ଶ୍ରୀକ୍ଷେତ୍ରକୁ ମିଳିଛି ନୂଆ ରୂପ: ଏବେ ସହଜରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରକୁ ମିଳିଛି ନୂଆ ରୂପ । ଦିନେ ଯେଉଁଠି ଶ୍ରୀମନ୍ଦିର ମେଘନାଦ ପାଚେରୀ ଦେଖିବା ସମ୍ଭବ ହେଉ ନଥିଲା, ଏବେ ସେଠାରେ ରହିଛି ପ୍ରସସ୍ତ ପରିକ୍ରମା ପଥ । ଯାହା ଶ୍ରଦ୍ଧାଳୁଙ୍କ ସହଜ ଓ ଶୃଙ୍ଖଳିତ ଦର୍ଶନ କରିବାରେ ସହାୟକ ହେବ ।

ଲୋକାର୍ପିତ ହୋଇଛି ବହୁ ପ୍ରତିକ୍ଷୀତ ପରିକ୍ରମା ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ଭକ୍ତ ଏବେ ଅତି ସହଜରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୁରୀ ଆସିଲେ ଭକ୍ତଙ୍କୁ ବିଭିନ୍ନ ସୁବିଧା ଉପଲବ୍ଧ ହେବ ।

-ପରିକ୍ରମା ପ୍ରକଳ୍ପରେ ଶ୍ରୀମନ୍ଦିର ଚାରିପାଖ ପାଇଛି ନୂଆରୂପ
– ଭକ୍ତଙ୍କ ପରିକ୍ରମା ଓ ନାମ ସଂକୀର୍ତ୍ତନ ପାଇଁ ୨ଟି ପଥ
-ମେଘନାଦ ପାଚେରୀରୁ ୧୪ ମିଟର ପର ୧୦ ମିଟରରେ ରହିଛି ଅନ୍ତଃପ୍ରଦକ୍ଷଣ ମାର୍ଗ
-ପରବର୍ତ୍ତୀ ୧୦ ମିଟରରେ ଶ୍ରୀମନ୍ଦିର ଚାରିପାଖ ପରିକ୍ରମା ଉଦ୍ଦେଶ୍ୟରେ ଖୋଲାଯିବ
– ମହିଳା, ପୁରୁଷ ଭକ୍ତ ଓ ସେବାୟତଙ୍କ ପାଇଁ ୯ଟି ଶୌଚାଳୟ
– ଭକ୍ତଙ୍କ ଜିନିଷ ରଖିବା ପାଇଁ ୨ଟି କ୍ଲକ୍ ରୁମ୍
– ଭକ୍ତଙ୍କ ବସିବା ପାଇଁ ୭ଟି ପ୍ୟାଭିଲିୟନ
– ଗୋଟିଏ ଇଲେକ୍ଟ୍ରିକାଲ ରୁମ୍ ରହିଛି

ପୂର୍ବରୁ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ବେଢା ପରିକ୍ରମା କରି ବାହାରକୁ ଆସିବାବେଳେ ଶ୍ରୀମନ୍ଦିର ପରିକ୍ରମା କରିପାରୁନଥିଲେ । ଏବେ ଯେକୌଣସି ଦ୍ୱାର ଦେଇ ବାହାରିଲେ ପ୍ରଦକ୍ଷିଣ କରିପାରିବେ । ଶ୍ରୀମନ୍ଦିର ଚାରିପାଖେ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି କରାଯିବା ସହ ସୌନ୍ଦର୍ଯ୍ୟକରଣ କରାଯାଇଛି । ବୁଧବାର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ବେଳେ ବିଭିନ୍ନ ପଂଚାୟତରେ ଏଲଇଡି ଲଗାଯାଇଥିଲା । ଲୋକେ ଏହି ପବିତ୍ର ମୂହୂର୍ତର ଆନନ୍ଦ ଉଠାଇଥିଲେ ।

କାଳିଆର ପରିକ୍ରମା ପ୍ରକଳ୍ପ ପାଇଁ ସାରା ରାଜ୍ୟରେ ସୃଷ୍ଟି ହୋଇଥିଲା ଭକ୍ତିଭାବମୟ ପରିବେଶ । ଲୋକେ ନିରାମିଷ ଖାଇବା ସହ ଜଗନ୍ନାଥଙ୍କ ପାଇଁ ଦୀପଟିଏ ଜାଳି ସରକାରଙ୍କ ପ୍ରୟାସରେ ଖୁସି ବ୍ୟକ୍ତ କରିଛନ୍ତି ।

ଶ୍ରୀଜଗନ୍ନାଥ ପ୍ରକଳ୍ପ ପରିକ୍ରମା ଉଦଘାଟନ ଉପଲକ୍ଷେ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜିତ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଶ୍ରୀଜଗନ୍ନାଥ ସଂସ୍କୃତିକୁ ଆଧାର କରି ନାଟକ ପରିବେଷଣ କରାଯାଉଛି ।

The post ଶ୍ରୀକ୍ଷେତ୍ରକୁ ମିଳିଛି ନୂଆ ରୂପ: ଏବେ ସହଜରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ first appeared on Kanak News.

from Kanak News
via <a href="https://ifttt.com/?

ଲୋକାର୍ପଣ ଉତ୍ସବରେ ଲାଗିଲା ରାଜନୈତିକ ରଙ୍ଗ: ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଛଡ଼ା ସାମିଲ ହେଲେନି ଅନ୍ୟ କଂଗ୍ରେସ ନେତା

କନକ ବ୍ୟୁରୋ: ବହୁ ପ୍ରତୀକ୍ଷିତ ପରିକ୍ରମାରେ ଯୋଗ ଦେବାକୁ ରାଜ୍ୟର ସମସ୍ତ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ହେଲେ, କଂଗ୍ରେସର ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀକୁ ଛାଡି ଆଉ କେହି ଏହି ଉତ୍ସବରେ ସାମିଲ ହୋଇନାହାନ୍ତି ।

ପରିକ୍ରମା ରଥ ବୁଲିବା ପରଠାରୁ ଯେଉଁଭଳି ରାଜନୀତି ତେଜିଥିଲା, ସେବେଠୁ ସାରାରାଜ୍ୟର ନଜର ଥିଲା କେଉଁ ଦଳରୁ କିଏ ଲୋକାର୍ପଣ ଉତ୍ସବରେ ସାମିଲ ହେଉଛନ୍ତିି । ତେବେ ସେହି ରହସ୍ୟ ଉପରୁ ପରଦା ହଟିଯାଇଛି । ଦଳ ପକ୍ଷରୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ କଡା ସମାଲୋଚନା କରାଯାଇଥିଷଲ ବି, କଂଗ୍ରେସର ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ଲୋକାର୍ପଣ ମହୋତ୍ସବରେ ସାମିଲ ହୋଇଛନ୍ତି । ସେହିପରି କେବଳ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ଛାଡି ବିଜେପିର ଅନ୍ୟ କୌଣସି ବିଧାୟକ, ସାଂସଦ ବା ମନ୍ତ୍ରୀ ଦଳରେ ସାମିଲ ହୋଇନାହାନ୍ତି ।

ଗୋଟିଏ ପଟେ ଅଧିରାଜ ପାଣିଗ୍ରାହୀ, ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିବାବେଳେ ଆଉ ଗୋଟିଏ ପଟେ କଂଗ୍ରେସ କର୍ମୀଙ୍କୁ ପୁରୀରେ ଅଟକ ରଖାଯାଇଥିବା ଅଭିଯୋଗ ଆଣିଛନ୍ତି ଦଳର ମିଡିଆ ସେଲ ଅଧ୍ୟକ୍ଷ । ତେବେ ବିଜେପି ପକ୍ଷରୁ କେହି ଯୋଗ କରିନଥିଲେ ବି ମୁହଁ ଖୋଲି ନାହାନ୍ତି । ଅନ୍ୟପଟେ ବଜେଡି ନେତା କହିଛନ୍ତି, ଜଗନ୍ନାଥ ସମସ୍ତଙ୍କର ସମସ୍ତେ ସାମିଲ ହେବାର ଥିଲା । ଆଗକୁ ନିର୍ବାଚନ ଆସୁଥିବାରୁ ଏହା ଏକ ବଡ ରାଜନୈତିକ ପ୍ରସଙ୍ଗ ହୋଇପାରେ ବୋଲି କୁହାଯାଉଛି ।

The post ଲୋକାର୍ପଣ ଉତ୍ସବରେ ଲାଗିଲା ରାଜନୈତିକ ରଙ୍ଗ: ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଛଡ଼ା ସାମିଲ ହେଲେନି ଅନ୍ୟ କଂଗ୍ରେସ ନେତା first appeared on Kanak News.

from Kanak News
via <a href="https://ifttt.com/?

ଶହୀଦନଗରରେ ଉଦଘାଟିତ ହେଲା ଏମଏସଆଇ ବ୍ରାଣ୍ଡ ଷ୍ଟୋର । ସବୁ ବର୍ଗର ଲାପଟପ୍ ହେବ ଉପଲବ୍ଧ

କନକ ବ୍ୟୁରୋ : ରାଜ୍ୟର ପ୍ରଥମ ଏମଏସଆଇ ବ୍ରାଣ୍ଡ ଷ୍ଟୋର ଶହୀଦନଗର ଭୁବନେଶ୍ୱର ଠାରେ ଉଦଘାଟିତ ହୋଇଯାଇଛି । ନ୍ୟାସନାଲ ସେଲସ ମ୍ୟାନେଜର ଲିଓନ୍ ଚାଙ୍ଗଙ୍କ କହିବା ମୁତାବକ ଏହି ଷ୍ଟୋରରେ ୩ଟି ବର୍ଗର ଲାପଟପ୍ ରହିବ । ଗେମିଂ ସିରିଜରେ ଉପଲବ୍ଧ ଲାପଟପର ମୂଲ୍ୟ ୫୦ ହଜାର ଟଙ୍କାରୁ ଆରମ୍ଭ ହୋଇ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ବିଜନେସ୍ ପ୍ରଡକ୍ଟଟିଭ ସିରିଜର ଉତ୍ପାଦଗୁଡିକର ମୂଲ୍ୟ ୩୦ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । କଣ୍ଟେଣ୍ଟ କ୍ରିଏସନ୍ ସିରିଜରେ ଉପଲବ୍ଧ ଲାପଟପ୍ ମଧ୍ୟରେ ଏହି ମିଳିପାରିବ ।

ଏନେଇ ଆୟୋଜିତ ଉଦଘାଟନୀ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆରଏସଏମ ରୂପନାରାୟଣ ଏବଂ ଓଡିଶା ବିଜନେସ୍ ଡେଭଲପମେଣ୍ଟ ମ୍ୟାନେଜର ମଧୁସୂଦନ ଗୁପ୍ତା ଉପସ୍ଥିତ ରହି ଷ୍ଟୋରରେ ଉପଲବ୍ଧ ଉତ୍ପାଦ ଓ ସେବା ସଂପର୍କରେ ସୂଚନା ଦେଇଥିଲେ । ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଉତ୍ପାଦ ଯୋଗାଇଦେବା ସହ ଅନସାଇଟ ସର୍ଭିସର ମଧ୍ୟ ସେବା ପ୍ରଦାନ କରାଯିବ ବୋଲି କହିଛନ୍ତି । ସେହିଭଳି ଫାଇନାନ୍ସ ଜରିଆରେ ଉତ୍ପାଦ କ୍ରୟ କରିବାର ବନ୍ଦୋବସ୍ତ ରହିଥିବା ସୂଚନା ଦିଆଯାଇଛି । ଆଲିଶାନ କମ୍ପ୍ୟୁଟର ସହଭାଗିତାରେ ଏହି ଷ୍ଟୋର ଖୋଲାଯାଇଛି ।

The post ଶହୀଦନଗରରେ ଉଦଘାଟିତ ହେଲା ଏମଏସଆଇ ବ୍ରାଣ୍ଡ ଷ୍ଟୋର । ସବୁ ବର୍ଗର ଲାପଟପ୍ ହେବ ଉପଲବ୍ଧ first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପ ଲୋକାର୍ପିତ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଦ, ପାଠର ଧ୍ୱନୀ ଆଉ ସଂକିର୍ତନ ଭିତରେ ଏହି ଐତିହ କରିଡର ଉଦ୍ଘାଟନ କରାଯାଇଛି । କେବଳ ସେତିକି ନୁହେଁ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍ ବା ଶ୍ରୀସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁ ଦେଇ ଭକ୍ତମାନେ ସୁବିଧାରେ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଅପେକ୍ଷାରେ ଅନ୍ତ ହୋଇଛି । ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମାହେନ୍ଦ୍ର ବେଳାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଗନ୍ନାଥଙ୍କ ଲକ୍ଷ ଲକ୍ଷ ଭକ୍ତ ଏହି ଐତିହାସିକ ମୁହୁର୍ତର ସାକ୍ଷୀ ବନିଛନ୍ତି । ବିଭିନ୍ନ ମଠ ମନ୍ଦିରରୁ ଆସିଥିବା ସାଧୁ ସନ୍ଥ, ଅତିଥି ଏହି ଶୁଭ ମୁହୁର୍ତରେ ସାମିଲ ହୋଇଛନ୍ତି ।

ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ତିନି ଦିନ ଧରି ଚାଲିଥିବା ମହାଯଜ୍ଞର ଅନ୍ତିମ ଦିନରେ ଜନସାଧାରଣଙ୍କ ଉଦେଶ୍ୟରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଧି ମୁତାବକ ଲୋକାର୍ପଣ ଶିଳାର ପୂଜାର୍ଚ୍ଚନା ପରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଜପତି ମହାରାଜା ଶିଳାରେ ଚନ୍ଦନ ଲଗାଇ ପୁଷ୍ପ ଚଢ଼ାଇବା ସହ ପୂଜାର୍ଚ୍ଚନା କରିଛନ୍ତି । ଆଉ ଶିଳା ଦେହରେ ସୁବର୍ଣ୍ଣ ରଂଗର ଖୋଦିତ ହୋଇଥିବା ଓଁ, ଜୟ ଜଗନ୍ନାଥ ନମଃ ବେଶ ଆକର୍ଷଣୀୟ ହୋଇଛି ।
ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବା ପରେ ପରେ, ମହାଯଜ୍ଞର କର୍ତା ଗଜପତି ମହାରାଜା ଦିବ୍ୟସିଂହ ଦେବ ପୂର୍ଣ୍ଣାହୂତି ଦେଇଛନ୍ତି । ବେଦପାଠ ଓ ନାମ ସଂକୀର୍ତନ ଭିତରେ ଯଜ୍ଞର ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି ମହାରାଜ । ମୁଖ୍ୟମନ୍ତ୍ରୀ ମଧ୍ୟ ଦିବ୍ୟ ଯଜ୍ଞରେ ପୁଷ୍ପାଞ୍ଜଳି ଦେଇଛନ୍ତି । ଯଜ୍ଞରେ ଆହୁତି ସହ ବେଦମନ୍ତ୍ର ପାଠ କରି ବିଶ୍ୱମଂଗଳ କାମନା କରିଛନ୍ତି ବରଣୀୟ ବ୍ରାହ୍ମଣ ।

ମହାଯଜ୍ଞର ପୂର୍ଣ୍ଣାହୁତି ପରେ ପରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିଛନ୍ତି ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ । ବରିଷ୍ଠ ପଦାଧିକାରୀ ବି ପରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିଛନ୍ତି । ଏଥିସହ ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦେଇଥିବା ପରିବାରଙ୍କୁ ସମ୍ମାନିତ କରିଛନ୍ତି ।

ବେଦପାଠୀଙ୍କ ବେଦପାଠ ଓ ନାମ ସଂକୀର୍ତନରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର । ଭକ୍ତିମୟ ପରିବେଶ ସୃଷ୍ଟି କରିଛି ସଂକୀର୍ତନିଆଙ୍କ ଝାଞ୍ଜ ମୃଦଙ୍ଗର ଧ୍ୱନି ଓ ଜୟ ଜଗନ୍ନାଥ ଉଚ୍ଚାରଣ ।

ଆଉ ଏହାରି ଭିତରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍ ବା ଶ୍ରୀସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁ ଦେଇ ଭକ୍ତମାନେ ସୁବିଧାରେ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

The post ପରିକ୍ରମା ପ୍ରକଳ୍ପ ଲୋକାର୍ପିତ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ପୋଲିସ ଧରି ପାରିଲାନି ଚୋର: ଚୋରକୁ ଧରି ମାଡ ଖାଇଲେ ଘର ମାଲିକ, ସିସିଟିଭିରେ କଏଦ ହେଲା ମାଡବେଳର ଦୃଶ୍ୟ

କନକ ବ୍ୟୁରୋ: ଘରୁ ଚୋରି ହେଲା, ଥାନାରେ ମାମଲା ରୁଜୁ ହେଲା । ଚୋରି ଆଉ ଚୋରର ଭିଜୁଆଲ ସିସିଟିଭିରେ କଏଦ ହେଲା । ହେଲେ ପୋଲିସ ଚୋରକୁ ଗିରଫ କଲା ନାହିଁ । ମାସକ ପରେ ଯେତେବେଳେ ଚୋରକୁ ଘର ମାଲିକ ଧରିଲା, ସେତେବେଳେ ଚୋରର ସାଥୀଙ୍କ ଠାରୁ ନିସ୍ତୁକ ମାଡ ଖାଇବାକୁ ପଡିଛି । କେବଳ ସେତିକି ନୁହେଁ ଏ ନେଇ ଥାନାରେ ଅଭିଯୋଗ କରିବାରୁ ଥାନା ଅଧିକାରୀ ଘର ଛାଡି ପଳାଇବାକୁ କହିଥିବା ଅଭିଯୋଗ ହୋଇଛି । ଚୋର ଧରି ମାଡ ଖାଇବା ଭଳି ଘଟଣା ଦେଖିବାକୁ ମିଳିଛି ଭରତପୁର ଥାନା ପଣ୍ଡାକୁଦିଆ ଅଂଚଳରେ । ଚୋରକୁ ଧରି ଘର ମାଲିକକୁ ମାଡ ଖାଇବାକୁ ପଡିଛି । ଏହାସହ ଚୋର ସ୍ଥାନୀୟ ବସ୍ତିରେ ରହୁଥିବା ଯୁବକ, ସେମାନଙ୍କ ସହ ଲାଗିବା କଥା ନୁହେଁ ବୋଲି ପୋଲିସ କହିଥିବା ଅଭିଯୋଗ ହୋଇଛି ।

The post ପୋଲିସ ଧରି ପାରିଲାନି ଚୋର: ଚୋରକୁ ଧରି ମାଡ ଖାଇଲେ ଘର ମାଲିକ, ସିସିଟିଭିରେ କଏଦ ହେଲା ମାଡବେଳର ଦୃଶ୍ୟ first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରେ ଜୀ-ସାର୍ଥକରେ ନୂଆ ଆରମ୍ଭ: ଜାନୁଆରୀରୁ ଦେଖିବେ ୩ଟି ନୂଆ କାର୍ଯ୍ୟକ୍ରମ

କନକ ବ୍ୟୁରୋ: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷୀରେ ନୂଆ ବର୍ଷରେ ନୂଆ ଆରମ୍ଭ କରିଛି ଦୁଇଟି ମେଗା ଧାରାବାହିକ ଓ ଗୋଟିଏ ରିୟାଲିଟି ଶୋ ସହିତ ଅଛି ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ,-ଜୀ-ସାର୍ଥକ ସଂସାର ଡବଲ୍ସ ଲିଗ୍’, ‘ମଧୁର ସଂସାର’ ଓ ‘ଶ୍ରୀ’।

ଜାନୁଆରୀ ୨୦ ତାରିଖରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ ରୁ ଦେଖିବେ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ,- ଜୀ-ସାର୍ଥକ ସଂସାର ଡବଲ୍ସ୍ ଲିଗ୍’, ଏକ ରୋମାଞ୍ଚକର ପ୍ରତିଯୋଗିତାରେ ପ୍ରତ୍ୟେକ ସପ୍ତାହରେ ବିଭିନ୍ନ ନୃତ୍ୟ ରୂପରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଡି ହୋଇ ନିଜ ସବୁଠାରୁ ଭଲ ପ୍ରଦର୍ଶନ ଦେଇ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଟାଇଟଲ୍ ବିଜେତା ହେବେ । ଜୀ-ସାର୍ଥକ ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ସେଲିବ୍ରେଟି ୧୨ଟି ଯୋଡି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ଓ ମନୋରଞ୍ଜନ ପୂର୍ଣ୍ଣ ଖେଳ ମାଧ୍ୟମରେ ରୂପରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିବେ । ନିଜର ଅବିଶ୍ୱସନୀୟ ନୃତ୍ୟ ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ଆରମ୍ଭ ହେବାକୁ ଯାଉଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀ ର ଆସନ ଅଳଙ୍କୃତ କରିବେ।

ଜାନୁଆରୀ ୨୨ ତାରିଖରୁ ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ରୁ ଦେଖିବେ ମେଗା ଧାରାବାହିକ ‘ମଧୁର ସଂସାର’। ଆଦର୍ଶ ଯୌଥ ପରିବାର ନହେଲେ ବି ଏକ ଓଡିଆ ଦାସ ପରିବାରର କାହାଣୀ ଦେଖିବାକୁ ପାଇବେ ଦର୍ଶକ । ମଧୁ ଜଣେ ସରଳ ଓ ଖୋଲା ମନୋଭାବୀ ଝିଅ ପାଇଛନ୍ତି ମାନସ ଯିଏ କି ସାମାଜିକ ମୂଲ୍ୟବୋଧକୁ ଗୁରୁତ୍ବ ଦେଉଥିବା ଜଣେ ପୁଅ କୁ ତେବେ ସେମାନଙ୍କ ଯୌଥ ପରିବାର ମଧୁର ହୋଇପାରିବ କି ନାହିଁ ତାହା ହେଉଛି ‘ମଧୁର ସଂସାର’ର ମୂଳ ବିଷୟବସ୍ତୁ। ଭକ୍ତି ପଟ୍ଟନାୟକ ମଧୁ ରୂପରେ ନଜର ଆସୁଥିବା ବେଳେ ତାଙ୍କ ସାଙ୍ଗରେ ରହିବେ ଓଡିଆ ଟେଲିଭିଜନ ଦୁନିଆର ଲୋକପ୍ରିୟ ନାୟକ ଆଦିତ୍ୟ ଯିଏ ଦେଖା ଦେବେ ମାନସ ଭୂମିକାରେ ।ଜାନୁଆରୀ ୨୨ ସନ୍ଧ୍ୟା ୮ରୁ ହେବାକୁ ଯାଉଛି ମେଗା ଧାରାବାହିକ ‘ଶ୍ରୀ’। ନିଜ ପିତା ମାତାଙ୍କ ସମାଜରେ ସମ୍ମାନ ରକ୍ଷା କରିବା ପାଇଁ ନିଜର ଭଉଣୀର ଝିଅ ମିଠିକୁ ଆପଣେଇ ନିଅନ୍ତି ଓ ନିଜେ ଚାକିରି କରି ମିଠିର ସବୁ ଦ୍ଵାୟୀତ୍ଵ ନିଅନ୍ତି । ସମୟକ୍ରମେ ଜଣେ ବଡ଼ ବ୍ୟବସାୟୀ ରାଜ୍ ଙ୍କୁ ଭେଟନ୍ତି ଯିଏ ନିଜେ କାମ କରୁଥିବା ଅଫିସର ବସ୍ ଓ ଧୀରେ ଧୀରେ ରାଜ ଓ ଶ୍ରୀଙ୍କ ମଧ୍ୟରେ ପ୍ରେମ ଗଢିଉଠିଛି କିନ୍ତୁ ସେମାନଙ୍କର ପ୍ରେମ ସାମାଜିକ ଭାବନାକୁ ନେଇ ଅସୁବିଧାର ସମ୍ମୁଖୀନ ହୁଏ, ସେପଟେ ମିଠିର ଦ୍ଵାୟୀତ୍ଵ ତେବେ କାହାଣୀ ଏଠାରୁ ଆରମ୍ଭ ମାତ୍ର । ଓଡ଼ିଶାର ଲୋକପ୍ରିୟ ଡ୍ୟାନ୍ସିଂ ଷ୍ଟାର ହରିହର ଦାଶ ପ୍ରଥମ ଥର ପାଇଁ ଏହି ମେଗା ଧାରାବାହିକରେ ନଜର ଆସୁଥିବା ବେଳେ ତାଙ୍କ ସାଙ୍ଗରେ ରହିବେ ଓଡିଆ ଟେଲିଭିଜନ ଦୁନିଆର ଲୋକପ୍ରିୟ ନାୟିକା ଦେବିକା ଅରୁନ୍ଧନ୍ତି ।

ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ, ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ
ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇଛି ଆସିଛି । ଏଥର ନୂଆ ବର୍ଷରେ ସେହିପରି ନୂଆ କାହାଣୀ ଓ ରିୟ୍ୟାଲିଟି ଶୋ ର ଆରମ୍ଭ ସହିତ ଜୀ-ସାର୍ଥକ ଜାରି ରଖିବ ଓଡିଆ ଦର୍ଶକଙ୍କ ମନୋରଞ୍ଜନର ଯାତ୍ରା ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍।

ନୂଆ ବର୍ଷରେ ନୂଆ କାହାଣୀ ଓ ନୂଆ ରିୟାଲିଟି ଶୋ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି ଜୋର ଦେଇ କହିଛନ୍ତି ଜୀ-ସାର୍ଥକ ଚ୍ୟାନେଲ୍‌ ମୁଖ୍ୟ କ୍ଲଷ୍ଟର ଅଫିସର ଶ୍ରୀ ସମ୍ରାଟ ଘୋଷ । ସେ କହିଛନ୍ତି ଜୀ-ସାର୍ଥକର ସମସ୍ତ ଦର୍ଶକଙ୍କୁ ପ୍ରତିବର୍ଷ ନୂଆ କାହାଣୀ ଓ ନୂଆ ରିୟାଲିଟି ଶୋ ଦେଖାଇବା ପାଇଁ ଆମେ ପ୍ରତିଶୃତିବଦ୍ଧ ଓ ମନୋରଞ୍ଜନ ମାଧ୍ୟମରେ ସବୁବେଳେ ଆମେ ଆମ ଦର୍ଶକଙ୍କ ଭଲ ପାଇବା ସାଉଁଟିବା ପାଇଁ ଚେଷ୍ଟାରତ ।

The post ନୂଆ ବର୍ଷରେ ଜୀ-ସାର୍ଥକରେ ନୂଆ ଆରମ୍ଭ: ଜାନୁଆରୀରୁ ଦେଖିବେ ୩ଟି ନୂଆ କାର୍ଯ୍ୟକ୍ରମ first appeared on Kanak News.

from Kanak News
via <a href="https://ifttt.com/?

ମାଆ ମଝିଘରିଆଣି ମନ୍ଦିର ପରିସରରେ ସତୀକୁଣ୍ଡ । ମାଆଙ୍କ ଦର୍ଶନ ସହ ଚାଲିଛି ପୂଜାର୍ଚ୍ଚନା, ସତୀ କୁଣ୍ଡ ଦର୍ଶନ କରିଲେ ଅନେକ ପୁଣ୍ୟ ମିିିଳିବାର ରହିଛି ବିଶ୍ୱାସ

କନକ ବ୍ୟୁରୋ : ପୁରୁଣ ପରମ୍ପରା ଆଉ ଲୋକଙ୍କ ବିଶ୍ୱାସ । ବର୍ଷ ବର୍ଷର ପୁରୁଣା ଲୋକକଥା ନେଇ ଚଳଚଂଚଳ ରହିଛି ଏହି ପୀଠ । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ମଝିଘରିଆଣି । ଏହି ମନ୍ଦିର ପରିସରରେ ରହିଛି ସତୀ କୁଣ୍ଡ । ପୁରୁଣା କଥା ଅନୁସାରେ ଏହି ସତୀ କୁଣ୍ଡର ମହିମା ଅନେକ । ବିଶେଷ କରି ସତୀ କୁଣ୍ଡରେ ପୂଜାର୍ଚ୍ଚନା କରିଲେ ସମସ୍ତ ମନୋସ୍କାମନା ପୁରଣ ହୋଇଥାଏ । କୁମାରୀ କନ୍ୟାଙ୍କଠାରୁ ନେଇ ମହିଳା ମାନେ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି । ଏପରିକି ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଏହି କୁଣ୍ଡ ନିକଟରେ ପୂଜାର୍ଚନା କରାଯାଉଛି । ବିଶେଷ କରି ବର୍ଷକୁ ଥରେ ମକର ସଂକ୍ରାନ୍ତି ଦିନ ଏହି ସତୀ କୁଣ୍ଡ ନିକଟରେ ବିଭିନ୍ନ ପ୍ରକାର ଫଳମୂଳ ସହିତ ଚୁଡି,ମାଳି, ସହିତ ମହିଳା ମାନେ ପିନ୍ଧୁଥିବା ସମସ୍ତ ଜିନିଷ ଦେଇ ଏହି ସତୀ କୁଣ୍ଡ ନିକଟରେ ପୂଜାର୍ଚ୍ଚନା କରାଯିବାର ରହିଛି ପରମ୍ପରା ।

ସତୀକୁଣ୍ଡ ନେଇ ରାଜାରାଜୁଡା ଅମଳରୁ ରହିଛି ପୁରୁଣା କିମ୍ବଦନ୍ତୀ । ରାଜା ଶାସନ ସମୟରେ ପାଇକମାନେ ଇଷ୍ଟଦେବୀଙ୍କୁ ପୂଜାର୍ଚନା ଦାୟିତ୍ୱ ନେଇଥିଲେ । ଯାହା ଆଜି ପର୍ଯ୍ୟନ୍ତ ଚାଲିଆସିଛି    । ରାଜା ବିଶ୍ୱନାଥଙ୍କର ୧୦୮ ଜଣ ସ୍ତ୍ରୀ ଏହି ସ୍ଥାନରେ ଝାସ ଦେଇ ସତୀ ହୋଇଥିଲେ । ଏହି ବିଶ୍ୱାସ ଆଧାରରେ ସେହି ସ୍ଥାନଟି ସତୀ କୁଣ୍ଡ ନାଁରେ ନାମିତ କରାଯାଇଥିଲା ।

ବର୍ଷ ବର୍ଷ ଧରି ରହିଥିବା ପୁରୁଣା ପରମ୍ପରାକୁ ମାନୁଛନ୍ତି ଲୋକେ । ଏହି ଆଧାରରେ ସତୀକୁଣ୍ଡରେ ପୂଜାର୍ଚ୍ଚନା କରିବାକୁ ଲାଗୁଛି ଭିଡ ।

The post ମାଆ ମଝିଘରିଆଣି ମନ୍ଦିର ପରିସରରେ ସତୀକୁଣ୍ଡ । ମାଆଙ୍କ ଦର୍ଶନ ସହ ଚାଲିଛି ପୂଜାର୍ଚ୍ଚନା, ସତୀ କୁଣ୍ଡ ଦର୍ଶନ କରିଲେ ଅନେକ ପୁଣ୍ୟ ମିିିଳିବାର ରହିଛି ବିଶ୍ୱାସ first appeared on Kanak News.

from Kanak News
via <a href="https://ifttt.com/?

ଆଦିବାସୀ ମୂଲକର ନିଆରା ଖେଳ । ବାଲେଶ୍ୱର ନୀଳଗିରି ଗୁଡିଖାଣିଆ ଗାଁରେ ଲାଖବିନ୍ଧା ପ୍ରତିଯୋଗିତା

କନକ ବ୍ୟୁରୋ : ନିଆରା ମୂଲକର ନିଆର ଖେଳ । ଲୋକ ମାନଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଜଣକ ପରେ ଜଣେ ଛାଡୁଛନ୍ତି ଧନୁ ତୀର । କାହାର ପ୍ରଥମେ ଲକ୍ଷ୍ୟ ଭେଦ କରୁଛି ସେ ନେଇ ଚାଲିଛି ପ୍ରତିଯୋଗିତା । ବଣ ପାହାଡ ଘେରା ଆଦିବାସୀ ମୂଲକ ନୀଳଗିରି ଅଂଚଳର ଗୁଡିଖାଣିଆ ଗାଁରେ ଚାଲିଛି ଏହି ପ୍ରତିଯୋଗିତା । ଯାହାକୁ ନେଇ ଲୋକେ ବି ବେଶ ଉତ୍ସାହିତ ହୋଇପଡିଛନ୍ତି । ଗାଁର ସସସ୍ତ ପୁରୁଷ କାନ୍ଧରେ ଧନୁ ଓ ହାତରେ ତୀର ଧରି ବାହାରିପଡିଛନ୍ତି ପ୍ରତିଯୋଗିତା ସ୍ଥଳୀକୁ । ଲକ୍ଷ୍ୟ କରିଛନ୍ତି ଲକ୍ଷ୍ୟ ବିନ୍ଧା ସ୍ଥାନକୁ । ଯିଏ ଲକ୍ଷ୍ୟ ସ୍ଥଳରେ ବିନ୍ଧି ପାରିବ ସେ ହେବ ବିଜେତା । ଆଉ ବିଜେତାକୁ କାନ୍ଧରେ ବସାଇ ଗାଁ ପରିକ୍ରମା କରାଯାଇ ଗାଁର ମୁଖିଆଙ୍କ ଘରକୁ ନିଆଯିବ । ପୂର୍ବ ପୁରୁଷ ଅମଳରୁ ଚାଲିଆସୁଛି ଏହି ପରମ୍ପରା ପ୍ରତିଯୋଗିତା । ଖାସ୍ କରି ମକର ସଂକ୍ରାନ୍ତିର ସମସ୍ତ ଅସ୍ତ୍ର ପୂଜା କରି ପଶୁ ଶିକାର ପାଇଁ ନିଆଯାଉଥିଲା । ହେଲେ ପରେ ଏହା ପ୍ରତିଯୋଗିତା ତଥା ଲାଖ ବିନ୍ଧା ଖେଳରେ ପରିଣତ ହୋଇଛି ।

ବଣ ମୂଲକରେ ଏହି ଲାଖ ବିନ୍ଧା ପ୍ରତିଯୋଗୀତାର ଆୟୋଜନ କରାଯାଉଛି । ଗାଁ ମୁଖିଆଙ୍କ ଘରୁ ଏକ ଡାଳ କଟାଯାଇ ଖୋଲାପଡିଅରେ ପୂଜା କରି ପୋତାଯାଇଥାଏ । ଏହ ପରେ ୨ଶହରୁ ୩ଶହ ମିଟର ଦୂରରୁ ଧନୁ ତୀର ସାହାଯ୍ୟରେ ଲାଖ ବିନ୍ଧା ପ୍ରତିଯୋଗିତା ଆରମ୍ଭ ହୋଇଥାଏ । ପ୍ରଥମେ ଗାଁର ମୁଖିଆ ଲାଖବିନ୍ଧିଥିବା ବେଳେ ପରେ ଅନ୍ୟ ପ୍ରତିଯୋଗୀ ମାନେ ଏଥିରେ ସାମିଲ ହୋଇଥିଲେ ।

ପ୍ରତିଯୋଗିତାରେ ବିଜେତାଙ୍କୁ କାନ୍ଧରେ ବସାଇ ଗାଁ ପରିକ୍ରମା କରାଯିବାର ରହିଛି ପରମ୍ପରା । ଯାହା ଦେଖିବାକୁ ଗାଁ ତଥା ଗାଁ ବାହାରୁ ବହୁ ଲୋକଙ୍କ ଭିଡ ଲାଗିଥାଏ ।

The post ଆଦିବାସୀ ମୂଲକର ନିଆରା ଖେଳ । ବାଲେଶ୍ୱର ନୀଳଗିରି ଗୁଡିଖାଣିଆ ଗାଁରେ ଲାଖବିନ୍ଧା ପ୍ରତିଯୋଗିତା first appeared on Kanak News.

from Kanak News
via <a href="https://ifttt.com/?

ଚିନ୍ତାରେ ଅସ୍ତରଙ୍ଗ ଓ କାକଟପୁର ଚାଷୀ । ଧାର୍ଯ୍ୟ ତାରିଖ ଗଡିଗଲା ପରେ ବି ଖୋଲିପାରୁନି ମଣ୍ଡି, ଗାଁ ଗାଁରେ ମାତିଛନ୍ତି ଦଲାଲ

କନକ ବ୍ୟୁରୋ : ଖୋଲୁନି ଧାନ ମଣ୍ଡି । କ୍ଷତିର ପଡିଛନ୍ତି ଚାଷୀ । କମ୍ ଦରରେ ଧାନ ବିକି ଅଭାବୀ ବ୍ରିକିର ଶିକାର ହେଉଛନ୍ତି ଅସ୍ତରଙ୍ଗ ଓ କାକଟପୁରର ଚାଷୀ । ବର୍ଷକଯାକ ପରିଶ୍ରମ କରି ପାଚିଲା ଧାନ କାଟି ଆଣିଥିଲେ । ଅମଳ ଫସଲ ମଣ୍ଡିରେ ବିକି କିଭଳି ଦୁଇ ପଇସା ପାଇବେ । ଏ ନେଇ ମଣ୍ଡିକୁ ଅପେକ୍ଷା କରିଛନ୍ତି । ହେଲେ ମଣ୍ଡି ଖୋଲିବାର ନାଁ ନାହିଁ । ଜାନୁଆରୀ ମାସରେ ସବୁ ଧାନ ବିକ୍ରି ହୋଇଯିବା କଥା । ମାତ୍ର ମାସ ଶେଷ ହୋଇଯାଇଥିଲେ ବି ଧାନ ମଣ୍ଡି ଖୋଲିବାର ନାଁ ନେଉନି । ଏହାରି ଭିିତରେ ଦଲାଲ ମାନେ ସକ୍ରିୟ ହୋଇପଡିଛନ୍ତି । ଗାଁ ଗାଁ ବୁଲି ବୁଲି ଧାନ ସଂଗହ କରିବାରେ ଲାଗିଛନ୍ତି । ଚାଷୀଙ୍କଠାରୁ କମ୍ ଦରରେ ଧାନ କିଣି ଦଲାଲ ଚଢା ଦରରେ ବିକୁଛନ୍ତି । ଏପଟେ ଚାଷୀ କୁଇଂଟାଲ ପିଛା ୪ଶହ ଟଙ୍କାରୁ ୫ଶହ ଟଙ୍କା କମ୍ ମୂଲ୍ୟରେ ଧାନ ଦେବା ପାଇଁ ବାଧ୍ୟ ହେଉଥିବା ବେଳେ କ୍ଷତିରେ ପଡୁଛନ୍ତି ।

ଅସ୍ତରଙ୍ଗ ଶୁଧିକେଶ୍ୱର ଗାଁରେ ସରକାରୀ ଧାନ ମଣ୍ଡିରେ ଧାନ ଦେବା ପାଇଁ ଚଳିତ ମାସ୩ ତାରିଖଠାରୁ ଟୋକନ୍ ଆସିଲାଣି । ଟୋକନ୍ ଅନୁସାରେ ଜଣେ ଚାଷୀ ୨୭ କୁଇଂଟାଲ ଧାନ ମଣ୍ଡିରେ ଦେବେ । ହେଲେ ମଣ୍ଡି ଖୋଲିନଥିବାରୁ କମ୍ ଦରରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀମାନେ । ପ୍ରାୟ ୧୦ କୁଇଂଟାଲ ଧାନ ୪୦୦ ଟଙ୍କା କମ୍ ଦାମରେ ବିକ୍ରି କରିଛନ୍ତି । ସରକାରଙ୍କ ପକ୍ଷରୁ କେଉଁଦିନ ମଣ୍ଡି ଖୋଲିବ ସେଦିନ ଧାର୍ଯ୍ୟ ହୋଇନଥିବା ବେଳେ କମ୍ ଦରରେ ଧାନ ବିକ୍ରି କରି କ୍ଷତିରେ ପଡୁଛନ୍ତି ଚାଷୀ । ସମସ୍ୟା ନେଇ ଅଭିଯୋଗ ହେଇଥିଲେ ବି କୌଣସି ସମାଧାନ ହୋଇନି । ଯାହକୁ ନେଇ ଚାଷୀଙ୍କ ମଧ୍ୟେରେ ଅସନ୍ତୋଷ ବଢିଚାଲିଛି ।

ମଣ୍ଡି ଖୋଲିନଥିବା ବେଳେ କମ୍ ଦରରେ ଧାନ ବିକ୍ରି କରିକ୍ଷତିରେ ପଡିଛନ୍ତି ଚାଷୀକୁଳ । ଏନେଇ ଏବେଠାରୁ ଗୁରୁତ୍ୱ ଦିଆଗଲେ ସେମାନଙ୍କୁ ତାଙ୍କର ଉଚିତ୍ ପ୍ରାପ୍ୟ ମିଳିପାରିବ ।

The post ଚିନ୍ତାରେ ଅସ୍ତରଙ୍ଗ ଓ କାକଟପୁର ଚାଷୀ । ଧାର୍ଯ୍ୟ ତାରିଖ ଗଡିଗଲା ପରେ ବି ଖୋଲିପାରୁନି ମଣ୍ଡି, ଗାଁ ଗାଁରେ ମାତିଛନ୍ତି ଦଲାଲ first appeared on Kanak News.

from Kanak News
via <a href="https://ifttt.com/?

ବନ୍ଦ ହେବାକୁ ବସିଛି ଆସିକାର ଉତ୍କଳ ଆୟୂର୍ବେଦିକ ଫାର୍ମାସି । ୯ ମାସ ହେଲା ରାଜନୈତିକ କନ୍ଦଳ ଯୋଗୁ ଝୁଲୁଛି ତାଲା

ବନ୍ଦ ହେବାକୁ ବସିଛି ଆସିକାର ଉତ୍କଳ ଆୟୂର୍ବେଦିକ ଫାର୍ମାସି । ୯ ମାସ ହେଲା ରାଜନୈତିକ କନ୍ଦଳ ଯୋଗୁ ଝୁଲୁଛି ତାଲା ରାଜନୈତିକ ଚକ୍ରବ୍ୟୁହ ଭିତରେ ଛନ୍ଦି ହେଇପଡିଛି ଆସିକାର ଉକ୍ରଳ ଆୟୂର୍ବେଦିକ ଫାର୍ମାସି । ସାରା ଓଡିଶାକୁ ଅୟୁବେଦିକ୍ ଔଷଧ ଯୋଗାଇ ସୁନାମ ଅର୍ଜନ କରିଥିବା ବେଳେ ଏବେ ସେଠାରେ ଝୁଲୁଛି ତାଲା । ଦିର୍ଘ ୯ ମାସ ହେଲେ ରାଜନୈତିକ କନ୍ଦଳ ଯୋଗୁ କଂଚାମାଲ୍ ଆସୁନି କି ଔଷଧ ତିଆରି ହୋଇ ପାରୁ ନାହିଁ । ଫଳରେ ୫ ମାସ ହେବ ଏଠାରେ କାମ କରୁଥିବା କର୍ମଚାରୀ ଦରମା ନପାଇ ଧାରଣାରେ ବସିଛନ୍ତି ।

ଆସିକା ସହରର ଉକ୍ରଳ ଆୟୂର୍ବେଦ ଫାର୍ମାସୀ । ଏଠାରେ ପ୍ରସ୍ତୁତ ଔଷଧ ଓଡିଶାର ଭୁବନେଶ୍ୱର ସମେତ ୯ ଟି ସ୍ଥାନକୁ ଯାଇଥାଏ । ସୁନାମ ଅର୍ଜନ କରିଥିବା ସଂସ୍ଥା ଏବେ ବନ୍ଦ ହେବାକୁ ବସିଛି  । ଦିର୍ଘ ୯ ମାସ ହେଲା କଂଚାମାଲ୍ ନ ଆସିବାରୁ ଆଉ ଔଷଧ ତିଆରି ହୋଇପାରୁନି । ପରିଚାଳନା କମିଟିର ଦୁଇ ଦଳ ମଧ୍ୟରେ ବିବାଦ ଫଳରେ କଂଚାମାଲ୍ କିଣା ଯାଉନି । ସଂସ୍ଥା ନିଜର ସତା ହରାଇବା ସ୍ଥିତିରେ ଗତି କରୁଥିବା ବେଳେ ରାଜନୈତିକ ଗୋଷ୍ଠି କନ୍ଦଳ ଯୋଗୁ କର୍ମଚାରୀ ମାନେ ମଧ୍ୟ ବହୁ ଅସୁବିଧା ଭୋଗୁଛନ୍ତି । ମୋଟ ୪୦ ରୁ ୫୦ ଟି ଏଜେନ୍ସି ଏହାର ଔଷଧ କ୍ରୟ କରୁଛନ୍ତି । ଔଷଧର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବାରୁ ଏହାର ଚାହିଦା ବି ବେଶ ଅଧିକ ରହିଛି । ସେପଟେ କନ୍ଦଳ ଯୋଗୁ କର୍ମଚାରୀ ମାନେ ୫ ମାସର ଦରମା ପାଇ ପାରିନାହାନ୍ତି । ଉଚ୍ଚ ଅଧିକାରିଙ୍କୁ ଲିଖିତ ଆଭିଯୋଗ କରିବା ପରେ ବି କୌଣସି ସୁଫଳ ମିଳିନି । ଫଳରେ ଦରମା ନ ପାଇ ହନ୍ତସନ୍ତ ହେଉଥିବା କର୍ମଚାରୀ ଧାରଣାରେ ବସିଛନ୍ତି ।

ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିବା ଆସିକା ଉକ୍ରଳ ଆୟୂର୍ବେଦିକ ଫାର୍ମାସି କନ୍ଦଳ ମଧ୍ୟରେ ଛନ୍ଦି ହୋଇ ଯାଇଛି । ଅନୁଷ୍ଠାନ ପରିଚାଳନା କ୍ଷେତ୍ରରେ ବିବାଦ ଲାଗି ରହୁଛି । ଏହାର ସମାଧାନ ପାଇଁ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି ତଥାପି କୌଣସି ସମାଧାନ ହେଇ ପାରି ନଥିବା ବେଳେ ଏବେ ଏହି ବିବାଦ ଫଳରେ ଏତେ ପୁରାତନ ସଂସ୍ଥାଟି ବନ୍ଦ ହେବାକୁ ଯାଉଛି    ।

ପରିଚାଳନା କମିଟି ମଧ୍ୟରେ ଥିବା ବିବାଦ ସମାଧାନ କରି କଂଚାମାଲ୍ ଯୋଗାଇଲେ ଏହି ପୁରାତନ ସଂସ୍ଥା ପୁଣି ତାର ପୁର୍ବ ଗୌରବ ଫେରି ପାଇବ ।

The post ବନ୍ଦ ହେବାକୁ ବସିଛି ଆସିକାର ଉତ୍କଳ ଆୟୂର୍ବେଦିକ ଫାର୍ମାସି । ୯ ମାସ ହେଲା ରାଜନୈତିକ କନ୍ଦଳ ଯୋଗୁ ଝୁଲୁଛି ତାଲା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started