ସଚେତନତା ସତ୍ତେ୍ୱ ମାନିଲେନି: ମନଇଚ୍ଛା ଉଡ଼ାଇଲେ ଗୁଡ଼ି, ମାଞ୍ଜା ସୂତା ଲାଗି ୨ ଆହତ

କନକ ବ୍ୟୁରୋ: ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ହେଲେ ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହୃତ ମାଂଜା ସୂତା ଯେ କେତେ ମାରାତ୍ମକ, ତାହା ସମସ୍ତଙ୍କୁ ଜଣା । ଆଉ କମିଶନରେଟ୍ ପୁଲିସ ପକ୍ଷରୁ ମାଂଜା ସୂତା ବ୍ୟବହାର ନେଇ ବାରମ୍ବାର ସଚେତନ କରାଯାଉଥିଲେ ବି କିଛି ଅମାନିଆ ମାନିବାକୁ ଅରାଜି । ଆଉ ଏହାର ପରିଣାମ ସ୍ୱରୂପ ଅନେକେ ଆହତ ମଧ୍ୟ ହେଉଛନ୍ତି । ମାଂଜା ସୂତା ଲାଗି କଟକରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି । ଯାହା ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରାଯାଇଛି ।

ଚାଇନିଜ୍ ମାଂଜା ସୂତା ବ୍ୟବହାର ନକରିବାକୁ ବାରମ୍ବାର ସଚେତନ କରାଯାଉଛି । ହେଲେ ମାର୍କେଟ୍ରେ ବେଧଡ଼କ ମାଂଜା ସୂତା ବିକ୍ରି ହେଉଛି । ଗ୍ରାହକ ମଧ୍ୟ ଏହି ମାଂଜା ସୂତାରେ ଗୁଡ଼ି ଉଡ଼ାଇଛନ୍ତି । ପରିଣାମସ୍ୱରୂପ ଏହି ମାଂଜା ସୂତା ସାଧାରଣ ଲୋକଙ୍କ ପାଇଁ ଘାତକ ସାଜୁଛି । ମକର ସଂକ୍ରାନ୍ତିରେ କଟକରେ ବଡ଼ ଅଘଟଣ ହେଉ ହେଉ ଅଳ୍ପକେ ରହିଯାଇଛି । ରାସ୍ତାରେ ଗାଡ଼ି ଚଳାଉଥିବା ବେଳେ ଗୁଡ଼ି ସୂତା ଲାଗି ଦୁଇ ଜଣ ଆହତ ହୋଇଛନ୍ତି । ଜଣଙ୍କ ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କ ହାତ ପାପୁଲିରେ ଆଘାତ ଲାଗିଛି । ବାଇକ୍ରେ କଟକ ଯାଉଥିବା ବେଳେ ବାଲିକୁଦା ନିକଟରେ ଏହି ଅଘଟଣ ଘଟିଛି ।

ଗତ କିଛି ଦିନ ତଳେ କଟକରେ ଜଣେ ବ୍ୟକ୍ତିଙ୍କ ବେକରେ ମାଂଜା ସୂତା ଲାଗି ଆହତ ହୋଇଥିଲେ । ଆଉ ମକର ସଂକ୍ରାନ୍ତିରେ ଦୁଇଜଣ ଆହତ ହେବା ପରେ ତତ୍ପରତା ଦେଖାଇଛି ପୁଲିସ । ସାହି ସାହି ବୁଲି ମାଂଜା ସୁତାରେ ଗୁଡି ଉଡାଉଥିବା ବା ସୁତା ବିକ୍ରି କରାଯାଉଥିବା ସ୍ଥାନରେ ଚଢାଉ କରିଛି । ଏହାସହ ଚୌଧୁରୀ ବଜାର ଓ ବାଦାମବାଡ଼ି ଅଂଚଳରେ ଥିବା ବିଭିନ୍ନ ଦୋକାନରେ ଚଢ଼ାଉ କରିଛି ପୁଲିସ । ଚଢ଼ାଉ ବେଳେ ମାଂଜା ସୂତା ଜବତ କରିଛି ପୁଲିସ । ଏହାସହ ମାଂଜା ସୂତାରେ ଗୁଡ଼ି ନଉଡ଼ାଇବାକୁ ମାଇକ ଯୋଗେ ପ୍ରଚାର କରି ସଚେତନ କରିଛି । ସେପଟେ ପୁଲିସର ନିର୍ଦ୍ଦେଶ ଅନୁସାରେ, ବ୍ୟବସାୟୀ ମଧ୍ୟ ମାଂଜା ସୂତା ବିକ୍ରି କରୁନଥିବା କହିଛନ୍ତି ।

ଗୁଡ଼ି ଉଡାଇବା ବେଳେ ସର୍ତକ ରହିବା ସହ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରିଥିଲା କମିଶନରେଟ୍ ପୋଲିସ । ବିପଜ୍ଜନକ ମାଞ୍ଜା ସୂତା ବଦଳରେ ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ପରାମର୍ଶ ଦିଆଯାଇଥିଲା । ମାଞ୍ଜା ସୂତା ବ୍ୟବହାର କରି ଗୁଡ଼ି ଉଡାଇବା ଆଇନଗତ ଦଣ୍ଡନୀୟ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଥିଲା ।

The post ସଚେତନତା ସତ୍ତେ୍ୱ ମାନିଲେନି: ମନଇଚ୍ଛା ଉଡ଼ାଇଲେ ଗୁଡ଼ି, ମାଞ୍ଜା ସୂତା ଲାଗି ୨ ଆହତ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ସଫେଇ କରୁଛନ୍ତି ବିଜେପି ନେତା: ଦେବଗଡର ଗୋପାଳଜୀ ମନ୍ଦିରରେ ସଫେଇ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ସେତିକି ସରଗରମ୍ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରତ୍ୟେକ ଦଳ ଆରମ୍ଭ କରିଦେଇଛନ୍ତି ଅଙ୍କ କଷା । ଏହାରି ଭିତରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି କରିଛି ନୂଆ ରଣନୀତି । ବିଜେପି ଫୋକସ୍ରେ ମହିଳା, ଯୁବ ଓ ନୂଆ ଭୋଟର । ମହିଳା ଭୋଟରଙ୍କ ସଂଖ୍ୟା ବଢାଇବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ । ଯାହାକୁ ନେଇ ଆଗାମୀ ଦିନରେ ଓଡିଶାରେ ଏକ ଜାତୀୟ ସ୍ତରୀୟ ମହିଳା ସମାବେଶ କରିବାକୁ ଯାଉଛି ବିଜେପି ।

ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଆଗମନ ହେବା ପୂର୍ବରୁ, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ, ଦେଶର ପ୍ରାୟ ୫ ଲକ୍ଷ ମନ୍ଦିର ସଜେଇ ହେଉଛି, ସଫେଇ ଚାଲିଛି । ମର୍ଯ୍ୟାଦାପୁରୁଷୋତମଙ୍କ ସ୍ୱାଗତ ପାଇଁ ଦେଶର ଦେବାଳୟ, ଶିବାଳୟ, ଶକ୍ତିିପୀଠ ସହ ତୀର୍ଥସ୍ଥଳ ଗୁଡ଼ିକରେ ଶ୍ରମଦାନ କରି ଝାଡ଼ୁ ପୋଛା କରୁଛି ବିଜେପି । ଏହି କ୍ରମରେ ଦେବଗଡ଼ ସହରର ଗୋପାଳଜୀ ମନ୍ଦିର ପରିଦର୍ଶନ କରିବା ସହ ସଫେଇ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ସଫେଇ ପାଇଁ ଶ୍ରମଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ୱଚ୍ଛ ତୀର୍ଥ ଅଭିଯାନ ଜରିଆରେ ଜାନୁୟାରୀ ୧୪ରୁ ୨୨ ଯାଏଁ ଚାଲିବ ଏହି ସଫେଇ ଅଭିଯାନ ।

ପ୍ରାୟ ୫ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟରେ ପ୍ରତିଷ୍ଠା ହେଉଛି ମହାପ୍ରଭୁ ରାମଚନ୍ଦ୍ରଙ୍କ ଦିବ୍ୟ ଓ ଭବ୍ୟ ମନ୍ଦିର । ଏହା ପୂର୍ବରୁ ଦେଶର ସମସ୍ତ ମନ୍ଦିରର ସଫେଇ କରାଯାଉଛି । ଏହି ଅଭିଯାନରେ ସାମିଲ୍ ହୋଇନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଭୁବନେଶ୍ୱର ରାମ ମନ୍ଦିରରେ ସଫେଇ କରିଛନ୍ତି ରାଜ୍ୟ ବିଜେପି ସଭାପତି । ବିଶ୍ୱ ହିନ୍ଦୁ ପରିଷଦ, ହିନ୍ଦୁ ସମାଜ, ବିଜେପି କର୍ମୀ ଓ ସାଧାରଣ ଜନତାଙ୍କ ମେଳରେ ଶ୍ରମ ଦାନ କରିଛନ୍ତି । ଏଭଳି କି ଏହି ସଫେଇ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ ସାମଲଙ୍କ ଭଳି ପୂର୍ବତନ ରାଜ୍ୟ ବିଜେପି ସଭାପତି, କନକବର୍ଦ୍ଧନ ସିଂଦେଓ ମଧ୍ୟ ମନ୍ଦିର ତଥା ଦେବାଳୟ ସଫେଇ ଅଭିଯାନରେ ଯୋଗ ଦେଇଛନ୍ତି । ପାଟଣାଗଡ଼ରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସଫେଇ କରିଛନ୍ତି କେ.ଭି ସିଂଦେଓ । ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଯାଇ ଜଗନ୍ନାଥ ମନ୍ଦିରରେ ଝାଡ଼ୁ ପୋଛା କରିଛନ୍ତି । ଏହା ପୂର୍ବରୁ ସୋଲବନ୍ଦରେ ଥିବା ରାମମନ୍ଦିରର ସଫେଇ କରିଥିଲେ ପୂର୍ବତନ ବିଧାୟକ ।

ଆସନ୍ତା ୨୨ ତାରିଖରେ ରାମ ଜ୍ୟୋତି ପ୍ରଜ୍ୱଳନ ସହ ଏହି ଅଭିଯାନ ସରିବ । ଅନ୍ତିମ ଦିନରେ ଦୀପାବଳି ଭଳି ଉତ୍ସବ ପାଳନ କରିବାକୁ ବିଜେପି ଦେଶବାସୀଙ୍କୁ ଆହ୍ୱାନ ଦେଇଛି ।

The post ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ସଫେଇ କରୁଛନ୍ତି ବିଜେପି ନେତା: ଦେବଗଡର ଗୋପାଳଜୀ ମନ୍ଦିରରେ ସଫେଇ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପକୁ ନେଇ ତେଜିଲା ରାଜନୀତି: ବିରୋଧୀଙ୍କ ସମାଲୋଚନା, ସାମିଲ ହେବାକୁ ବିଜେଡିର ଆହ୍ୱାନ

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କୁ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ୧୭ତାରିଖ ଲୋକାର୍ପଣ ଉତ୍ସବରେ ବିରୋଧୀ ବିଜେପି ଓ କଂଗ୍ରେସର ନେତା ଯୋଗ ଦେବେ କି ନାହିଁ, ସେ ନେଇ ବିବାଦ ସୃଷ୍ଟି ହୋଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାକ୍ଷୀ ବନିବେ କୋଟି କୋଟି ଜଗା ପ୍ରେମୀ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିସହ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଦଳ ମତ ନିର୍ବିଶେଷରେ ରାଜ୍ୟର ସମସ୍ତ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ ବି ଦିଆଯାଇଛି । ହେଲେ, ଲୋକର୍ପଣ ଉତ୍ସବ ପୂର୍ବରୁ ପରିକ୍ରମା ପ୍ରକଳ୍ପ ରଥ ଓ ପ୍ରଚାର ପ୍ରସାରକୁ ନେଇ ତେଜିଛି ରାଜନୀତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଜଗନ୍ନାଥ କେଉଁ ଦଳର ନୁହନ୍ତି । ସାଲବେଗଙ୍କୁ ଭେଟିବାକୁ ଜଗନ୍ନାଥ ୯ ଦିନ ବାହାରକୁ ବାହାରିଥିଲେ । ଏବେ ଆମେ ସାମିଲ ହେବା ଠିକ୍ କି ନୁହେଁ ଆପଣ ବିଚାର କରନ୍ତୁ । କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କହିଛନ୍ତି, ବସ୍ ଷ୍ଟାଣ୍ଡ, ରାସ୍ତା ଭଳି ପରିକ୍ରମା ପ୍ରକଳ୍ପର ଉଦଘାଟନ କରାଯାଉଛି । ଏହି ଠାକୁର ଲୋକଙ୍କୁ ଖାଇବାକୁ ଦିଏ, ଚାଉଳ ମାଗେନି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପରିକ୍ରମ ପ୍ରକଳ୍ପ ପାଇଁ ଗାଁ ଗାଁରେ ବୁଲୁଥିବା ରଥକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏବଂ ଏହି ଉତ୍ସବରେ ଯୋଗ ଦେବେନି ବୋଲି ସିଧାସଳଖ ମନା କରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସବୁ ଜଗା ଉପରେ ଛାଡି ଦେଇଛନ୍ତି । ଅନ୍ୟପଟେ ବିଜେଡି ବିଧାୟକ ଅମର ଶତପଥୀ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି, ଜଗନ୍ନାଥ ସମସ୍ତଙ୍କର । ଜଗନ୍ନାଥ କୌଣସି ନିର୍ଦ୍ଦିଷ୍ଟ ଦଳର ନୁହଁନ୍ତି । ତେଣୁ ସମସ୍ତେ ଆସନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହୁଅନ୍ତୁ ।

ତେବେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବାକୁ ମଝିରେ ଆଉ ମାତ୍ର ଦିନଟିଏ ଅଛି । ତେଣୁ କେଉଁ ନେତା ଯୋଗ ଦେଉଛନ୍ତି ଓ କେଉଁମାନେ ଯୋଗ ଦେଉ ନାହାନ୍ତି ତାକୁ ଅପେକ୍ଷା ।

The post ପରିକ୍ରମା ପ୍ରକଳ୍ପକୁ ନେଇ ତେଜିଲା ରାଜନୀତି: ବିରୋଧୀଙ୍କ ସମାଲୋଚନା, ସାମିଲ ହେବାକୁ ବିଜେଡିର ଆହ୍ୱାନ first appeared on Kanak News.

from Kanak News
via <a href="https://ifttt.com/?

ଉତ୍ସବମୁଖର ଶ୍ରୀକ୍ଷେତ୍ର: ଅଖଣ୍ଡ ଦୀପ ସହ ଆରମ୍ଭ ହେଲା ଯଜ୍ଞ

କନକ ବ୍ୟୁରୋ: ଜଗନ୍ନାଥଙ୍କ ପାଇଁ ଚାଲିଛି ଯଜ୍ଞ । ବେଦ, ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଚାରି ଦ୍ୱାରରେ ବେଦପାଠ କରୁଛନ୍ତି ୬୦ଜଣ ବିଦ୍ୟାର୍ଥୀ । ଦିନକ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଉଦ୍ଘାଟନ ଉତ୍ସବ । ଏହାକୁ ଭବ୍ୟ, ଆକର୍ଷଣୀୟ ଆଉ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ଓ ପୁରୀ ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । କଡା ସୁରକ୍ଷା ବଳୟ ଭିତରେ ରହିଛି ଶ୍ରୀକ୍ଷେତ୍ର । ଏବେ କେବଳ ଅପେକ୍ଷା ଉଦ୍ଘାଟନୀ ସମୟକୁ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଝଲସୁଛି ଶ୍ରୀକ୍ଷେତ୍ର । ବେଦପାଠ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ପରିବେଶ । ତିନିଦିନ ବ୍ୟାପୀ ଆରମ୍ଭ ହୋଇଛି ଯଜ୍ଞ । ଯଜ୍ଞମଣ୍ଡପର ଚାରି ଦ୍ୱାରରେ ତୋରଣ ପୂଜା ପରେ ଶାଲା ପୂଜା ହୋଇଛି । ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃପ୍ରଦିକ୍ଷଣ ପଥରେ ହୋଇଛି ନାମ ସଂକୀର୍ତନ । ପବିତ୍ର ମକର ସଂକ୍ରାନ୍ତିରେ ଅଖଣ୍ଡ ଦୀପ ସ୍ଥାପନ ପରେ ଦିନ ପ୍ରାୟ ୩ଟାରେ ଶ୍ରୀମନ୍ଦିରରୁ ଅଗ୍ନି ଆସି ମହାପ୍ରଭୁଙ୍କୁ ସ୍ମରଣ କରାଯାଇ ଯଜ୍ଞ ଆରମ୍ଭ ହୋଇଛି । ଯଜ୍ଞ ମଣ୍ଡପ ଭଳି ଶ୍ରୀମନ୍ଦିରର ଚାରି ଦ୍ୱାରରେ ବେଦ ପାଠ ପାଇଁ ସ୍ୱତନ୍ତ୍ର ଭାବେ ମଣ୍ଡପ ପ୍ରସ୍ତୁତ ହୋଇଛି । ୬୦ ଜଣ ବିଦ୍ୟାର୍ଥୀ ଏହି ବେଦ ପାଠ କରୁଛନ୍ତିା ସିଂହଦ୍ୱାରରେ ଋକ ବେଦ, ପଶ୍ଚିମଦ୍ୱାରରେ ସାମ ବେଦ , ଉତର ଦ୍ୱାରରେ ଅଥର୍ବ ବେଦ ଓ ଦକ୍ଷିଣ ଦ୍ୱାରରେ ଯଜୁର୍ବେଦ ପାଠ କରାଯାଉଛି ।

ଲୋକାର୍ପଣ ଉତ୍ସବ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ପୁରୀ । ସେଥିପାଇଁ ନବନିର୍ମିତ ଶ୍ରୀସେତୁ, ଶ୍ରୀମାର୍ଗର ଟ୍ରାଏଲ ରନ୍ ବି ଆରମ୍ଭ ହୋଇଛି । ପୁରୀରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ହେଲିପ୍ୟାଡ, ଶ୍ରୀ ସେତୁ ଓ ଅନ୍ୟାନ୍ୟ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

-ଲୋକାର୍ପଣ ଉତ୍ସବରେ ୮୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ
-ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ
-ବୋମା ନିଷ୍କୟକାରୀ ଟିମ ବି ପ୍ରସ୍ତୁତ ରହିବେ

ମୁଖ୍ୟ ଶାସନ ସଚିବ ବି ପୁରୀ ଆସି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପରିକ୍ରମା ପ୍ରକଳ୍ପ ନେଇ ଭକ୍ତ ବି ଉତ୍ସାହିତ ଅଛନ୍ତି । ଆଜିଠାରୁ ବାହାର ରାଜ୍ୟର ଅତିଥି ଆସି ପଂହଚିବା ଆରମ୍ଭ କରିଛନ୍ତି  ଆସନ୍ତା ୧୭ ତାରିଖରେ ଯଜ୍ଞର ପୂର୍ଣ୍ଣାହୂତି ଦେବେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ବି ପୁରୀ ଆସିବେ । ୧୭ ତାରିଖ ପରେ ଶ୍ରୀସେତୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ।

The post ଉତ୍ସବମୁଖର ଶ୍ରୀକ୍ଷେତ୍ର: ଅଖଣ୍ଡ ଦୀପ ସହ ଆରମ୍ଭ ହେଲା ଯଜ୍ଞ first appeared on Kanak News.

from Kanak News
via <a href="https://ifttt.com/?

ଫେବୃଆରୀ ୮ ରେ ହିଁ ହେବ ନିର୍ବାଚନ : ପାକିସ୍ତାନ ନିର୍ବାଚନ  ଆୟୋଗର ବଡ ନିଷ୍ପତି ।

ଫେବୃଆରୀ ୮ ରେ ସାଧାରଣ ନିର୍ବାଚନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିବା ପାକିସ୍ତାନର ନିର୍ବାଚନ ଆୟୋଗ ସୋମବାର ସିନେଟ୍ ଦେଇଥିବା ଏହି ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିଛି । ଆୟୋଗ କହିଛନ୍ତି ଯେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ପୂର୍ବ ନିର୍ଦ୍ଧାରିତ ନିର୍ବାଚନକୁ ସ୍ଥଗିତ ରଖିବା ଉପଯୁକ୍ତ ହେବ ନାହିଁ ।

ପାକିସ୍ତାନର ନିର୍ବାଚନ ଆୟୋଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୮ ର ସାଧାରଣ ନିର୍ବାଚନକୁ ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇଥିବା ସିନେଟର ପ୍ରସ୍ତାବକୁ ନିର୍ବାଚନ ଆୟୋଗ ପ୍ରତ୍ୟାଖ୍ୟାନ କରିଛି । ଏହି ପ୍ରସ୍ତାବ ସିନେଟ ଦ୍ଵାରା ଚଳିତ ମାସ ଆରମ୍ଭରେ ପାରିତ ହୋଇଥିଲା । ପାକିସ୍ତାନର ନିର୍ବାଚନ ଆୟୋଗ କହିଛନ୍ତି ଯେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ପୂର୍ବ ନିର୍ଦ୍ଧାରିତ ନିର୍ବାଚନକୁ ସ୍ଥଗିତ ରଖିବା ଅନୁଚିତ, ତେଣୁ ବର୍ତ୍ତମାନ ନିର୍ବାଚନ କେବଳ ଫେବୃଆରୀ  ୮ ରେ ହିଁ ହେବ ।

ଜାନୁଆରୀ ୫ ରେ ସଂସଦର ଉପର ଗୃହ ସିନେଟ ସାଧାରଣ ନିର୍ବାଚନରେ ​​ବିଳମ୍ବ କରିବାକୁ ଦାବି କରିଥିଲା । ଏହି ପ୍ରସ୍ତାବ ପରେ ଦେଶରେ ରାଜନୈତିକ ଅନିଶ୍ଚିତତା ବୃଦ୍ଧି ପାଇଥିଲା । ପରିସ୍ଥିତିକୁ ଅନୁଧ୍ୟାନ କରି ଆୟୋଗ ଏହାର ନିଷ୍ପତ୍ତି ଦେଇଛନ୍ତି ଏବଂ କହିଛନ୍ତି ଯେ କୌଣସି ପୂର୍ବ ନିର୍ଦ୍ଧାରିତ ନିର୍ବାଚନକୁ ଏହିପରି ସ୍ଥଗିତ ରଖାଯାଇପାରିବ ନାହିଁ ।

ନିର୍ବାଚନ ଆୟୋଗଙ୍କ ବିବୃତ୍ତିପାକିସ୍ତାନର ନିର୍ବାଚନ ଆୟୋଗ ସୋମବାର ଏକ ବିବୃତ୍ତିରେ କହିଛନ୍ତି ଯେ ଏହା ପାରିତ ହୋଇଥିବା ସଂକଳ୍ପକୁ ବିଚାର କରିଛି ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ‘ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା’ ଏବଂ ‘ଭୋଟର ଅନୁକୂଳ ପରିବେଶ’ ପ୍ରଦାନ କରିବାକୁ ତଦାରଖକାରୀ କେନ୍ଦ୍ର ଏବଂ ପ୍ରାଦେଶିକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ସାଧାରଣ ନିର୍ବାଚନକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଏହା ସମସ୍ତ ପ୍ରସ୍ତୁତି ଚଳାଇଛି ବୋଲି ଆୟୋଗ କହିଛନ୍ତି । ଏହା ସହିତ ଆୟୋଗ କହିଛନ୍ତି ଯେ ଫେବୃଆରୀ ୮ , ୨୦୨୪ ରେ ପାକିସ୍ତାନର ନୂତନ ୱାଜିର-ଏ-ଆଜମ ନିର୍ବାଚିତ ହେବ । ସାଧାରଣ ନିର୍ବାଚନ ଏବଂ ସ୍ଥାନୀୟ ନିର୍ବାଚନ ସବୁବେଳେ ଶୀତଦିନରେ ଅନୁଷ୍ଠିତ ହୋଇଥାଏ ।  ସେଥିରେ କିଛି ନୂଆ କଥା ନାହିଁ ।

କିଏ ଦାବି ଉଠାଇଥିଲା ?

ସ୍ବାଧୀନ ସିନେଟର ଦିଲୱର ଖାନଙ୍କ ଦ୍ଵାରା ଉପସ୍ଥାପିତ ହୋଇଥିବା ପ୍ରସ୍ତାବ ସିନେଟରେ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପାଇଥିଲା, କିନ୍ତୁ ପ୍ରମୁଖ ରାଜନୈତିକ ଦଳ ଏହାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ । ସିନେଟର ୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ କେବଳ ୧୪ ଜଣ ସାଂସଦଙ୍କ ଉପସ୍ଥିତିରେ ଏହା ପାରିତ ହୋଇଥିଲା । ପ୍ରକାଶ ଥାଉକି, ସାଂସଦ ଖାନ ସୋମବାର ସିନେଟ ଅଧ୍ୟକ୍ଷ ସାଦିକ ସଜାନୀଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଏହା ନିରାଶାଜନକ ଯେ ସଂସଦର ଉପର ଗୃହରେ ପାରିତ ହୋଇଥିବା ପ୍ରସ୍ତାବ ସତ୍ତ୍ୱେ କମିଶନଙ୍କ ଦ୍ୱାରା କୌଣସି ଠୋସ କାର୍ଯ୍ୟାନୁଷ୍ଠାନ’ ଗ୍ରହଣ କରାଯାଇ ପାରିଲା ନାହିଁ ।

ଦୌଡ଼ରେ କିଏ କିଏ ଅଛନ୍ତି ?

ଫେବୃଆରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ପ୍ରଥମ ଥର ପାଇଁ ଜଣେ ସଂଖ୍ୟାଲଘୁ ମହିଳା ସାଧାରଣ ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଗୋଟିଏ ପଟେ ଖାଇବର ପାଖ୍ଟନଖୱା ର ବନେର ଜିଲ୍ଲାରୁ ନାମାଙ୍କନ ଦାଖଲ କରିବା ପରେ ଡକ୍ଟର ସବୀର ପ୍ରକାଶ ଖବରରେ ଥିବାବେଳେ ଅନ୍ୟ ପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ପାର୍ଟି ପିଟିଆଇ ଅର୍ଥାତ୍ ପାକିସ୍ତାନ ତେହେରିକ-ଇ-ଇନସାଫ ମଧ୍ୟ ନିର୍ବାଚନରେ ​​ଅଛନ୍ତି ।

 

The post ଫେବୃଆରୀ ୮ ରେ ହିଁ ହେବ ନିର୍ବାଚନ : ପାକିସ୍ତାନ ନିର୍ବାଚନ  ଆୟୋଗର ବଡ ନିଷ୍ପତି । first appeared on Kanak News.

from Kanak News
via <a href="https://ifttt.com/?

ସଜେଇ ହୋଇଛି ଲଣ୍ଡା ପାହାଡ଼ । ପାହାଡ଼ ଉପରେ ଚାଲିଛି ଜଳକ୍ରୀଡ଼ା ।

କନକ ବ୍ୟୁରୋ: ବିଲୁପ୍ତ ପ୍ରଜାତି ବନ୍ୟଜନ୍ତୁ ସାଙ୍ଗକୁ ଜଳକ୍ରୀଡା ପାଇଁ ସଜେଇ ହୋଇଛି ଲଣ୍ଡା ପାହାଡ଼ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପାହାଡର ମନରୋମ ଦୃଶ୍ୟ । କେହି ବି ଦିନେ ଚିନ୍ତା କରିନଥିଲେ ଦିନେ ଏହି ଲଣ୍ଡା ପାହାଡ଼ ସାତ ରଙ୍ଗରେ ସଜେଇ ହୋଇ ସମସ୍ତଙ୍କୁ ଆକର୍ଷିତ କରିବ । ।

ସଜେଇ ହୋଇଛି ଲଣ୍ଡା ପାହାଡ଼ । ପାହାଡ଼ ଉପରେ ଚାଲିଛି ଜଳକ୍ରୀଡ଼ା । କୋରାପୁଟ ଜିଲ୍ଳା ବୋରିଗୁମ୍ମା ବ୍ଳକର ଜାତୀୟ ରାଜପଥ କଡ଼ରେ ରହିଛି ଲଣ୍ଡା ପାହାଡ । ଏବେ ଏହି ପାହାଡର ନାମ ବଦଳି ଯାଇଛି । ଜଳକ୍ରୀଡା ପାଇଁ ପାହାଡ ଉପରେ ପର୍ଯ୍ୟଟକଙ୍କ ଭିଡ ଲାଗୁଥିବା ବେଳେ ଏହାକୁ ଜୁରାସିକ ପାର୍କ ବୋଲି କୁହାଯାଉଛି ।

ପଂଚାୟତ ଦ୍ୱାରା ପରିଚାଳତ ଲଣ୍ଡା ପାହାଡକୁ ସଜେଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ସମସ୍ତଙ୍କୁ ଭରପୁର ମନୋରଞ୍ଜନର ଖୋରାକ୍ ଯୋଗାଉଥିବା ଏହି ସ୍ଥାନଟି ସ୍ଥାନୀୟ ଅଞ୍ଚଳର ଯୁବପିଢିଙ୍କୁ ରୋଜଗାର ଦେଉଛି । ଏହି ପର୍ଯ୍ୟଟନ ସ୍ଥଳ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପ୍ରକୃତିର ପାହାଡ଼କୁ ସଜାଡ଼ି ଲୋକାଭିମୁଖୀ କରାଯାଇଛି । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ଏହି ସ୍ଥାନର ରକ୍ଷଣାବେକ୍ଷଣ କରିବା ।

The post ସଜେଇ ହୋଇଛି ଲଣ୍ଡା ପାହାଡ଼ । ପାହାଡ଼ ଉପରେ ଚାଲିଛି ଜଳକ୍ରୀଡ଼ା । first appeared on Kanak News.

from Kanak News
via <a href="https://ifttt.com/?

ବନ୍ଦ ହେବା ସ୍ଥିତିରେ କୋଣାର୍କ ସୂତାକଳ । କପା ଅମଳ କରି ଦୋ-ଛକିରେ ଚାଷୀ । ରୋଜଗାର ହରାଇ ଦୁର୍ଦିନରେ କାଳ କାଟୁଛନ୍ତି କର୍ମଚାରୀ

କନକ ବ୍ୟୁରୋ: ଆରମ୍ଭ ହେବା ଆଗରୁ ସଂପୂର୍ଣ୍ଣ ବନ୍ଦ ଅବସ୍ଥାରେ କୋଣାର୍କ ସୂତାକଳ । ସରକାରଙ୍କ ଉଦାସୀନତା ଯୋଗୁଁ ଦୀର୍ଘ ୩୯ ବର୍ଷ ପରେ ବି ଅନ୍ଧାରରେ ରହିଛି କଳାହାଣ୍ଡି ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ କାରଖାନା । ସୂତାକଳ ବନ୍ଦ ହେବା ସ୍ଥିତିରେ ପହଞ୍ଚିଥିବା ବେଳେ ଦୋ-ଛକିରେ ପଡିଛନ୍ତି କପାଚାଷୀ ।

କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ରହିଛି କୋଣାର୍କ ସୂତାକଳ । ୧୯୮୪ ମସିହାରେ ତତକାଳୀନ୍ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାର ଶୁଭ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର କପା ଚାଷକୁ ନେଇ କୃଷି ଭିତ୍ତିକ କାରଖାନାର ସ୍ୱପ୍ନ ଦେଖିଥିଲେ । କାରଖାନା ପାଇଁ କୋଠା ତିଆରି ହୋଇଥିଲା, ହେଲେ ଦୀର୍ଘ ବର୍ଷ ପରେ ମେସିନ ନ ଲାଗିବାରୁ ତାହା ଭୂତକୋଠି ପାଲଟିଥିଲା । ପରେ ସେଠାରେ ଆରମ୍ଭ ହୋଇଥିବା ଜିନିଂ ମଧ୍ୟ ଏବେ ସଂପୂର୍ଣ୍ଣ ବନ୍ଦ ରହିଛି ।

  • ଅନ୍ଧାରରେ କୋଣାର୍କ ସୂତାକଳର ଭାଗ୍ୟ
  • ଦୋ-ଛକିରେ କଳାହାଣ୍ଡିର କପା ଚାଷୀ

କଳାହାଣ୍ଡି ଜିଲ୍ଲାରେ କୋଣାର୍କ ସୂତାକଳକୁ ଭରସା କରି କପା ଚାଷ କରନ୍ତି ଚାଷୀ । ୧୦ ହଜାର କ୍ୱିଣ୍ଟାଲ ଉତ୍ପାଦନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା କପା ଚାଷ ଏବେ ୫ ଲକ୍ଷରେ ପହଞ୍ଚିଲାଣି । ହେଲେ ଜିଲ୍ଲାରେ ଥିବା ଏହି କାରଖାନା ବନ୍ଦ ଅବସ୍ଥାରେ ଥିବା ବେଳେ ଦୋ ଛକିରେ ପଡିଛନ୍ତି କପା ଚାଷୀ ।

ସେପଟେ ସୂତାକଳରେ ଜିନିଂ ବନ୍ଦ ହେବାରୁ ପ୍ରାୟ ୩ଶହ ଅଧିକ କର୍ମଚାରୀ ବର୍ଷେ ହେଲା ରୋଜଗାର ହରେଇ ଚିନ୍ତାରେ ପଡିଛନ୍ତି । ତେବେ କୋଣାର୍କ ସୂତାକଳ ସହ କର୍ମଚାରୀ ଓ ଚାଷୀଙ୍କ ଭାଗ୍ୟ ଯୋଡି ହୋଇ ରହିଛି, ତେଣୁ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

The post ବନ୍ଦ ହେବା ସ୍ଥିତିରେ କୋଣାର୍କ ସୂତାକଳ । କପା ଅମଳ କରି ଦୋ-ଛକିରେ ଚାଷୀ । ରୋଜଗାର ହରାଇ ଦୁର୍ଦିନରେ କାଳ କାଟୁଛନ୍ତି କର୍ମଚାରୀ first appeared on Kanak News.

from Kanak News
via <a href="https://ifttt.com/?

ଉପାନ୍ତ ଅଞ୍ଚଳର ସମ୍ଭ୍ରାନ୍ତ ହସ୍ପିଟାଲ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଛି ଜାତୀୟ ସ୍ତରର ଏନକ୍ୱାସ୍ ମାନ୍ୟତା

କନକ ବ୍ୟୁରୋ: ପଛୁଆ ଜିଲ୍ଲାର ଆଗୁଆ ଡାକ୍ତରଖାନା । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଲା ଜାତୀୟ ସ୍ତରର ଏନକ୍ୱାଶ ମାନ୍ୟତା । ଡାକ୍ତରଖାନର ପ୍ରସୂତି ବିଭାଗକୁ ମିଳିଛି କେନ୍ଦ୍ରର ଲକ୍ଷ୍ୟ ପ୍ରମାଣପତ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ଏକମାତ୍ର ଡାକ୍ତରଖାନା ଭାବେ ମାଲକାନଗିରି ଡିଏଚଏଚକୁ ଏହି ଜାତୀୟ ଗୁଣବତ୍ତା ମାନ୍ୟତା ମିଳିଥିବା ଘୋଷଣା କରାଯାଇଛି । ଏହାପରେ ଜିଲ୍ଲାବାସୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ ।

  • ପଛୁଆ ଜିଲ୍ଲାର ଆଗୁଆ ଡାକ୍ତରଖାନା
  • ଏନକ୍ୱାସ୍ ତାଲିକା ଭୁକ୍ତ ମାଲକାନଗିର ମେଡିକାଲ

୭ ମହଲା ବିଶିଷ୍ଟ ମାଲାକନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଂଟ ଅତିକ୍ରମ କରିଛି ଏହି ଡାକ୍ତରଖାନା । ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ଏନକ୍ୱାଶ ବା ନାସନାଲ କ୍ୱାଲିଟି ଆସୁରାନ୍ସ ଷ୍ଟାଣ୍ଡାର୍ଡ ପ୍ରମାଣ ପତ୍ର ଡାକ୍ତରଖାନାର ମାନକୁ ବଢାଇ ଦେଇଛି । ସେବା, ସ୍ୱଚ୍ଛତା ପରି ବିଭିନ୍ନ ଦିଗକୁ ଅନୁଧ୍ୟାନ ଜାତୀୟ ଗୁଣବତା ନିଶ୍ଚିତତା ମାନକ ପ୍ରମାଣ ପତ୍ର ପ୍ରଦାନ କରାଇଛି । ଏହାସହ ଡାକ୍ତରଖାନାର ପ୍ରସବ କକ୍ଷ ଓ ମାତୃତ୍ୱ ବିଭାଗର ଅପରେସନ ଥିଏଟରକୁ ମିଳିଛି ସ୍ୱତନ୍ତ୍ର ଲକ୍ଷ୍ୟ ମାନ୍ୟତା ।

ଏନକ୍ୱାସ୍ ମାନ୍ୟତା ପାଇଁ ଡାକ୍ତରଖାନାରେ ସମସ୍ତ ବିଭାଗର ଭିତିଭୂମି, ଗୁଣବତା ଓ ସ୍ୱାସ୍ଥ୍ୟ ସେବାକୁ ତନ୍ନତନ୍ନ କରି ଯାଞ୍ଚ କରାଯାଏ । ପ୍ରତି କ୍ଷେତ୍ରରେ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖିଲେ ତାଲିକାଭୁକ୍ତ ହୋଇପାରିବ ଡାକ୍ତରଖାନା । ମାଲକାନଗିରି ଚିକିତ୍ସାଳୟ ସବୁଥିରେ ପ୍ରାୟ ୮୮% ନମ୍ବର ରଖି ଏହି ମାନ୍ୟତା ହାସଲ କରିଛି । ଏହି ମାନ୍ୟତା ପରେ ଆସନ୍ତା ୩ ବର୍ଷ ଯାଏଁ ଡାକ୍ତରଖାନାର ଶଯ୍ୟା ପିଚ୍ଛା ବାର୍ଷିକ ୧୦ ହଜାର ଟଙ୍କା ଅନୁଦାନ ମିଳିବ ବୋଲି ସିଡିଏମଓ କହିଛନ୍ତି । ପୂର୍ବରୁ ଏହି ଚିକିତ୍ସାଳୟ ଲଗାତାର ଭାବେ ୩-୩ ଥର କାୟାକଳ୍ପ ପୁରସ୍କାର ପାଇସାରିଛି । ଏବେ ଜିଲ୍ଲାରେ ଡାକ୍ତର ସଂଖ୍ୟା ମଧ୍ୟ ଦୁଇ ଗୁଣିତ ହୋଇଛି । ଯାହା ମାଲକାନଗିରି ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବାର ବାର୍ତା ଦେଉଛି ।

The post ଉପାନ୍ତ ଅଞ୍ଚଳର ସମ୍ଭ୍ରାନ୍ତ ହସ୍ପିଟାଲ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଛି ଜାତୀୟ ସ୍ତରର ଏନକ୍ୱାସ୍ ମାନ୍ୟତା first appeared on Kanak News.

from Kanak News
via <a href="https://ifttt.com/?

ଉଚ୍ଚ ଶିକ୍ଷିତ ଯୁବକଙ୍କ ଗାଁ ପ୍ରେମ: ଆଂଚଳିକ ସମସ୍ୟା ସମାଧାନ ପାଇଁ ସୋସିଆଲ ମିଡିଆକୁ କରିଛନ୍ତି ଅସ୍ତ୍ର

କନକ ବ୍ୟୁରୋ: ସୋସିଆଲ୍ ମିଡ଼ିଆ ଯୁଗରେ ପଛରେ ପଡ଼ିନି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା । ଜି.ଉଦୟଗିରି ଅଂଚଳର ଜଣେ ଉଚ୍ଚଶିକ୍ଷିତ ଯୁବକ ଏବେ ସୋସିଆଲ୍ ମିଡ଼ିଆ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବକ । ଜି ଉଦୟଗିରି ବ୍ଳକ୍ କଳିଙ୍ଗା ପଂଚାୟତର ଆମନ୍ ଚନ୍ଦ୍ର ନାୟକ ଟ୍ୱିଟ୍ କରି ପ୍ରଶଂସା ସାଉଁଟୁଛନ୍ତି ।

ଅମନ୍ ଚନ୍ଦ୍ର ନାୟକ । ବିଟେକ ପରେ ଏମ୍ବିଏ ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁ ଚାକିରି ପଛରେ ନପଡି ସୋସିଆଲ ମିଡିଆ ମାଧ୍ୟମରେ ସରକାରଙ୍କ ପାଖରେ ପହଂଚାଉଛନ୍ତି ଗାଁ ସମସ୍ୟା । ନିଜ ନଜରରେ ପଡୁଥିବା ସମସ୍ୟା ସଂପର୍କରେ ଟ୍ୱିଟ୍, ଇ-ମେଲ୍ ଓ ଚିଠି ଲେଖୁଛନ୍ତି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମୋ’ ସରକାର, ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କୁ ମଧ୍ୟ ଅବଗତ କରାଉଛନ୍ତି । ଆଉ ସମସ୍ୟାର ସମାଧାନ ହେଲା ପରେ ସଂପୃକ୍ତ ଅଧିକାରୀ ଓ ତାଙ୍କ ବିଭାଗକୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇବାକୁ କେବେ ଭୁଲିନଥା’ନ୍ତି ଅମନ ।

ନିଜର ଉଚ୍ଚ ଶିକ୍ଷା ସରିବା ପରେ ଗ୍ରାମାଂଚଳ ସମସ୍ୟା ସମାଧାନ ପାଇଁ ମନ ବଳାଇଛନ୍ତି ଅମନ୍ । ସକାଳୁ ସଂଜ ଯାଏଁ ନିଜ ଅଂଚଳରେ ବୁଲି ଲୋକଙ୍କ ସମସ୍ୟା ବାବଦରେ ତଥ୍ୟ ସଂଗ୍ରହ କରନ୍ତି । ତା’ପରେ ଏହାର ସମାଧନ ଦିଗରେ ଉଦ୍ୟମ ଆରମ୍ଭ କରନ୍ତି । ବର୍ଷେ ଭିତରେ ୧ ହଜାରରୁ ଉର୍ଦ୍ଧ୍ୱ ଟ୍ୱିଟ୍ କରିବା ସହ ୨୦୦ରୁ ଅଧିକ ଅନଲାଇନ୍ ଅଭିଯୋଗ କରିଛନ୍ତି । ସେଥିମଧ୍ୟରୁ ୧୨୯ଟି ସମାଧାନ ହୋଇଥିବା ବେଳେ ବହୁ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଜାରି ରହିଛି । ୩୦ରୁ ଅଧିକ ଇ-ମେଲ୍ ପଠାଇ ସ୍ଥାନୀୟ ଅଂଚଳର ସମସ୍ୟା ପାଇଁ ସରକାରଙ୍କୁ ଉତ୍ତରଦାୟୀ କରାଇଛନ୍ତି ଅମନ ।

ଏହାସହ ଆମନ ନିଜେ ରକ୍ତଦାନ କରିବା ସହ ରକ୍ତଦାନ ଶିବିର, ଗରିବ ଅସହାୟଙ୍କୁ କମ୍ବଳ ବଂଟନ ଓ ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଛନ୍ତି ।

The post ଉଚ୍ଚ ଶିକ୍ଷିତ ଯୁବକଙ୍କ ଗାଁ ପ୍ରେମ: ଆଂଚଳିକ ସମସ୍ୟା ସମାଧାନ ପାଇଁ ସୋସିଆଲ ମିଡିଆକୁ କରିଛନ୍ତି ଅସ୍ତ୍ର first appeared on Kanak News.

from Kanak News
via <a href="https://ifttt.com/?

ଘରର ସଂଜ୍ଞା କାହା ପାଇଁ କେମିତି? ଶୀତ ତାପ ନିୟନ୍ତ୍ରିତ ବହୁତଳ କୋଠାରେ ହେଉଛି ଯୋଜନା, ହେଲେ ଆଠଗଡର କୁଟିଳାଙ୍କ ପରିବାର ପାଇଁ ପାଲଟିଛି ପ୍ରହସନ

କନକ ବ୍ୟୁରୋ: ଆବାସ ଘର ଖଣ୍ଡେ ପାଇଁ ବିତିଗଲା ୩୦ବର୍ଷ । ବ୍ଲକକୁ ଦଉଡ଼ି ଦଉଡ଼ି ହତାସ ହୋଇ ପଡ଼ିଛନ୍ତି କୁଟିଳା ଜେନାମଣି । ପଲିଥିନ ତଳେ ରହୁଛନ୍ତି ୬ ପ୍ରାଣି କୁଟୁମ୍ବ । ହନ୍ତସନ୍ତ ହେଉଛି ଜୀବନ । ମୁଣ୍ଡ ଉପରେ ଛାତ ନଥିବା ବେଳେ ରାସନକାର୍ଡ଼ରେ ୨୦କେଜି ଚାଉଳ ମିଳୁଛି । ବାସ୍ ସେତିକିରେ ମାସେ ଚଳୁଛନ୍ତି କୁଟିଳାଙ୍କ ପରିବାର ।

ଆବାସ ଯୋଜନା ଏଠି ଯୋଜନ ଦୂରରେ.. ଛାତ ଛାଡନ୍ତୁ ଏମାନଙ୍କ ଭାଗ୍ୟରେ ଚାଳ ବି ନାହିଁ., ଘରର ସଂଜ୍ଞା କଣ ଏମିତି? ପିଲର ଜାଗାରେ ବାଉଁଶ ବତା, ମୁଣ୍ଡ ଉପରେ ପଲିଥିନ୍.. । ପଲିଥିନ ଟଣା କୁଡିଆରେ ୩୦ ବର୍ଷ ହେବ ରହୁଛନ୍ତି କଟକ ଆଠଗଡ଼ ବ୍ଲକ ବାଲିସାହି ଗାଁର କୁଟିଳା ଜେନାମଣିଙ୍କ ୬ ପ୍ରାଣୀ କୁଟୁମ୍ବ । ସ୍ୱାମୀ, ଝିଅ, ପୁଅ-ବୋହୁ ଓ ୨ମାସର ନାତୁଣିଙ୍କୁ ନେଇ ରହୁଛନ୍ତି । ଦିନରେ ଖରା, ରାତିରେ ତରା ଦେଖାଯାଉଥିବା ଘରେ ରହୁଥିବା ପରିବାର ଭାଗ୍ୟରେ ଏଯାଏଁ ଜୁଟିନାହିଁ ସରକାରୀ ପକ୍କା ଘରଟିଏ ।

ଦିନରେ ଖରା ରାତିରେ ତାରା ଦେଖାଯାଉଥିବା ଘରର ମୁଖିଆ ପକ୍ଷାଘାତରେ ପୀଡିତ । ଗୋଟିଏ ଝିଅ ଜନ୍ମରୁ ରୋଗୀଣା । ପୁଅ ମୁଲ ମଜୁରି ଲାଗି ଯାହା ଆଣୁଛି ସେଥିରେ ସମସ୍ତେ ଦୁଇ ଭଲ କରି ଦାନା ଗଣାଏ ଖାଇବା କଷ୍ଟକର । ଏଭଳି ସ୍ଥିତିରେ ଉତମ ଚିକିତ୍ସା ଓ ପକା ଘର ତିଆରି କରିବା ସମ୍ଭବ ହେଉନାହିଁ । ନିଜ ସମ୍ବଳରେ ଘରଟିଏ କରିପାରୁନଥିବାରୁ ସରକାରୀ ଯୋଜାନରେ ଘରଟିଏ ପାଇଁ ଅନୁରୋଧ କରିଛନ୍ତି ।

The post ଘରର ସଂଜ୍ଞା କାହା ପାଇଁ କେମିତି? ଶୀତ ତାପ ନିୟନ୍ତ୍ରିତ ବହୁତଳ କୋଠାରେ ହେଉଛି ଯୋଜନା, ହେଲେ ଆଠଗଡର କୁଟିଳାଙ୍କ ପରିବାର ପାଇଁ ପାଲଟିଛି ପ୍ରହସନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started