କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ଚିନ୍ତା ଥିବା ବେଳେ ଆସିଲା ଆଶ୍ୱସ୍ତିର ସଂକେତ : ଆଷ୍ଟ୍ରାଜେନେକା ସିଇଓ କହିଲେ, ୯୫% ସୁରକ୍ଷା ଦେବ ଅକ୍ସଫୋର୍ଡ ଟିକା

କନକ ବ୍ୟୁରୋ : ବ୍ରିଟେନରେ ଠାବ ହୋଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍କୁ ନେଇ ଚିନ୍ତା ବଢିଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ଆସିଛି ଆଶ୍ୱସ୍ତର ସୂଚନା । ଏହି ଭୂତାଣୁକୁ ଅକ୍ସଫୋଡ୍ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକା ମୁକାବିଲା କରିପାରିବ । ଏଭଳି ସୂଚନା ଦେଇଛନ୍ତି ଆଷ୍ଟ୍ରାଜେନେକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ସନଡେ ଟାଇମ୍କୁ ସାକ୍ଷାତକାର ଦେଇ ସିଇଓ ପାସ୍କଲ ସୋରିଓଟ୍ ଏହି ସୂଚନା ଦେଇଛନ୍ତି । ସାଂଘାତିକ ଭାବେ ସଂକ୍ରମଣ କରୁଥିବା ଏହି ଷ୍ଟ୍ରେନ୍କୁ ତାଙ୍କର ଟିକା ପ୍ରତିହତ କରିବାକୁ ସକ୍ଷମ ବୋଲି ସେ ଦାବି କରିଛନ୍ତି ।

ଆସନ୍ତା ଗୁରୁବାର ସୁଦ୍ଧା ଇଂଲଣ୍ଡରେ ଏହି ଟିକାକୁ ଅନୁମତି ମିଳିବ ବୋଲି କମ୍ପାନୀ ଆଶା ରଖିଛି । ଅକ୍ସଫୋର୍ଡ ଟିକା ଶତ ପ୍ରତିଶତ ସୁରକ୍ଷା ପ୍ରଦାନ କରିବ ବୋଲି ଦାବି କରିଛନ୍ତି ସିଇଓ ସୋରିଓଟ୍ । ଏହି ଟିକାକୁ ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରସ୍ତୁତ କରୁଛି । ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରାୟ ୨୦୦ ମିଲିଅନ୍ ମାତ୍ରାର ଆଷ୍ଟ୍ରାଜେନେକା ଟିକା ପ୍ରସ୍ତୁତ ହେବ ବୋଲି କୁହାଯାଉଛି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସାରା ବିଶ୍ୱରେ ପ୍ରାୟ ୭୦୦ ମିଲିଅନ୍ ଡୋଜ୍ର ଏହି ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ବୁଲା ବିକାଳୀଙ୍କ କବ୍‌ଜାରେ ଫୁଟ୍‌ପାଥ୍‌ : ରାସ୍ତାକଡ଼ ମାଡ଼ି ବସିଲେଣି ଉଠାଦୋକାନୀ

କନକ ବ୍ୟୁରୋ : କରୋନା କାଳରେ ରାଜଧାନୀର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ତାଲା ପଡ଼ିଥିଲା । ୩ରୁ ୪ ମାସ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିପାରି ନ ଥିଲା । ପରବର୍ତୀ ସମୟରେ କରୋନା ସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ପରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ କଟକଣାରେ କୋହଳ କରାଗଲା । ଦୋକାନ ବଜାର ଖୋଲିବା ଲାଗି ଅନୁମତି ମିଳିଲା । ଯେତେବେଳେ ଅନୁମତି ମିଳିଲା ସେତେବେଳେ ଯିଏ ଯେଉଁଠି ପାରିଲେ ଦୋକାନ ଖୋଲି ଚାଲିଲେ । ହାଟ, ବଜାର ଭିତରେ ଓ ନିକଟରେ ଥିବା ଉଠାଦୋକାନୀ ରାସ୍ତାପାର୍ଶ୍ବକୁ ଚାଲି ଆସିଲେ । କେତେଜଣ ନୂଆ ବ୍ୟବସାୟୀ ବି ସୃଷ୍ଟି ହୋଇ ରାସ୍ତାପାର୍ଶ୍ବରେ ପସରା ମେଲାଇ ବେପାର କଲେ ।

ଧୀରେ ଧୀରେ ଜଣକ ପରେ ଜଣେ ବ୍ୟବସାୟୀ ରାସ୍ତାପାର୍ଶ୍ବକୁ ଆସିବା ସହ ଫୁଟପାଥ୍‌ ମାଡ଼ି ବସିଲେଣି। ସେବେଠାରୁ ସେମାନେ ରାସ୍ତାପାର୍ଶ୍ବ/ଫୁଟପାଥ୍‌ରେ ବସିଛନ୍ତି ଯେ ‌ଫେରିବାର ନାଁ ଧରୁ ନାହାନ୍ତି। ବାହାର ରାଜ୍ୟର କିଛି ବୁଲା ବେପାରୀ ବି ରାସ୍ତା କଡ଼ରେ ନିଜର ପସରା ମେଲାଇ ଦେଇଛନ୍ତି। ଯାହାକି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବା ସହ ରାସ୍ତାପାର୍ଶ୍ବର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି। ରାଜଧାନୀରେ ଚଳପ୍ରଚଳ କରୁଥିବା ବିଏମ୍‌ସିର ବାବୁମାନେ ଏବିଷୟରେ ସବୁ ଜାଣି ମଧ୍ୟ ଚୁପ୍‌ ବସି ରହିଛନ୍ତି।

ପରିଣାମ ସ୍ବରୂପ ରାଜଧାନୀ ରାସ୍ତାପାର୍ଶ୍ବରେ ଏବେ ବେପାର ଚାଲିଛି। ଟ୍ରାଫିକ୍‌ ସମସ୍ୟା ଜଟିଳ ହେଉଛି। ରାସ୍ତା ଉପରେ ଗାଡ଼ି ରଖି ଗ୍ରାହକମାନେ ସାମଗ୍ରୀ କିଣୁଥିବାରୁ ଭିଡ଼ ବି ହେଉଛି। ଜନଗହଳିପୂର୍ଣ୍ଣ ଜୟଦେବ ବିହାରରୁ କିଟ୍‌ ଛକ ରାସ୍ତା, ରସୁଲଗଡ଼ରୁ ରବି ଟକିଜ୍‌, ରାଜମହଲ ଛକରୁ ଏଜି ଛକ, ବାଣୀବିହାରରୁ ସତ୍‌ସଙ୍ଗ୍‌ ବିହାର ରାସ୍ତା, ଏଜି ଛକରୁ ରାଜମହଲ ରାସ୍ତାରେ ସ୍ଥିତି ଅଣୟତଃ ହେଲାଣି। ଫୁଟପାଥ୍‌ଠାରୁ ସାଇକେଲ୍ ଟ୍ରାକ୍, ସବୁଠି ବୁଲା ବିକାଳିଙ୍କ ଭିଡ଼। ଟ୍ରାଫିକ୍ ସମସ୍ୟା ଯୋଗୁଁ କିଛିଦିନ ତଳେ ବିଏମସି ଓ ଟ୍ରାଫିକ୍ ପକ୍ଷରୁ ସ୍ବତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇ ଏଜି ଛକରୁ ରାଜମହଲ ଓ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାରେ ଉଚ୍ଛେଦ ହୋଇଥିଲା। ନିୟମ ନ ମାନିଲେ କ୍ରେନ ଲଗାଇ ଦୋକାନଗୁଡ଼ିକୁ ଟାଣି ନିଆଯାଉଥିଲା। ତେବେ ଏବେ ପରିସ୍ଥିତି ଯାହାକୁ ସେୟା।

ସବୁଠାରୁ ବିଚିତ୍ର ସ୍ଥିତି ଉପୁଜିଛି ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ । ରାସ୍ତାପାର୍ଶ୍ବ ଯୁଆଡ଼େ ଚାହିଁଲେ କେବଳ ଉଠାଦୋକାନୀ ଓ ବୁଲା ବିକାଳୀ। ରାଜ୍ୟ ବାହାରର ଶତାଧିକ ବୁଲା ବିକାଳୀ ବି ଏଠାରେ ନିଜର ପସରା ମେଲାଇ ସାରିଲେଣି। ବିଭିନ୍ନ ଠାକୁରଙ୍କ ଫଟୋକୁ ରାସ୍ତା ଉପରେ ରଖି ବେପାର କରୁଛନ୍ତି। ଫୁଥ୍‌ପାଥରେ ଘର କରଣା ସାମଗ୍ରୀ ବି ବିକ୍ରି କରାଯାଉଛି। ଓଡ଼ିଶାର ବୁଲା ବିକାଳୀ ଯଦି ରାସ୍ତା କଡ଼ରେ ‌‌ବେପାର କରୁଛନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। ହେଲେ ବାହାର ରାଜ୍ୟର ବୁଲା ବିକାଳୀମାନେ ମା‌ସ ମାସ ଧରି ଫୁଥ୍‌ପାଥ କବ୍‌ଜା କରି ବେପାର କରୁଥିଲେ ‌ମଧ୍ୟ ସେଥିପ୍ରତି କାହାର ବି ନିଘା ନାହିଁ।

କରୋନା ପୂର୍ବରୁ ଚନ୍ଦ୍ରଶେଖରପୁର ବିଡିଏ କଲୋନୀଠାରୁ ଡମଣା ଛକ ଓ ଡମଣା ଛକରୁ ଓମ୍‌ଫେଡ୍‌ ଛକ ମଧ୍ୟରେ ରାସ୍ତାପାର୍ଶ୍ବରେ କାଁ ଭାଁ ଉଠାଦୋକାନ ରହିଥିଲା। ଏବେ କିନ୍ତୁ ଶତାଧିକ ଉଠାଦୋକାନୀ। ରାସ୍ତାପାର୍ଶ୍ବରେ ହୋଟେଲଠାରୁ ଆରମ୍ଭ କରି ଫଳ ବେପାରୀ, ମାସ୍କ ବେପାରୀ, ଖିଲିପାନ ଦୋକାନୀ, ଫୁଲ ଦୋକାନୀ, ଗୁପ୍‌ଚୁପ୍‌ ବେପାରୀ, ମିମେଣ୍ଟ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ଏଠାରେ ଆଡ୍ଡା ଜମାଇଛନ୍ତି। ଉକ୍ତ ଦୋକାନଗୁଡ଼ିକୁ ଯିବା ସମୟରେ ଗ୍ରାହକମାନେ ରାସ୍ତା ପାର୍ଶ୍ବରେ ଗାଡ଼ି ରଖି ଯାଉଛନ୍ତି। ଯେଉଁଥିପାଇଁ ପୂର୍ବାହ୍ନ ଓ ସନ୍ଧ୍ୟା ସମୟରେ ଏହି ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଏଥିପ୍ରତି ଗୁରୁତ୍ବ‌ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

from Kanak News
via <a href="https://ifttt.com/?

ବଢ଼ିଲା ଶୀତ : ଥରୁଛି ଓଡିଶା, ଆସନ୍ତା ୩ ଦିନ କୁହୁଡ଼ି

କନକ ବ୍ୟୁରୋ : ଲଗାତାର ୨ ଦିନ ଧରି ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରାରେ ବୃଦ୍ଧି ଘଟିବା ପରେ ପୁଣି ଖସିଛି ପାରଦ ସ୍ତର। ୬ ଡିଗ୍ରି ଉପରକୁ ଉଠିଥିବା ଫୁଲବାଣୀର ତାପମାତ୍ରା ୫.୩ ଡିଗ୍ରୀ ରେକର୍ଡ ହୋଇଛି। ଏଥିସହ ଓଡ଼ିଶାର ୧୧ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଛି। ସେଥିମଧ୍ୟରୁ ଦାରିଙ୍ଗବାଡ଼ିରେ ୭ ଡିଗ୍ରି, ଝାରସୁଗୁଡ଼ାଠାରେ ୮.୨ ଡିଗ୍ରୀ ଓ ବାରିପଦାଠାରେ ୮.୫ ଡିଗ୍ରୀ ସେଲସିୟସ ରହିଥିବା ଜଣାପଡ଼ିଛି।

ଗତକାଲି ତୁଳନାରେ ଆଜି ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ସାମାନ୍ୟ ତଳକୁ ଖସିଛି। ସେଥିମଧ୍ୟରୁ ବାଲେଶ୍ବର ଓ ପାରାଦୀପଠାରେ ୧.୧ ଡିଗ୍ରୀ ହ୍ରାସ ଘଟିଥିବା ବେଳେ ବାରିପଦା ଏବଂ ଚାନ୍ଦବାଲିଠାରେ ୧.୫ ଡିଗ୍ରୀ ହ୍ରାସ ପାଇଛି। ସେହିପରି ଭୁବନେଶ୍ବରଠାରେ ୧.୬ ଡିଗ୍ରୀ ହ୍ରାସ ପାଇଥିବା ବେଳେ ତାଳଚେରଠାରେ ସର୍ବାଧିକ ୨.୭ ଡିଗ୍ରୀ ତାପମାତ୍ରା କମିଛି। ଏମିତି ଭାବେ ସାରା ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରାରେ ପ୍ରାୟ ଦେଢ଼ ଡିଗ୍ରି ହ୍ରାସ ଘଟିଛି। ଫଳରେ ରାଜ୍ୟରେ ପୁଣି ଥରେ ଶୀତ ବଢ଼ିଛି।

ଆଜି ସକାଳେ ଓଡ଼ିଶାର କିଛି ଅଞ୍ଚଳରେ କୁହୁଡ଼ି ଦେଖିବାକୁ ମିଳିଥିଲା। ବୌଦ୍ଧଠାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ‌ବେଳେ ନୟାଗଡ଼, ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ମୟୂରଭଞ୍ଜଠାରେ ମଧ୍ୟମରୁ ହାଲ୍‌କା କୁହୁଡ଼ି ଦେଖିବାକୁ ମିଳିଥିଲା। ଏବେ ଓଡ଼ିଶାରେ କୁହୁଡ଼ି ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ରହିଥିବାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପଡ଼ିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ସକାଳୁ ନୟାଗଡ଼, କୋରାପୁଟ, ରାୟଗଡ଼ା, ବୌଦ୍ଧ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।

ସେହିଭଳି ୨୯ ଓ ୩୦ ତାରିଖ ଦିନ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ିର ସମ୍ଭାବନା ରହିଛି। ଆଗାମୀ ୨ରୁ ୩ ଦିନ ଯାଏ ରାତି ତାପମାତ୍ରା ବା ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ଏହି ସମୟ ଅବଧି ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ରାତି ତାପମାତ୍ରା ସ୍ବାଭାବିକ ସର୍ବନିମ୍ନ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିବାର ସମ୍ଭାବନା ରହିଛି। ଆଜି ସକା‌େଳ‌ ଭୁବନେଶ୍ବଠାରେ ୧୨.୨ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ ହୋଇଥିବା ବେଳେ କଟକଠାରେ ୧୧.୫ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ ହୋଇଛି।

from Kanak News
via <a href="https://ifttt.com/?

ହାତରେ ଅଛି କଳା, ହେଲେ କାମ କରିବାକୁ ନାହିଁ ସମ୍ବଳ । କରୋନା ଉଜାଡି ଦେବା ବେପାର, ସଂକଟରେ ଗଜପତିର ବେତ କାରିଗର ।

କନକ ବ୍ୟୁରୋ : ସଙ୍କଟରେ ଗଜପତିର ବେତ କାରିଗର, କରୋନା ଉଜାଡି ଦେଇଛି ବ୍ୟବସାୟ । ହାତରେ ଅଛି କଳା ଚାତୁରୀ, କିନ୍ତୁ ପାଖରେ ନାହିଁ ସମ୍ବଳ । ତେଣୁ ମାନ୍ଦା ପଡ଼ିଥିବା ବ୍ୟବସାୟକୁ ଆଗକୁ ନେବାକୁ କିଛି ପାରୁନାହାନ୍ତି ବେତ କାରିଗର । ବାଧ୍ୟ ହୋଇ ଏହି ବୃତିରୁ ଦୂରେଇ ଗଲେଣି ଅନେକ ।

ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ବିକାଶ ଆନୁକୁଲ୍ୟରେ ବେତ କାରିଗରି ଶିକ୍ଷା କରିଥିଲେ ରାୟଗଡା ବ୍ଲକ କଇଁପୁର ଅଂଚଳର ଅନେକ ଆଦିବାସୀ । ତାଲିମ ନେବା ପରେ ବେତର ବିଭିନ୍ନ ଘର କରଣା ସମାଗ୍ରୀ କରି ରୋଜଗାର କ୍ଷମ ହୋଇ ପାରିଥିଲେ ବହୁ ଆଦିବାସୀ ପରିବାର । ଭଳି କି ଭଳି ଘରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଚୌକି, ଟେବୁଲ, ସୋଫା, ଆଲମିରା ସହ ବିଭିନ୍ନ ଡିଜାଇନର ଫୁଲଦାନୀ ତିଆରି କରି ବେଶ ଦୁଇ-ପଇସା ଆୟ କରିଥାନ୍ତି ଏମାନେ ।

ହେଲେ କରୋନା କାହା ମେଲାଇବା ପରେ ମାନ୍ଦା ପଡ଼ିଯାଇଛି ଏମାନଙ୍କ ବ୍ୟବସାୟ । ଏପଟେ ନିକଟରେ ଥିବା ଜଙ୍ଗଲରେ ବେତ ମିଳୁନାହିଁ, ବାହାରୁ ବେତ ଆଣିଲେ ପରିବହନ ଖର୍ଚ୍ଚ ତୁଲାଇବା ମୁସ୍କିଲ ହୋଇ ପଡୁଛି । ଫଳରେ ଅନେକ କାରିଗର, ଏହି ବୃତିରୁ ମୁହଁ ଫେରାଇ ନେଉଛନ୍ତି ।

ତେବେ ଦୂର ଜଙ୍ଗଲରୁ ବେତ ସଂଗ୍ରହ କରି ନିଜ ପେଶାକୁ ବଂଚାଇ ରଖିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି କିଛି ଆଦିବାସୀ ପରିବାର । କରୋନା ମାଡରେ ମାନ୍ଦା ପଡ଼ିଥିବା ବ୍ୟବସାୟକୁ ପୁଣି ଥରେ ଟ୍ରାକ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ବେତ କାରିଗର ।

ବେତ ତିଆରି ଆସବାବପତ୍ର ଯେମିତି ହାଲୁକା, ସେମିତି ସୁନ୍ଦର । ଏହାସହ ଦୀର୍ଘଦିନ ବ୍ୟବହାର ହୋଇ ପାରୁଥିବାରୁ ବଜାରରେ ଭଲ ଚାହିଦା ରହିଥାଏ । ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର କାରିଗରି ତାଲିମ ମଧ୍ୟ ଦିଆଯାଇଛି । ତେବେ କରୋନା ଯୋଗୁଁ ଏହି ହସ୍ତଶିଳ୍ପ ଏବେ ବିଶେଷ ଭାବେ ପ୍ରଭାବିତ ହୋଇଛି । ତେବେ ସରକାରଙ୍କ ଜୀବିକା ମିସନ ଜରିଆରେ ଆଗ୍ରହୀ ପରିବାରକୁ ସହାୟତା ଦିଆଯିବା ସହ ବେତ କାରିଗରିିର ଉନ୍ନତି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଆଦିବାସୀ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ।

from Kanak News
via <a href="https://ifttt.com/?

ଇଚ୍ଛା ଶକ୍ତି ଆଗରେ ହାରମାନେ ସବୁ ସମସ୍ୟା । ବାଟ ଓଗାଳି ପାରିନି ବାଲିଆପାଳର ଯଶୋବନ୍ତଙ୍କ ଶାରୀରିକ ଅସୁବିଧା । ଛତୁ ଚାଷ କରି ପରିବାର ପ୍ରତିପୋଷଣ ପାଇଁ ଜାରି ରଖିଛନ୍ତି ସଂଘର୍ଷ

କନକ ବ୍ୟୁରୋ : ଅସହାୟ ନ ହୋଇ ସହାୟ ହେବାକୁ ଯଦି ଇଚ୍ଛାଶକ୍ତି ରହେ ତେବେ କୌଣସି ବି ଶାରୀରିକ ସମସ୍ୟା ତାର ବାଟ ଓଗାଳିପାରିବନି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାଲେଶ୍ୱର ବାଲିଆପାଳର ଯଶୋବନ୍ତ ପ୍ରଧାନ । ନିଜ ଶାରୀରିକ ଅକ୍ଷମତାକୁ ନଜର ନ ଦେଇ ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରି ହୋଇଛନ୍ତି ସ୍ୱାବଲମ୍ବୀ ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିରିପାଲିଆ ଗ୍ରାମର ଯଶୋବନ୍ତ ପ୍ରଧାନ । ଡ୍ରାଇଭର, ରାଜମିସ୍ତ୍ରୀ, ମେଜିସିଆନ ଓ କେବଲ ଅପରେଟର ଭାବେ କାମ କରି ରୋଜଗାର କରି ବେଶ ହସ ଖୁସିରେ ପରିବାର ଚଳାଉଥିଲେ । କିନ୍ତୁ ଅସୁସ୍ଥତା ଯୋଗୁଁ ଆଉ କାମ କରିବାକୁ ସକ୍ଷମ ହେଲେ ନାହିଁ ଯଶୋବନ୍ତ । ହେଲେ ପରିବାରର ବୋଝ ତାଙ୍କୁ କାମ କରିବାକୁ ବାଧ୍ୟ କରୁଥିବା ବେଳେ ଜଣଙ୍କଠାରୁ ଛତୁ ଚାଷ ସମ୍ବନ୍ଧରେ ଜାଣିବାକୁ ପାଇଥିଲେ । ପରିବାର ଲୋକଙ୍କ ସହଯୋଗ ଏବଂ ଡାକ୍ତରଙ୍କ କହିବା ମୁତାବକ ହାଲୁକ କାମ ହୋଇଥିବାରୁ ଛତୁ ଚାଷ ପ୍ରତି ମନ ବଳାଇଲେ ଯଶୋବନ୍ତ । ଅଞ୍ଜଳି ଛତୁ ଫାର୍ମ ନାମକ ଏକ ଫାର୍ମ ଆରମ୍ଭ କରିଛନ୍ତି ଯଶୋବନ୍ତ ।

ଯଶୋବନ୍ତ ତାଙ୍କ ବାଡିରେ ପାଳଛତୁ ଏବଂ ଧିଙ୍ଗିରି ଛତୁ ଚାଷ କରିଛନ୍ତି । ଯଶୋବନ୍ତ ସ୍ଥାନୀୟ ବଜାରରୁ ଛତୁ ମଞ୍ଜି ଆଣନ୍ତି ଆଉ ଛତୁ ଅମଳ ହେବା ପରେ ତାକୁ ସ୍ଥାନୀୟ ବ୍ୟବସାୟୀଙ୍କ ସମେତ ବାଲିଆପାଳ ସିମୁଳିଆ ବଜାରରେ ବିକ୍ରି କରଥାନ୍ତି । ୭୦ ବେଡରେ ଧିଙ୍ଗିଡି ଛତୁ ଏବଂ ୫୦ ବେଡରେ ପାଳଛତୁ ଚାଷ କରିଛନ୍ତି ସେ । ପାଳଛତୁ ଗୋଟଏ ବେଡ ପାଇଁ ୫୦ ରୁ ୫୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୪୫୦ ରୁ ୫୦୦ ଟଙ୍କା ରୋଜଗାର ହୋଇଥାଏ ।

ସେହିପରି ଧିଙ୍ଗିଡି ଛତୁ ଗୋଟିଏ ବେଡ ପାଇଁ ମଧ୍ୟ ୫୦ ରୁ ୫୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୫୦ ରୁ ୪୦୦ ଟଙ୍କା ରୋଜଗାର ହୋଇଥାଏ । ପାଳଛତୁ ଗୋଟିଏ ବେଡରୁ ୩ ରୁ ୪ କେଜି ଅମଳ ହୋଇଥାଏ ଯାହାର ବଜାର ମୂଲ୍ୟ କେଜି ପିଛା ୧୫୦ ରୁ ୨୦୦ ଟଙ୍କା । ସେହିପରି ଧିଙ୍ଗିଡି ଛତୁ ଗୋଟିଏ ବେଡରେ ୨ ରୁ ୩ କେଜି ଅମଳ ହୋଇଥାଏ,ଯାହାର ବଜାର ମୂଲ୍ୟ କେଜି ପିଛା ୧୩୦ ରୁ ୧୫୦ ଟଙ୍କା ।

ଯଶୋବନ୍ତଙ୍କ ଏପରି ଦୁର୍ଦଶା ଦେଖି ବାଲିଆପାଳର ଯୁବ ସମାଜସେବୀ ତଥା ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଅଣ୍ଡିଆ ତାଙ୍କ ଔଷଧ ଖର୍ଚ୍ଚ ପାଇଁ କିଛି ସହାୟତା ରାଶି ପ୍ରଦାନ କରିଛନ୍ତି,ଯଦି ସରକାର ଯଶୋବନ୍ତଙ୍କୁ ସହାୟତା ପ୍ରଦାନ କରନ୍ତି ତାହାହେଲେ ସେ ଅଧିକ ପରିମାଣରେ ଛତୁଚାଷ କରିପାରନ୍ତେ ବୋଲି କହିଛନ୍ତି ।

from Kanak News
via <a href="https://ifttt.com/?

ଚାହିଦା ବଢୁଛି, ବେପାର ଜମୁଛି । ରାଜ୍ୟ ବାହାରେ ବି ରହିଛି କେନ୍ଦୁଝର ବଡିର ଆଦର । ଚାହିଦା ବଢିବା ସହ ସ୍ୱାବଲମ୍ବୀ ହୋଇଛନ୍ତି ଜିଲ୍ଲାର ମହିଳା

କନକ ବ୍ୟୁରୋ : କେନ୍ଦୁଝର ଆସୁଥିବା ଅଧିକାଂଶ ବ୍ୟକ୍ତିଙ୍କ ନଜରରେ ରହିଥାଏ କେନ୍ଦୁଝର ବଡ଼ି । ଏହି ବଡିର ଚାହିଦା କେବଳ ରାଜ୍ୟରେ ନୁହେଁ, ରାଜ୍ୟ ବାହାରେ ବି ଚାହିଦା ବଢ଼ି ଚାଲିଛି । ଚାହିଦା ବଢିବା ସହ ଜିଲ୍ଲାର ମହିଳାମାନଙ୍କୁ ଏହା ସ୍ୱାବଲମ୍ବୀ କରିଥାଏ । ତେବେ ଏହି ବଡି କିପରି ପ୍ରସ୍ତୁତ ହୋଇଥାଏ ଏବଂ ଏହା କିପରି ମହିଳାମାନଙ୍କ ରୋଜଗାର ବଢ଼ାଇବାରେ ସହାୟକ ହୋଇଥାଏ ।

ଶୀତଦିନ ଆସିଲେ କେନ୍ଦୁଝରରେ ମହିଳାମାନେ କର୍ମଚଂଚଳ ହୋଇଯାନ୍ତି । କାରଣ ଶୀତ ଦିନ ସହ ଯୋଡି ହୋଇରହିଛି ସେମାନଙ୍କ ରୋଜଗାରର ପନ୍ଥା । ଦୁର୍ଗାପୂଜା ପରେ ପରେ ଘରେ ଘରେ ମହିଳାମାନେ ଲାଗି ପଡନ୍ତି ବଡି ତିଆରି କରିବାରେ । କେନ୍ଦୁଝରରେ ପ୍ରସ୍ତୁତ ହୁଏ ଭଳିକି ଭଳି ବଡ଼ି । ବିରିକୁ ପାଣିରେ ବତୁରାଇ ଗୋଟିଏ ରାତି ରଖାଯାଏ । ସକାଳୁ ସକାଳୁ ବତୁରା ବିରିକୁ ବଟାଯାଏ । ପରେ ବଟା ବିରିକୁ ନରମ ଏବଂ ହାଲୁକା କରିବାକୁ ଏହାକୁ ଫେଣା ଯାଏ । ଯେତେବେଳେ ବିରି ଫୁଲି ଉଠେ ତାପରେ ବଡିର ପ୍ରକାର ଅନୁଯାୟୀ ଫେଣାବିରିକୁ ପ୍ରସ୍ତୁତ କରାଯାଏ ।

ମସଲା ବଡି ପାଇଁ ଏଥିରେ ବଟା ମସଲା ମିଶାଯାଉଥିବା ବେଳେ କଖାରୁ ବଡି ପାଇଁ କଖାରୁ ବଟା ମିଶାଯାଇଥାଏ । କିନ୍ତୁ ସବୁଠାରୁ ଅଧିକ ଚାହିଦା ରହେ ଫୁଲ ବଡି ବା ଖସା ବା ରାଶି ବଡି । ଖାଲି ସେତିକି ନୁହେଁ ଲୋକଙ୍କ ଚାହିଦା ଅନୁଯାୟୀ – ଅଦାବଡି, ଆଖୁ ବଡି, ମଞ୍ଜିବଡି ଏବଂ ବାହାଘର ବ୍ରତଘରପାଇଁ ରଙ୍ଗଦିଆ ବଡି ମଧ୍ୟ ପ୍ରସ୍ତୁତ କରାଯାଏ ।

ଏହି ବଡି ବ୍ୟବସାୟରୁ ଜଣେ ଜଣେ ମହିଳା ମାସକୁ ପ୍ରାୟ ୩୦ରୁ ୪୦ହଜାର ରୋଜଗାର କରୁଥିବାବେଳେ ଏହି ବ୍ୟବସାୟ ବର୍ଷରେ ପ୍ରାୟ ୮ ମାସ ଚାଲିଥାଏ । ଖାଲି ବ୍ୟବସାୟ କରୁଥିବା ମହିଳା ନୁହଁ ଏହା ଉପରେ ବହୁ ମହିଳା ଶ୍ରମିକ ମଧ୍ୟ ନିର୍ଭର କରି ମାସିକ ୩ ରୁ ୪ ହଜାର ଟଙ୍କା ରୋଜଗାର କରିଥାନ୍ତି । କେନ୍ଦୁଝରର ବଡି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଏ, ରାଜ୍ୟ ବାହାରକୁ ମଧ୍ୟ ଯାଇଥାଏ । ଏପରିକି ବିଦେଶରେ ରହୁଥିବା ପ୍ରବାସୀ ମାନେ ମଧ୍ୟ ଏହାକୁ ମଗାଇ ନେଇଥାନ୍ତି ।

ଶୀତଋତୁରେ ବହୁ ପର୍ଯ୍ୟଟକ କେନ୍ଦୁଝରକୁ ଆସୁଥିବାବେଳେ ରାସ୍ତା ପାଶ୍ୱର୍ରୁ ଆରମ୍ଭ କରି ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ବଡ଼ି ଉପଳବ୍ଧ ହୋଇଥାଏ । କେନ୍ଦୁଝର ବୁଲିବାକୁ ଆସୁଥିବା ଅଧିକାଂଶ ବ୍ୟକ୍ତି ଘରକୁ ବଡ଼ି କିଣି ନେବାକୁ ଭୁଲନ୍ତି ନାହିଁ ।

from Kanak News
via <a href="https://ifttt.com/?

ଖୋଲିଲା ଲିଙ୍ଗରାଜ ମନ୍ଦିର । ଆଜି ସେବାୟତ ପରିବାର କରୁଛନ୍ତି ଦର୍ଶନ । ମନ୍ଦିର ନିକଟରେ କୋଭିଡ ଟେଷ୍ଟ ପାଇଁ ବ୍ୟବସ୍ଥା ।

କନକ ବ୍ୟୁରୋ : କରୋନା କଟକଣା ପରେ ଆଜିଠାରୁ ଖୋଲଛି ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପ୍ରଥମେ ସେବାୟତ ପରିବାରଙ୍କୁ ମିଳୁଛି ଦର୍ଶନ ସୁଯୋଗ । କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲେ ସେବାୟତ ପରିବାରଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡାଯାଉଛି ।

ସେପଟେ ପୁରୀ ରେ ଦ୍ୱିତୀୟ ଦିନ ପାଇଁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପୁରୀ ବାସୀ । ସେହିପରି ଆସନ୍ତା ଜାନୁଆରୀ ୩ ତାରିଖରୁ ସଂବଲପୁରରେ ଖୋଲିବ ମା ସମଲେଶ୍ୱରୀଙ୍କ ମନ୍ଦିର । ଜାନୁଆରୀ ୩ରୁ ୭ ତାରିଖ ଯାଏଁ କେବଳ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ ସଂବଲପୁରବାସୀ ।

କରୋନା କଟକଣା ପରେ ଖୋଲିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ଆଉ ଦର୍ଶନ ଆଗରୁ ଦେବାକୁ ପଡୁଛି କରୋନା ଟେଷ୍ଟ । ଏହି ପରୀକ୍ଷାରେ ପାସ୍ କଲେ ସେବାୟତଙ୍କ ପରିବାରକୁ ମିଳିବ ଦର୍ଶନର ସୁଯୋଗ । କୋଭିଡ୍ ପରୀକ୍ଷା ପାଇଁ ମନ୍ଦିର ବାହାରେ ସ୍ୱତନ୍ତ୍ର ଭାବରେ ଷ୍ଟଲ ଖୋଲିଛି ବିଏମସି । ଦୀର୍ଘ ୯ ମାସର ବ୍ୟବଧାନ ପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇ ଖୁସିରେ ଆତ୍ମହରା ହୋଇପଡିଛନ୍ତି ଭକ୍ତ । ଆସନ୍ତା ୩୧ ତାରିଖ ଯାଏଁ ଏହି ପରି ସେବାୟତଙ୍କ ପରିବାର ଲିଙ୍ଗରାଜରେ ଦର୍ଶନ କରିପାରିବେ ।

ଡିସେମ୍ୱର ୨୭ରୁ ୩୧ ସେବାୟତଙ୍କୁ ମିଳିବ ଦର୍ଶନ ସୁଯୋଗ
ନୂଆବର୍ଷରେ ୨ ଦିନ ବନ୍ଦ ରହିବ ଲିଙ୍ଗରାଜ ମନ୍ଦିର
ଜାନୁଆରୀ ୩ରୁ ଭୁବନେଶ୍ୱର ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ
ଜାନୁଆରୀ ୬ ପରେ ଭୁବନେଶ୍ୱର ବାହାର ଲୋକ କରିପାରିବେ ଦର୍ଶନ
ଦର୍ଶନ ପାଇଁ ଦେଖାଇବାକୁ ପଡିବ କୋଭିଡ୍ ନେଗେଟିଭ୍ ରିପୋର୍ଟ

ସେପଟେ ପୁରୀରେ ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ । ରବିବାର ୪, ୧୩, ୧୬, ୧୮, ୨୦ ନଂ ୱାର୍ଡ ବାସିନ୍ଦା ସାଙ୍ଗରେ ପରିଚୟ ପତ୍ର ଆଣି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ବ୍ୟାରିକେଡରେ ଆସିବା ପରେ ଟୋକନ୍ ଯାଂଚ, କିଓସ୍କ ମାଧ୍ୟମରେ ଫଟୋଗ୍ରାଫି ପରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।

ପୁରୀ ବାସୀଙ୍କ ପରି ପୁରୀରେ ରହୁଥିବା ଭଡାଟିଆ ଓ କର୍ମଜୀବୀଙ୍କୁ ବି ମିଳିବ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ । ଘର ମାଲିକ କିଂବା ନିଯୁକ୍ତି କରୁଥିବା ସଂସ୍ଥାର ପ୍ରମାଣ ପତ୍ର ସାଙ୍ଗରେ ଆଣିବାକୁ ପଡିବ ବୋଲି କହିଛି ପ୍୍ରଶାସନ । ତେବେ ଏନେଇ ଦର୍ଶନ ତାରିଖ ଘୋଷଣାକୁ ଅପେକ୍ଷା ।

from Kanak News
via <a href="https://ifttt.com/?

ସୋରଡ଼ା ପୋଲିସର ସଫଳତା । ମୃତ ମହିଳାର ସ୍କେଚ୍ ବନାଇ ମହିଳାଙ୍କ ପରିଚୟ ଜାଣିଲା ପୋଲିସ । ଶେଷରେ ଅପରାଧୀ ଦିଅର ପାଖରେ ପହଁଚି ପାରିଲା ତଦନ୍ତକାରୀ ଟିମ୍

କନକ ବ୍ୟୁରୋ : ଜଣେ ଗର୍ଭବତୀ ମହିଳାଙ୍କର ଏହି ଦୁଇଟି ଚିତ୍ର ଆଙ୍କିଥିଲା ସୋରଡା ପୁଲିସ । ପରୀ ହତ୍ୟା ଘଟଣା ପରି ଏହି ମହିଳାଙ୍କର ମଧ୍ୟ କିଛି ସୁରାଗ୍ ମିଳୁନଥିଲା । ଗାଁ ବିଲରୁ ଅଧା ପୋଡା ମୃତଦେହ ପାଇ ମହିଳାଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରାଯାଉଥିଲା । ଆଉ ଶେଷରେ ପୁଲିସର ଉଦ୍ୟମ ସଫଳ ହେଲା । ଏହି ଚିତ୍ରରୁ ପ୍ରକୃତ ମହିଳାଙ୍କ ପରିଚୟ ମିଳିଗଲା ।

ଗଂଜାମ ଜିଲ୍ଲା ସୋରଡା ଅଂଚଳର ଏହି ରୋମାଂଚକର କାହାଣୀ ପୁଲିସ ବିଭାଗକୁ ପ୍ରେରଣା ଦେଲା ଭଳି ଏକ କାହାଣୀ । ପରୀ ହତ୍ୟା ମାମଲାରେ କିଛି ନପାଇ ଯେମିତି ନୟାଗଡ ପୁଲିସ ନିରବ ହୋଇ ଶୋଇଗଲା, କିନ୍ତୁ ଏହି ଘଟଣାରେ ସୋରଡା ପୁଲିସ ସତ ଖୋଜିବା ପାଇଁ ମହିଳାଙ୍କ ସ୍କେଚ୍ ତିଆରି କରି ଶେଷରେ ପ୍ରକୃତ ପରିଚୟ ପାଇଛି ।

ଦିଅର ସାଜିଥିଲା ସଇତାନ । ଭାଉଜଙ୍କୁ ଚତୁରତାର ସହ କାବୁ କରି ସଂପର୍କ ରଖିଥିଲା ସୀମାଂଚଳ । କୋଲକାତା ନେଇ ରଖିବା ପରେ ଅର୍ଚନା ନିଜ ପିଲାଙ୍କୁ ଦେଖିବା ପାଇଁ ଜିଦ୍ ଧରିଥିଲେ । କିନ୍ତୁ ସୀମାଂଚଳର ଯୋଜନା କିଛି ଅଲଗା ଥିଲା, ଗାଁକୁ ନେଇ ଯିବ କହି, ଗାଁ ବିଲ ପାଖରେ ତଂଟି ଚିପି ହତ୍ୟା କରିଥିଲା । ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ମୁହଁରେ କିରୋସିନ ଢାଳି ପୋଡି ଦେଇଥିଲା ।

ଘଟଣା ଘଟାଇବା ପରେ ଓଡିଶା ବାହାରକୁ ଚାଲିଯାଇଥିଲା ଅଭିଯୁକ୍ତ । ଚୋର ଯେତେ ଚାଲାକ୍ ହେଲେ ବି ପୁଲିସକୁ ଚକମା ଦେବା ଏତେ ସହଜ ନଥିଲା । କଲ୍ ଡିଟେଲ୍ସ ରେକର୍ଡ ଓ ମୋବାଇଲ୍ ଲୋକେସନରୁ ପ୍ରଥମେ ଦୁଇ ସହଯୋଗୀ ଓ ପରେ ଅଭିଯୁକ୍ତ ସୀମାଂଚଳକୁ ହାତକଡି ପିନ୍ଧାଇଥିଲା ସୋରଡା ପୁଲିସ ।

from Kanak News
via <a href="https://ifttt.com/?

ନୂଆ କୃଷି ଆଇନ ସଂପର୍କରେ ଲୋକଙ୍କୁ ପାଠ ପଢ଼ାଇବ ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପୁସ୍ତିକା ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ଅଡୁଆ ବଢାଇ ଦେଇଛି । ଆଉ ଚାଷୀଙ୍କ ମଧ୍ୟରେ ନୂଆ ଆଇନକୁ ନେଇ କୁହୁଳୁଥିବା ଅସନ୍ତୋଷକୁ ଦୂର କରିବା ପାଇଁ ‘ଅନ୍ନଦାତାଙ୍କ ପ୍ରତି ସମର୍ପିତ ମୋଦି ସରକାର’ପୁସ୍ତିକା ପ୍ରସ୍ତୁତ କରାଯାଇଛି । ଏହି ପୁସ୍ତିକା ଜରିଆରେ ଦଳ ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛି ।

କୃଷି ଆଇନକୁ ନେଇ ଭ୍ରାନ୍ତ ଧାରଣା ପ୍ରଚାର କରାଯାଇଛି
ନୂଆ କୃଷି ଆଇନ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ
ତର୍କ ଓ ତଥ୍ୟ ଆଧାରରେ ଭ୍ରାନ୍ତ ଧାରଣା ଦୂର କରିବାକୁ ସରକାର ପ୍ରସ୍ତୁତ
କେବଳ ବିରୋଧ କରିବାକୁ ବିରୋଧୀ ବିରୋଧ କରୁଛନ୍ତି

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ୩୨ ଦିନରେ ପହଂଚିଛି । ଦିଲ୍ଲୀର ସିଙ୍ଘୁ ବର୍ଡର, ଚିଲ୍ଲା ବର୍ଡର, ଟିକିରି ବର୍ଡର, ଗାଜିପୁର ବର୍ଡରରେ ଧାରଣାରେ ରହିଛନ୍ତି ଚାଷୀ । ଦୀର୍ଘ ଏକ ମାସରୁ ଅଧିକ ଦିନ ଚାଷୀ ଦିଲ୍ଲୀକୁ ଚାରିପଟୁ ଘେରାଉ କରିଛନ୍ତି । ଏହାରି ଭିତରେ ସରକାରଙ୍କ ସହ ସମନ୍ୱୟ ଚାଷୀ ସଂଗଠନର ୫ ଥର ବୈଠକ ହୋଇଥିଲେ ବି ସମାଧାନର ବାଟ ଫିଟି ନାହିଁ । ବାଇଟ- ପ୍ରଶାନ୍ତ ଜଗଦେବ, ବରିଷ୍ଠ ବିଜେଡି ନେତା

କେନ୍ଦ୍ର ସରକାର ୭ଶହ ଜିଲ୍ଲାରେ ଶହେ ସାମ୍ବାଦିକ ସମ୍ମିଳନୀ ଓ ୭ ଶହ କୃଷକ ସମାବେଶ କରି ନୂଆ କୃଷି ଆଇନ ସଂପର୍କରେ ସଚେତନତା କରିବାକୁ ରଣନୀତି କରିଛନ୍ତି ।

from Kanak News
via <a href="https://ifttt.com/?

ଉଦଘାଟନ ହେଲା ଦୟାନନ୍ଦ ଏକାଡେମୀର ନୂଆ ଭବନ । ଉନ୍ମୋଚନ ହେଲା ‘ଯୋଗ ପ୍ରକାଶ’ ପୁସ୍ତକ । 

କନକ ବ୍ୟୁରୋ : ଦୟାନନ୍ଦ ଏକାଡେମୀର ଏକ ନୂଆ ଭବନ ଆଜି ଉଦଘାଟନ ହୋଇଛି । ଏହି ଅବସରରେ ଦୟାନନ୍ଦ ଏକାଡେମୀର ସମସ୍ତ ଶିକ୍ଷକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହାସହ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଓ ବରଗଡର ପୂର୍ବତନ ସାଂସଦ ଡ. ପ୍ରଭାସ କୁମାର ସିଂ ।

ଏହି ଅବସରରେ ଦୟାନନ୍ଦ ଏକାଡେମୀର ମୁଖ୍ୟ ପରାମର୍ଶ ଦାତା ପିକେ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଏହାସହ ଯୋଗ ପ୍ରକାଶ ପୁସ୍ତକକୁ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଦୟାନନ୍ଦ ଏକାଡେମୀର ଭାରପ୍ରପ୍ତ ଅଧ୍ୟକ୍ଷ ଅଶିଷ ଚନ୍ଦ୍ର ବିଶି, ଭରବଙ୍କନଶ୍ୱର ଏମ୍ସର ଯୋଗ ଥେରାପିଷ୍ଟ ତଥା ଦୟାନନ୍ଦ ଏକାଡେମୀର ପରାମର୍ଶ ଦାତା ରାଜେଶ କୁମାର ମାଣିକ, ବରଗଡ ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started