କେନ୍ଦୁଝର ସୋମଗିରି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଗଛରେ ପିଟି ହୋଇ ୧୦ ଫୁଟ ତଳକୁ ଖସିପଡ଼ିଲା ବୋଲେରୋ

କନକ ବ୍ୟୁରୋ : କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଗଲା ବୋଲେରୋ । ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଅଛନ୍ତି । ସୂଚନାମୁତାବକ, ମୟୂରଭଂଜରୁ କେନ୍ଦୁଝର ହରିଚନ୍ଦନପୁର ଆସୁଥିଲା ଏହି ବୋଲେରୋ ।

ପଣ୍ଡାପଡ଼ା ଥାନା ସମଗିରି ନିକଟରେ ଭାରାସାମ୍ୟ ହରାଇ ପ୍ରଥମେ ଗଛରେ ଧକ୍କା ଦେଇଥିଲା, ପରେ ୧୦ ଫୁଟ ତଳକୁ ଖସି ଯାଇଥିଲା ବୋଲେରୋ । ଘଟଣା ସ୍ଥଳରେ ୪ଜଣମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପଣ୍ଡାପଡ଼ା ପୋଲିସ ପହଂଚି ଗୁରୁତର ଆହତଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏହି ଗାଡ଼ିରେ ୧୧ଜଣ ଗୋରୁ ବ୍ୟାପାରୀ ଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ଟିକସ ପୈଠ ପାଇଁ ବଢିଲା ମିଆଦ : ଆୟକର, ଜିଏସଟି ରିଟର୍ନ ଦାଖଲର ବଢିଲା ଅବଧି; ଜାନୁଆରୀ ୧୦ରେ ସାଧାରଣ ଆଇଟି ରିଟର୍ନର ଶେଷ ଦିନ

କନକ ବ୍ୟୁରୋ : ଆୟକର ଦାତାଙ୍କ ପାଇଁ ଆଶ୍ୱସ୍ତିକର ଖବର । ଜାନୁଆରୀ ୧୦ ତାରିଖ ଯାଏଁ ବଢିଲା ଆୟକର ଦାଖଲର ସମୟସୀମା । ଏନେଇ ଟୁଇଟ୍ କରି ସୂଚନା ଦେଇଛିି ଭାରତ ସରକାରଙ୍କ ଆୟକର ବିଭାଗ । ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ଦାଖଲର ସମୟ ସୀମାକୁ କରୋନା ମହାମାରୀକୁ ନଜରରେ ରଖି ଜାନୁଆରୀ ୧୦ ଯାଏଁ ବୃଦ୍ଧି କରାଯାଇଥିବା କୁହାଯାଇଛି । ଆଗରୁ ଏହା ଡିସେମ୍ୱର ୩୧ ଯାଏଁ ରହିଥିଲା । ସେହିପରି କମ୍ପାନୀ ଗୁଡିକ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଟିକସ ଦାଖଲର ସମୟ ସୀମାକୁ ଆଉ ୧୫ ଦିନ ବୃଦ୍ଧି କରାଯାଇଥିବା କୁହାଯାଇଛି ।

ଆଗକୁ ଏହାର ଡେଡଲାଇନ୍ ଜାନୁଆରୀ ୩୧ ତାରିଖ ଯାଏଁ ରହିଥିଲା । ଏବେ ଏହି ଡେଡଲାଇନ ଫେବ୍ରୁଆରୀ ୧୫ ତାରିଖକୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଏହା ଆୟକର ଦାଖଲର ସମୟ ସୀମାକୁ ତୃତୀୟ ଥର ପାଇଁ ବୃଦ୍ଧି କରିଛନ୍ତି । ପ୍୍ରଥମେ ଜୁଲାଇ ୩୧ରୁ ନଭେମ୍ୱର ୩୦କୁ ବୃଦ୍ଧି ହୋଇଥିଲା । ପରେ ଏହାକୁ ଡିସେମ୍ୱର ୩୧କୁ ବୃଦ୍ଧି କରାଯାଇଥିଲା । ପରେ କରୋନା ମହାମାରୀକୁ ନଜରରେ ରଖି ଆୟକର ଦାଖଲ ସୀମାକୁ ଜାନୁଆରୀ ୧୦ ଯାଏଁ ବୃଦ୍ଧି କରାଯାଇଛି । ସେହିପରି ଜିଏସଟି ଦାଖଲରେ ମଧ୍ୟ ସମୟ ସୀମାକୁ ବୃଦ୍ଧି କରାଯାଇଛି ।

୨୦୧୯-୨୦ ଆର୍ଥିକ ବର୍ଷର ଜିଏସଟି ଦାଖଲ ସମୟ ସୀମାକୁ ୨ ମାସ ଅର୍ଥାତ୍ ଆସନ୍ତା ଫେବ୍ରୁଆରୀ ୨୮ ଯାଏଁ ବୃଦ୍ଧି କରାଯାଇଛି । ଆୟକର ବିଭାଗ ସୂଚନା ଅନୁସାରେ ଚଳିତ ବର୍ଷ ଡିସେମ୍ୱର ୨୮ ତାରିଖ ସୁଦ୍ଧା ଦେଶରେ ୪ କୋଟି ୫୪ ଲକ୍ଷ ଲୋକ ଆୟକର ଦାଖଲ କରି ସାରିଛନ୍ତି । ଗତବର୍ଷ ଏହି ସଂଖ୍ୟା ୪ କୋଟି ୭୭ ଲକ୍ଷ ରହିଥିଲା । ବର୍ତମାନ ପୁଣି ଥରେ ସମୟ ବୃଦ୍ଧି ଆୟକର ଦାତାଙ୍କ ପାଇଁ ଆଇଟି ଦାଖଲର ସୁଯୋଗ ଆଣିଦେବ ।

from Kanak News
via <a href="https://ifttt.com/?

କୋରାପୁଟ ବୋରିଗୁମ୍ମାରେ ଭାଲୁ ଆତଙ୍କ : ଲଦିଯୋଡି ଗାଁରେ ଘୁରିବୁଲୁଛନ୍ତି ୬ଟି ଭାଲୁ; ଆକ୍ରମଣରେ ଜଣେ ମହିଳା ଗୁରୁତର

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଭାଲୁ ଆତଙ୍କ । ସ୍ଥାନୀୟ ଲଦୀଯୋଡି ଗାଁରେ ଗତ କିଛି ଦିନ ହେବ ୬ଟି ଭାଲୁ ସଂଧ୍ୟାରେ ବୁଲୁଥିବା ଦେଖିବାକୁ ମିଳୁଛି । ଫଳରେ ଆତଙ୍କରେ ସଂଧ୍ୟା ହେଉ ହେଉ ଗାଁରେ ତାଟିକବାଟ ପଡିଯାଉଛି ଏବଂ ଦୋକାନବଜାର ବନ୍ଦ ହୋଇଯାଉଛି ।

ଜଣେ ମହିଳା ସଂଧ୍ୟାରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ହାବୁଡରେ ପଡିଯାଇଥିଲେ ଏବଂ ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ତେବେ ଏହି ଭାଲୁକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ବନ ବିଭାଗ ଏଥି ପ୍ରତି ନଜର ଦେଉନଥିବା ଅଭିଯୋଗ ହେଉଛି । ଜଙ୍ଗଲ ଭିତରେ ଖାଦ୍ୟ ଅଭାବରୁ ଜନବସତି ଆଡେ ମାଡି ଆସିିଥିବା କୁହାଯାଉଛି ।

from Kanak News
via <a href="https://ifttt.com/?

ସ୍ୱତନ୍ତ୍ର ବ୍ୟବସ୍ଥାରେ ଜଗା ଦର୍ଶନ ପାଇଁ ଆଜି ପୁରୀବାସୀଙ୍କ ଶେଷ ଦିନ : ଦୁଇଟି ପର୍ଯ୍ୟାୟରେ ଶ୍ରୀଜିଉଙ୍କ ଦର୍ଶନ କରିବେ ୨୮, ୨୯, ୩୧ ୱାର୍ଡ ବାସିନ୍ଦା

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ଚାଲିଥିବା ଜଗା ଦର୍ଶନର ସ୍ୱତନ୍ତ୍ର ବ୍ୟବସ୍ଥାର ଶେଷ ଦିନ । ଆଜି ସକାଳ ୭ଟା ୩୦ରୁ ୧୧ଟା ୩୦ ମଧ୍ୟରେ ୱାର୍ଡ ନମ୍ବର ୨୮ ବାସିନ୍ଦା, ମଧ୍ୟାହ୍ନ ୧୨ଟାରୁ ୪ଟା ୩୦ ମଧ୍ୟରେ ୱାର୍ଡ ନମ୍ବର ୨୯ ଏବଂ ୩୧ ବାସିନ୍ଦା ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ଗତ ୨୩ ତାରିଖରୁ ଭକ୍ତଙ୍କ ପାଇଁ ସିଂହଦ୍ୱାର ଫିଟିଥିଲେ ମଧ୍ୟ ପ୍ରଥମ ତିନି ଦିନ ସେବାୟତ ପରିବାରଙ୍କ ପାଇଁ ଦର୍ଶନର ବ୍ୟବସ୍ଥା ରହିଥିଲା । ଏହା ପରଠାରୁ ସହରବାସୀଙ୍କ ପାଇଁ ୱାର୍ଡ ୱାରି ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଜି ଏହି ଧାରାର ଶେଷ ଦିନ ।

ଏହାପରେ ଜାନୁଆରୀ ୧ ଓ ୨ ତାରିଖ ଦୁଇ ଦିନ ଶ୍ରୀଜିଉଙ୍କ ଦର୍ଶନକୁ ବନ୍ଦ ରଖାଯିବ ଏବଂ ୩ ତାରିଖରୁ ବାହାର ଲୋକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିଛି ପ୍ରଶାସନ । ତେବେ ମନ୍ଦିରକୁ ପ୍ରବେଶ କରିବା ପାଇଁ କୋଭିଡ୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ ଦାଖଲ କରିବାକୁ ପଡିବ । ଶୃଙ୍ଖଳିତ ଦର୍ଶନ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ହୋଇଥିବା ବେଳେ ଅସୁସ୍ଥ ଲୋକ ଏବଂ ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ନଆସିବା ପାଇଁ ଅନୁରୋଧ କରିଛି ପୁରୀ ଜିଲ୍ଲା ପ୍ରଶାସନ । ତେବେ ୩ ତାରିଖ ପରଠାରୁ ଭକ୍ତଙ୍କ ପ୍ରବେଶ ସଂଖ୍ୟା ଉପରେ ମଧ୍ୟ କଟକଣା ରଖାଯାଇଛି ।

from Kanak News
via <a href="https://ifttt.com/?

କରୋନା ଟିକା ବ୍ୟବହାରକୁ ମିଳିଲାନି ନାହିଁ ମଂଜୁରୀ : ଜାନୁୟାରୀ ୧ ତାରିଖରେ ପୁଣି ବସିବ ବିଶେଷଜ୍ଞ କମିଟିର ବୈଠକ; ନୂଆ ବର୍ଷରେ ଆସିପାରେ ଭଲ ଖବର

କନକ ବ୍ୟୁରୋ : ଭାରତରେ କୋଭିଡ୍ ଟିକାକୁ ମିଳି ନାହିଁ ଅନୁମତି । ଦେଶରେ କୋଭିଡା ଟିକାକରଣ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ । ତେବେ ନୂଆ ବର୍ଷର ପ୍ରଥମ ଦିନରେ କରୋନା ବିରୋଧୀ ଲଢେଇ ଅଭିଯାନ ପାଇଁ ଭଲ ଖବର ମିଳିବା ସମ୍ଭାବନା ରହିଛି । ବୁଧବାର ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆର ସବଜେକ୍ଟ ଏକ୍ସପର୍ଟ କମିଟି ବା ବିଶେଷଜ୍ଞ କମିଟିର ବୈଠକ ବସିଥିଲା । ପ୍ରଥମେ ଆଶା କରାଯାଉଥିଲା ଏହି ବୈଠକରେ କୋଭିଡ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିପାରେ । ସବଜେକ୍ଟ ଏକ୍ସପର୍ଟ କମିଟି ଫାଇଜର, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଭାରତ ବାୟୋଟେକ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଲୋଡାଯାଇଥିବା ଅନୁମତି ଉପରେ ବିଚାର ବିମର୍ଶ କରିଥିଲେ  ।

ସିରମ ପକ୍ଷରୁ କୋଭାସିଲଡ ଟିକାର ତଥ୍ୟ ଓ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକାର ପରୀକ୍ଷଣ ସଂପର୍କିତ ତଥ୍ୟ ଦିଆଯାଇଥିଲା । ସେହିପରି ସବଜେକ୍ଟ ଏକ୍ସପର୍ଟ ପାଖରେ କମିଟି ଟିକା ପରୀକ୍ଷାର ତଥ୍ୟ ଦାଖଲ ପାଇଁ ଅଧିକ ସମୟ ମାଗିଥିଲା ଫାଇଜର । ଏହାପରେ ଆସନ୍ତା ଜାନୁୟାରୀ ୧ ତାରିଖରେ  ସବଜେକ୍ଟ ଏକ୍ସପର୍ଟ କମିଟି ବୈଠକ ଡକାଯାଇଛି । ତେଣୁ ନୂଆ ବର୍ଷର ପ୍ରଥମ ଦିନରେ କୋଭିଟ ଟିକାକରଣ ପାଇଁ ଟିକା ନିର୍ମାଣକାରୀ କଂପାନୀ ଦେଇଥିବା ପ୍ରସ୍ତାବକୁ ମଂଜୁରୀ ମିଳିପାରେ । ଏହାପରେ ଔଷଧ ନିୟନ୍ତ୍ରକଙ୍କ ଅନୁମୋଦନ ପାଇଁ ସୁପାରିଶ ପଠାଯିିବ ।

from Kanak News
via <a href="https://ifttt.com/?

ଜାନୁୟାରୀ ପାଇଁ ଗାଇଡଲାଇନ ଜାରି । ଅବରୋଧ ଅଞ୍ଚଳରେ ବଳବତ୍ତର ରହିବ ଲକଡାଉନ ।

କନକ ବ୍ୟୁରୋ: ଜାନୁଆରି ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଜାରି ରହିବ ବୋଲି କୁହାଯାଇଛି। କଣ୍ଟେନମେଣ୍ଟ ଜୋନରେ ଏହି ନିଷେଧାଦେଶ ଆସନ୍ତା ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କୋଭିଡ୍‌-୧୯ ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍‌ ଗୁଡ଼ିକୁ ଚିହ୍ନଟ କରିବେ ଏବଂ ଏହି କଣ୍ଟେନମେଣ୍ଟ ଜୋନ୍‌ ଗୁଡିକର ସୂଚନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ୱେବସାଇଟ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟରେ ପ୍ରଦାନ କରିବେ।

କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ଜ୍ଝ ଜରୁରୀକାଳୀନ ଚିକିତ୍ସା ସୁବିଧା, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣକୁ ବଜାୟ ରଖିବା ପାଇଁ ଏହି ଜୋନ୍ ଗୁଡିକରେ କିମ୍ବା ବାହାରେ ଲୋକମାନଙ୍କର ଚଳପ୍ରଚଳକୁ ଅନୁମତି ମିଳିବ। ଅନ୍ୟ ସବୁ କ୍ଷେତ୍ରରେ ଯିବାଆସିବା ଉପରେ କଡା ନିୟନ୍ତ୍ରଣ ରହିବଜ୍ଝଏହି ଜୋନରେ ସର୍ଭିଲାନ୍ସ ଟିମ୍ ଘରକୁ ଘର ବୁଲି ଲୋକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ। ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍ ଅନୁଯାୟୀ ସମସ୍ତଙ୍କର କୋଭିଡ୍ ପରୀକ୍ଷା ମଧ୍ୟ କରାଯିବ। କୋଭିଡ୍ ପଜିଟିଭ୍ ଚିହ୍ନଟ ସବୁ ବ୍ୟକ୍ତିଙ୍କର ୭୨ ଘଣ୍ଟା ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ କରାଯିବ । କେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯିବ। କରୋନା ରୋଗୀଙ୍କର ଅତିକମରେ ୮୦ ଭାଗ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି।

ଏଥିସହ ରୋଗୀମାନଙ୍କୁ ଯଥା ଶୀଘ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଯଦି ସେ ଘରେ ଆଇସୋଲେସନରେ ରହିବାକୁ ଚାହାନ୍ତି ତେବେ ସେ ଘରେ ରହିବେ। ତୁରନ୍ତ ତାଙ୍କୁ ସେ ସୁବିଧା ଦିଆଯିବ। ଯଦି ସ୍ବାସ୍ଥ୍ୟାବସ୍ଥା ଭଲ ନ ଥାଏ ତେବେ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରାଯିବ। କଣ୍ଟେନମେଣ୍ଟ ଜୋନରେ ଯେଭଳି କଡାକଡି ଭାବରେ ନିୟମ ପାଳନ କରାଯାଏ ତାହା ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପୁଲିସ ପ୍ରଶାସନ ଏବଂ ମୁନିସପାଲ୍ କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ଯଦି ଏଥିରେ ଅବହେଳା ସାମ୍ନାକୁ ଆସେ ତେବେ ପ୍ରଶାସନର ସମ୍ପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବ ଓ ଆବଶ୍ୟକସ୍ଥଳେ କାର୍ଯ୍ୟନୁଷ୍ଠାନ ହେବ।

from Kanak News
via <a href="https://ifttt.com/?

ଆଉ ନାହାନ୍ତି ଓଡିଆ ଚଳଚିତ୍ର ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ୮୪ବର୍ଷ ବୟସରେ ରାଜଧାନୀର ଘରୋଇ ହସ୍ପିଟାଲରେ ଦେହାନ୍ତ

କନକ ବ୍ୟୁରୋ : ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନ୍ତୁ ମହାପାତ୍ର । ୮୪ ବର୍ଷ ବୟସରେ ତାଙ୍କର ନିଧନ ଘଟିଛି । ଓଡିଆ ଚଳଚିତ୍ର ଜଗତକୁ ଅନେକ ଚିର ସବୁଜ ସଙ୍ଗୀତ ଭେଟି ଦେଇଛନ୍ତି ସେ । ତାଙ୍କ ସଙ୍ଗୀତ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ଆଜି ବି ବସା ବାନ୍ଧିଛି । ଯାହାକୁ ସଭିଏଁ ଆଜି ବି ଗୁଣୁଗୁଣୋଉଛନ୍ତି । ୬୦ ବର୍ଷରୁ ଅଧିକ ସମୟ ଧରି ଓଡିଆ ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ଚିରକାଳ ମନେ ରହିବ ।

ଆଉ ନାହାନ୍ତି ଏହି ଲୋକପ୍ରିୟ ଗୀତର ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନ୍ତୁ ମହାପାତ୍ର । ୮୪ ବର୍ଷ ବୟସରେ ଚିିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଆଉ ଏହା ସହିତ ସବୁଦିନ ପାଇଁ ନୀରବି ଯାଇଛି ଓଡିଆ ସଙ୍ଗୀତକୁ ଶିଖରରେ ପହଁଚାଇଥିବା ଆଉ ଜଣେ ବ୍ୟକ୍ତିତ୍ୱ । ନିମୋନିଆ ହୋଇଥିଲା, କିଡନୀ ବି କାମ କରୁନଥିଲା । ଏହାରି ଭିତରେ ଜୀବନ ଯୁଦ୍ଧରେ ହାରିଗଲେ କୋଟି କୋଟି ଓଡିଆଙ୍କ ହୃଦୟ ଜିତିଥିବା ମଣିଷ ଟିଏ ।

ଶାନ୍ତନୁ ମହାପାତ୍ରଙ୍କ ନିଧନ ଓଡିଆ ଚଳଚିତ୍ର ସଙ୍ଗୀତ ଦୁନିଆଁ ପାଇଁ ଅପୂରଣୀୟ କ୍ଷତି , ଯାହାକୁ ଭରଣା କରିହେବନି । ଶାନ୍ତନୁ ମହାପାତ୍ର ଥିଲେ ଏପରି ବ୍ୟକ୍ତିତ୍ୱ ଯିଏ କି ପ୍ରଥମ କରି ମହମ୍ମଦ ରଫି, ଲତା ମଙ୍ଗେସକର, ମନ୍ନାଦେଙ୍କ ପରି ବଲିଉଡ୍ କଣ୍ଠଶିଳ୍ପୀଙ୍କୁ ଦେଇଥିଲେ ଓଡିଆ ଗୀତ । ରଫିଙ୍କ କଣ୍ଠରେ ଓଡିଆ ଚଳଚିତ୍ର ଅରୁନ୍ଧତୀର ସେଇ ଗୀତ ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ, ତାଙ୍କୁ ଓଡିଶାର ଘରେ ଘରେ ପରିଚିତ କରାଇଥିଲା । ପରବର୍ତି ସମୟରେ ତାଙ୍କ ନିର୍ଦ୍ଦେଶିତ ଅନେକ ଓଡିଆ ଗୀତ ପାଲଟି ଯାଇଥିଲା ମାଇଲଖୁଂଟ । ଦୀର୍ଘ ୬୦ ବର୍ଷ ଧରି ତାଙ୍କର ରହିଥିଲା ସଙ୍ଗୀତ ଯାତ୍ରା । ଓଡିଆ, ହିନ୍ଦୀ, ବଙ୍ଗାଳୀ. ଅହମିଆ ଓ ତେଲୁଗୁ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବାରେ ସେ ଥିଲେ ପ୍ରଥମ ଓଡିଆ ।

ଅରୁନ୍ଧତୀ, ସୂର୍ଯ୍ୟମୁଖି, ମେଘମୁକ୍ତି, ଡୋରା, ଜଗାବଳିଆ, ଗୋଲାମଗିରି, ପଥର ଖସୁଛି ବଡ ଦେଉଳୁ । ଏମିତି ଅନେକ ଓଡିଆ ଚଳଚିତ୍ରକୁ ସଙ୍ଗୀତ ନିର୍ଦ୍ଦେଶନାରେ ରୁଦ୍ଧିମନ୍ତ କରିଥିବା ଚିରସବୁଜ ଶାନ୍ତନୁ ମହାପାତ୍ର ଆଜି ନୀରବି ଯାଇଛନ୍ତି । ତାଙ୍କର ସମ୍ମାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ ପରେ ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି ଶେଷକୃତ୍ୟ । ଯେତେ ଦିନ ଓଡିଆ ଚଳଚିତ୍ର ସଙ୍ଗୀତକୁ ନେଇ ଚର୍ଚା ହେବ, ସେତେଦିନ ଅଭୁଲା ରହିବେ ଶାନ୍ତନୁ ମହାପାତ୍ର ।

from Kanak News
via <a href="https://ifttt.com/?

ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାରେ ଚିଠି ଲେଖି ପ୍ରଶ୍ନ ଉଠାଇଲେ ପତ୍ନୀ । ପଚାରିଲେ, କାହିଁକି କରିଛନ୍ତି ଆତ୍ମହତ୍ୟା, କାରଣ କୁହନ୍ତୁ ଜିଲ୍ଲାପାଳ?

କନକ ବ୍ୟୁରୋ : ବର୍ଷେ ପରେ ବି ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟିନି । ଆଉ ଏହାରି ଭିତରେ ନ୍ୟାୟ ପାଇବାକୁ ସଂଘର୍ଷ ଜାରି ରଖିଛନ୍ତି ମୃତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା । ତକ୍ରାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପ୍ରତି ପୁରା ଘଟଣାରେ କାହିଁକି ଏତେ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ସଂବାଦ ସମ୍ପାଦକଙ୍କୁ ପତ୍ର ଲେଖିଛନ୍ତି ବନଜା ।

ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ନ୍ୟାୟ ପାଇବାକୁ ସଂଘର୍ଷ ଜାରି ରଖିଛନ୍ତି ମୃତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା । ଘଟଣାକୁ ବର୍ଷେ ପୁରିଥିଲେ ମଧ୍ୟ ପରିବାର ଏବେ ରହିଛି ନ୍ୟାୟ ଅପେକ୍ଷାରେ । ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଏହା ମଧ୍ୟରେ ବନଜା ଉଠାଇଛନ୍ତି ପୁଳା ପୁଳା ପ୍ରଶ୍ନ ।

ଦେବ ନାରାୟଣ ପଣ୍ଡା ଯଦି ଆତ୍ମହତ୍ୟା କରିଛନ୍ତି, ତାହାର କାରଣ କଣ?
ଯଦି ଏହା ହତ୍ୟାକାଣ୍ଡ, ଏଥିରେ କେଉଁମାନେ ସଂପୃକ୍ତ ?
ଅଗ୍ନିଶମ ବିଭାଗକୁ ପୁଲିସ ପକ୍ଷରୁ କୌଣସି ଫୋନ୍ କଲ୍ ଯାଇନଥିଲା
ଶବ ପଡିଥିବା ସ୍ଥାନ ମାଲକାନଗିରି ପୋଲିସ ଜାଣିଲା କେମିତି ?
ଆତ୍ମହତ୍ୟାର ଆଗରୁ ଦେଖିଥିବା ଲୋକଙ୍କ ତଥ୍ୟ ସାର୍ବଜନୀନ କରୁ ପୋଲିସ
ପୋଲିସ ଏହି ଘଟଣାରେ ସେମାନଙ୍କୁ ଡାକି ଜେରା କରିଛି କେବେ ?
ପାଣିରେ ବୁଡି ମରିଥିବା ଲୋକର ନାକରେ ରକ୍ତ ଆସିଲା କୁଆଡୁ ?
ପୁରା ଘଟଣାରେ ମାଲକାନଗିରି ତକ୍ରାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ପୋଲିସ ଜେରା କରୁନି କାହିଁକି ?

ସଂବାଦକୁ ଲେଖିଥିବା ଚିଠିରେ ଏମିତି ଅନେକ ପ୍ରଶ୍ନ ଉଠାଇଛନ୍ତି ବନଜା । ଆଗରୁ ମଧ୍ୟ ବନଜା ୪୦ରୁ ଅଧିକ ପ୍ରଶ୍ନ କରି ମାଲକାନଗିରି ପୋଲିସକୁ ଟାଣିଥିଲେ କାଠଗଡାକୁ । ଏବେ ସଂବାଦକୁ ଚିଠି ଲେଖି ତକ୍ରାଳୀନ ଜିଲ୍ଲାପାଳଙ୍କ ପ୍ରତି ଅନୁକମ୍ପାର କାରଣ ଖୋଜିବାକୁ ଅନୁରୋଧ କରିଛନ୍ତି ।

୨୦୧୯ ଡିସେମ୍ୱର ୨୮ରେ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା । ସତୀଗୁଡା ଡ୍ୟାମ ପିଣି ଭିତରୁ ଉଦ୍ଧାର ହୋଇଥିଲା ତାଙ୍କର ମୃତଦେହ । ତେବେ ଏପ୍ରିଲ ୧୨ ତାରିଖରେ କାହିଁକି ଭୁବନେଶ୍ୱରକୁ ଏତେ ବିଳମ୍ୱରେ ପରୀକ୍ଷା ପାଇଁ ପଠା ଯାଇଥିଲା ଭିସେରା , ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବନଜା । ଏହାରି ଭିତରେ ବର୍ଷେ ପରେ ବି ସ୍ୱାମୀଙ୍କ ରହସ୍ୟଜନକ ମୃତ୍ୟୁ ନେଇ ନ୍ୟାୟ ଅପେକ୍ଷାରେ ବନଜା

from Kanak News
via <a href="https://ifttt.com/?

ଗରିବଙ୍କୁ ଘର ଦେବାରେ କାହାର ଭାଗ କେତେ? କଳି ଲାଗିଲେ ବିଜେଡି ଓ ବିଜେପି । 

କନକ ବ୍ୟୁରୋ : ପକ୍କାଘର ଯୋଜନାର ଇଏ ହେଉଛି ନୂଆ ପୋଷ୍ଟର । ଯେଉଁଥିରେ ବାଁ ପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଡାହାଣରେ ବିଜୁ ପକ୍କା ଘର ଯୋଜନା ଉଲ୍ଲେଖ କରାଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ  ପ୍ର-ଆ-ଯୋ ଲେଖାଯାଇଥିବା ବେଳେ ଏବେ ନୂଆ ଲୋଗୋରେ ତାକୁ ପରିବର୍ତନ କରାଯାଇଛି ।

ପଂଚାୟତିରାଜ ବିଭାଗ  ଏନେଇ ସମସ୍ତ ଜିଲ୍ଲାପାଳ, ପ୍ରୋଜେକ୍ଟ ଡାଇରେକ୍ଟର ଓ ଡିଆରଡିଏମାନଙ୍କୁ ଚିଠି ଲେଖି କହିଛନ୍ତି, ନୂଆ ଲୋଗୋ ଥିବା ଷ୍ଟିକର ସମସ୍ତ ହିତାଧିକାରୀଙ୍କ ବାସଗୃହରେ ୨୦୨୧ ସୁଦ୍ଧା ଲଗାଯିବ । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରୁଛନ୍ତି ବୋଲି ଅଭିଯୋଗ କରି ସାରା ରାଜ୍ୟରେ

ଆନ୍ଦୋଳନ କରିଥିଲା ବିଜେପି । ଆଉ ଏହି ଘଟଣା ପରେ ଲୋଗୋ ବଦଳାଇଛନ୍ତି ସରକାର । ରାଜ୍ୟ ପଂଚାୟତିରାଜ ବିଭାଗର ସୂଚନା ଅନୁସାରେ ୨୦୧୪-୧୫ରୁ ଏଯାଏଁ ୨୮ଲକ୍ଷ୩୪ହଜାର ୫୭୪ଜଣ ହିତାଧିରାରୀଙ୍କୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦିଆଯାଇଛି ।

ଏହା ମଧ୍ୟରେ କେବଳ ବିଜୁ ପକ୍କା ଘର ଯୋଜନାରେ ୩ଲକ୍ଷ ୫୦ ହଜାର ଏବଂ ବିଜୁ ପକ୍କା ଘର ଇନ୍ଦିରା ଆବାସ ଯୋଜନାରେ ୧୩ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ୧୦ଲକ୍ଷ ଲୋକଙ୍କୁ ଘର ଯୋଗାଇଦିଆଯାଇଛି ।

୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଯେଉଁଥିରେ ୬୦ ପ୍ରତିଶତ କେନ୍ଦ୍ର ଓ ୪୦ ପ୍ରତିଶତ ରାଜ୍ୟ ଦେବାର ବ୍ୟବସ୍ଥା ରହିଛି ।

from Kanak News
via <a href="https://ifttt.com/?

କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା କିଛି ମାତ୍ରାରେ ସଫଳ । ୪ଟି ସର୍ତ୍ତରୁ ୨ଟିରେ ସହମତି ହେଲା କେନ୍ଦ୍ର । ଆସନ୍ତା ୪ରେ ପୁଣି ବସିବ ବୈଠକ

କନକ ବ୍ୟୁରୋ : କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା କିଛି ମାତ୍ରାରେ ସଫଳ । ୪ଟି ସର୍ତ୍ତରୁ ୨ଟିରେ ସହମତି ହେଲା କେନ୍ଦ୍ର । ବିଜୁଳି ବିଲ ସର୍ତ୍ତ ଉପରେ କେନ୍ଦ୍ରର ସହମତି । ଏମଏସପି ରହିବା ନେଇ ଲିଖିତ ଭାବେ ଦେବାକୁ ପ୍ରସ୍ତୁତ । ଆସନ୍ତା ୪ରେ ପୁଣି ବସିବ ଉଭୟଙ୍କ ମଧ୍ୟରେ ବସିବ ବୈଠକ ।

ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ଭିତରେ ଆଜିକୁ ୩୫ ଦିନରେ ପହଂଚିଲାଣି ଆନ୍ଦୋଳନ । ନିଜ ଦାବିରୁ ଓହରୁ ନାହାନ୍ତି ଚାଷୀ । ସେହିପରି ସରକାର ମଧ୍ୟ ତାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରୁନଥିଲେ । ଶେଷରେ ଆଜି ସରକାର ଦୁଇଟି ସର୍ତ୍ତରେ ରାଜି ହୋଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started