଭାଗର (ସିସିଡି)ର ଡିଜିଏମ୍‌ ଏନ୍‌. ଦାଶଙ୍କୁ ଆର୍‌ଏସ୍‌ପି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀପକ କୁମାର ଚଟ୍ଟରାଜ ନିଲମ୍ବିତ ହୋଇଛନ୍ତି

ସୂଚନାନୁସାରେ, ସିସିଡିର ଗ୍ୟାସ୍‌ ମିକ୍ସିଂ ଟ୍ୟାଙ୍କ୍‌ ଇଲାକାରେ ମରାମତି କାମ ଚାଲିଥିଲା। ହଠାତ୍‌ ପାଇପ୍‌ରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଚାରିଆଡକୁ ବ୍ୟାପି ଯାଇଥିଲା। ପାଖରେ ମରାମତି କାମ କରୁଥିବା ୧୦ ଜଣ ଠିକା ଶ୍ରମିକ ଗ୍ୟାସ୍‌ ସଂସ୍ପର୍ଶରେ ଆସି ଅସୁସ୍ଥ ଅନୁଭବ କରିଥିଲେ । ଏମାନଙ୍କ ମଧ୍ୟରୁ ଠିକାସଂସ୍ଥାର ସୁପରଭାଇଜର ବ୍ରହ୍ମାନନ୍ଦଙ୍କ ସମେତ ଅଭିମନ୍ୟୁ, ରବୀନ୍ଦ୍ର ଓ ଗଣେଶ ଗୁରୁତର ହୋଇ ପଡିଥିଲେ। କାରଖାନା ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି କାରଖାନା ପରିସରସ୍ଥ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ତାପରେ ସେଠାରୁ ସେମାନଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଜ୍‌)ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।।

from Kanak News
via <a href="https://ifttt.com/?

ଆସନ୍ତାକାଲିଠାରୁ ଖୋଲିବ ସ୍କୁଲ : ସ୍ୱାଭିମାନ ଅଂଚଳରେ ଚାଲିଛି ପ୍ରସ୍ତୁତି; ସ୍କୁଲକୁ ସାନିଟାଇଜ୍ କରୁଛନ୍ତି ଶିକ୍ଷକ

କନକ ବ୍ୟୁରୋ : ସ୍କୁଲ ଖୋଲିବା ଆଗରୁ ସୁନ୍ଦରଗଡ ଜିଲ୍ଲାରେ ଜୋରସୋରରେ ଚାଲଛି ସ୍କୁଲ ଗୁଡିକର ସାନିଟାଇଜେସନ୍ କାମ । ସହର ପରି ଗ୍ରାମାଂଚଳରେ ଥିବା ସ୍କୁଲ ଗୁଡିକୁ ମଧ୍ୟ ସଫେଇ ସହିତ ବିଶୋଧନ କାମ ଚାଲିଛି । ଶ୍ରେଣୀଗୃହ ଠାରୁ ଆରମ୍ଭ କରି ରୋଷେଇ ଘର, ହ ଷ୍ଟେଲ ସବୁର ସଫେଇ କାମ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଛି । କୋଭିଡ ନିୟମକୁ କଡାକଡି ପାଳନ କରାଯିବା ସହିତ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଚି ।

ସେପଟେ, ସ୍କୁଲ ଖୋଲିବାକୁ ନେଇ ସ୍ୱାଭିମାନ ଅଂଚଳରେ ଚାଲିଛି ପ୍ରସ୍ତୁତି । ସ୍ୱାଭିମାନ ଅଂଚଳର ବଡପୋଡାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟକୁ ସାନିଟାଇଜ କରୁଛନ୍ତି ଶିକ୍ଷକ । ଯେଉଁ ପିଲାମାନେ ହଷ୍ଟେଲରେ ରହିବେ ସେମାନଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା କରାଯାଇଛି ।

from Kanak News
via <a href="https://ifttt.com/?

ଯୁବକ କରୁଥିଲା ଆତ୍ମହତ୍ୟାର ଫେସବୁକ୍ ଲାଇଭ । ଫେସବୁକର ମୁଖ୍ୟାଳୟ ଆୟର୍ଲାଣ୍ଡ ଏଚକ୍ୟୁ ମୁମ୍ବାଇ ସାଇବର ପୋଲିସକୁ ଦେଲା ସୂଚନା । ୫୦ ମିନିଟ୍ ମଧ୍ୟରେ ଉଦ୍ଧାର କଲା ଧୁଲେ ପୋଲିସ

କନକ ବ୍ୟୁରୋ : ଆଜିକା ସମୟରେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ଲୋକଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି । ସୋସିଆଲ ମିଡିଆ ଲୋକଙ୍କ ପାଖରେ ଦେଶ ବିଦେଶର ଖବର ଠାରୁ ପ୍ରିୟ ପରିଜନଙ୍କ ପର୍ଯ୍ୟନ୍ତ ପହଂଚାଇବାରେ ସହଯୋଗ କରୁଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ଲୋକର ଜୀବନ ବଂଚାଇଛି ଫେସବୁକ । ସୂଚନା ମୁତାବକ ଆୟର୍ଲାଣ୍ଡର ଫେସବୁକ୍ ଏଚକ୍ୟୁ ମହାରାଷ୍ଟ୍ରର ଧୁଲେଇ ଅଞ୍ଚଳରେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ବ୍ୟକ୍ତିର ଜୀବନ ବଞ୍ଚାଇଛି । ହେଲେ ଏହା କିଭଳି ସମ୍ଭବ ହୋଇପାରିଲା ଆସନ୍ତୁ ଜାଣିବା ।
ମହାରାଷ୍ଟ୍ର ଧୁଲେ ଅଞ୍ଚଳର ଜଣେ ୨୩ ବର୍ଷ ବୟସ୍କା ବ୍ୟକ୍ତି ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ତାହାକୁ ଫେସବୁକ୍ ଲାଇଭ୍ କରୁଥିଲେ । ଏହି ଫେସବୁକ୍ ଲାଇଭରେ ଦେଖିବାକୁ ମିଳିଥିଲା କି ଯୁବକ ଜଣକ ଏକ ଧାରୁଆ ଅସ୍ତ୍ର ସହାୟତାରେ ନିଜର ଗଳାକାଟିବାକୁ ଚେଷ୍ଟା କରୁଥିଲେ   । ଏନେଇ ଆୟର୍ଲାଣ୍ଡର ଫେସବୁକ୍ ଏଚକ୍ୟୁ ଏହାକୁ ଦେଖି ମୁମ୍ବାଇର ସାଇବର ଥାନାକୁ ସୂଚନା ଦେଇଥିଲା । ସକାଳ ୮.୩୦ ମିନିଟରେ ମୁମ୍ବାଇ ପୋଲିସ ସୂଚନା ପାଇବା ପରେ ସେ ସଂଗେ ସଂଗେ ଏହି ସୂଚନା ଓ ଲୋକେସନକୁ ଧୁଲେ ପୋଲିସକୁ ଜଣାଇଥିଲେ । ଧୁଲେ ପୋଲିସ ୯ ଟା ସୁଦ୍ଧା ସେଠାରେ ପହଂଚିଯାଇଥଲା । ସେଠାରେ ପହଂଚିବା ପରେ ଦେଖିବାକୁ ମିଳିଥିଲା କି ଯୁବକ ଜଣକ ନିଜ ଗଳାର କିଛି ଅଂଶ କାଟିବା ପରେ ବେହୋସ ହୋଇ ଘର ଭିତରେ ପଡି ରହିଥିଲେ । ପୋଲିସ ସଂଗେ ସଂଗେ ତାଙ୍କୁ ମେଡିକାଲକୁ ପଠାଇଥିଲା ଓ ସେଠାରେ ଯୁବକ ଜଣଙ୍କର ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଯାଇଥିଲେ ।
ଯୁବକ ଜଣକ ସୁସ୍ଥ ହୋଇ ଘରକୁ ଯିବା ପୂର୍ବରୁ ମହାରାଷ୍ଟ୍ର ଧୁଲେର ଏସପି ଚିନ୍ମୟ ପଣ୍ଡିତ ତାଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ । ସେଠାରେ ଶ୍ରୀ ପଣ୍ଡିତ ତାଙ୍କ ସହ କଥା ହେବା ପରେ ଯାହା କହିଛନ୍ତି ତାହା ଏହି ଭଳି ଯୁବକ ଜଣଙ୍କର ମା ଧୁଲେ ଥାନାରେ ଜଣେ ମହିଳା ଗୃହରକ୍ଷୀ ଭାବେ କାର୍ଯ୍ୟରତ ଓ ତାଙ୍କ ପିତା ମାଲେଗାଁଓ ଅଞ୍ଚଳରେ ଜଣେ କୃଷକ ଅଟନ୍ତି । ଯୁବକ ଜଣକ ଏକ ଘରୋଇ ଫାର୍ମରେ କାମ କରୁଛନ୍ତି । କୌଣସି ଏକ କାରଣକୁ ନେଇ ସେ ମାନସିକ ଅବସାଦ ଯୋଗୁଁ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ । ଏସପି ଶ୍ରୀ ଚିନ୍ମୟ ପଣ୍ଡିତ କହିଛନ୍ତି କି ଯୁବକ ଜଣକୁ ବୂୁଝାସୁଝା କରିବା ପରେ ସେ ପ୍ରତିଶୃତି ଦେଇଛନ୍ତି କି ସେ କେବେବି ଆଉ ଏଭଳି ଉଦ୍ୟମ କରିବେ ନାହିଁ ।

from Kanak News
via <a href="https://ifttt.com/?

ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ ସୌରଭ ଗାଙ୍ଗୁଲି : ହସ୍ପିଟାଲ୍ କର୍ତ୍ତୃପକ୍ଷ ଏବଂ ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ

କନକ ବ୍ୟୁରୋ : ଦୀର୍ଘ ପାଞ୍ଚ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଗୁରୁବାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ ହସ୍ପିଟାଲ୍‌ରୁ ଗତକାଲି ଡିସ୍‌ଚାର୍ଜ ହୋଇଥାନ୍ତେ, ମାତ୍ର ତାଙ୍କ ସ୍ବଇଚ୍ଛାରେ ଆଉ ଗୋଟାଏ ଦିନ ଅଧିକ ହସ୍ପିଟାଲ୍‌ରେ ରହିବାକୁ ଚାହିଁଥିଲେ। ଫଳରେ ଆଜି ପୂର୍ବାହ୍ନରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି।

କୋଲକାତାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଗାଙ୍ଗୁଲି କହିଛନ୍ତି କି ‘ହସ୍ପିଟାଲ୍‌ରେ ମୋର ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ପୂରାପୂରି ଭଲ ଅଛି।’ ଗତ ୨ ତାରିଖ  ସକାଳେ ଜିମରେ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗାଙ୍ଗୁଲି। ଏହାପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା।

ଆଞ୍ଜିଓପ୍ଲାଷ୍ଟି କରାଯିବା ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କଥା ଡାକ୍ତର ସୂଚନା ଦେଇଥିଲେ। ତେବେ ତାଙ୍କର ଆର୍ଟେରି ବ୍ଳକେଜ ରହିଥିବା ହେତୁ ଏଭଳି ସମସ୍ୟା ଦେଖ‌ା ଦେଇଥିବା ଡାକ୍ତରମାନେ ସେ ସମୟରେ କହିଥିଲେ। ବିଶେଷକରି ଆଞ୍ଜିଓପ୍ଲାଷ୍ଟି ରିପୋର୍ଟରୁ ତାଙ୍କ ହୃତ୍‌ପିଣ୍ଡରେ ତିନିଟି ବ୍ଲକେଜ୍ ହୋଇଯାଇଥିବା ଜଣାପଡ଼ିଥିଲା। ସେ ସଂପୂର୍ଣ୍ଣ ବିପଦମୁକ୍ତ ବୋଲି ଡାକ୍ତରମାନେ କହିଥିଲେ। ରବିବାର  ଦିନ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ରହିଥିଲା। ତେବେ ଗାଙ୍ଗୁଲି ଏବେ ବିପଦ ମୁକ୍ତ ଥିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯିବାରେ କୌଣସି ଅସୁବିଧା ନାହିଁ ବୋଲି ହସ୍ପିଟାଲ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା।

from Kanak News
via <a href="https://ifttt.com/?

୧୦ ମାସ ପରେ କାଲିଠାରୁ ଖୋଲିବ ସ୍କୁଲ : କେବଳ ଦଶମ ଓ ଦ୍ୱାଦଶ ପିଲା ଯିବେ ସ୍କୁଲ; ୧୦୦ ଦିନ ପାଇଁ ହେବ ପାଠପଢା

କନକ ବ୍ୟୁରୋ : କାଲିଠାରୁ ରାଜ୍ୟରେ ସ୍କୁଲ ଖୋଲିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ । ୧୦୦ ଦିନ ପାଇଁ ପାଠପଢା ହେବ । ତେବେ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ବାର୍ଷିକ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରସ୍ତୁତି ଓ ସର୍ବବାରତୀୟ ସ୍ତରରେ ହେଉଥିବା ପ୍ରତିଯୋଗୀତା ପାଇଁ ପିଲାଙ୍କୁ ପ୍ରସ୍ତୁତି କରିବା ପାଇଁ ସ୍କୁଲ ଖୋଲାଯିବ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ସ୍କୁଲ ଚାଲିବ । ସେହିପରି ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ତାରିଖ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ୨୯ରୁ ମେ ୧୪ ଯାଏଁ ହେବ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୩ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୧୫ରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପାଠପଢା ପାଇଁ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି ।

ସେହିପରି ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବ । ଗାଇଡଲାଇନ୍ ମାନି ଖୋଲିବ ହଷ୍ଟେଲ । ଅଭିଭାବକଙ୍କ ଲିଖିତି ଅନୁମତି ପରେ ହଷ୍ଟେଲରେ ରହିହେବ । ଅନଲାଇନ ଶିକ୍ଷାର ସୁବିଧା ନଥିବା ପିଲାଙ୍କୁ ଅଗ୍ରାଧିକାର ମିଳିବ । ହଷ୍ଟେଲରେ ପ୍ରବେଶ ପୂର୍ବରୁ ପ୍ରତି ପିଲାଙ୍କ ସ୍କ୍ରିନିଂ କରାଯିବ । ଲକ୍ଷଣ ନଥିବା ପିଲାଙ୍କୁ ହିଁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ । କୌଣସି ଅଜଣା ଲୋକଙ୍କୁ ହଷ୍ଟେଲକୁ ଛଡାଯିବ ନାହିଁ । ପିଲା ଓ ହଷ୍ଟେଲ କର୍ମଚାରୀଙ୍କ ସବୁଦିନ ସ୍କ୍ରିନିଂ କରାଯିବ । ସମସ୍ତଙ୍କର ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଅନ୍ତେବାସୀ କୌଣସି ସଫେଇ କାମ କରିବେ ନାହିଁ । ପିଲାଙ୍କ ପାଇଁ ବାହାରୁ କୌଣସି ଖାଦ୍ୟ ଅର୍ଡର ହେବନି । ଉଷୁମ ଓ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦେବାକୁ ନିର୍ଦ୍ଦେଶ ।

from Kanak News
via <a href="https://ifttt.com/?

ଆମେରିକା ସଂସଦ ପରିସରରେ ଟ୍ରମ୍ପ୍ ସମର୍ଥକଙ୍କ ଆକ୍ରମଣ । ୪ ଜଣଙ୍କ ମୃତ୍ୟୁ । ୧୫ ଦିନ ପାଇଁ ୱାଶିଂଟନ ଡିସିରେ ପବ୍ଲିକ ଏମରଜେନ୍ସି ।

କନକ ବ୍ୟୁରୋ :  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ କାର୍ଯ୍ୟଦିବସରେ ଆମେରିକାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଏଥର ୱାସିଂଟନ ସ୍ଥିତ କ୍ୟାପିଟାଲ ହିଲ୍ ଠାରେ ଟ୍ରମ୍ପଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ଯେତେବେଳେ ଭାରତରେ ଅଧରାତି ହୋଇଥିଲା ଏହି ସମୟରେ ଆମେରିକାରେ ହଜାର ହଜାର ସଂଖ୍ୟାର ଟ୍ରମ୍ପ ସମର୍ଥକ ମାନେ ହାତରେ ହତିଆର ଧରି କ୍ୟାପିଟାଲ ହିଲରେ ପ୍ରବେଶ କରିଥିଲେ । ସେଠାରେ ସେମାନେ ଭଙ୍ଗାରୋଜା କରିବା ସହ ସିନେଟରେ ଥିବା ସାଂସଦ ମାନଙ୍କୁ ବହାରକୁ ବାହାର କରିଦେଇଥିଲେ । ଏହାପରେ ସେମାନେ କ୍ୟାପିଟାଲ ହିଲକୁ ଦଖଲ କରିଥିଲେ । ଏନେଇ ସୁରକ୍ଷାବଳ ଦୀର୍ଘ ସମୟ ପ୍ରୟାସ କରି ହିଂସାକାରୀଙ୍କୁ ବାହାରକୁ ବାହାର କରିବାରେ ସମର୍ଥ ହୋଇଥିଲା । ହେଲେ ସେଠାରେ ହୋଇଥିବା ହିଂସାରେ ବର୍ତ୍ତମାନ ଯାଏ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କହିରଖୁ କି କ୍ୟାପିଟାଲ ହିଲ୍ ଠାରେ ଇଲେକ୍ଟ୍ରୋରାଲ କଲେଜ ପ୍ରକ୍ରିୟା ଚାଲିଥିଲା । ଯେଉଁଥିରେ କି ଜୋ-ବାଇଡେନ ରାଷ୍ଟ୍ରପତି ଭାବେ ଶପଥ ନେବା ପାଇଁ ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ଟ୍ରମ୍ପଙ୍କ ସମର୍ଥକ ମାନେ ହଜାର ହଜାର ସଂଖ୍ୟାରେ ସେଠାରେ ଅସ୍ତ୍ର ଶସ୍ତ୍ର ସହ ପହଂଚି କ୍ୟାପିଟଲ ହିଲକୁ ଦଖଲ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ସେଠାରେ ଟ୍ରମ୍ପଙ୍କ ସମର୍ଥକ ମାନେ ଟ୍ରମ୍ପଙ୍କ ସମର୍ଥନରେ ସ୍ଲୋଗାନ ଦେବା ସହ ପୁଣିଥରେ ଭୋଟ ଗଣତିି ପାଇଁ ଦାବି କରିଥିଲେ ।
ଏନେଇ ଟ୍ରମ୍ପଙ୍କ ସମର୍ଥକ ମାନେ ଗୁଳି ଚାଳନା କରିବା ଦ୍ୱାରା ୪ ଜଣଙ୍କର ମୃତ୍ୟୁ ହୋଇଛି । ୱାସିଂଟନ୍ ପୋଲିସର ସୂଚନା ମୁତାବକ ଗୁରୁବାର ଦିନ ହୋଇଥିବା ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ପୋଲିସ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏହାକୁ ନେଇ ୱାସିଂଟନ୍ ଅଞ୍ଚଳରେ ପବ୍ଲିକ ଏମରଜିନ୍ସ ଜାରି କରାଯାଇଛି । ଏହି ଏମରଜିନ୍ସ ୧୫ ଦିନ ଯାଏ ଲାଗୁ ହୋଇଛି ବୋଲି ୱାସିଂଟନ୍ ମେୟର କହିଛନ୍ତି ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ : ଆଜି ଗାଜିପୁରରୁ ପଲବଲ ଯାଏଁ ଚାଷୀଙ୍କ ଟ୍ରାକ୍ଟର ରାଲି

କନକ ବ୍ୟୁରୋ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ-ହରିୟାଣା ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀ ଆଜି ପୁଣି ଶକ୍ତି ପ୍ରଦର୍ଶନ । ଟ୍ରାକ୍ଟର କାଲି ବାହାର କରି ଦିଲ୍ଲୀକୁ ଘେରିବେ ଚାଷୀ । ସିଙ୍ଘୁ, ଟିକରି ଓ ଶାହଜାହନପୁର ସୀମାରୁ ଏହି ଟ୍ରାକ୍ଟର ରାଲି ବାହାରିଛି । ଏହି ରାଲି ଦିଲ୍ଲୀର କେଏମପି ଏକପ୍ରେସ ୱେକୁ ଆସିବ ଓ ଏଠାରେ ଚାଷୀମାନେ ଶକ୍ତି ପ୍ରଦର୍ଶନ କରିବେ । ଏଥିପାଇଁ ବିଭିନ୍ନ ସ୍ଥାନରୁ ଟ୍ରାକ୍ଟର ଆସିବା ଆରମ୍ଭ ହୋଇଛି ।
କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ଦାବି ମାନିବା ଲାଗି ଏହାଦ୍ୱାରା ସରକାରଙ୍କୁ ସନ୍ଦେଶ ଦିଆଯିବ । ଆସନ୍ତାକାଲି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ନବମ ପର୍ଯ୍ୟାୟ ବୈଠକ ବସିବ । ଏହାପୂର୍ବରୁ ଚାଷୀମାନେ ଆଜି ବଡ ପ୍ରଦର୍ଶନ କରିଛନ୍ତି । କାଲି ବୈଠକରୁ ନିଷ୍କର୍ସ ନ ବାହାରିଲେ ୯ ତାରିଖରେ କୃଷି ଆଇନର କରି ଜଳାଇବାକୁ କୃଷକମାନେ ନିଷ୍ପତି ନେଇଛନ୍ତି ।
ସେହିଭଳି ୨୬ ତାରିଖ ଦିନ ଟ୍ରାକ୍ଟର ପରେଡର ବି ଚେତାବନୀ ଦେଇଛନ୍ତି କୃଷକ । ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ହରିୟାଣା ଓ ଗାଜିଆବାଦ ପୁଲିସ ଏଥିପାଇଁ ଆଡଭାଇଜାରି କରିଛି । ଏକ୍ସପ୍ରେସ ୱେର ଟ୍ରାଫିକକୁ ଡାଇଭର୍ଟ କରାଯାଇଛି । ଚାଷୀ ଆନ୍ଦୋଳନ ଆଜି ୪୩ ଦିନରେ ପଂହଚିଥିବାବେଳେ ଟ୍ରାକ୍ଟର ରାଲି ମାଧ୍ୟମରେ ଶକ୍ତି ପ୍ରଦର୍ଶନ ଦେଖାଉଛନ୍ତି ଚାଷୀ ।

from Kanak News
via <a href="https://ifttt.com/?

ଓଡ଼ିଶାରେ ବିଜେପି ପ୍ରଭାରୀ : ବିଜେପି ନେତାଙ୍କ ହତ୍ୟା ପ୍ରସଙ୍ଗରେ ସରକାରଙ୍କୁ କଲେ ଟାର୍ଗେଟ୍‌

କନକ ବ୍ୟୁରୋ : ବିଜେପି ରାଜ୍ୟ ପ୍ରଭାରୀ ଡି ପୁର‌େନ୍ଦଶ୍ବରୀ ଓ ସହପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂହ ତୋମାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଉଭୟ ଭିନ୍ନ ଭିନ୍ନ ସମୟରେ ବିମାନ ବନ୍ଦରରେ ପହଞ୍ଚିଲା ପରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାମାନେ ସ୍ବାଗତ କରିଥିଲେ । ଉଭୟ ଦଳର ବିଭିନ୍ନ ସାଂଗଠନିକ କାର୍ୟ୍ୟକ୍ରମରେ ଯୋଗ ଦେବେ। ଆସନ୍ତାକାଲି ମାହାଙ୍ଗା ଯାଇ ସେଠାରେ ହତ୍ୟାର ଶୀକାର ହୋଇଥିବା ବିଜେପି ନେତା କୁଳମଣି ବରାଳଙ୍କ ଗାଁରେ ସାମ୍ବାଦିକ ସମ୍ମିଳନୀ କରିବେ।

ଗଣମାଧ୍ୟମ ସାମ୍ନାରେ ପ୍ରଭାରୀ ଓ ସହପ୍ରଭାରୀ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଡି ପୁରନ୍ଦେଶ୍ବରୀ କହିଥିଲେ ଯେ ମାହାଙ୍ଗା ହତ୍ୟାକାଣ୍ଡ ଘଟଣା ହିଁ ରାଜ୍ୟରେ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ଘଟଣାକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏଠି ସରକାର ଦୁର୍ନୀତିରେ ବୁଡ଼ି ରହଛନ୍ତି ।

ଶ୍ରୀ ତୋମାର କହିଲେ ଯେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଜେପି ନେତାଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ବିରୋଧୀଙ୍କୁ ଭୟଭୀତ କରାଇବା ପାଇଁ ପଶ୍ଚିମବଙ୍ଗ ପରି ଓଡ଼ିଶାରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି । ଆମେ ହିଂସା ଏବଂ ହତ୍ୟାରେ ଭୟଭୀତ ହେବୁ ନାହିଁ। ଓଡ଼ିଶାରେ ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ସୁଦୃଢ଼ କରିବା କାର୍ୟ୍ୟରେ ଲାଗିଛି। ଆଗାମୀ ନିର୍ବାଚନରେ ୫୧ ପ୍ରତିଶତ ଭୋଟ ସହ ଆମେ ସରକାର ଗଠନ କରିବୁ।

from Kanak News
via <a href="https://ifttt.com/?

ସମ୍ପତ୍ତି ପାଇଁ ନିଜର ୩ ଭାଇଙ୍କୁ କରିଥିଲେ ଅପହରଣ । ନକଲି ଆୟକର ଅଧିକାରୀଙ୍କୁ ପଠାଇ ଗିରଫ୍ ନାମର ଘରୁ ଉଠାଇ ଆଣିଥିଲେ । ଏନେଇ ଅଭିଯୋଗ ହେବା ପରେ ଆଜି ଗିରଫ୍ ହେଲେ

କନକ ବ୍ୟୁରୋ : ସଂପତ୍ତି ପାଇଁ କେତେ ନିଚ୍ଚସ୍ତରକୁ ଯାଇପାରେ ମଣିଷ । ତାହା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଟିଡିପି ସରକାରରେ ମନ୍ତ୍ରୀ ଥିବା ଭୂମା ଅଖିଳ ପ୍ରିୟା ସଂପତ୍ତି ଲୋଭରେ ତାଙ୍କର ୩ ଭାଇଙ୍କୁ ଅପହରଣ କରିଥିବା ଅଭିଯୋଗ ହେବା ପରେ ,ପୋଲିସ ଭୂମାଙ୍କୁ ଗିରଫ୍ କରିଛି ।

ସୂଚନା ମୁତାବକ ଭୂମା ୨୦୦ କୋଟି ଟଙ୍କାର ଏକ ଜମି ପାଇଁ ରଚିଥିଲେ ଅପହରଣ ଷଡଯନ୍ତ୍ର । ଏହି ଷଡଯନ୍ତ୍ରରେ ସାମିଲ କରିଥିଲେ ୧୦ ରୁ ୧୫ ଜଣ ଯୁବକଙ୍କୁ । ସେମାନେ ମଙ୍ଗଳବାର ରାତିରେ ଆୟକର ଅଧିକାରୀ ବୋଲି ସୂଚନା ଦେଇ ଭୂମାଙ୍କ ବାସଭବନରେ ପ୍ରବେଶ କରିଥିଲେ  । ସେଠାରେ ସେମାନେ ଭୂମାଙ୍କ ପରିବାର ଲୋକଙ୍କୁ ଏକ ଘରେ ବନ୍ଦ କରି ଦୀର୍ଘସମୟ ଧରି ଚଢାଉ କରିଥିଲେ । ଏହାପରେ ଜାଲ ୱାରେଣ୍ଟ କାଗଜ ଦେଖାଇ ପରିବାରର ଅନ୍ୟ ଲୋକମାନଙ୍କୁ ଏକ ଘରେ ବନ୍ଦ କରିଦେଇଥିଲେ । ଏହାପରେ ଭୂମାଙ୍କ ୩ ଭାଇଙ୍କୁ ଗିରଫ୍ କରିବା ନାମରେ ଅପହରଣ କରିନେଇଥିଲେ ।

ଏନେଇ ବୁଧବାର ସକାଳେ ଭୂମାଙ୍କ ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ ଭୂମା ସମେତ ଅନ୍ୟ କିଛି ଅପହରଣକାରୀଙ୍କୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ହକ୍କି ଖେଳାଳୀ ପ୍ରଭିନ ରାଓ , ଭୂମାଙ୍କ ସ୍ୱାମୀ ଭାର୍ଗବ ରାମ, ତାଙ୍କ ବାପାଙ୍କ ଘନିଷ୍ଟ ସହଯୋଗୀ ଏ.ଭି. ସୁଜ୍ଜା ରେଡ୍ଡି ଏବଂ ବରିଷ୍ଠ ଟିଡିପି ନେତା ଭୂମା ନାଗୀ ରେଡ୍ଡି ।

ପୋଲିସ ଅପହରଣକାରୀଙ୍କୁ ଗିରଫ୍ କରିବା ସହ ଅପହୃତ ଭୂମାଙ୍କ ୩ ଜଣ ଭାଇଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଛି । କହିରଖୁ କି ଭୂମା ୨୦୦ କୋଟି ଟଙ୍କାର ପୈତୃକ ସଂପତିକୁ ନେଇ ଭାଇ ମାନଙ୍କ ସହିତ ବିବାଦ ଚାଲିଥିଲା । ଏହି ସଂପତ୍ତିକୁ ହାତେଇବାକୁ ଭୂମା ଏଭଳି କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

from Kanak News
via <a href="https://ifttt.com/?

ପଶ୍ଚିମ ଓଡ଼ିଶାରେ ବଡ଼ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବ ଏସ୍‌ ଏନ୍ ମହାନ୍ତି ଗ୍ରୁପ୍ : ପ୍ରବୋଧ ମହାନ୍ତିଙ୍କ ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ

ରାଜ୍ୟର ଅଗ୍ରଣୀ ଖଣି ଓ ଧାତବ କଂପାନି ହେଉଛି ଏସ୍‌ ଏନ୍ ମହାନ୍ତି ଗ୍ରୁପ୍ । ଇସ୍ପାତ, ବିଦ୍ୟୁତ ଶକ୍ତି, ସୌର ଶକ୍ତି ଏବଂ ଉଦ୍ୟାନ କୃଷି ଆଦି କ୍ଷେତ୍ରରେ ଏହି ସଂସ୍ଥା ସକ୍ରିୟ ରହିଛି। ଖଣି କ୍ଷେତ୍ର ଉପରେ କୋଭିଡ୍‌ ମହାମାରୀର ପ୍ରଭାବ ଏବଂ ନିଜ ସଂସ୍ଥାର ଭବିଷ୍ୟତ ଯୋଜନା ଆଦି ଅନେକ ବିଷୟରେ ଏସ୍‌ ଏନ୍ ମହାନ୍ତି ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ପ୍ରବୋଧ ମହାନ୍ତି ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି।

ଏସ୍‌ ଏନ୍ ମହାନ୍ତି ଓଡ଼ିଶା ଖଣି କ୍ଷେତ୍ରର ଏକ ଅଗ୍ରଣୀ ସଂସ୍ଥା। ମହାମାରୀ ସମୟରେ ଖଣି କାର୍ଯ୍ୟ କିଭଳି ପ୍ରଭାବିତ ହୋଇଥିଲା?
ଏସ୍‌ ଏନ୍ ମହାନ୍ତି ଗ୍ରୁପ୍ ଖଣି, ଇସ୍ପାତ, ବିଦ୍ୟୁତ ଶକ୍ତି, ସ୍ବଚ୍ଛ ଶକ୍ତି ଏବଂ ଉଦ୍ୟାନ କୃଷି କ୍ଷେତ୍ରରେ ସକ୍ରିୟ ରହିଛି। କୋଭିଡ୍-୧୯ ମହାମାରୀ ଦ୍ବାରା ଓଡ଼ିଶାର ଖଣି କ୍ଷେତ୍ର ପ୍ରଭାବିତ ହୋଇଥିଲା ଏବଂ ୨୦୨୦ର ଏପ୍ରିଲ୍, ମେ’ ଓ ଜୁନ୍‌ରେ ତାହା ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା।

ଆପଣଙ୍କ ସଂସ୍ଥା କିଭଳି ପ୍ରଭାବିତ ହୋଇଥିଲା?
କୋଭିଡ୍-୧୯ ମହାମାରୀ ପ୍ରଭାବ ଯୋଗୁଁ ଶ୍ରମିକମାନେ ନିଜ ଜନ୍ମସ୍ଥାନକୁ ଫେରିଯିବା କାରଣରୁ ପ୍ରାରମ୍ଭିକ କିଛି ମାସ ଆମର ଖଣି କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଲକ୍‌ଡାଉନ୍‌ରେ ଟ୍ରକ୍‌ ଅଭାବ ଦେଖାଦେବାରୁ ଲୁହାପଥର ପରିବହନ ମଧ୍ୟ ପ୍ରଭାବିତ ହୋଇଥିଲା। ତେଣୁ କ୍ଷମତାର ୩୦% ହାରରେ ଆମେ ପରିଚାଳନା ଜାରି ରଖିଥିଲୁ। କିନ୍ତୁ ଏବେ ଅନେକ ପରିବର୍ତନ ହୋଇଛି ଏବଂ ଖଣି କାର୍ଯ୍ୟ ସ୍ବାଭାବିକ ସ୍ଥିତିକୁ ଫେରିପାରିଛି।

ଓଡ଼ିଶାରେ ଭାଲ୍ୟୁ ଆଡିସନ୍‌ (ମୂଲ୍ୟ ଯୋଗ କରିବା) ପାଇଁ ଆପଣଙ୍କ ସଂସ୍ଥା କ’ଣ କରୁଛି?
ମୂଲ୍ୟ ଯୋଗ କରିବା ବିଷୟରେ ୨୦୦୪ରୁ ଆମ ଗ୍ରୁପ୍ ଚିନ୍ତା କରିଥିଲା। ‌ସେହିବର୍ଷ ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ଆମେ ୨୦୦ ଟିପିଡି ସ୍ପଞ୍ଜ ଆଇରନ କାରଖାନା ସ୍ଥାପନ କରିଥିଲୁ। ସେହି ପରିସରରେ ଏକ ୦.୨୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବା ଲାଗି ଆମେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଥିଲୁ। ଏହାର ପରିଣାମ ସ୍ବରୂପ ବଣାଇରେ ଥିବା ଆମ ସମନ୍ବିତ କମ୍ପ୍ଲେକ୍ସରେ ଏବେ ୪୦୦ ଟିପିଡି ସ୍ପଞ୍ଜ ଆଇରନ୍, ୧୨ ମେଗାୱାଟ୍ କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍ ଏବଂ ୦.୧୦ ନିୟୁତ ଟନ୍‌ର ଷ୍ଟିଲ୍ ବିଲେଟ୍‌ ଉତ୍ପାଦନ କାରଖାନା ରହିଛି।

ରାଜ୍ୟର ସାମାଜିକ ଅର୍ଥନୈତିକ ବିକାଶରେ ଆପଣଙ୍କ ସଂସ୍ଥା କିଭଳି ସହାୟକ ହୋଇଛି?
ଆମ ଖଣିରେ ଆଖପାଖ ଗ୍ରାମର ପ୍ରତି ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ନିଯୁକ୍ତି ଦେଇଛୁ। ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ ଗ୍ରାମବାସୀଙ୍କୁ ଶିକ୍ଷା, ଯୋଗାଯୋଗ, ଚିତ୍ତବିନୋଦନ, କ୍ରୀଡ଼ା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦରକାର ଭିତ୍ତିଭୂମି ଯୋଗାଇ ଦେଉଛୁ।

ଇସ୍ପାତ ଉତ୍ପାଦ ବର୍ଗକୁ ବ୍ୟାପକ କରିବାର‌ ଯୋଜନା ଅଛି କି?
ବଣାଇ କାରଖାନାର ଇସ୍ପାତ ଉତ୍ପାଦନ କ୍ଷମତାକୁ ବଢ଼ାଇବା ପାଇଁ ଆମର ଯୋଜନା ଅଛି। ନିକଟ ଭବିଷ୍ୟତରେ ଆମେ ଏକ ରୋଲିଂ ମିଲ୍ ଯୋଡ଼ିବୁ ଏବଂ ଆମର ବିଲେଟ୍ ଉତ୍ପାଦନ କ୍ଷମତା ବଢ଼ାଇବୁ। ଏହି ପରିସରରେ ଏକ ଲୁହାପଥର ପେଲେଟ୍‌ ତିଆରି କାରଖାନା ମଧ୍ୟ ସ୍ଥାପନ କରିବୁ।

ସୌର ଶକ୍ତି କ୍ଷେତ୍ର ପାଇଁ କ’ଣ ଯୋଜନା ରହିଛି?
୨୦୧୧ରେ ଆମେ କଟକର ତ୍ରିସୁଳିଆ ନିକଟରେ ଏକ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିଥିଲୁ, ଯାହାର କ୍ଷମତା ଏବେ ୧ ମେଗାୱାଟ୍ ରହିଛି। ଯେହେତୁ ରାଜ୍ୟର ପଶ୍ଚିମାଞ୍ଚଳରେ ସୌର ବିକିରଣ ଭଲ ରହୁଛି ତେଣୁ ସେଠାରେ ଏକ ୧୦ ଗେମାୱାଟ୍‌ର ବୃହତ ସୌର ଶକ୍ତି ପ୍ଲାଣ୍ଟ୍‌ ସ୍ଥାପନ କରିବା ଲାଗି ଆମେ ଜମି ସନ୍ଧାନ କରୁଛୁ।

ସିଏସ୍‌ଆର୍‌ରେ କେଉଁ କାର୍ଯ୍ୟକୁ ଅଗ୍ରାଧିକାର ଦେଉଛନ୍ତି?
ଆମ ଖଣି ଆଖପାଖର ଗ୍ରାମଗୁଡ଼ିକୁ ଟାଉନ୍‌ସିପ୍ ସହ ଯୋଡ଼ିବା ଲାଗି କଙ୍କ୍ରିଟ୍‌ ରାସ୍ତା ତିଆରି କରାଯାଇଛି ଏବଂ ନିକଟସ୍ଥ ହସ୍ପିଟାଲ୍ ପର୍ଯ୍ୟନ୍ତ ରୋଗୀଙ୍କୁ ପହଞ୍ଚାଇବା ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଏବଂ ଅଧିକରୁ ଅଧିକ ଗ୍ରାମକୁ କଙ୍କ୍ରିଟ୍ ସଡ଼କ ସହ ଯୋଡ଼ିବା ପାଇଁ ଆମର ଯୋଜନା ରହିଛି।

ଲୁହାପଥର ବଜାର ମୂଲ୍ୟକୁ ନେଇ ଆପଣଙ୍କ ପୂର୍ବାନୁମାନ କ’ଣ ରହିବ?
ଲୁହା ପଥର ବଜାର ଏବେ ୨୦୦୮-୧୦ ମସିହା ଭଳି ଉଚ୍ଚ ସ୍ତରରେ ରହିଛି। ଦେଶବିଦେଶରେ ଇସ୍ପାତ ଚାହିଦା ଅଧିକ ରହିବା ଏବଂ ଲୁହାପଥର ଯୋଗାଣ କମ୍ ରହିବା କାରଣରୁ ଦର ଅଧିକ ରହିଛି। ନିଲାମ ହୋଇଥିବା ଖଣିଗୁଡ଼ିକରୁ ପର୍ଯ୍ୟାପ୍ତ ଉତ୍ପାଦନ ହେବା ପରେ ଲୁହାପଥର ଦରରେ ସ୍ଥିରତା ଫେରିବ।

ସରକାରଙ୍କ ଠାରୁ ଖଣି ଶିଳ୍ପ କିଭଳି ସହାୟତା ଆଶା କରୁଛି?
ଖଣିରୁ ଖଣିଜ ପଦାର୍ଥକୁ ବାହାର କରିବା ଏବଂ ପରିବହନ କରିବା ହେଉଛି ପ୍ରମୁଖ ସମସ୍ୟା। ପୁରୁଣା ସଡ଼କଗୁଡ଼ିକର ମରାମତି, ଖଣିଜ ପରିବହନ ପାଇଁ ଉତ୍ସର୍ଗୀକୃତ ସଡ଼କ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ସଡ଼କ ପଥରେ ରହିଥିବା ଚାପ କମ୍ କରିବା ଲାଗି ରେଳପଥ ସଂଯୋଗରେ ଉନ୍ନତି ଆଣିବାକୁ ପଡ଼ିବ।

‘ସମ୍ବାଦ’ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଶାର ବ୍ରାଣ୍ଡ୍‌ଗୁଡ଼ିକୁ ପ୍ରଦର୍ଶିତ କରିବାର ଏକ ସ୍ବତନ୍ତ୍ର ସୁଯୋଗ ପ୍ରଦାନ କରୁଛି ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ। ଏହା ଉଦୀୟମାନ ଏବଂ ପ୍ରତିଷ୍ଠିତ ବ୍ରାଣ୍ଡ୍‌ଗୁଡ଼ିକୁ ସେମାନଙ୍କ ଉତ୍ପାଦ ଆଦିକୁ ଜାତୀୟସ୍ତରରେ ପ୍ରଦର୍ଶିତ ଏବଂ ଲୋକପ୍ରିୟ କରିବା ଲାଗି ଏକ ମଞ୍ଚ ପ୍ରଦାନ କରୁଛି। ଓଡ଼ିଶାର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ର ଏହି ଅଭିଯାନର ସଫଳତା ପାଇଁ ମୁଁ ଶୁଭକାମନା ପ୍ରଦାନ କରୁଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started