ଓଡ଼ିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ୬ମାସ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଶୂନ ।

କନକ ବ୍ୟୁରୋ : ଓଡିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ଗତ ୨୪ ଘଣ୍ଟାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ଶୂନ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟ୍ ହିଁ ଆଣିଛି ଆଶ୍ୱସ୍ତିର ବାର୍ତ୍ତା । ଗତ ୬ ମାସରୁ ଅଧିକ ସମୟ ମଧ୍ୟରେ ଜାନୁଆରୀ ୫ ତାରିଖରେ ରାଜ୍ୟରେ ଜଣଙ୍କର ବି କରୋନାଜନିତ ମୃତ୍ୟୁ ହୋଇନାହିଁ । କରୋନା ଯୋଦ୍ଧାଙ୍କ ଅବିଶ୍ରାନ୍ତ ଉଦ୍ୟମ ଏହି ସଫଳତା ଆଣିଛି ।

୨୦୨୦ ମସିହା ଏପ୍ରିଲ ୬ ତାରିଖରେ ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ଘଟିଥିଲା । ୭୨ ବର୍ଷୀୟ ବୃଦ୍ଧ ଜଣକ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ୧ ହଜାର ୮୮୭ ଜଣଙ୍କର ମୃତ୍ୟୁ ପରେ ଏବେ ଏଥିରେ ବିରାମ ଲାଗିଛି । ସବୁଠାରୁ ବଡ କଥା ହେଉଛି, ଆଗକୁ ଟିକା ବି ଆସୁଛି ।

ଦେଶରେ କମୁଛି ବିଦେଶରେ ବଢୁଛି । ବ୍ରିଟେନରେ ସାଂଘାତିକ ପରିସ୍ଥିତି । ଧିରେ ଧିରେ ଅଧିକ ଜଟିଳ ହେଉଛି ବ୍ରିଟେନର ସ୍ଥିତି । ଗତ ୨୪ ଘଂଟାରେ ୫୭ ହଜାର ଲୋକଙ୍କଠାରେ କରୋନା ଚିହ୍ନଟ ହେବା ପରେ ବ୍ରିଟେନ ସରକାର ଦୋହଲି ଯାଇଛନ୍ତି । କରୋନାର ନୂଆ ଷ୍ଟ୍ରେନ୍ ମାଡି ଚାଲିଛି । ଫଳରେ ସାରା ଦେଶରେ ହସ୍ପିଟାଲ ଗୁଡିକ ଭର୍ତି ହୋଇଗଲାଣି । ଅନେକ ସ୍ଥାନରେ ନୂଆ ରୋଗୀଙ୍କ ପାଇଁ ଜାଗା ନାହିଁ । ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କହିଛନ୍ତି, ମହାମାରୀ ବ୍ୟାପିବା ପରଠାରୁ ହସ୍ପିଟାଲ ଗୁଡିକ ଉପରେ ଏତେ ଚାପ ପଡିନଥିଲା ।

ଡିସେମ୍ବର ୧ରେ ଇଂଲଣ୍ଡରେ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ଭାରତର ଅଧା ଥିଲା । କିନ୍ତୁ ଡିସେମ୍ବର ଶେଷ ବେଳକୁ ଭାରତର ଦୈନିକ ଆକ୍ରାନ୍ତ ସଂଖ୍ୟାଠାରୁ ଇଂଲଣ୍ଡର ସଂଖ୍ୟା ତିନିଗୁଣ ହୋଇଯାଇଛି । ସେପଟେ ଜାନୁଆରୀ ୧ ସୁଦ୍ଧା ବ୍ରିଟେନରେ ୧୦ ଲକ୍ଷ ଲୋକଙ୍କୁ ଫାଇଜର ଟିକା ପ୍ରଦାନ କରାଯାଇସାରିଛି ।

from Kanak News
via <a href="https://ifttt.com/?

ରାଉରକେଲା ଷ୍ଟିଲପ୍ଲାଂଟରେ ଲିକ୍ ହେଲା ବିଷାକ୍ତ ଗ୍ୟାସ । ୪ ମୃତ, ୨ ଗୁରୁତର । କାର୍ଯ୍ୟରେ ଅବହେଳା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀ ନିଲମ୍ବିତ ।

କନକ ବ୍ୟୁରୋ : ରୋଜଗାର ଆଶାରେ କାମ କରିବାକୁ ଯାଇଥିବା ଠିକା ଶ୍ରମିକ, ସୁରକ୍ଷିତ କର୍ମକ୍ଷେତ୍ରରୁ ଫେରିବା ବଦଳରେ ଯଦି ତାଙ୍କ ମୃତଦେହ ଫେରିବ, ତେବେ ତାକୁ ସୁରକ୍ଷା ଅବହେଳା ବ୍ୟତୀତ ଆଉ କ’ଣ କୁହାଯିବ? ଆର୍ଏସ୍ପି ଭଳି ପ୍ରତିଷ୍ଠିତ କାରଖାନାରେ ଠିକ୍ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯେତେବେଳେ ୪-୪ ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ଗ୍ୟାସ୍ ମିକ୍ସିଂ ଟ୍ୟାଙ୍କ୍ ଅଂଚଳରେ ଚାଲିଥିବା ମରାମତି କାମ । ହଠାତ୍ ବିଷାକ୍ତ କାର୍ବନ ମନୋକସାଇଡ୍ ଗ୍ୟାସ ଲିକ୍ ହେବା ଆରମ୍ଭ କରିଥିଲା । ଦେଖୁ ଦେଖୁ ଷ୍ଟାର୍ ଷ୍ଟାର କନ୍ଷ୍ଟକ୍ସନ୍ର ୬ ଜଣ କର୍ମଚାରୀ ଅସୁସ୍ଥ ହୋଇଯାଇଥିଲେ । ସେମାନଙ୍କୁ ପ୍ରଥମେ ପ୍ଲାଂଟର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯିବା ଯାଇଥିଲା । ପରେ ୪ଜଣ ଗୁରୁତରଙ୍କୁ ଆଇଜିଏଚରେ ଭର୍ତି କରାଯାଇଥିଲା । ଏହି ୪ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ରାଉରକେଲା ଷ୍ଟିଲ୍ ପ୍ଲାଂଟର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରମିକ ସଂଗଠନର ନେତା ।

ଏପଟେ ଏନର୍ଜିଂ ମ୍ୟାନେଜମେଂଟ ବିଭାଗର ଡିଜିଏମ୍ ଗୋପବନ୍ଧୁ ବାରିକ୍ ଏବଂ ସିସିଡି ମେକାନିକାଲ ଡିଜିଏମ୍ ନବେନ୍ଦୁ ଦାଶଙ୍କୁ ନିଲମ୍ବନ କରିଛନ୍ତି ଆର୍ଏସ୍ପି କର୍ତୃପକ୍ଷ । ଆଉ ଏହାରି ଭିତରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ଦିଆଯିବା ନେଇ ଆର୍ଏସ୍ପି କର୍ତୃପକ୍ଷ କହିଛନ୍ତି । ସେହିପରି ଷ୍ଟାର କନ୍ଷ୍ଟକ୍ସନ୍ ଠିକା ସଂସ୍ଥା ପକ୍ଷରୁ ମୃତକଙ୍କ ପରିବାରକୁ ଅଢ଼େଇ ଲକ୍ଷ ଲେଖାଏଁ କ୍ଷତିପୂରଣ ଓ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ଦିଆଯାଇଛି । ପ୍ରଶ୍ନ ହେଉଛି-

ନିଜ ଦୋଷ-ତ୍ରୁଟିକୁ ଘୋଡ଼ାଇବାକୁ ଚାହୁଁଛି କି ଆର୍ଏସ୍ପି?
– ଆର୍ଏସ୍ପିରେ ଶ୍ରମିକ ସୁରକ୍ଷା ନେଇ କାହିଁକି ବାରମ୍ବାର ଉଠୁଛି ପ୍ରଶ୍ନ?
– ଅଘଟଣକୁ ଏଡ଼ାଇବା ପାଇଁ ଆର୍ଏସ୍ପି ପକ୍ଷରୁ କ’ଣ ସବୁ ବ୍ୟବସ୍ଥା ହୋଇଛି?
– କାହିଁକି ଆର୍ଏସ୍ପିରେ ବାରମ୍ବାର ଅଘଟଣ ଘଟୁଛି?

ଏଭଳି ଅନେକ ପ୍ରଶ୍ନ ଭିତରେ ଭୁବନେଶ୍ୱରରେ ଥିବା ଫେକ୍ଟ୍ରି ଓ ବଏଲର୍ ନିର୍ଦ୍ଦେଶକଙ୍କୁ ଦୁର୍ଘଟଣା ସମ୍ପର୍କରେ ରିପୋର୍ଟ ଦେଇଛନ୍ତି ଆର୍ଏସ୍ପି କର୍ତୃପକ୍ଷ । ଏପଟେ ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ।

from Kanak News
via <a href="https://ifttt.com/?

ଗୁଗୁଲ-ପେ ରେ ଅଭିନବ ଉପାୟରେ ଠକେଇ । ଲିଙ୍କ ଖୋଲୁ ଖୋଲୁ ଆକାଉଂଟରୁ ଖାଲି ହୋଇଗଲା ୫୩ ହଜାର ଟଙ୍କା । 

କନକ ବ୍ୟୁରୋ : ଗୁଗୁଲ ପେ ମାଧ୍ୟମରେ ସାଇବର ଠକର ଅଭିନବ ଠକେଇ । କିଛି ସେକେଣ୍ଡ ମଧ୍ୟରେ ଆକାଉଂଟରୁ କଟିଗଲା ୫୩ ହଜାର ଟଙ୍କା । ଭୁବନେଶ୍ୱରରେ ରାମଚନ୍ଦ୍ର  ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ଆସିିଥିଲା ଏକ ଫୋନ କଲ । ଫୋନ ରିସିଭ କରିବା ପୂର୍ବରୁ ଟ୍ରୁ କଲରରେ ରାମଚନ୍ଦ୍ର  କିଏ ଫୋନ କରିଛି ଜାଣିବାକୁ ଚାହିଁଥିଲେ । ନା ଦେଖାଇଥିଲା ଗୁୁଗୁଲ ପେ କଷ୍ଟମର କେୟାର । ରାମଚନ୍ଦ୍ର  ଏହି ଫୋନକଲକୁ ବିଶ୍ୱାସକୁ ନେଇଗଲେ ।

ଆଉ ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ୪ହଜାର ଟଙ୍କାର ରିୱାର୍ଡ ପଏଂଟ ମିଳିଛି । ତେବେ ଏଥିପାଇଁ ଏକ ଲିଙ୍କକୁ କ୍ଲିକ କରିବାକୁ ପଡିବ । ରାମଚନ୍ଦ୍ର  ଫୋନ କରିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶ ଅନୁସାରେ ଗୁଗୁଲ ପେ କୁ ଯାଇ ଏକ ନିର୍ଦ୍ଦିଷ୍ଟ ଲିଙ୍କ ଉପରେ କ୍ଲିକ କରିଥିଲେ । ଚାହୁଁ ଚାହୁଁ ଏହି ଗୁଗୁଲ ପେ ସହିତ ଲିଙ୍କ ଥିବା ୩ଟି ଆକାଉଂଟରୁ କଟିଗଲା ୫୩ ହଜାର ଟଙ୍କା । ଆଉ ଫୋନ ହ୍ୟାଙ୍ଗ ହୋଇଗଲା । ତାପରେ ରାମଚନ୍ଦ୍ର ଜାଣିପାରିଥିଲେ ତାଙ୍କ ସହିତ ଠକେଇ ହୋଇଛି । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

କୋଭିଡ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

କନକ ବ୍ୟୁରୋ : କୋଭିଡ ପରିସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହାସହ ଆମକୁ ଅଧିକ କୋଭିଡ କଟକଣା ମାନିବାକୁ ହେବ । ଆମ ସମସ୍ତଙ୍କ ସଚେତନ ଯୋଗୁଁ ଆମେ କୋଭିଡକୁ ନିୟନ୍ତ୍ରଣ କରିପାରିଛୁ । ଆଗାମୀ ୨ ମାସ ଆହୁରି ସଚେତନ ରହିବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ବିତୀୟ ପର୍ୟ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି ଏବଂ କେତେକ ଦେଶରେ ଲକଡାଉନ ମଧ୍ୟ ପୁଣି ଲାଗୁ କରାଗଲାଣି । ତେଣୁ ଆମକୁ ଅଧିକ ସତର୍କତାର ସହିତ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଟୀକା ଲୋକଙ୍କ ଭିତରେ ବିପୁଳ ଆଶା ସଂଚାର କରିଛି। ଏହି ଟୀକା ଉତ୍ପାଦନରେ ଭାରତ ପୃଥିବୀର ଆଗୁଆ ଦେଶ ହୋଇଛି । ଏହି ଟୀକାକରଣ କାର୍ୟ୍ୟକ୍ରମକୁ ସଫଳ ଭାବରେ କାର୍ୟ୍ୟକାରୀ କରିବା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ । ତେଣୁ ଟୀକା ସଂପର୍କରେ ଲୋକଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ଟୀକାକରଣ ଚଳିତ ବର୍ଷର ସବୁଠାରୁ ବଡ କାର୍ୟ୍ୟକ୍ରମ ହେବ। ତେଣୁ ଏହାକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ସେହିପରି ଜୀବନଜୀବିକା କାର୍ୟ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ତଥାପି ଆର୍ଥିକ ଦୁର୍ବଳଶ୍ରେଣୀର ଲୋକଙ୍କ ଜୀବିକା ସୁରକ୍ଷା କରିବା ପାଇଁ ବହୁତ କିଛି କରିବାକୁ ଅଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ଏବଂ ଏ ସଂପର୍କରେ ଧାର୍ୟ୍ୟ ଲକ୍ଷ୍ୟ ପୂରଣ କରିବା ଦିଗରେ କାର୍ୟ୍ୟ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଆଗାମୀ ମାସରେ ଏ ସଂପର୍କରେ ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

from Kanak News
via <a href="https://ifttt.com/?

୧୦ କୋଟି ୟୁଜର୍ସଙ୍କ ତଥ୍ୟ ହୋଇଛି ଲିକ୍! କେଉଁ ମୁହୂର୍ତ୍ତରେ ଆକାଉଣ୍ଟ ହୋଇଯାଇପାରେ ଖାଲି, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି?

କନକ ବ୍ୟୁରୋ : ଡେବିଟ-କ୍ରେଡିଟ କାର୍ଡ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ପ୍ରାୟ ୧୦ କୋଟି କାର୍ଡଧାରକଙ୍କ ତଥ୍ୟ ଲିକ୍ ହୋଇଥିବାର ଖବର ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଆଉ ଏହି ୧୦ କୋଟି କାର୍ଡଧାରକଙ୍କ ଭିତରେ ଆପଣଙ୍କର ତଥ୍ୟ ଯେ ନଥିବା ତାହା କିଏ ବା କହିବ । ସିଧାସଳଖ କହିବାକୁ ଗଲେ ଆପଣଙ୍କ ଆକାଉଣ୍ଟ ଉପରେ ମଧ୍ୟ ଏବେ ସାଇବର ହ୍ୟାକର୍ସଙ୍କ ନଜର ଥାଇପାରେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲିକ୍ ହୋଇଥିବା କାର୍ଡଧାରକଙ୍କ ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବ ଜରିଆରେ ବିକ୍ରି କରାଯାଉଛି । ଯେଉଁଥିରେ ଖାତାଧାରକଙ୍କ ନାଁ ଠାରୁ ମୋବାଇଲ ନମ୍ବର, ବ୍ୟକ୍ତିଗତ ତଥ୍ୟ ଠାରୁ ଡେବିଟ ଓ କ୍ରେଡିଟ କାର୍ଡର ସବିଶେଷ ତଥ୍ୟ ରହିଛି । ଅନଲାଇନରେ ପେମେଣ୍ଟ ନେଉଥିବା ଜସପେ ନାମକ ଏକ ପେମେଣ୍ଟ ଗେଟୱେରୁ ଏହି ତଥ୍ୟ ଲିକ୍ ହୋଇଛି । ତେଣୁ ଏହି ତଥ୍ୟ ଯଦି କୌଣସି ସାଇବର ଠକଙ୍କ ହାତରେ ଲାଗେ ତେବେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହି ଡାର୍କ ୱେବ କଣ ଓ ଏହା ମାଧ୍ୟମରେ କାହିଁକି କୋଟି କୋଟି ୟୁଜର୍ସଙ୍କର ତଥ୍ୟ ବିକ୍ରି ହେଉଛି ।

ଗୋଟିଏ ପଟେ କାର୍ଡଧାରକଙ୍କ ତଥ୍ୟ ଚୋରି ହୋଇଥିବା ବେଳେ ଆକାଉଣ୍ଟ ଖାଲି ହେବା ପୂର୍ବରୁ କିଭଳି ନିଜ ଆକାଉଣ୍ଟ ଓ ଟଙ୍କାକୁ ସୁରକ୍ଷତି ରଖିବେ ତାହା ଜାଣି ରଖିବା ନିହାତି ଆବଶ୍ୟକ । ଖାସକରି ଅନଲାଇନ ପେମେଣ୍ଟ ବେଳେ କାର୍ଡ ସେଭ୍ ପାଇଁ ଆସୁଥିବା ବିକଳ୍ପକୁ ଆଦୌ ବାଛନ୍ତୁ ନାହିଁ । ଯଦି କୌଣସି ୱେବସାଇଟରେ କାର୍ଡ ସେଭ କରିଥାନ୍ତି ତେବେ ତୁରନ୍ତ ଡିଲିଟ୍ କରାଇ ନିଅନ୍ତୁ ।

ଏହାବାଦ୍ କିଛି ମାସ ବ୍ୟବଧାନରେ ପାସୱାର୍ଡ ବଦଳାଇ ଦିଅନ୍ତୁ । ଏସବୁ ବ୍ୟତୀତ କ୍ରେଡିଟ କାର୍ଡ ବ୍ୟବହାର କରୁଥିଲେ ମଝିରେ ମଝିରେ କାର୍ଡର ଲିମିଟ କମାଇଦେବା ଏହାକୁ ସୁରକ୍ଷିତ ରଖିପାରିବେ ବୋଲି କହିଛନ୍ତି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ । ମିଳିଥିବା ରିପୋର୍ଟ ମୁତାବକ, ୧୦ କୋଟି ୟୁଜର୍ସଙ୍କର କାର୍ଡ ତଥ୍ୟ ପ୍ରାୟ ୫ ମାସ ତଳେ ଅଥାର୍ତ ଅଗଷ୍ଟ ୨୦୨୦ରେ ଲିକ୍ ହୋଇଛି । ୨୦୧୭ରୁ ୨୦୨୦ ମଧ୍ୟରେ ୟୁଜର୍ସଙ୍କର ସମସ୍ତ ତଥ୍ୟ ଡାର୍କ ୱେବ ମାଧ୍ୟମରେ ବିକ୍ରି ହେଉଛି । ତେଣୁ ସାଇବର ଠକ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଖାଲି କରିବା ପୂର୍ବରୁ ନିଜ କାର୍ଡର ପିନ୍ ବଦଳାଇବା ସହ ଆବଶ୍ୟକସ୍ଥଳେ ପୁରୁଣା କାର୍ଡ ବଦଳରେ ନୂଆ କାର୍ଡ ଆଣନ୍ତୁ । ଯାହାଦ୍ୱାରା ଆପଣଙ୍କ ଆକାଉଣ୍ଟ ସାଇବର ଠକଙ୍କ ଠାରୁ ସୁରକ୍ଷିତ ରହିପାରିବ ।

from Kanak News
via <a href="https://ifttt.com/?

ଏଲିଏନ୍ସକୁ ନେଇ ବଡ ଖୁଲାସା କଲେ ପ୍ରଫେସର । ମହାକାଶକୁ ଆବର୍ଜନା ଫିଙ୍ଗୁଛନ୍ତି ଏଲିଏନ, ହାବାର୍ଡ ପ୍ରଫେସରଙ୍କ ଦାବି ଆପଣଙ୍କୁ ବି ଚକିତ କରିଦେବ?

କନକ ବ୍ୟୁରୋ : ଏଲିଏନ୍ସ ବା ଅନ୍ୟ ଗ୍ରହର ଜୀବକୁ ନେଇ ଅନେକ ସମୟରେ ଆମେ ଭିନ୍ନ ଭିନ୍ନ କଥା ଶୁଣିବାକୁ ପାଇଥାଉ । କେତେବେଳେ ପୃଥିବୀ ପୃଷ୍ଠରେ ଏଲିଅନ୍ସ ଥିବା କଥା କୁହାଯାଇଥାଏ ତ ପୁଣି କେତେବେଳେ ଆକାଶରେ ରହସ୍ୟମୟ ୟୁଏଫଓ ଦେଖାଯିବାର କଥା ମଧ୍ୟ ସାମ୍ନାକୁ ଆସିଥାଏ । ଏପରିକି କିଛି ଦେଶରେ ଏଲିଏନଙ୍କୁ ଦେଖିଥିବା ନେଇ କଥା ଗଣମାଧ୍ୟମରେ ସାମ୍ନାକୁ ଆସିଛି । କିନ୍ତୁ ଏଲିଏନଙ୍କୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କେବଳ ଯାହା ଫିଲ୍ମ ମାଧ୍ୟମରେ ଏଲିଏନଙ୍କ ବାବଦରେ ଆମର ଏକ ଧାରଣା ସୃଷ୍ଟି ହୋଇଛି । ତେବେ ଏସବୁ ଭିତରେ ହାୱାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଭି ଲୋଏବ ଏଲିଏନଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ଆଉ ଆଭିଙ୍କ ଏହି ଦାବି ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଆସନ୍ତୁ ଜାଣିବା ଆଭି ଲୋଏବ ଏଲିଏନଙ୍କୁ ନେଇ ଦାବି କରିଥିବା ଘଟଣା ବାବଦରେ ପୂରା ତଥ୍ୟ ।

ଆଭି ଲୋଏବଙ୍କ ଦାବି ଅନୁଯାୟୀ, ପୃଥିବୀପୃଷ୍ଠ ଆଡକୁ ଉଲକାପିଣ୍ଡ, କ୍ଷୁଦ୍ରଗ୍ରହ ଆସିବା କୌଣସି ସାଧାରଣ ଘଟଣା ନୁହେଁ । ଏହା ପଛରେ ବଡ କାରଣ ଲୁଚି ରହିଛି । ଏଭଳି କ୍ଷୁଦ୍ର ଗ୍ରହ ଓ ପିଣ୍ଡ ଯାହା ପୃଥିବୀପୃଷ୍ଠ ଆଡକୁ ମାଡି ଆସିଥାଏ ତାହା ବାସ୍ତବରେ ମହାକାଶରୁ ଆସୁଥିବା ଆବର୍ଜନା ଯାହାକୁ ଏଲିଏନ୍ସ ମାନେ ମହାକାଶକୁ ଫିଙ୍ଗିଥାନ୍ତି । ହାୱାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଭି ଲୋଏବ ଏହାକୁ ନେଇ ଏକ ବହି ମଧ୍ୟ ପ୍ରକାଶିତ କରିଛନ୍ତି । ଯେଉଁ ବହିରେ ମହାକାଶରୁ ଆସୁଥିବା ପଥରଖଣ୍ଡ ବାବଦରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ମହାକାଶରୁ ଆସୁଥିବା ଏହି ପଥର, ପୃଥିବୀ ବାହାରେ ଆଉ ଏକ ଜୀବଜଗତ ରହିଥିବାର ସଂକେତ ଦେଉଛି ।

ଉକ୍ତ ପୁସ୍ତକରେ ପ୍ରଫେସର କହିଛନ୍ତି, ୨୦୧୭ରେ ମହାକାଶରେ ଆବର୍ଜନା ଫିଙ୍ଗାଯାଇଥିଲା । ଯାହା ଗତ କିଛିଦିନ ପୂର୍ବେ ଆମ ସୌରମଣ୍ଡଳରେ ଘୂରି ବୁଲିବା ସହ ଏକ ଚମକପ୍ରଦ ଚଟାଣ ଭଳି ହୋଇଯାଇଥିଲା । ଏହାବାଦ୍ ୬ ସେପ୍ଟେମ୍ବର ୨୦୧୭ରେ ଭେଗା ଷ୍ଟାରରୁ ବାହାରିଥିବା ଏହି ପିଣ୍ଡ ଆମ ସୌରମଣ୍ଡଳରେ ପ୍ରବେଶ କରିଥିଲା ଓ ୯ ସେପ୍ଟେମ୍ବର ୨୦୧୭ରେ ସୂର୍ଯ୍ୟଙ୍କ ଆଡକୁ ଚାଲି ଯାଇଥିଲା । ତେବେ ପୁଣିଥରେ ୭ ଅକ୍ଟୋବରରେ ଏହି ପିଣ୍ଡ ପୃଥିବୀର ଚକ୍କର ଲଗାଇବା ସହ ଗାଏବ ହୋଇଯାଇଥିଲା ।

ମହାକାଶରୁ ଆସିଥିବା ଏହି ଅଜଣା ପିଣ୍ଡର ନାଁ ଓଉମୁଆମୁଆ । ଏହା ମହାକାଶରୁ ଆସିଥିବା ପ୍ରଥମ ପିଣ୍ଡ ଯାହା ଆମର ସୌରମଣ୍ଡଳର ଚକ୍କର ଲଗାଇବା ସହ ଫେରିଯାଇଥିଲା । ଏପରିକି ଏହି ପିଣ୍ଡ ଉପରେ ମାଧାକର୍ଷଣ ଶକ୍ତିର ମଧ୍ୟ କୌଣସି ପ୍ରଭାବ ପଡିନଥିଲା । ଏହି ପିଣ୍ଡ ଚଉଡା ଯେତିକି ତାହାର ୧୦ ଗୁଣ ଅଧିକ ଲମ୍ବ । ଅନ୍ୟ ଉଲକାପିଣ୍ଡ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ଆମ ସୌରମଣ୍ଡଳରେ ଦିଶୁଥିବା ଉଲକାପିଣ୍ଡ ଠାରୁ ଏହି ପିଣ୍ଡରେ ଦଶ ଗୁଣ ଅଧିକ ଆଲୋକ ଦେଖିବାକୁ ମିଳିଥାଏ ।

from Kanak News
via <a href="https://ifttt.com/?

ମାହାଙ୍ଗା ମର୍ଡର କେସ: ହତ୍ୟା କରିଥିବା ନେଇ ସ୍ୱୀକାର କଲା ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି ।

କନକ ବ୍ୟୁରୋ : ମାହାଙ୍ଗା ମର୍ଡର କେସରେ ହତ୍ୟା କରିଥିବା ନେଇ ସ୍ୱୀକାର କଲା ଅଭିଯୁକ୍ତ ପଞ୍ଚାନନ । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତର ସ୍ୱୀକାରୋକ୍ତି । ପୂର୍ବରୁ କୁଳମଣି ଓ ତାଙ୍କୁ ଆକ୍ରମଣ କରିଥିଲେ । ତେଣୁ ଆମେ ତାଙ୍କୁ ଆକ୍ରମଣ କଲୁ ବୋଲି ଅଭିଯୁକ୍ତ କହିଛି ।

ମାହାଙ୍ଗା ଡବଲ ମର୍ଡରରେ ଏଯାଏଁ ୫ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ । ଏହାସହ ଗିରଫ ପରେ ମୁଖ୍ୟ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ କ୍ରାଇମର ରିକ୍ରିଏସନ କରିଛି ପୋଲିସ । କୁଳମଣି ବରାଳକୁ ପୂର୍ବ ଶତ୍ରୁତା ଯୋଗୁଁ ହତ୍ୟା କରାଯାଇଛି ବୋଲି କୁହାଯାଇଛି ।

ଯଁକୋଟୀ ଗ୍ରାମରୁ କୁଳମଣି ଓ ଦିବ୍ୟସିଂହ ବାଇକରେ ସଂଧ୍ୟା ପ୍ରାୟ ୭ଟା ପାଖାପାଖି ସମୟରେ ନୁର୍ତ୍ତାଙ୍ଗସ୍ଥିତ ସେମାନଙ୍କ ଘରକୁ ଫେରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ସେମାନେ ତାଙ୍କୁ ଅତର୍କିତ ଭାବରେ ଠେଙ୍ଗା, ପଥର ଓ ଖଣ୍ତାରେ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ସେଠାରେ ଲହୁଲୁହାଣ ହୋଇ ପଡିଯିବା ପରେ ସେମାନେ ନଈ ବନ୍ଧ ଓ ଡଗରାସାହି ରାସ୍ତା ଦେଇ ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ତରେ ବ୍ୟବହୃତ ଖଣ୍ତାକୁ ଯଁକୋଟି ନୂଆ ପୋଲ ନିକଟସ୍ଥ ସୁକନଈ ବନ୍ଧର ଏକ ବେଣାମୂଳରେ ଲୁଚାଇ ଦେଇଥିଲେ। ହତ୍ୟାକାଣ୍ଡ ପୂର୍ବରୁ ସେମାନେ ଖୁଣ୍ଟରୁ ଲାଇଟ୍ କାଟି ଦେବା ପାଇଁ ଏକ ପ୍ଲାସରେ ତାର କାଟି ଦେଇଥିଲେ।

from Kanak News
via <a href="https://ifttt.com/?

ଶଯ୍ୟାଶାୟୀ ବାପାଙ୍କ ଚିକିତ୍ସା ପାଇଁ ଭିକ୍ଷାବୃତି କଲେ ଦିବ୍ୟାଙ୍ଗ ଝିଅ । ପର ଦୁଆରେ ମୂଲ ଲାଗିଲେ ନାବାଳକ ପୁଅ ।

କନକ ବ୍ୟୁରୋ : ଜନ୍ମ କରିଥିବା ଏବଂ ଛୋଟରୁ ବଡ କରିଥିବା ବାପା ଯେତେବେଳେ ଶଯ୍ୟାଶାୟୀ ହୋଇଯାଏ ସେତେବେଳେ ପୁଅ ଝିଅଙ୍କର ଅକଲ ଗୁଡୁମ ହୋଇଯାଏ । କିନ୍ତୁ ଏପରି ସ୍ଥିତିରେ ବି ହାର ନମାନି ଜୀବନ ସଂଘର୍ଷର ଏ ଯୁଦ୍ଧରେ ଜିତିବା ପାଇଁ ପ୍ରୟାସ କରିଛନ୍ତି ନିମାପଡାର ଦୁଇ ଜଣ ନାବାଳକ ଏବଂ ନାବାଳିକା । ସମ୍ପର୍କରେ ଭାଇଭଉଣୀ । ସଂଘର୍ଷ କରୁଛନ୍ତି ବାପାଙ୍କୁ ନୂଆ ଜୀବନ ଦେବା ପାଇଁ ଏବଂ ପରିବାର ପ୍ରତିପୋଷଣ କରିବା ପାଇଁ ।

ଟିଭି ପରଦାରେ ଭାଇଭଉଣୀଙ୍କ ଦୁଇଟି ଦୃଶ୍ୟ । ଯାହା ପଛର କାହାଣୀ ଆପଣଙ୍କୁ ଆନ୍ଦୋଳିତ କରିବ । ଗୋଟିଏପଟେ ଭଉଣୀ ସାନୁ ନିଜ ବୋଉ ସହିତ କାନ୍ଦି କାନ୍ଦି ଭିକ୍ଷା ମାଗୁଛନ୍ତିା ଆଉ ଗୋଟେପଟେ ଭାଇ ମାନସ ପରଦୁଆରେ ମୂଲ ଲାଗୁଛନ୍ତି ।

ଏପରି କରିବା ପଛର କାରଣ ଜାଣିଲେ ଆପଣ ହୁଏତ ବିଶ୍ୱାସ ନକରିପାରନ୍ତି । ବାପାଙ୍କ ଚିକିତ୍ସା ପାଇଁ ଏବଂ ପରିବାର ଚଳାଇବା ପାଇଁ ଏସବୁ କରୁଛନ୍ତି ଭାଇଭଉଣୀ । ନିମାପାଡ଼ା ସାମିଲି ମଲ୍ଲିକ ସାହିର ବାସିନ୍ଦା ଲକ୍ଷ୍ମୀଧର ମଳିକ । ଆଜିକୁ ଦୀର୍ଘ ୬ମାସ ହେବ ଟିବିରେ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଏଫରି ଅବସ୍ଥା କାରଣରୁ ପରିବାର ଚଳିବା କଷ୍ଟକର ହୋଇପଡିଛି । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଯୋଗାଡ ହୋଇପାରୁନି । ତେଣୁ ଭାଇଭଉଣୀ ଏବେ ଲାଗି ପଡିଛନ୍ତି ଅର୍ଥ ଯୋଗାଡରେ ।

ଆମ ଠାରୁ ସୂଚନା ପାଇଁ ରିମେଡ଼ିଆଲ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଂଚି ଅର୍ଥ ସହାୟତା କରିଛନ୍ତି । ଲକ୍ଷ୍ମୀଧରଙ୍କ ଚିକିତ୍ସା ପାଇଁ ରେଡ଼କ୍ରସ ପାଣ୍ଠିରୁ ଅର୍ଥ ଯୋଗାଇଦିଆଯିବ ବୋଲି ପ୍ରଶାସନ କହିଛି ।

from Kanak News
via <a href="https://ifttt.com/?

୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ । ସର୍ଭେ ପରେ ରାଜ୍ୟ ଶିଶୁ ଅଧିକାର ଆୟୋଗର ସୂଚନା ।

କନକ ବ୍ୟୁରୋ: ସ୍କୁଲ ଖୋଲିବା ନେଇ ବଡ ଖବର । ୮୫ % ପିଲା ଚାହାନ୍ତି ସ୍କୁଲ ଖୋଲୁ । ସ୍କୁଲ ଖୋଲିବା ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ଆୟୋଗର ସର୍ଭେରୁ ସ୍ପଷ୍ଟ ହେଲା ପିଲାଙ୍କ ମତ । ସ୍କୁଲ ଖୋଲିବା ପୂର୍ବରୁ ୩ଟି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉ । ମାସ୍କ, ହାତ ଧୋଇବା, ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ ।

ସର୍ଭେକୁ ଆଧାର କରି ସରକାରଙ୍କୁ ସୁପାରିସ କଲା ଆୟୋଗ । କରୋନା ଠାରୁ ଦୂରେଇ ରହିବାକୁ ସ୍କୁଲ ସମସ୍ତ ପଦକ୍ଷେପ ନେଉ । ଅଭିଭାବକଙ୍କ ସହ ଆଲୋଚନା କରନ୍ତୁ କର୍ତ୍ତ ୃପକ୍ଷ । ଆବଶ୍ୟକ ସମୟରେ ବିଶେଷଜ୍ଞଙ୍କ ସହାୟତା ନେଉ ସ୍କୁଲ ବୋଲି ସର୍ଭେ ପରେ କହିଛି ଆୟୋଗ । ତେବେ ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି । ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ବି ନିର୍ଦ୍ଦେଶ ଜାରି ହୋଇଛି । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । କରୋନା ଗାଇଡଲାଇନ ମାନି ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରରୁ ଆସିଲା ନିର୍ଦ୍ଦେଶ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଖୁବଶୀଘ୍ର ପହଁଚିପାରେ ଟିକା । 

କନକ ବ୍ୟୁରୋ : ଦେଶରେ ଟିକାକରଣ  ଖୁବଶୀଘ୍ର ଆରମ୍ଭ ହେବ । ଏନେଇ ସରକାର ସଙ୍କେତ ଦେଇସାରିଛନ୍ତି ।  ଆସନ୍ତାକାଲି  ଟିକାକରଣ ଡ୍ରାଏ ରନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି । ବୈଠକରେ ସାମିଲ ହେବେ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ।  ଦିନ ୧୨ଟା ୩୦ରେ ଭିଡିଓ କନଫରେନ୍ସି ମାଧ୍ୟମରେ ହେବ ଏହି ବୈଠକ । ପୂର୍ବରୁ ପ୍ରଥମ ଦଫାରେ ୪ଟି ରାଜ୍ୟରେ  ଟିକାର ଡ୍ରାଏରନ କରାଯାଇଥିଲା । ପରେ ରାଜ୍ୟର ୩୧ଟି ସ୍ଥାନରେ ଗତ ଶନିବାରଦିନ ଟିକାକରଣର ଡ୍ରାଏରନ ହୋଇଥିଲା ।

କୋଭିଡ ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଯେକୌଣସି ମୁହୂର୍ତରେ ଟିକା ପହଂଚିପାରେ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଟିକା ଆସିଯିବା ପରେ ରାଜ୍ୟ ଟିକାକରଣ ରୁମରେ ମହଜୁଦ ରଖାଯିବ । ଏହା ପରେ ଜିଲ୍ଲାରେ ପ୍ରସ୍ତୁତ କରାଯାଇଥିବା ଟିକା କେନ୍ଦ୍ରକୁ ଭ୍ୟାକସିନକୁ ପଠାଯିବ । କେଉଁଠି ଟିକାକରଣ କରାଯିବ ସେନେଇ ଜିଲ୍ଲାପାଳମାନଙ୍କୁ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started