ଗୋଟିଏ ଜାଗାରେ ପାଖାପାଖି ଅନୁଭବ-ବର୍ଷା । ମହିଳା କମିଶନଙ୍କ ଆଗରେ ହାଜର ହେଲେ ଅନୁଭବ, କହିଲେ ଅଧ୍ୟକ୍ଷାଙ୍କ ଆଗରେ ରଖିଲେ ପକ୍ଷ ।

କନକ ବ୍ୟୁରୋ : ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ମାମଲାରେ ଆଜି ମହିଳା କମିଶନଙ୍କ ନୋଟିସ୍ ଅନୁସାରେ ହାଜର ହୋଇଛନ୍ତି ଅନୁଭବ ଓ ବର୍ଷା । ଉଭୟଙ୍କୁ ସାମ୍ନାସାମ୍ନି ବସାଇ କଥାବାର୍ତ୍ତା କରିଥିଲେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ବର୍ଷା ଓ ଅନୁଭବଙ୍କ ୩ ଘଂଟା ଧରି ଆଲୋଚନା କରିଥିଲେ ଅଧ୍ୟକ୍ଷା । ଆଲୋଚନା ସମୟରେ ଉଭୟଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ ।

ଆଲୋଚନା ପରେ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ଆଜିର ଆଲୋଚନା ଆଗକୁ ଏକ ନୂଆ ଆଲୋକ ଦେଖାଇବ । ଆଗକୁ ଗୋଟିଏ ଭଲ ରାସ୍ତା ବାହାରିବ ବୋଲି ଆଶା କରାଯାଉଥିବା କହିଛନ୍ତି ଅଧ୍ୟକ୍ଷା ମୀନତି ବେହେରା । ସେପଟେ ମହିଳା କମିଶନଙ୍କ ପକ୍ଷରେ ହାଜର ହେବା ପରେ ଅନୁଭବ କହିଛନ୍ତି, ସେ ତାଙ୍କ ପକ୍ଷ ରଖିଛନ୍ତି । ମହିଳା କମିଶନଙ୍କୁ ସମ୍ମାନ ଜଣାଇ ସେ ହାଜର ହୋଇଥିଲେ ।

ଆଜି ମହିଳା କମିଶନରେ ଉଭୟ ଅନୁଭବ ଓ ପତ୍ନୀ ବର୍ଷା ପିୟଦର୍ଶିନୀ ହାଜର ହୋଇଥିଲେ । ପାରିବାରିକ ବିବାଦକୁ ନେଇ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ । ବର୍ଷାଙ୍କ ଅଭିଯୋଗ ଆଧାରରେ ଅନୁଭବଙ୍କ ସମେତ ତାଙ୍କ ବାପା ଓ ମାଆଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ କରିଥିଲେ ମହିଳା କମିଶନ । କୋର୍ଟରେ ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଚାଲିଛି । ଅନୁଭବ, ବର୍ଷାଙ୍କ ରୁମକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭିଡିଓ ଭାଇରାଲ ହେବା ପ୍ରସଙ୍ଗରେ କଟକ ପୁରୀ ଘାଟ ଥାନାରେ ଅଭିଯୋଗ କରିଥିଲେ ବର୍ଷାଙ୍କ ଓକିଲ ।

କିଛି ଦିନ ତଳେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଭିଡ଼ିଓରେ ବର୍ଷା ଅନୁଭବ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା । ଅନୁଭବ କହୁଥିଲେ ବାପା ମାଆଙ୍କ ଆର୍ଶୀବାଦ ଥିବା ଯାଏଁ ତାଙ୍କୁ କେହି ହରେଇ ପାରିବେ ନାହିଁ । ଆଉ ଏହାର ଜବାବ ରଖୁଥିଲେ ଅଭିନେତ୍ରୀ ବର୍ଷା । ଏହି ଭିଡ଼ିଓକୁ ନେଇ ଥାନାରେ ଏତଲା ଦିଆଯାଇଥିଲା ଏବଂ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ।

from Kanak News
via <a href="https://ifttt.com/?

ତଳତଳିଆଙ୍କୁ ମାଡ଼, ବଡ଼ ବଡ଼ିଆଙ୍କୁ ମାଫ୍ । ଜଗାଦର୍ଶନ ବେଳେ କାହିଁକି ଏ ପାତରଅନ୍ତର । ଠାକୁର ଦର୍ଶନ କରି ନିଲମ୍ବିତ ହେଲେ ୪ ଏଏନଏମ୍, ହେଲେ ତହସିଲଦାରଙ୍କୁ କ୍ଷମା !

କନକ ବ୍ୟୁରୋ : ତହସିଲଦାରଙ୍କୁ ମାଫ୍, ଏଏନଏମଙ୍କୁ ଛାଟ । ଶ୍ରୀମନ୍ଦିର ଜଗନ୍ନାଥ ଦର୍ଶନକୁ ନେଇ ପ୍ରଶାସନର ଏଭଳି କିଛି ଦୋମୁହାଁ ନୀତି ସାମ୍ନାକୁ ଆସିଛି, ଯେତେବେଳେ ୪ଜଣ ଏଏନଏମଙ୍କୁ ଚାରିକିରୁ ନିଲମ୍ବିତ କରାଯାଇଛି । ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ କରୁଥିଲେ ଏହି ୪ ଜଣ ଏଏନଏମ୍ । ଆଉ ସମୟ ସୁବିଧା ଦେଖି ଅନୁମତି ନଥାଇବି ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ନିୟମର ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ହେବାରେ କୌଣସି ସମସ୍ୟା ନାହିଁ । କିନ୍ତୁ ପ୍ରଶ୍ନ ସେତେବେଳେ ଉଠେ ଯେତେବେଳେ ସମାନ ଭୁଲ ପାଇଁ ବଡବଡିଆଙ୍କୁ ମାଫ୍ କରିଦିଆଯାଏ ।

ତଳତଳିଆଙ୍କୁ ମାଡ଼, ବଡ଼ବଡି଼ଆଙ୍କୁ ମାଫ୍ । ଜଗା ଦର୍ଶନ ପାଇଁ ଇଏ କି ବିଚାର ! ଗୋଟିଏ ପଟେ ୪ଜଣ ଏଏନଏମ୍ କର୍ମୀ ଏବଂ ଅନ୍ୟପଟେ ଜଣେ ତହସିଲଦାର । ଉଭୟଙ୍କ ଦୋଷ ଗୋଟିଏ । ତାହା ହେଉଛି, ମନ୍ଦିର ପ୍ରବେଶ ନିୟମ ଭାଙ୍ଗି ମନ୍ଦିରରେ ପ୍ରବେଶ କରିବା । ତେବେ ତଳତଳିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ତହସିଲଦାରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ୪ଜଣ ଏଏନଏମଙ୍କ ଦାୟିତ୍ୱ ଥିଲା ମନ୍ଦିରକୁ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କ ମନ୍ଦିର ବାହାରେ ଥର୍ମାଲ ଚେକିଂ କରିବା । ହେଲେ ପାଖରେ ମନ୍ଦିରକୁ ପ୍ରବେଶ ଅନୁମତି ନଥାଇ ଶ୍ରୀମନ୍ଦିର ଭିତରକୁ ଏହି ୪ଜଣ ଏଏନଏମ୍ କର୍ମୀ ଗତ ୨ ଦିନ ତଳେ ପ୍ରବେଶ କରିଥିଲେ । ଯାହା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଅନ୍ୟପକ୍ଷରେ ତହସିଲଦାର ଓ ତାଙ୍କ ପରିବାର କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇଯାଇଛନ୍ତି ।

ଶ୍ରୀମନ୍ଦିର ପ୍ରବେଶ ନିୟମ ଭାଙ୍ଗିଥିବାରୁ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ବଡବଡିଆ କିପରି ରକ୍ଷା ପାଇଯାଉଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଛିଡା ହୋଇଛି । ଜଗା ଦର୍ଶନ ପାଇଁ ଏମିତିକା ବିଚାରକୁ ନେଇ ଏବେ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି । ପ୍ରଶ୍ନ ଉଠୁଛି, ଯଦି ସମାନ ଦୋଷରେ ୪ଜଣ ଏଏନଏମ୍ କର୍ମୀ ସସପେଣ୍ଡ ହେଲେ ତେବେ ତହସିଲଦାରଙ୍କ ଉପରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ?

from Kanak News
via <a href="https://ifttt.com/?

ଭାରତରେ ପଶିଲା ବ୍ରିଟେନ ଭାଇରସ । ୮ ବ୍ରିଟେନ୍ ଫେରନ୍ତାଙ୍କ ଦେହରେ ସୁପର ସ୍ପ୍ରେଡର ଭୁତାଣୁ, ୫୬ ପ୍ରତିଶତ ଅଧିକ ବେଗରେ କରିପାରେ ସଂକ୍ରମଣ ।

କନକ ବ୍ୟୁରୋ : ଭାରତ ପହଞ୍ଚିଲା ବ୍ରିଟେନର ନୂଆ ଷ୍ଟ୍ରେନ୍ । ୮ ବ୍ରିଟେନ୍ ଫେରନ୍ତାଙ୍କ ଦେହରେ ‘ସୁପର ସ୍ପ୍ରେଡର’ ଭୂତାଣୁ । ଯେଉଁ କଥାକୁ ଡର ଥିଲା ସେୟା ହେଲା । ବ୍ରିଟେନରେ ନୂଆ ଭୂତାଣୁ ଚିହ୍ନଟ ହେବା ପରେ ଭାରତ ସରକାର ସତର୍କ ହୋଇଗଲେ । କିନ୍ତୁ ସେତେବେଳେକୁ ଦେଶ ଭିତରକୁ ପଶି ଆସିଛି ନୂଆ ଭୂତାଣୁ । ୮ ଜଣଙ୍କ ଠାରେ ଏହି ନୂଆ ଷ୍ଟ୍ରେନ୍ ବି-ୱାନୱାନ ସେଭେନ ଚିହ୍ନଟ ହୋଇଛି । ବାଙ୍ଗାଲୋର, ପୁଣେ ଓ ହାଇଦ୍ରାବାର ପରୀକ୍ଷାଗାରରେ ନମୂନାର ଜେନମ ସ୍ୱିକେନ୍ସ ଯାଂଚ ପରେ ଏହା ସ୍ପଷ୍ଟ ହୋଇଛି ।

ନୂଆ ଷ୍ଟ୍ରେନ ବି-ୱାନୱାନ ସେଭେନ କରୋନାର ପୁରୁଣା ଭୂତାଣୁ ଠାରୁ ୫୬ ପ୍ରତିଶତ ଅଧିକ ବେଗରେ ସଂକ୍ରମଣ କରିପାରିବ । ଅର୍ଥାତ୍ ଜଣଙ୍କ ଠାରୁ ଏହି ଭୁତାଣୁ ତୁରନ୍ତ ବହୁ ଜଣଙ୍କୁ ବ୍ୟାପି ଯିବାର ଆଶଙ୍କା ରହିଛି ।

ଏହି ଘଟଣା ପରେ ଡିସେମ୍ବର ୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଭାରତ ଫେରିଥିବା ସବୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଜିନମ ସିକୁଏନସିଙ୍ଗ୍ ଅର୍ଥାତ ଭୂତାଣୁର ପରୀକ୍ଷା କରାଯିବ । ଏପଟେ ବ୍ରିଟେନର ଭୂତାଣୁ ମିଳିଥିବା ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ କଠୋରୀରେ ସଙ୍ଗରୋଧରେ ରଖାଯାଇଛି । ଏଥିସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଂଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଏପଟେ ଓଡିଶାରୁ ମଧ୍ୟ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କ ଭୁତାଣୁର ପରୀକ୍ଷା ପାଇଁ ପୁଣେ ପଠାଯାଇଛି ।

ବ୍ରିଟେନରୁ ଆସିଥିବା କରୋନାର ଏହି ନୂଆ ଷ୍ଟ୍ରେନ୍ ଡେନମାର୍କ, ନେଦରଲାଣ୍ଡସ, ଅଷ୍ଟ୍ରେଲିଆ, ଇଟାଲି, ସ୍ୱିଡେନ, ଫ୍ରାନ୍ସ, ସ୍ପେନ, ସ୍ୱିଜରଲାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ ଓ ସିଙ୍ଗାପୁରରେ ଦେଖିବାକୁ ମିଳିଛି ।

ଏହି ନୂଆ ଭୂତାଣୁର ମୁକାବିଲା ପାଇଁ ଏହାକୁ ଚିହ୍ନଟ କରିବା ହେଉଛି ପ୍ରଥମ ଆବଶ୍ୟକତା । ସେଇଥିପାଇଁ ଦେଶରେ ୧୦ଟି ପରୀକ୍ଷାଗାରରେ ଏହି ଜିନମ ସିକୁଏନସିଙ୍ଗ୍ ଅର୍ଥାତ ଭୁତାଣୁର ପ୍ରକାର ଜାଣିବା ପାଇଁ ପରୀକ୍ଷାର ବ୍ୟବସ୍ଥା କରାଯାଉଛି ।

ନୂଆ ଭୂତାଣୁ ଚିହ୍ନଟ ପରେ କେମିତି ଅଛି ବ୍ରିଟେନ ? ସୋମବାର ରେକର୍ଡ ହେଲା ସର୍ବାଧିକ ସଂକ୍ରମଣ । ସୋମବାର ଗୋଟିଏ ଦିନରେ ବ୍ରିଟେନରେ ୪୧ ହଜାର ୩୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବ୍ରିଟେନରେ ଏହା ସର୍ବାଧିକ ସଂକ୍ରମଣର ଦିନ । କ୍ରୋୟଡନ ହେଲଥ ସର୍ଭିସର ମୁଖ୍ୟ ବିବିସି ରେଡିଓକୁ କହିଛନ୍ତି, ହସ୍ପିଟାଲଗୁଡିକ ବହୁତ ଚାପରେ ଅଛନ୍ତି ଏବଂ ବହୁତ ବ୍ୟସ୍ତ ହୋଇଯାଇଛନ୍ତି । ସେଠାରେ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି, ମହାମାରୀର ଏକ ବିପଦପୂର୍ଣ୍ଣ ପର୍ଯ୍ୟାୟ ଭିତରକୁ ସେମାନେ ପ୍ରବେଶ କରୁଛନ୍ତି ।

from Kanak News
via <a href="https://ifttt.com/?

ପଦୋନ୍ନତି ପାଇଲେ ବୋଥ୍ରା । ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଡିଜି ରାଙ୍କକୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ପଦୋନ୍ନତି ପାଇଲେ ବୋଥ୍ରା । ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର । ଅତିରିକ୍ତ ଡିଜି ରାଙ୍କକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା । ‘ପରୀ’ ପ୍ରସଙ୍ଗରେ ତଦନ୍ତ କରି ଚର୍ଚ୍ଚିତ ଥିଲେ ଅରୁଣ ବୋଥ୍ରା ।

୧୯୯୬ ବ୍ୟାଚର ଏହି ଆଇପିଏସ ଅଫିସର ପାଟଣାଗଡ ଠାରୁ ଆରମ୍ଭ କରି ସାରଥି ଏବଂ ପରି ପ୍ରସଙ୍ଗରେ ତଦନ୍ତ କରି ବେଶ ଚର୍ଚ୍ଚା ସାଉଁଟିଥିଲେ । ଖାସ କରି ପରି ଘଟଣାରେ ହତ୍ୟାର ୫ମାସ ପରେ ଅପରାଧୀକୁ ଧରିବା ପାଇଁ ସେ ଯେଉଁ ତରିକା ଆପଣେଇଥିଲେ ତାହା ବେଶ ପ୍ରଶଂସିତ ମଧ୍ୟ ହୋଇଥିଲା । ପୂର୍ବରୁ କ୍ରାଇମଂବ୍ରାଂଚରେ କାମ କରିଥିବା ଅରୁଣ ବୋଥ୍ରା ଏବେ କ୍ରୁଟ ଏବଂ ଓଏସଆରଟିସିରେ କାର୍ଯ୍ୟରତ ଅଛନ୍ତି । ଅନୁମାନ କରାଯାଉଛି ପଦୋନ୍ନତି ପରେ ତାଙ୍କୁ ପୋଲିସ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ଦିଆଯାଇପାରେ ।

ବହୁଚର୍ଚ୍ଚିତ ସାରଥୀ ମାମଲା ଓ ସୁର ବାବା ମାମଲାର ତଦନ୍ତ ମଧ୍ୟ କରିଥିଲେ ଅରୁଣ ବୋଥ୍ରା । ଜଟିଳ ମାମଲାର ସରଳ ସମାଧାନ କରିବାରେ ତାଙ୍କର ବେଶ ଦକ୍ଷତା ଥିବା କୁହାଯାଏ । ପରୀ ମୃତ୍ୟୁ ମାମଲାର ତଦନ୍ତ ଏବେ ତାଙ୍କର ଉପରେ ରହିଛି । ୫ ଜଣିଆ ଏସଆଇଟିର ମୁଖ୍ୟ ରହିଛନ୍ତି ଏହି ଆଇପିଏସ ଅଧିକାରୀ ।

ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ମାମଲା ଏପରି ଜଟିଳ ଥିଲା ଯେ ଓଡ଼ିଶା ପୁଲିସର ମୁଣ୍ଡ ଘୁରି ଯାଇଥିଲା । ମାମଲାର ସମାଧାନ ପାଇଁ ଅରୁଣ ବୋଥ୍ରାଙ୍କୁ ଦିଆଯାଇଥିଲା ଦାୟିତ୍ୱ । ଆଉ ଛୋଟିଆ ଖିଅକୁ ଧରି ଅପରାଧୀ ନିକଟରେ ପହଁଚି ଯାଇଥିଲେ ଏହି ଧୁରନ୍ଧର ଆଇପିଏସ ଅଧିକାରୀ ।

ଗୋଟିଏ ଚିଠିକୁ ଆଧାର କରି ଅପରାଧୀ ପାଖରେ ପହଁଚି ଯାଇଥିଲେ ଆଇଜି ଅରୁଣ ବୋଥ୍ରା । ଚିଠିର ହ୍ୟାଣ୍ଡ ରାଇଟିଂ ନୁହେଁ, ଲେଖାର ଷ୍ଟାଇଲକୁ ଅନୁଧ୍ୟାନ କରି ପାର୍ସଲ ବୋମାର ଖଳନାୟକ ପୁଂଜିଲାଲ ମେହର ନିକଟରେ ପହଁଚି ଯାଇଥିଲେ । ଏହି ମାମଲାରେ ତାଙ୍କର ତଦନ୍ତର ଶୈଳୀ କୌଣସି ବଲିଉଡ କାହାଣୀ ଠାରୁ କମ ନଥିଲା । ଇଂରାଜୀରେ ଲେଖା ଯାଇଥିବା ଚିଠିର ଗୋଟିଏ ଶବ୍ଦର ଖିଅକୁ ଧରି ଅରୁଣ ବୋଥ୍ରା ଜାଣି ପାରିଥିଲେ ଅପରାଧର ଜାଲ ବୁଣିଛନ୍ତି ଜଣେ ଇଂରାଜୀ ଅଧ୍ୟାପକ ।

from Kanak News
via <a href="https://ifttt.com/?

ଆସ ବୁଲି ଯିବା ଉର୍ମାଗଡ ଜଳପ୍ରପାତ । ଫୁଲବାଣୀ ଠାରୁ ୨୦ କିମି ଦୂରରେ ଥିବା ଜଳପ୍ରପାତରେ ଜମୁଛି ପର୍ଯ୍ୟଟକଙ୍କ ଭିଡ, ହେଲେ ବଣଭୋଜି ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ବଢୁଛି ଅସନ୍ତୋଷ ।

କନକ ବ୍ୟୁରୋ : ଉର୍ମାଗଡ ଜଳପ୍ରପାତ । ଓଡିଶାର ପର୍ଯ୍ୟଟନର ମାନଚିତ୍ରରେ ସ୍ଥାନ ପାଇନାହିଁ ଏହି ସ୍ଥାନ । କିନ୍ତୁ ପାହାଡ ପର୍ବତ ଘେରା ଘଂଚ ଜଙ୍ଗଲ ମଧ୍ୟରେ ଥିବା ସ୍ଥାନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ରାଜ୍ୟର ପର୍ଯ୍ୟଟକ । ଝରଣାର କୁଳୁକୁଳୁ ନାଦ ସହ ଜଳପ୍ରପାତର ଭୀଷଣ ଗର୍ଜନ ସମସ୍ତଙ୍କ ମନ ମୋହୁଛି । ପ୍ରତିବର୍ଷ ନଭେମ୍ବରରୁ ଫେବୃୟାରୀ ମାସ ଯାଏଁ ଭୋଜିର ଆସର ଜମୁଛି ଉର୍ମାଗଡ ଜଳ ପ୍ରପାତରେ ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ କଟ୍ରିଙ୍ଗିଆ ପଞ୍ଚାୟତରେ ରହିଛି ଉର୍ମାଗଡ ଜଳପ୍ରପାତ । ଏଠାକୁ ବଣଭୋଜି କରିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରଥମେ ଫୁଲବାଣୀ ଯିବାକୁ ପଡିବ । ସେଠାରୁ ଠିକ୍ ୨୨ କିଲୋମିଟର ଯିବା ପରେ ପଡିବ ଉର୍ମାଗଡ । ଘଞ୍ଚ ଜଙ୍ଗଲ ମଧ୍ୟରେ ଜଳ ପ୍ରପାତ । ଯାହାର ସୌନ୍ଦର୍ଯ୍ୟ ଯିଏ ଦେଖିଛି ସେ ବାରମ୍ବାର ଆସିବାକୁ ଇଚ୍ଛା କରିଛି ।

ଦୂର ଦୁରାନ୍ତରରୁ ଏଠାକୁ ପର୍ଯ୍ୟଟକ ଆସନ୍ତି । ହେଲେ ଏଠାରେ ଆନୁସଙ୍ଗିକ ସୁବିଧା ନଥିବାରୁ ନିରାସ ହୁଅନ୍ତି ପର୍ଯ୍ୟଟକ । ଏହି ପର୍ଯ୍ୟଟନ ସ୍ଥଳିରେ ଲାଇଟ୍, ପାନୀୟଜଳ, ବିଶ୍ରାମଗାର, ଶୌଚାଳୟ ନଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରନ୍ତି । କନ୍ଧମାଳର ଉର୍ମାଗଡ ଜଳପ୍ରପାତକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ହାତକୁ ନେଇ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ସହ ଏହାର ଉନ୍ନତିକରଣ କଲେ ଆହୁରି ଅଧିକ ପର୍ଯ୍ୟଟକ ଆସିବା ସହ ରାଜସ୍ୱ ବଢିବ ବୋଲି ଦାବି କରିଛନ୍ତି ପର୍ଯ୍ୟଟକ ।

from Kanak News
via <a href="https://ifttt.com/?

ହାତୀ ସହ ସେଲଫି ପଡିଲା ମହଙ୍ଗା । ହାତୀ ପାଦ ତଳେ ଦଳି ହୋଇ ଦୁଇଜଣଙ୍କ ମୃତ୍ୟୁ, ମୃତ ପରିବାରକୁ ସହାୟତା ପ୍ରଦାନ କଲା ବନବିଭାଗ ।

କନକ ବ୍ୟୁରୋ : ଗଞ୍ଜାମ ଭଞ୍ଜନଗରରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇଜଣଙ୍କ ପରିବାରକୁ ସହାୟତା ପ୍ରଦାନ କରିଛି ବନବିଭାଗ । ହାତୀ ଛୁଆ ଦେଖିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଥିବା ବେଳେ ସେଲଫି ନିଶାରେ ନାବାଳକ ପ୍ରାଣ ହରାଇଛି । ତୁରନ୍ତ ଉଭୟ ପରିବାରକୁ ବନ ବିଭାଗ ପକ୍ଷରୁ ୪୦ ହଜାର ଲେଖାଁଏ ଟଙ୍କା ଦିଆଯାଇଛି । ବାକି ୩ ଲକ୍ଷ ୬୦ ହଜାର ଟଙ୍କା ପରେ ଦିଆଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।

ଭଞ୍ଜନଗର ଉତରଘୁମୁସର ବନଖଣ୍ଡ ଗାଲେରୀ ରେଂଜ ବଦାଙ୍ଗିବିଟର ନୁଆପଲ୍ଲୀ ଗାଁ ନିକଟ କାଜୁ ଜଙ୍ଗଲରେ ଦୁଇଟି ହାତୀ ଛୁଆ ଜନ୍ମ ହୋଇଛନ୍ତି । ଏବଂ ୨୨ଟିକିଆ ହାତୀପଲ ଛୁଆଙ୍କୁ ସୁରକ୍ଷା ଦେଉଛନ୍ତି । ଏହି ଖବର ନିକଟସ୍ଥ ଗାଁରେ ପହଞ୍ଚିବା ପରେ ହାତୀ ଛୁଆକୁ ଦେଖିବା ପାଇଁ କାଜୁ ଜଙ୍ଗଲରେ ଲୋକଙ୍କ ଭିଡ ଲାଗିଥିଲା । ଅଧିକ ଲୋକଙ୍କୁ ଦେଖି ହାତୀପଲ ଚିଡି ଯାଇଥିଲେ । ହାତୀପଲରେ ଥିବା ଦନ୍ତାହାତୀ ଲୋକଙ୍କୁ ଆକ୍ରମଣ କରିଥିଲା । ହାତୀ ପାଦତଳେ ଦଳି ହୋଇ ସୁକୁରିଆ ନାଇକ ନାମକ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ସେଲଫି ନିଶାରେ ପ୍ରାଣ ହରାଇଛି ୧୩ ବର୍ଷର ନାବାଳକ ଗଣେଷ ଗୌଡ଼ ।

ସେହିଭଳି ଗଣେଷ ଗୌଡ ହାତୀର ନିକଟତର ହୋଇ ଫଟୋ ଉଠାଉଥିବା ବେଳେ ହାତୀ ସୁଣ୍ଢରେ ଘୋଷାଡି ଆଣି ବହୁ ଦୁରକୁ ଫିଙ୍ଗି ଦେଇଥିଲା । ପରେ ଗୁରୁତର ଅବସ୍ଥାରେ ଗଣେଷକୁ ଉଦ୍ଧାର କରି ଡାକ୍ତରଖାନାକୁ ନେବା ବାଟରେ ରାସ୍ତାରେ ତାର ମୃତ୍ୟୁ ଘଟିଥିଲା । ସେପଟେ ବନବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ସହାୟତା ରାଶି ଦିଆଯାଇଛି । ମୃତକଙ୍କ ପରବାରକୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଭଞ୍ଜନଗର ଏସିଏଫ ।

ସୁକୁରିଆର ମୃତଦେହ ନିକଟରେ ହାତୀ ଜଗି ରହିଥିବାରୁ ରାତି ଯାଏଁ ମୃତଦେହ ଉଧାର ହୋଇପାରିନଥିଲା । ରାତି ୨ଟା ବେଳକୁ ବନବିଭାଗ ନିଆଁ ହୁଳା ଓ ବାଣ ପୁଂଟାଇ ହାତୀ ଘଉଡ଼ାଇବା ପରେ ମୃତଦେହକୁ ଉଦ୍ଧାର କରାଯାଇଥିଲା । ତେବେ ଭଂଜନଗର ଅଞ୍ଚଳରେ ହାତୀ ପଲ୍ଲ ପଲ୍ଲ ହୋଇ ବୁଲୁଥିବାରୁ ହାତୀ ମଣିଷର ଲଢ଼େଇ ବାରମ୍ବାର ଦେଖବାକୁ ମିଳୁଛି ।

from Kanak News
via <a href="https://ifttt.com/?

୩ଟି ରାଜ୍ୟକୁ ଯୋଡିବ ‘ଭାରତ ମାଳା’ ଯୋଜନାରେ ତିଆରି ହେବାକୁ ଥିବା ନୂଆ ରାସ୍ତା । ଛତିଶଗଡରୁ ଆସି ଓଡିଶା ଦେଇ ଆନ୍ଧ୍ରପ୍ରଦେଶ ଯିବ ଏକ୍ସପ୍ରେସ ହାଇୱେ । 

କନକ ବ୍ୟୁରୋ : ନିଯୁକ୍ତି ଠାରୁ ବ୍ୟବସାୟ, ଦୋକାନ ଠାରୁ ହୋଟେଲ ପର୍ଯ୍ୟନ୍ତ ସବୁ କିଛିର ସୁବିଧା ପାଇଁ ଗୋଟିଏ ରାସ୍ତା ଉପରେ ନିର୍ଭର କରିବେ ୩ଟି  ରାଜ୍ୟ । ଏପରିକି ଯାନ ବାହାନ ଚଳାଚଳର ମୁଖ୍ୟ କରିଡ଼ର ସାଜିବ ଏହି ରାସ୍ତା  । ରାୟପୁର ଠାରୁ ବିଶାଖାପାଟଣାକୁ ସଂଯୋଗ ପାଇଁ ନିର୍ମାଣ ହେବ ୬ ଟିକିଆ ସ୍ୱତନ୍ତ୍ର ଏକ୍ସପ୍ରେସ ହାଇୱେ ।

ବଦଳିବ ଅବିଭକ୍ତ କୋରାପୁଟ ଜିଲ୍ଳାର ଭାଗ୍ୟ । ଅର୍ଥନୀତିର ନୂଆ ମାଧ୍ୟମ ସାଜିବ ନୂଆ ରାସ୍ତା । ସରିଲା ରୋଡ଼ ମ୍ୟାପ୍ । ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ । ଆଗକୁ ଆରମ୍ଭ ହେବ କାମ । ଆଉ ବଦଳିଯିବ ଅବଭକ୍ତ କୋରାପୁଟ ଜିଲ୍ଲାର ଚିତ୍ର । କେନ୍ଦ୍ର ସରକାରଙ୍କ ଭାରତ ମାଳା ଯୋଜନାରେ ତିଆରି ହେବ ୪୬୫ କିଲୋମିଟର ଏକ୍ସପ୍ରେସ ହାଇୱେ । ଯାହା ୩ ରାଜ୍ୟକୁ ଯୋଡ଼ିବ । ଗାଁଠୁ ସହରର ଦୂରତା କମିବ ଆଉ ବଦଳିଯିବ ଅର୍ଥନୀତି । ଛତିଶଗଡ ଠାରୁ ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶ ଯାଏଁ ଲମ୍ବିବ । ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ତିଆରି ହେବ ରାସ୍ତା । କୁହାଯାଉଛି, ଗ୍ରାମାଂଚଳ ଅର୍ଥନୀତିର ବିକାଶ କରିବା ସାଙ୍ଗକୁ କଳକାରଖାନା, ଡାକ୍ତରଖାନା, ପର୍ଯ୍ୟଟନ ସ୍ଥଳୀ ଓ ଶିକ୍ଷାର ବିକାଶ କରିବାରେ ବେଶ ସହାୟକ ହେବ ଏକ୍ସପ୍ରେସ ହାଇୱେ । ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିବାଦ ନକରି ବିକାଶକୁ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି କୋରାପୁଟ ଜିଲ୍ଳାପାଳ ।

ନୂଆ ରାସ୍ତାର ଶୁଭାରମ୍ଭ ନହେଉଣୁ ବିରୋଧାଭାସ ଦେଖିବାକୁ ମିଳିଲାଣି । ନବରଙ୍ଗପୁର ଜିଲ୍ଲା ୬ଟି ବ୍ଳକର ପ୍ରାୟ ୨୫୩ ହେକ୍ଟର ଜମି ଓ କୋରାପୁଟ ଜଲ୍ଳାର ୪ ଟି ବ୍ଳକର ପ୍ରାୟ ୧୦୯ ହେକ୍ଟର ଜମିରେ ଏକ୍ସପ୍ରେସ ହାଇୱେ ଯିବ । ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଉଥିବା ବେଳେ ଲୋକେ ଜମି ଦେବାକୁ ରାଜି ହେଉନାହାନ୍ତି । କାରଣ ସରକାରୀ କ୍ଷତିପୂରଣ ବଜାର ଦର ଠାରୁ କମ ରହିଛି । ଏକର ପିଛା ୧୦ ଲକ୍ଷ ଟଙ୍କା, ରହିବା ପାଇଁ ଘର ଓ ୩ ଏକର ଚାଷ ଜମି ଯୋଗାଇବା ପାଇଁ ଦାବି କରୁଛନ୍ତି ଜମିହରା ବାସିନ୍ଦା । ଏହାସହ ରାସ୍ତା ନିର୍ମାଣ ହେଲେ କେତେକ ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହେବ, ସେମାନଙ୍କ ଜୀବନ ଜୀବିକାକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।

from Kanak News
via <a href="https://ifttt.com/?

ମରଣଯନ୍ତା ପାଲଟିଛି ମୟୂରଭଞ୍ଜର ଘାଟି ରାସ୍ତା । ବାଙ୍ଗିରିପୋଷିର ବାବନ ଘାଟିର ସଂକୀର୍ଣ୍ଣ ରାସ୍ତା ଯୋଗୁଁ ବଢୁଛି ଦୁର୍ଘଟଣା, ହାତ ବାନ୍ଧି ବସିଛି ପ୍ରଶାସନ ।

କନକ ବ୍ୟୁରୋ : ଗମନା ଗମନର ସୁବିଧା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନିର୍ମାଣ କରୁଛନ୍ତି ଖୁବ୍ ସୁନ୍ଦର ଏବଂ ଚକାଚକ୍ ଲମ୍ବା ରାସ୍ତା । ଆଉ ଏଥିପାଇଁ ଖର୍ଚ୍ଚ ହେଉଛି ହଜାର ହଜାର କୋଟି ଟଙ୍କା । ହେଲେ ଓଡିଶାର ଏମିତି ଏକ ଘାଟି ରାସ୍ତା ଅଛି ଯାହା, ଜିଲ୍ଲାବାସୀଙ୍କ ଚିନ୍ତାର କାରଣ ପାଲଟିଛି । ସୂଚନା ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ଘାଟି ରାସ୍ତାରେ ୫୦୦ରୁ ଅଧିକ ଦୁର୍ଘଟଣା ଘଟିଛି, ପ୍ରାୟ ଶହେ ଜଣଙ୍କ ପ୍ରାଣ ଯାଇଛି, ଅସଂଖ୍ୟ ଲୋକ ଆହତ ହୋଇଥିବା ବେଳେ ଶତାଧିକ ଲୋକ ପଙ୍ଗୁ ହୋଇ ଘରେ ବସିଛନ୍ତି । ତଥାପି ନିରବ ପ୍ରଶାସନ । ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନିର୍ବାଚନ ମଣ୍ଡଳିର ଘାଟି ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ରାଜନୈତିକ ଦଳ କି ପ୍ରଶାସନିକ କଳର ଇଚ୍ଛାଶକ୍ତିର ଅଭାବରୁ ବର୍ଷ ବର୍ଷ ଧରି ଧନଜୀବନ ହାନି ଘଟୁଥିବା ଅଭିଯୋଗ ହୋଇଛି ।

ଆମେ କହୁଛୁ ମୟୂରଭଞ୍ଜ ବାଙ୍ଗିରିପୋଷି ବ୍ଲକ୍ ଅଧିନରେ ଥିବା ବାଙ୍ଗିରିପୋଷି ଘାଟି ବା ମା’ଦ୍ୱାରଶୁଣି ଘାଟିର କଥା । ୯ କିଲୋମିଟର ଯାଏଁ ପାହାଡ ଅତିକ୍ରମ କରି ଆଗକୁ ବଢିଛି ୪୯ ନମ୍ବର ଜାତୀୟ ରାଜପଥ । ପୂର୍ବରୁ ଏଠାରେ ୫୨ଟି ବାଙ୍କ ଥିବାରୁ ଏହାର ନାମ ବାବନ ଘାଟି । କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ରାଉରକେଲା ସମେତ ବିଳାଶପୁର ଓ ମୁମ୍ବାଇ ଅଭିମୁଖେ ପ୍ରତିଦିନ ହଜାର ହଜାର ଭାରି ଓ ହାଲୁକା ଯାନ ଏହି ଘାଟି ରାସ୍ତା ଦେଇ ବିପଦପୂର୍ଣ୍ଣ ଯାତ୍ରା କରୁଛି ।

ବିପଦ ଆଣୁଛି ବାବନ ଘାଟି । ଭୟ ବଢ଼ାଉଛି ଅଣଓସାରିଆ ଘାଟି ରାସ୍ତା । ଗାଡ଼ି ଗୁଡିକ ଘାଟି ଛୁଇଁଲେ, କେମିତି ଘାଟି ପାର ହୁଅନ୍ତି ତାହା କେବଳ ଘାଟି ଉପରେ ଥିବା ପ୍ରତ୍ୟେକ୍ଷଦର୍ଶୀ ମା ଦ୍ୱାରଶୁଣୀଙ୍କୁ ଜଣା । ଅଣଓସାରିଆ ରାସ୍ତାର ଦୁଇପଟେ ଠିକ୍ ଭାବରେ ବ୍ୟାରିକେଡ୍୍ ନାହିଁ । ତେଣୁ ଅନେକ ସମୟରେ ଗାଡ଼ି ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇ ଶହଶହ ଫୁଟ୍ ତଳକୁ ଖସି ପଡିଛି, ଅକାଳରେ ଧନଜୀବନ ନଷ୍ଟ ହୋଇଛି । ତେଣୁ ବାବନ ଘାଟି ରାସ୍ତାକୁ ଦୁର୍ଘଟଣା ପ୍ରବଣ ରାସ୍ତା ଭାବେ ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ । ସତର୍କ ହୋଇ ଗାଡି ଚଳାଇବା ଉଦ୍ଦେଶ୍ୟରେ ଜାଗା ଜାଗାରେ ସୂଚନା ଫଳକ ଲଗାଯାଇଛି । ମାତ୍ର ଦୁର୍ଘଟଣା କମିବା ବଦଳରେ ବଢ଼ୁଛି ।

ତେବେ ଘାଟି ଉପରେ ଘଟିଥିବା ଏକ ଦୁର୍ଘଟଣାରେ ବାପା-ପୁଅଙ୍କ ମୃତ୍ୟୁକୁ ଦେଖିଥିବା ଯୁବ ସମାଜସେବୀ ମହାଦେବ ସାହୁ ଘାଟି ରାସ୍ତା ସଂପ୍ରସାରଣ ପାଇଁ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଚିଠି ଲେଖିଛନ୍ତି । ଏହାସହ ରାସ୍ତା ବାବଦରେ ଆର.ଟି.ଆଇ ତଥ୍ୟ ସଂଗ୍ରହ କରି ଜିଲ୍ଲାବାସୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଛନ୍ତି ।

ଅନ୍ୟପଟେ ଏହି ବାବନ ଘାଟି ରାସ୍ତା ସିମିଳିପାଳ ‘ଇକୋ ଟୁରିଜିମ୍’ ମଧ୍ୟରେ ରହିଛି । ଏଥିରେ ୩ଟି ହାତୀ ଚଲାପଥ ରହିଛି । ତେଣୁ ରାସ୍ତା ସଂପ୍ରସାରଣ ପାଇଁ ବନବିଭାଗ ଅନୁମତି ଦେଉନଥିବା ଜଣାପଡିଛି । ଘାଟି ରାସ୍ତାର ସଂପ୍ରସାରଣ ଓ ଉନ୍ନତିକରଣ ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ସାଂସଦ ବିଶେଶ୍ୱର ଟୁଡୁ । ଅନ୍ୟପଟେ ନେତା ମନ୍ତ୍ରୀ ଏବଂ ପ୍ରଶାସନିକ ବାବୁଙ୍କ ଇଚ୍ଛାଶକ୍ତିର ଅଭାବରୁ ଜିଲ୍ଲାବାସୀ ବର୍ଷ ବର୍ଷ ଧରି ମରଣ ମୁହଁରେ ପଡୁଥିବା କହିଛନ୍ତି ବୁଦ୍ଧିଜୀବୀ ।

from Kanak News
via <a href="https://ifttt.com/?

ସୁବିଧାରେ ଲୋନ ପାଇବା ଲୋଭ ଆଣିପାରେ ସମସ୍ୟା । ଫଟାଫଟା ଲୋନ୍ ଆପରୁ ଦୂରେଇ ରହିବାକୁ ସତର୍କ କଲା ଆରବିଆଇ ।

କନକ ବ୍ୟୁରୋ: କ୍ଲିକ କରନ୍ତୁ ଲୋନ ପାଆନ୍ତୁ । ଚୁଟକିରେ ଦୂରାନ୍ତୁ ଲୋନ ଚିନ୍ତା… ମୋବାଇଲ ଖେଳାଉ ଖେଳାଉ ଏମିତି କିଛି ଲେଖା ଥିବା ଅନେକ ନୋଟିଫିକେସନ ଦେଖାଏ । ଯେଉଁଥିରେ ସହଜରେ ଲୋନ ପାଇବାକୁ ବିଭିନ୍ନ ମେସେଜ ଆସେ । ଆପ ମାଧ୍ୟମରେ ଫଟାଫଟ ଲୋନ ପାଇବାକୁ ଲୋକଙ୍କୁ ଅନେକ ଲୋଭନୀୟ ଅଫର ମଧ୍ୟ ମିଳେ । ଆଉ ଯଦି ଆପଣ ଉକ୍ତ ଆପର ମାୟାରେ ପଡିଗଲେ ତାହାଲେ ସବୁ ସରିଲା । ବେନାମୀ ଆପ୍ ଆପଣଙ୍କୁ ବରବାଦ କରିପାରେ, ଆପଣଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ ବି କରିପାରେ । ଏଭଳି ସତର୍କ କରାଇଛି ଆରବିଆଇ ।

ଯଦି ଆପଣ ବିନା କଷ୍ଟରେ, ବିନା କାଗଜ ପତ୍ରରେ କିମ୍ବା ବ୍ୟାଙ୍କକୁ ଧାଁଦଉଡ ନକରି ମୋବାଇଲ ଆପ ମାଧ୍ୟରେ ଲୋନ ନେବାକୁ ଚାହୁଁଥାନ୍ତି କିମ୍ବା ସେମିତି ଫୋନ କଲ ପାଇ ଉକ୍ତ ଆପକୁ ନିଜ ମୋବାଇଲରେ ଇନଷ୍ଟଲ କରୁଥାନ୍ତି ତାହାଲେ ଏକଦମ ସାବଧାନ । କାରଣ ଲୋନ ନାଁରେ ମୋବାଇଲ ଆପର ମାୟାଜାଲ ବିଛାଇଛି ଚୀନ । ଲୋକଙ୍କୁ ଠକିବାକୁ ଚୀନ ଲୋନର ଚକ୍ରବ୍ୟୁହ କରିଛି । ମାଳମାଳ ଅଣ ସ୍ୱୀକୃତିପ୍ରାପ୍ତ ଆପ ଲୋକଙ୍କୁ ଫସେଇବାକୁ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ଅନେକ ଫୋନ କରି ବି ଫଶାଉଛନ୍ତି । ତେଣୁ ଏସବୁ ଆପ ପ୍ରତି ସତର୍କ ରହିବା ସହ ଆଦୌ ଏଥିରେ ନପଶିବାକୁ ସିଧାସିଧା ମନା କରିଛି ଆରବିଆଇ ।

ତେବେ ହାଇଦ୍ରାବାଦ ଓ ଗୁରୁଗ୍ରାମରୁ ଲୋନ ଆପ ଠକେଇର ପର୍ଦ୍ଦାଫାସ ହେବା ପରେ ଏକ ଗ୍ୟାଙ୍ଗ ଜାକାର୍ତା ଲିଙ୍କରେ ଠକେଇର ଚେର ଲମ୍ବାଇଥିବା ଜଣାପଡିଛି । ପାଖାପାଖି ୩୦ଟି ଲୋନ ଆପ ଠକେଇରେ ସକ୍ରିୟ ରହିଛି ଯାହାର ସିଧା ଲିଙ୍କ ଚୀନ ସହ ବି ଥିବା ସନ୍ଦେହ କରାଯାଉଛି । ତେବେ ଲୋଭନୀୟ ଅଫର ଦେଖି ଯେଉଁମାନେ ଲୋନ ନେବାକୁ କ୍ଲିକ କରନ୍ତି ସେମାନେ ଟଙ୍କା ପାଆନ୍ତି ସତ କିନ୍ତୁ ଯଦି ଠିକ ସମୟରେ ଋଣ ପୈଠ କର ନପାରିଲେ ତେବେ ଦେବାଳିଆ ତାଲିକାରେ ସେମାନଙ୍କ ନାଁ ରହିବା ସହ ବାରମ୍ବାର ଫୋନ କରି ଚାପ ପକାଯାଏ । ଯାହା ଫଳରେ ଅନେକ ଆତ୍ମହତ୍ୟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ହାଇଦ୍ରାବାଦର ଜଣେ ସଫଟୱେର ଇଞ୍ଜିନିୟର ସମେତ ୩ ଜଣ ଏହି ଜାଲରେ ଫଶି ଜୀବନ ହାରିଛନ୍ତି ।

ତେଣୁ ଏଥିପ୍ରତି ସତର୍କ ରହିବାକୁ ଆରବିଆଇ ପରାମର୍ଶ ଦେଇଛି । ତେବେ ଆରବିଆଇ କହିଛି ଯଦି କେହି କଲ କରି କିମ୍ବା ଅଣସ୍ୱିକୃତୀପ୍ରାପ୍ତ ଲୋନ ଆପରେ ଆପଣଙ୍କୁ ବ୍ୟାଙ୍କର କେୱାଇସି, ନିଜ ମୋବାଇଲର ଡିଟେଲସ, ଫଟୋ ଆଦି ମାଗନ୍ତି ତେବେ ସେମାନଙ୍କୁ ଦିଅନ୍ତୁ ନାହିଁ । ଆଉ ଉକ୍ତ ସଂସ୍ଥା ବାବଦରେ ପୂର୍ବାପର ବିଚାର କରି ଆଗକୁ ବଢନ୍ତୁ । କାରଣ କିଏ ଜାଣିଲା ଗୋଟିଏ ଗୋଟିଏ ଲୋଭନୀୟ କଲ ଆପଣଙ୍କୁ ବରବାଦ କରିପାରେ ଆପଣଙ୍କ ବ୍ୟକ୍ତଗତ ତଥ୍ୟ ଚୋରି କରିପାରେ । ତେଣୁ ବେଳ ହୁଁ ସାବଧାନ ।

from Kanak News
via <a href="https://ifttt.com/?

ବନ୍ଧୁକ ମୁନରେ ଦୁଇ ସୁପରଭାଇଜରଙ୍କୁ ଅପହରଣ । ପାଲଲହଡାରେ ନଦୀ ପୋଲର ନିର୍ମାଣ କାମ କରୁଥିବା ଠିକା ସଂସ୍ଥାର ୨ ଜଣଙ୍କୁ ଉଠାଇନେଲେ ଦୁର୍ବୃତ୍ତ ।

କନକ ବ୍ୟୁରୋ: ବନ୍ଧୁକ ମୁନରେ ଦୁଇ ଜଣ ସୁପରଭାଇଜରଙ୍କୁ ଦୁର୍ବୃତ୍ତଙ୍କ ଅପହରଣ । ପାଲଲହଡ଼ା ଟାଉନ୍ ଠାରୁ ୩କିମି ମାଙ୍କଡ଼ା ନଦୀ ଉପରେ ପୋଲ ନିର୍ମାଣ ପାଇଁ ଠିକା ନେଇଥିବା ସଂସ୍ଥାର ୨ଜଣ ସୁପର ଭାଇଜରଙ୍କୁ ଅପହରଣ କରାଯାଇଛି । ଗତକାଲି ମଧ୍ୟରାତ୍ରିରେ ଠିକା ସଂସ୍ଥାରେ ଶୋଇଥିବା ୧୦ଓ ୧୨ ଜଣ କର୍ମଚାରୀଙ୍କ ମଧ୍ୟରୁ ସୁପରଭାଇଜର ନରତମ ବିଶ୍ୱାଳ ଏବଂ ସନାତନ ବେହେରାଙ୍କୁ ଅପହରଣ କରାଯାଇଛି । ଅନ୍ୟମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ଦୁର୍ବୃତ । ଏବଂ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ।

ତେବେ ପାଖାପାଖି ୧୦ଜଣରୁ ଅଧିକା ଦୁର୍ବୃତ ଦୁଇଟି ଗାଡ଼ିରେ ବନ୍ଧୁକ ଓ ପିସ୍ତଲ ନେଇ ଆସିଥିଲେ । ସମସ୍ତେ ହିନ୍ଦୀ ଭାଷାରେ କଥା ହେଉଥିଲେ ବୋଲି ସୁଚନା ଦେଇଛନ୍ତି ଅନ୍ୟ କର୍ମଚାରୀ । ଏନେଇ ଠିକା ସଂସ୍ଥାର ମାଲିକ ଗିରିଶ କୁମାର ସ୍ୱାଇଁ ପାଲଲହଡ଼ା ଥାନାକୁ ଅରସି ଲିଖିତ ଅଭିଯୋଗ କରିଛନ୍ତି । ପାଲଲହଡ଼ା ପେଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started